ଅର୍ଜୁନଙ୍କ ଅନୁପସ୍ଥିତିରେ ପାଣ୍ଡବ ଚାରିଭାଇ ଓ ଦ୍ରୌପଦୀ, ଲୋମଶ ଋଷିଙ୍କ ସହ ତୀର୍ଥାଟନରେ ବାହାରି ଅଗସ୍ତ୍ୟ ଋଷିଙ୍କ ପରିତ୍ୟକ୍ତ ଆଶ୍ରମରେ ପାହଞ୍ଚିଥା'ନ୍ତି । ଲୋମଶ ଋଷି ଯୁଧିଷ୍ଠିରଙ୍କୁ ଅଗସ୍ତ୍ୟ ଋଷିଙ୍କ ସମୁଦ୍ରର ସବୁତକ ପାଣି ପିଇବା ଓ ସାଗର ରାଜାଙ୍କ କାହାଣୀ କହିସାରିଲା ପରେ ଯୁଧିଷ୍ଠିର ପୁଣି ଥରେ ସେଇ ମୂଳ ପ୍ରଶ୍ନ ପଚାରିଲେ ଯେ ଅଗସ୍ତ୍ୟ ଋଷି ତାଙ୍କ ଆଶ୍ରମକୁ ଖାଲି କରି କୁଆଡେ ଗଲେ?
ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲୋମଶ ଋଷି କହିଲେ- ସେ ଅନେକ ବର୍ଷ ତଳର କଥା । ଭାରତ ବର୍ଷରେ ଦୁଇଟି ବଡ ପର୍ବତ ଥାଆନ୍ତି । ହିମାଳୟ ଓ ବିନ୍ଧ୍ୟ । ହିମାଳୟ ପର୍ବତଙ୍କ ଗୌରବ ସହି ନପାରି ବିନ୍ଧ୍ୟ ପର୍ବତ ଉଚ୍ଚତାରେ ବଢିବାକୁ ଲାଗିଲେ। ସୂର୍ଯ୍ୟ ଦେବତା ସବୁଦିନ ହିମାଳୟଙ୍କୁ ପ୍ରଦକ୍ଷଣ କରନ୍ତି। ଉଦୟ ହୁଅନ୍ତି ଓ ଅସ୍ତ ବି ହୁଅନ୍ତି । ଦିନେ ବିନ୍ଧ୍ୟଗିରୀ ସୂର୍ଯ୍ୟଙ୍କୁ କହିଲେ, ହେ ଭାସ୍କର ତୁମେ ଯେମିତି ମେରୁ ପର୍ବତଙ୍କୁ ପ୍ରଦକ୍ଷଣ କରୁଛ ମୋତେ ବି ସେମିତି ପ୍ରଦକ୍ଷଣ କର । ବିନ୍ଧ୍ୟଗିରୀଙ୍କ ଅଜବ କଥା ଶୁଣି ସୂର୍ଯ୍ୟ ଦେବତା କହିଲେ, ହେ ଗିରିରାଜ ମୁଁ ମୋ ଇଚ୍ଛାରେ କାହାକୁ ପ୍ରଦକ୍ଷଣ କରୁନି। ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଯିଏ ସୃଷ୍ଟି କରିଛନ୍ତି ତାଙ୍କରି କଥାରେ ପ୍ରଦକ୍ଷଣ କରୁଛି । ବିଶ୍ୱନିୟନ୍ତା ମୋ ପାଇଁ ଯେଉଁ ପଥ ନିର୍ଦ୍ଦିଷ୍ଟ କରିଛନ୍ତି ମୁଁ କେବଳ ସେଇ ପଥରେ ଯାତାୟତ କରୁଛି ।
