ମନୁ ନଦୀରେ ଗାଧୋଉଥିବା ବେଳେ ଛୋଟିଆ ମାଛ ଗୋଟେ ଆସି କହିଲା ମୋତେ ନଦୀର ବଡ଼ ମାଛମାନଙ୍କ ପାଖରୁ ଉଦ୍ଧାର କରନ୍ତୁ । ମନୁ ସେ ମାଛକୁ ଆଣି ପ୍ରଥମେ ଗୋଟେ ଛୋଟ ପାତ୍ରରେ ରଖିଲେ । ସାନ ମାଛଟି ବଡ଼ ହେଲାରୁ ସେ ଆଉ ସାନ ପାତ୍ରରେ ରହିପାରିଲାନି । ମନୁ ତାକୁ ନେଇ ଏକ ବିଶାଳ ବାମ୍ଫିରେ ଛାଡିଦେଲେ । କିଛି ବର୍ଷପରେ ସେ ବିଶାଳ ବାମ୍ଫି ବି ମାଛ ପାଇଁ ଛୋଟ ହେଲା । ସେ ପୁଣି ଥରେ ମନୁଙ୍କୁ ପ୍ରାର୍ଥନା କଲା ତାଙ୍କୁ ନେଇ ଗଙ୍ଗା ନଦୀରେ ଛାଡି ଦିଅନ୍ତୁ । ମନୁ ସେଇଆ କଲେ ।
ଗଙ୍ଗା ନଦୀରେ ସେ ମାଛ ଆନନ୍ଦରେ ପହଁରିବାକୁ ଲାଗିଲା । ପୁଣି କିଛି ବର୍ଷ ବିତିଗଲା । ବଢି ବଢି ମାଛ ଏବେ ବିଶାଳ ଆକାର ଧାରଣ କରିସାରିଥାଏ । ମାଛ ଏଥର ମନୁଙ୍କୁ ଆଉ ଥରେ ପ୍ରାର୍ଥନା କରି କହିଲା, ହେ ମୁନିବର! ମୋତେ ସ୍ୱଚ୍ଛନ୍ଦରେ ରହିବାକୁ ଏହି ଗଙ୍ଗା ନଦୀର ଜଳ କମ୍ ପଡୁଛି । ମୋତେ ଏବେ ଦୟାକରି ସମୁଦ୍ରରେ ଛାଡିଦିଅନ୍ତୁ ।
ସେ ବିଶାଳ ମାଛଟି ମନୁ ଧାରଣ କଲାପରି ଓଜନ ହ୍ରାସ କରିଦେଲା । ଦେହରୁ ଅଇଁଶିଆ ଗନ୍ଧକୁ ଦୁରେଇଦେଲା । ମନୁ ତାକୁ ସହଜରେ ନେଇ ସମୁଦ୍ରରେ ଛାଡିଦେଲେ । ସମୁଦ୍ରରେ ପଡିଲା ପରେ ମାଛ ମନୁଙ୍କୁ କହିଲା, ହେ ମୁନିଶ୍ରେଷ୍ଠ ! ଆପଣ ଆମକୁ ସବୁବେଳେ ରକ୍ଷା କରିଆସିଛନ୍ତି । ଏବେ ମୋ କଥା ମନ ଦେଇ ଶୁଣନ୍ତୁ । ଏବେ ଯୁଗର ଅନ୍ତ, ପ୍ରଳୟ ଆସନ୍ନ । ସ୍ଥାବର, ଜଙ୍ଗମ, ସଚେତନ ଓ ଅଚେତନ ସମସ୍ତଙ୍କ ବିନାଶ କାଳ ଅଗତ ।
Also Read