ସୂର୍ଯ୍ୟଙ୍କ କଥା ଶୁଣି ବିନ୍ଧ୍ୟ ପର୍ବତ ରାଗିଗଲେ । ତାଙ୍କୁ ଲାଗିଲା ସୂର୍ଯ୍ୟ ଦେବତା ତାଙ୍କର ଅପମାନ କରୁଛନ୍ତି । ତେଣୁ ରାଗରେ ସୂର୍ଯ୍ୟଙ୍କ ରାସ୍ତା ବନ୍ଦ କରିବାକୁ ନିଜର ଉଚ୍ଚତା ବଢାଇବାକୁ ଲାଗିଲେ । ବିନ୍ଧ୍ୟ ପର୍ବତଙ୍କ ଉଚ୍ଚତା ବଢିବାରୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଯିବା ଆସିବାରେ ବାଧା ପହଞ୍ଚିଲା । ସେମାନେ ଆଉ ସୁରୁଖୁରୁରେ ସେମାନଙ୍କ ରାସ୍ତାରେ ଯିବା ଆସିବା କରିପାରିଲେନି । ବିଭିନ୍ନ ଦେବତା ଓ ଋଷିମାନେ ଆସି ବିନ୍ଧ୍ୟଗିରୀଙ୍କୁ ଅନେକ ପ୍ରକାରରେ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ସେ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥାନ୍ତି ।
Also Read
ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଯାତାୟତ ବନ୍ଦ ହେବା ଫଳରେ ସାରା ସଂସାର ଉପରେ ଅନ୍ଧକାର ମାଡିଗଲା । ବିନା ଆଲୋକରେ ସଂସାର ନାଶ ଯିବ ବୋଲି ଭାଳେଣି ପଡିଲା । କିଛି ବୁଦ୍ଧିବାଟ ନଦିଶିବାରୁ ସମସ୍ତେ ଆସି ଅଗସ୍ତ୍ୟ ଋଷିଙ୍କ ପାଖରେ ପହଞ୍ଚିଲେ ଓ ଏମିତି ଏକ ପରିସ୍ଥିତିରୁ ଉଦ୍ଧାର କରିବାକୁ ଅନୁରୋଧ କଲେ । କହିଲେ ବିନ୍ଧ୍ୟ କାହାରି କଥା ଶୁଣୁନାହାଁନ୍ତି । ଆପଣଙ୍କ କଥା ନିଶ୍ଚୟ ଶୁଣିବେ । ଦେବତାମାନଙ୍କ ଅନୁରୋଧ ରକ୍ଷା କରି ଅଗସ୍ତ୍ୟ ଋଷି ସାଙ୍ଗରେ ତାଙ୍କ ପତ୍ନୀ ଲୋପାମୁଦ୍ରାଙ୍କୁ ଧରି ବିନ୍ଧ୍ୟଗିରୀଙ୍କ ପାଖକୁ ଗଲେ। ଋଷି ଦମ୍ପତ୍ତିଙ୍କୁ ଦେଖି ବିନ୍ଧ୍ୟଗିରୀ ସମ୍ମାନ ଜଣାଇ ତାଙ୍କ ମଥାନତ କରି ପ୍ରଣାମ କଲେ । ଋଷି ତାଙ୍କୁ ଆଶୀର୍ବାଦ କଲେ ଓ କହିଲେ ହେ ଗିରୀରାଜ ମୁଁ ଏକ ବିଶେଷ କାମରେ ଦକ୍ଷିଣକୁ ଯାତ୍ରା କରୁଛି । ଆମକୁ ଯିବା ପାଇଁ ରାସ୍ତା ଦିଅ ଓ ଆମେ ଫେରିଲା ପର୍ଯ୍ୟନ୍ତ ଏମିତି ମଥାନତ କରି ଆମକୁ ଅପେକ୍ଷା କରିଥାଅ ।
ଋଷିଙ୍କ କଥା ଶୁଣି ବିନ୍ଧ୍ୟଗିରୀ ମଥାନତ କରି ରାସ୍ତା ଛାଡିଦେଲେ। ସମୟ ବିତିବାକୁ ଲାଗିଲା । ଦିନ ଗଲା । ମାସ ଗଲା । ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା । ଅଗସ୍ତ୍ୟ ଋଷି କିନ୍ତୁ ଆଉ ଫେରିଲେନି । ସେଇଦିନରୁ ବିନ୍ଧ୍ୟଗିରୀ ଆଉ କେବେବି ମଥା ଉଠାଇ ଠିଆ ହେଇ ପାରିଲେନି ।
ଅଗସ୍ତ୍ୟ ମୁନିଙ୍କ ସମସ୍ତ କାହାଣୀ ଶୁଣି ସାରିଲା ପରେ ଲୋମଶ ଋଷିଙ୍କ ଉପଦେଶ ଅନୁସାରେ ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଓ ଦ୍ରୌପଦୀ ମୁନିଙ୍କ ଆଶ୍ରମ ପାଖ ପବିତ୍ର ଗଙ୍ଗା ନଦୀରେ ସ୍ନାନ କଲେ । ତାପରେ ସେଠାରୁ ସମସ୍ତେ ବାହାରି ନନ୍ଦା ଓ ଅପରନନ୍ଦା ଦୁଇ ନଦୀଙ୍କ ପାଖରେ ଥିବା ହେମକୂଟ ପାହାଡ ପାଖରେ ପହଞ୍ଚିଲେ ।
ଯୁଧିଷ୍ଠିର ସେଠାରେ ପହଞ୍ଚି ଆଶ୍ଚର୍ଯ୍ୟ କଥା ସବୁ ଦେଖିବାକୁ ଲାଗିଲେ । ଦେଖିଲେ ସମାନ୍ୟ ଶବ୍ଦ ଉଚ୍ଚାରଣ କଲେ ମେଘ ସୃଷ୍ଟି ହେଉଛି ଓ ଶହ ଶହ ପଥର ଖଣ୍ଡ ସବୁ ପାହାଡରୁ ଖସୁଛି । ସେଥିପାଇଁ କୌଣସି ମଣିଷ ସେ ପାହାଡ ଉପରକୁ ଚଢି ପାରୁନାହାନ୍ତି । ସେଠି ସବୁବେଳେ ପବନ ବହୁଛି ଓ ସନ୍ଧ୍ୟା ଏବଂ ସକାଳେ ଅଗ୍ନି ଦେବଙ୍କ ଦର୍ଶନ ମିଳୁଛି । ଏମିତି ଅନେକ ଅଜବ ଦୃଶ୍ୟ ଦେଖି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ଲୋମଶ ଋଷି କହିଲେ, ପୂର୍ବରୁ ଏ ପାହାଡରେ ଋଷଭ ନାମକ ଜଣେ ବୟସ୍କ ତପସ୍ୱୀ ତପ ଆଚରଣ କରୁଥିଲେ । ତାଙ୍କରି ନାମ ଅନୁସାରେ ପାହାଡର ନାମ ଋଷଭକୂଟ ହୋଇଥିଲା । ଋଷଭ ମୁନି ସ୍ୱଭାବରେ ବଡ କ୍ରୋଧୀ ଥିଲେ ।