ଆପଣଙ୍କ ଦାୟିତ୍ୱ ହେଲା ପ୍ରଥମେ ଗୋଟେ ଦମ୍ଭିଲା ଡଙ୍ଗା ତିଆରି କରିବେ। ଡଙ୍ଗାରେ ମଜଭୁତ ଦଉଡି ଗୋଟେ ସଂଯୋଗ କରିବେ। ପ୍ରଳୟ ଜଳରେ ସେ ଡଙ୍ଗାରେ ସପ୍ତଋଷିଙ୍କୁ ବସାଇବେ। ଯେତେ ପ୍ରକାର ମଞ୍ଜି ଅଛି ସବୁ ସଂଗ୍ରହ କରି ଅଲଗା ଅଲଗା କରି ଡଙ୍ଗାରେ ରଖିବେ ଓ ମୋତେ ପ୍ରତୀକ୍ଷା କରିବେ । ମୁଁ ଆସିବି । ସେତେବେଳେ ମୋର ଶିଙ୍ଗ ଥିବ । ଚିହ୍ନିବାକୁ ଅସୁବିଧା ହେବନି ।
ମନୁ ଫେରିଲେ । ମାଛ କହିବା ଅନୁସାରେ ଡଙ୍ଗା ଗଢିଲେ ଓ ମଞ୍ଜି ସଙ୍ଗ୍ରହ କଲେ । ତାପରେ ଦିନେ ସମୁଦ୍ର ପାଖରେ ସପ୍ତଋଷିଙ୍କୁ ଧରି ଡଙ୍ଗାରେ ବସି ସେ ମାଛକୁ ସ୍ମରଣ କଲେ । ଶିଙ୍ଗ ଥିବା ବିଶାଳ ପାହାଡ଼ ଆକାରର ମାଛ ଆସି ପହଞ୍ଚିଲା । ମନୁ ତାଙ୍କ ହାତଗଢ଼ା ଡଙ୍ଗାକୁ ସେ ମାଛର ଶିଙ୍ଗରେ ଭଲରେ ବାନ୍ଧିଲେ।
ଖୁବ ଶୀଘ୍ର ଅତଳ ସମୁଦ୍ରର ଉତ୍ତାଳ ଲହଡି ଭିତରେ ସେ ମାଛ ମନୁଙ୍କ ଡଙ୍ଗାକୁ ଟାଣି ଟାଣି ନେଇଚାଲିଲା । ଚାରିଆଡେ ସମୁଦ୍ରର ଅଶାନ୍ତ ପାଣି । ମନୁଙ୍କୁ ଲାଗୁଥିଲା ଆକାଶ ଧରିତ୍ରୀ ସବୁଠି କେବଳ ପାଣି ହିଁ ପାଣି । ଅନେକ ବର୍ଷ ପରେ ଡଙ୍ଗା ଯାଇ ଗୋଟେ ବରଫ ପାହାଡ଼ର ଶୃଙ୍ଗ ପାଖରେ ପହଞ୍ଚିଲା । ମାଛ ସ୍ମିତ ହସ ସହ କହିଲେ, ହେ ମୁନିବର! ଏବେ ତୁମ ଡଙ୍ଗାକୁ ହିମାଳୟର ଏ ବରଫ ଶୃଙ୍ଗରେ ବାନ୍ଧିଦିଅ । ସେଇଦିନରୁ ହିମାଳୟର ସେ ଶୃଙ୍ଗର ନାମ ନୌବନ୍ଧନ ହେଲା ।
ମାଛ ଏବେ ମନୁଙ୍କୁ ନିଜର ପରିଚୟ ଦେଇ କହିଲେ ମୁଁ ପ୍ରଜାପତି ବ୍ରହ୍ମା । ମୋ ଠାରୁ ବଳି ବଡ଼ କେହି ବି ନାହିଁ । ମାଛ ରୂପରେ ମୁଁ ତୁମମାନଙ୍କୁ ପ୍ରଳୟରୁ ରକ୍ଷା କଲି । ଏବେ ମନୁ ତୁମେ ଦେବ, ଦାନବ ଓ ମାନବଙ୍କୁ ସୃଷ୍ଟି କରିବ । ମନୁଙ୍କୁ ସୃଷ୍ଟି ରଚନାର ଦାୟିତ୍ୱ ଦେଇ ମାଛ ଅଦୃଶ୍ୟ ହୋଇଗଲେ ।