ମୁନି ସବୁବେଳେ ତପସ୍ୟା କରୁଥା'ନ୍ତି । ସେ ତାଙ୍କ ଏକାଗ୍ରତରେ କେହି ବାଧା ପହଞ୍ଚାଉ ବୋଲି ଚାହୁଁନଥାନ୍ତି । ମୁନି ଥରେ ପର୍ବତକୁ ଆଦେଶ ଦେଲେ ଯେ କେହି ଯଦି ଆସି ଏଠି କଥା କହି ତାଙ୍କ ତପସ୍ୟାରେ ବ୍ୟାଘାତ ସୃଷ୍ଟି କରିବ ତେବେ ତା' ଉପରକୁ ପଥର ଫିଙ୍ଗିବ । ପବନକୁ ସୁଦ୍ଧା ଆଦେଶ ଦେଲେ ଚୁପ ରହିବାକୁ । ତେଣୁ ଏଠି କେହି କିଛି କହିଲେ ତାକୁ ବାଦଲ ଦ୍ୱାରା ଆକଟ କରାଯାଏ । ବହୁକାଳ ପୂର୍ବେ ଦେବତାମାନେ ନନ୍ଦା ନଦୀରେ ସ୍ନାନ କରିବାକୁ ଆସୁଥିଲେ । ଦେବତାମାନଙ୍କ ପଛେ ପଛେ ମାନବମାନେ ଆସିବାରୁ ଦେବତାମାନେ ଏଇ ଦୂର୍ଗ ଆକାରର ଦୁର୍ଗମ ପାହାଡ ନିର୍ମାଣ କରିଥିଲେ । ତପସ୍ୟାର ପୁଣ୍ୟ ବଳ ନଥିଲେ କେହି ଏ ପର୍ବତ ଆରୋହଣ କରିପାରିବନି। ଆଜିବି ସେଠାରେ ଏକଦା ଦେବତାମାନେ କରିଥିବା ଯଜ୍ଞ ଅନୁଷ୍ଠାନର ଚିହ୍ନ ସବୁ ରହିଛି ।
ତୀର୍ଥ ମହାତ୍ମ୍ୟ ବର୍ଣ୍ଣନା ପରେ ସମସ୍ତେ ପବିତ୍ର ନନ୍ଦା ନଦୀର ଜଳରେ ସ୍ନାନ କଲେ ଓ ସେଉଠୁ ବିଶ୍ୱାମିତ୍ର ଋଷିଙ୍କ ଆଶ୍ରମ ଥିବା କୌଶିକୀ ନଦୀ ପାଖକୁ ବାହାରିଲେ । ବିଶ୍ୱାମିତ୍ର ଋଷିଙ୍କ ଆଶ୍ରମର ଅଳ୍ପ ଦୂରରେ ଆଉ ଏକ ଆଶ୍ରମକୁ ଦେଖାଇ ଲୋମଶ ମୁନି କହିଲେ ସେଇଟି ହେଉଛି କାଶ୍ୟପ ମହର୍ଷିଙ୍କ ଆଶ୍ରମ । ସେଇ ଆଶ୍ରମ କାଶ୍ୟପଙ୍କ ପରେ ତାଙ୍କ ପୁଅ ଋଷି ବିଭାଣ୍ଡକ ଓ ନାତି ଋଷି ଋଷ୍ୟଶୃଙ୍ଗଙ୍କ ପାଇଁ ପ୍ରସିଦ୍ଧ । ଯୁଧିଷ୍ଠିର ଋଷି ଋଷ୍ୟଶୃଙ୍ଗଙ୍କ ବିଷୟରେ ଅଧିକ ଜାଣିବାକୁ ଚାହିଁବାରୁ ଲୋମଶ ମୁନି ଗପିଲେ ।
କାଶ୍ୟପଙ୍କ ପୁଅ ଋଷି ବିଭାଣ୍ଡକ ପିତାମହ ବ୍ରହ୍ମାଙ୍କ ପରି ତେଜସ୍ୱୀ ଥିଲେ । ଥରେ ବିଭାଣ୍ଡକ ହ୍ରଦରେ ସ୍ନାନ କରୁଥାନ୍ତି । ସେତିକିବେଳେ ସେଠାରେ ସ୍ୱର୍ଗର ଅପସରୀ ଉର୍ବଶୀ ହଠାତ୍ ଉଭା ହେଲେ । ଅପରୂପା ଉର୍ବଶୀଙ୍କୁ ଦେଖି କାମବଶରେ ଋଷି ବିଭାଣ୍ଡକଙ୍କର ରେତ ସ୍ଖଳନ ହୋଇଗଲା । ଅଭିଶାପ ପାଇ ଜଣେ ଦେବ କନ୍ୟା ହରିଣୀ ରୂପରେ ସେଇ ଜଙ୍ଗଲରେ ରହୁଥିଲେ । ବିଭାଣ୍ଡକଙ୍କର ବ୍ରହ୍ମରେତ ପାଣିରେ ଭାସୁଥିବା ବେଳେ ତାକୁ ସେଇ ହରିଣୀ ରୂପି ଦେବକନ୍ୟା ପାଣି ସାଙ୍ଗରେ ପିଇଦେଲେ । ଫଳରେ ହରିଣୀ ଗର୍ଭବତୀ ହେଲେ ଓ କିଛି ମାସ ପରେ ଏକ ପୁତ୍ର ସନ୍ତାନ ପ୍ରସବ କଲେ । ପିଲାଟିର ମୁଣ୍ଡରେ ହରିଣର ଶିଙ୍ଗ ଥାଏ । ସେଥିପାଇଁ ପିଲାଟିର ନାମ ଋଷ୍ୟଶୃଙ୍ଗ ରଖାଗଲା । ହରିଣୀ ରୂପି ଦେବକନ୍ୟା ଶାପମୁକ୍ତ ହୋଇ ସ୍ୱର୍ଗକୁ ବାହୁଡି ଗଲେ ଓ ଋଷ୍ୟଶୃଙ୍ଗଙ୍କ ପାଳନ ଭାର ପଡିଲା ଋଷି ବିଭାଣ୍ଡକଙ୍କ ଉପରେ ।
ଋଷ୍ୟଶୃଙ୍ଗ ତାଙ୍କ ବାପାଙ୍କ ସହ ତାଙ୍କ ଆଶ୍ରମରେ ରହିଲେ । ଋଷ୍ୟଶୃଙ୍ଗ ଆଶ୍ରମ ପରିସରରେ ଏକାନ୍ତରେ ବଢିଥିବାରୁ ତାଙ୍କ ବାପାଙ୍କ ଛଡା ଅନ୍ୟ କାହାକୁ ବି ଦେଖିନଥାନ୍ତି । ପିଲା ଦିନରୁ ସେ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ଧ୍ୟାନ, ଜପ ଓ ତପରେ ସର୍ବଦା ବ୍ୟସ୍ତ ରହୁଥିଲେ । ସେତବେଳକୁ ରାଜା ଦଶରଥଙ୍କ ବନ୍ଧୁ ଲୋମପାଦ ଅଙ୍ଗ ଦେଶକୁ ଶାସନ କରୁଥା'ନ୍ତି । ଥରେ ରାଜା ତାଙ୍କ ପୁରୋହିତଙ୍କ ପ୍ରରୋଚନାରେ ଦେଶର ବ୍ରାହ୍ମଣମାନଙ୍କୁ ଖରାପ ବ୍ୟବହାର କଲେ । ଫଳରେ ବ୍ରାହ୍ମଣମାନେ ଅଙ୍ଗ ଦେଶ ପରିତ୍ୟାଗ କରି ଅନ୍ୟତ୍ର ଚାଲିଗଲେ । ବ୍ରାହ୍ମଣଙ୍କୁ ଅପମାନ କରିବା ଫଳରେ ଦେବରାଜ ଇନ୍ଦ୍ର ରାଜା ଲୋମପାଦଙ୍କ ଉପରେ କୋପ କରି ଅଙ୍ଗ ଦେଶରେ ଆଉ ବର୍ଷା କଲେନି ।
ବର୍ଷା ନହେବାରୁ ଦେଶରେ ଅକାଳ ପଡିଲା । ପ୍ରଜାକୂଳ ତ୍ରାହି ତ୍ରାହି ଡାକିଲେ । ରାଜା ବିଜ୍ଞ ଲୋକମାନଙ୍କୁ ବର୍ଷା ନ ହେବାର କାରଣ ଓ ପ୍ରତିକାର ପଚାରିଲେ । ପଣ୍ଡିତମାନଙ୍କ ଉପଦେଶ ମାନି ରାଜା ଲୋମପାଦ ତାଙ୍କ ଦେଶରୁ ଅଭିମାନରେ ଚାଲିଯାଇଥିବା ବ୍ରାହ୍ମଣମାନଙ୍କୁ କ୍ଷମା ମାଗି ଦେଶକୁ ଫେରାଇ ଆଣିଲେ । ବ୍ରାହ୍ମଣମାନେ ଆସି କହିଲେ ଜଙ୍ଗଲରେ ଥିବା ଋଷି ଋଷ୍ୟଶୃଙ୍ଗକୁ ଯଦି ରାଜା ଆପଣା ଦେଶକୁ ଆଣିପାରିବେ ତେବେ ଯାଇଁ ବର୍ଷା ହେବ ।