ପ୍ରଳୟ, ମାଛ ଓ ମନୁଙ୍କ କଥା ଶୁଣି ସାରିଲା ପରେ ଯୁଧିଷ୍ଠିର ମହର୍ଷି ମାର୍କଣ୍ଡେୟଙ୍କୁ ପଚାରିଲେ, ହେ ମୁନିବର! ଆପଣ ତ ସହସ୍ର ଯୁଗକୁ ପ୍ରତ୍ୟକ୍ଷ କରିଛନ୍ତି । ବ୍ରହ୍ମାଙ୍କ ଛଡ଼ା ଆପଣଙ୍କ ବୟସର ଆଉ କେହି ଏ ସଂସାରରେ ନାହାନ୍ତି । ପ୍ରଳୟ କାଳରେ ସଂସାର ପ୍ରାଣୀ ଶୂନ୍ୟ ହେଲା ଓ ଦେବ ଦାନବ ବିନିଷ୍ଟ ହେଲେ । ସେତବେଳେ ଆପଣ ବ୍ରହ୍ମାଙ୍କୁ ଉପାସନା କରିଥିଲେ। ଆପଣଙ୍କୁ ସୃଷ୍ଟିର ରହସ୍ୟ ଅଜଣା ନୁହେଁ । ମୁଁ ସେଇ ରହସ୍ୟ ଆପଣଙ୍କ ପାଖରୁ ଶୁଣିବାକୁ ଚାହୁଁଛି ।
ମାର୍କଣ୍ଡେୟ କହିଲେ, ହେ ରାଜନ ସେଇ ନିର୍ଗୁଣ ଓ ସଗୁଣ ଇଶ୍ୱର ହିଁ ପରମ ପୁରୁଷ । ସେ ହିଁ ଏ ସୃଷ୍ଟିର ସ୍ରଷ୍ଟା । ଏ ଜଗତ କ୍ଷୟ ହେଲେ ସେଇ ପରମାତ୍ମାଙ୍କ ଠାରୁ ଏ ଜଗତ କୁହୁକ ପରି ପୁଣି ଜନ୍ମ ନିଏ । ତାଙ୍କର ଆରମ୍ଭ ନାହିଁ କି ଶେଷ ବି ନାହିଁ । ତାଙ୍କର ସୃଷ୍ଟି ନାହିଁ କି କ୍ଷୟ ନାହିଁ । ସେ ସ୍ରଷ୍ଟା କିନ୍ତୁ ତାଙ୍କୁ କେହି ସୃଷ୍ଟି କରିନି । ତାଙ୍କ ବିଷୟରେ ଦେବତା ମାନେ ବି ଭଲରେ ଜାଣନ୍ତିନି ।
ମାର୍କଣ୍ଡେୟ କହିଲେ ହେ ରାଜା ମନଦେଇ ଶୁଣ - ସଂସାରର ପ୍ରଳୟ ପରେ ଚାରି ହଜାର ବର୍ଷରେ ସତ୍ୟ ଯୁଗ ଆସେ । ତାପରେ ଆସେ ତ୍ରେତା । ତ୍ରେତା ରୁହେ ତିନିହଜାର ବର୍ଷ । ତାପରେ ଦୁଇ ହଜାର ବର୍ଷର ଦ୍ୱାପର ଯୁଗ । ଶେଷକୁ କଳି ଯୁଗ ଆସେ । ସେ ରୁହେ ହଜାରେ ବର୍ଷ । ଚାରି ଯୁଗ ଓ ଯୁଗ ସନ୍ଧି ମିଶିଲେ ବାର ହଜାର ବର୍ଷ ହୁଏ । ପୁଣି କଳି ପରେ ସତ୍ୟ ଯୁଗ ଆରମ୍ଭ ହୁଏ । ସେଇ ବାର ହଜାର ବର୍ଷ ମିଶି ଯେଉଁ ଯୁଗ ହେଲା ସେହିପରି ହଜାରେ ଯୁଗ ମିଶିଲେ ବ୍ରହ୍ମାଙ୍କ ପାଇଁ ଗୋଟେ ଦିନ ହୁଏ । ତାପରେ ପୁଣି ପ୍ରଳୟ ଆସେ ।
ଏବେ ଗୋଟେ ଯୁଗ ସରିବାକୁ ଅଳ୍ପ ଦିନ ବାକି ଅଛି । ତ୍ରେତା ସରୁଛି । କଳି ଆସୁଛି । କଳି ପ୍ରବେଶରେ ଲୋକମାନେ ସେମାନଙ୍କ ବର୍ଣ୍ଣ ଅନୁସାରେ କର୍ମ କରିବେନି । ବ୍ରାହ୍ମଣମାନେ ଶୁଦ୍ର ଆଚରଣ କରିବେ । ବ୍ରାହ୍ଣଣମାନେ ଜପତପହୀନ ଓ ଶୁଦ୍ରମାନେ ତପ ଜପ ପରାୟଣ କରିବେ । ମ୍ଲେଛ ରାଜା ହେବେ । ମଣିଷ ଅଳ୍ପ ଆୟୁ, ଅଳ୍ପବଳ ଓ ଅଳ୍ପ ପରାକ୍ରମୀ ହେବେ । ସ୍ତ୍ରୀ ମାନେ ବ୍ୟଭିଚାରିଣୀ ହେବେ । ଚାରିଆଡେ ଯୁଦ୍ଧ ଲାଗି ରହିବ ।
ପାଷାଣ୍ଡମାନଙ୍କ ଦ୍ୱାରା ଆଶ୍ରମ ପରିଚାଳିତ ହେବ । ଧାର୍ମିକ ମଣିଷ ଅଳ୍ପ ଦିନ ବଞ୍ଚିବେ । ଦରକାର ଅନୁସାରେ ବର୍ଷା ହେବନି । କପଟି ବଣିକମାନେ ଲୋକଙ୍କୁ ଛଳ କରି ଲୁଣ୍ଠନ କରିବେ । ରାଜା ବଣିକମାନଙ୍କ ସ୍ୱର୍ଥ ରକ୍ଷା ପାଇଁ ପ୍ରଜାମାନଙ୍କୁ ପୀଡ଼ା ଦେବେ। ପ୍ରଥମେ ଅନେକ ବର୍ଷ ଧରି ବର୍ଷା ହେବନି। ଅକାଳ ପଡିବ। ଏକା ବେଳକେ ସାତ ସୂର୍ଯ୍ୟ ଉଦୟ ହେଇ ପୃଥିବୀର ସବୁତକ ପାଣି ଶୋଷି ଦେବେ। ସବୁ କିଛି ପୋଡି ଜଳି ଯିବ। ସେଇ ଅଗ୍ନିରେ ଦେବ, ଅସୁର, ମାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷାସ ପୁରା ଜଗତ ସହ ପୋଡି ନଷ୍ଟ ହେଇଯିବେ ।
ମାର୍କଣ୍ଡେୟ ଋଷି ପ୍ରଳୟର ବର୍ଣ୍ଣନା କରି କହୁଥାନ୍ତି କେମିତି ଆକାଶରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ଆକାରର ମେଘମାଳା ଦିଶିବେ। ବିଜୁଳି ଘଡ଼ଘଡ଼ି ସହ ପ୍ରଚଣ୍ଡ ବର୍ଷା ଆରମ୍ଭ ହେବ। ବାର ବର୍ଷ ବର୍ଷା ହୋଇ ପୁରା ବିଶ୍ୱକୁ ପାଣିରେ ବୁଡେଇ ଦେବ ।
ସବୁକିଛି ନଷ୍ଟ ହେଲା ପରେ ବି ମାର୍କଣ୍ଡେୟ ଋଷି ଚାରି ଆଡେ ଏକା ଏକା ଘୁରି ବୁଲୁଥିବେ । ଅନେକ କାଳ ପର୍ଯ୍ୟନ୍ତ ପାଣିରେ କେବଳ ଭାସି ଭାସି ଚାଲିଥିବେ । ଶେଷରେ ତାଙ୍କୁ ବିଶାଳ ବର ଗଛ ଗୋଟେ ଦୃଶ୍ୟ ହେଲା । ସେ ବର ଗଛର ଗୋଟେ ଶାଖାରେ ଗୋଟେ ମାତ୍ର ପତ୍ର ଲାଗିଥିଲା । ସେଇ ପତ୍ର ଉପରେ ଦିବ୍ୟ ଶିଶୁ ଗୋଟେ ଶୋଇଥିଲା ।
ମାର୍କଣ୍ଡେୟ ଋଷି ବୁଝିପାରିଲେନି ପ୍ରଳୟରେ ସବୁ କିଛି ନଷ୍ଟ ହେଇଛି ତଥାପି ଏ ଶିଶୁ କେମିତି ରହିଛି । ସେ ଶିଶୁଟି ମାର୍କଣ୍ଡେୟ ଋଷିଙ୍କୁ ଦେଖି ପାଖକୁ ଡାକି ତାଙ୍କ ଶରୀର ଭିତରେ ପଶି ବିଶ୍ରାମ ନେବାକୁ କହିଲା । ଶିଶୁର ବିରାଟ ପାଟି ପଟରେ ମାର୍କଣ୍ଡେୟ ତା' ଶରୀର ଭିତରକୁ ପ୍ରବେଶ କରି ଆଶ୍ଚର୍ଯ୍ୟ ହୋଇଗଲେ । ସେଇଠି ସାରା ସଂସାର ରହିଥିଲା । ସବୁ ନଦୀ ଥିଲେ, ସବୁ ପାହାଡ଼ ଥିଲେ, ଗଛ ଲତା ପଶୁ ପକ୍ଷୀ ସମସ୍ତେ ଥିଲେ । ବ୍ରାହ୍ମଣମାନେ ଯଜ୍ଞ କରୁଥିଲେ । ପୁରା ସଂସାର ସେଇଠି ଥିଲା । ଶିଶୁର ସେଇ ଶରୀରରେ ଭିତରେ ଫଳ ଆହାର କରି ମାର୍କଣ୍ଡେୟ ଋଷି ଅନେକ ବର୍ଷ ବିତାଇଲେ ଅଥଚ ସେ ଅଖିଳ ବ୍ରାହ୍ମାଣ୍ଡର ଆଦି ଅନ୍ତ ଜାଣିପାରିଲେନି । ତାପରେ ଦିନେ ପ୍ରାର୍ଥନା କରି ବାହାରକୁ ବାହାରି ମାର୍କଣ୍ଡେୟ ଋଷି ଦେଖିଲେ ସେ ଶିଶୁ ସେଇ ବରପତ୍ରରେ ଶୋଇଛନ୍ତି ।
ମାର୍କଣ୍ଡେୟ ଋଷି ହାତ ଯୋଡି ସେ ଶିଶୁ ପାଖରୁ ତାଙ୍କ ମାୟା ଜାଣିବାକୁ ଇଚ୍ଛା କରିବାରୁ ସେ ଶିଶୁ କହିଲେ ଜଳର ନାମ ମୁଁ ନାରା ଦେଇଥିଲି । ମୁଁ ସେଇ ଜଳରେ ବାସ କରେ ବୋଲି ମୋ ନାମ ନାରାୟଣ । ଏ ଜଗତ ମୋ ପାଖରୁ ସୃଷ୍ଟି । ମୁଁ ବିଷ୍ଣୁ, ମୁଁ ବ୍ରହ୍ମା, ମୁଁ ଶିବ, ମୁଁ ଦେବରାଜ ଇନ୍ଦ୍ର, ମୁଁ ଧନପତି କୁବେର, ମୁଁ ଧର୍ମରାଜ ଯମ । ମୁଁ କାଶ୍ୟପ, ମୁଁ ପ୍ରଜାପତି । ମୁଁ ସୃଷ୍ଟି କର୍ତ୍ତା । ମୁଁ ହିଁ ସଂହାର କର୍ତ୍ତା । ଅଗ୍ନି ମୋର ମୁଖ, ପୃଥିବୀ ମୋର ପାଦ, ଚନ୍ଦ୍ର ସୂର୍ଯ୍ୟ ମୋର ଦୁଇ ଆଖି । ଦଶ ଦିଗ ମୋର ଦେହ ଓ ପବନ ମୋର ମନ । ମୁଁ ହିଁ ବରାହ ରୂପରେ ଧରଣୀକୁ ରକ୍ଷା କରିଥିଲି । ମୋ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରୀୟ, ଊରୁରୁ ବୈଶ୍ୟ ଓ ପାଦରୁ ଶୁଦ୍ର ଉତ୍ପନ୍ନ ହେଇଛନ୍ତି । ଚାରିବେଦ ମୋ ଠାରୁ ଆରମ୍ଭ ହୋଇ ମୋ ପାଖରେ ଶେଷ ହୋଇଛନ୍ତି ।
ଯେତେବେଳେ ଅଧର୍ମ ବଢ଼ିଯାଏ ସେତେବେଳେ ଧର୍ମ ରକ୍ଷା କରିବାକୁ ମୁଁ ନିଜକୁ ଜନ୍ମ କରେ । ସତ୍ୟ ଯୁଗରେ ଧଳା, ତ୍ରେତାରେ ହଳଦୀ, ଦ୍ୱାପରରେ ଲାଲ ଓ କଳିରେ ମୋର ରଙ୍ଗ କଳା ହୁଏ । ସମସ୍ତ ପ୍ରାଣୀଙ୍କ ହୃଦୟରେ ମୁଁ ବାସ କରେ । ସଂସାର ଚାଲିଥିବା ସମୟରେ ମୁଁ ଶୋଇପଡ଼େ । ବ୍ରହ୍ମା ନଉଠିଲା ପର୍ଯ୍ୟନ୍ତ ମୁଁ ଏଇଠି ଶିଶୁ ରୂପରେ ଏମିତି ବଟ ପତ୍ର ଉପରେ ଶୋଇଥାଏ ।
ମାର୍କଣ୍ଡେୟ କହିଲେ, ହେ ଯୁଧିଷ୍ଠିର ଏପରି ସୃଷ୍ଟି ରହସ୍ୟର ଆହୁରି ଅନେକ ଗୁଢ କଥା କହି ସେ ଦିବ୍ୟ ଶିଶୁ ମୋ ଆଗରୁ ଅର୍ନ୍ତହିତ ହେଇଗଲେ । ତାଙ୍କରି ଆଶୀର୍ବାଦରୁ ପ୍ରଳୟ ଓ ସୃଷ୍ଟି ପ୍ରକ୍ରିୟା ମୁଁ ପ୍ରତ୍ୟକ୍ଷ କଲି । ସେଇଥିପାଇଁ ମୋର ଆୟୁ ବଢିନି କି ସ୍ମୃତି ଶକ୍ତି ହ୍ରାସ ହୋଇନି। ହେ ଯୁଧିଷ୍ଠିର! ସେଇ ଅନାଦିର କାରଣ ପ୍ରଭୁ ଏବେ ତୁମର ପରମ ବନ୍ଧୁ ରୂପରେ ତୁମ ସହ ଅଛନ୍ତି । ପ୍ରଥମେ ତାଙ୍କରି ଶରଣ ନିଅ । ସେ ତୁମକୁ, ତୁମ ପରିବାରକୁ ଓ ସାରା ସଂସାରକୁ ରକ୍ଷା କରିବେ ।
ମାର୍କଣ୍ଡେୟ ଋଷିଙ୍କ କଥା ଶୁଣି ଯୁଧିଷ୍ଠିର ଓ ପାଣ୍ଡବ ପରିବାର ସେଠାରେ ବସିଥିବା ଶ୍ରୀକୃଷ୍ଣଙ୍କୁ ପ୍ରଣାମ କଲେ ।