ରାଜାଙ୍କୁ କୁହାଗଲା କିଛି ସୁନ୍ଦରୀ ବେଶ୍ୟାଙ୍କୁ ଋଷ୍ୟଶୃଙ୍ଗଙ୍କ ପାଖକୁ ପଠାଯାଉ । ଋଷ୍ୟଶୃଙ୍ଗ କେବେବି ନାରୀ ମୁଖ ଦର୍ଶନ କରିନାହାଁନ୍ତି। ସେ ତାଙ୍କ ବ୍ରହ୍ମଚର୍ଯ୍ୟ ଓ ତପ ବଳରେ ବର୍ଷା କରାଇବାର ବିଶେଷ ଶକ୍ତି ପ୍ରାପ୍ତ ହୋଇଛନ୍ତି । ସୁନ୍ଦରୀ ଯୁବତୀ ବେଶ୍ୟାମାନେ ମୋହାଶକ୍ତ କରି ଛଳ ପ୍ରୟୋଗ କରି ଋଷିଙ୍କୁ ଅଙ୍ଗ ଦେଶକୁ ଡାକି ଆଣି ପାରିବେ। ସୁନ୍ଦରୀ ବେଶ୍ୟାମାନଙ୍କୁ ଆଦେଶ ଦିଆଗଲା । ବେଶ୍ୟାମାନେ ଜାଣୁଥିଲେ ଏ ବଡ଼ କଠିନ କାମ । କାରଣ ରଜାଙ୍କ ଆଜ୍ଞା ପାଳନ ନ କରିବାର ରାସ୍ତା ନଥିଲା । ସେପଟେ ଋଷି କୋପକୁ ବି ଭୟ ଥିଲା । ଶେଷରେ ଭାବି ଚିନ୍ତି ସେମାନେ କାମଟି କରିପାରିବେନି ବୋଲି ହାତ ଯୋଡି ରାଜାଙ୍କୁ ଜଣାଇଲେ । ରାଜା କିଛି କହିବା ଆଗରୁ ଜରତା ନାମରେ ଜଣେ ବୁଢୀ ବେଶ୍ୟା କହିଲେ ତାଙ୍କର ସର୍ତ୍ତ ପାଳନ କରାଗଲେ ସେ ଋଷ୍ୟଶୃଙ୍ଗଙ୍କୁ ଅଙ୍ଗ ଦେଶକୁ ଆଣିଦେବେ।
ଜରତାଙ୍କର ସମସ୍ତ ସର୍ତ୍ତ ପାଳନ କରାଗଲା । ତାଙ୍କ କଥା ଅନୁସାରେ ଏକ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ ସୁଦୃଶ୍ୟ ନୌକା ନିର୍ମାଣ କରାଗଲା । ନୈକାରେ ଏକ ସୁନ୍ଦର ବଗିଚା ବି ସୃଷ୍ଟି କରାଗଲା । ବଗିଚାରେ ବିଭିନ୍ନ ଫଳ ଓ ଫୁଲ ଗଛ ସହ ସୁବାସିତ ଫୁଲ ଫୁଟୁଥିବା ଲତା କୁଞ୍ଜ ସବୁ ଖଞ୍ଜି ଦିଆଗଲା । ନୌକାରେ ଅନେକ ପ୍ରକାରର ସୁସ୍ୱାଦୁ ସ୍ୱାଦିଷ୍ଟ ଖାଦ୍ୟ ପେୟର ବ୍ୟବସ୍ଥା ସହ ସାନ କୁଡିଆଟିଏ ନିର୍ମାଣ କରାଗଲା । ଜରତା ସବୁ ବ୍ୟବସ୍ଥା କଲାପରେ ସାଙ୍ଗରେ କିଛି ସୁନ୍ଦରୀ ରମଣୀଙ୍କୁ ଧରି ନୌକା ଯାତ୍ରା ଆରମ୍ଭ କଲେ । ନୌକା ଯାଇ ବିଭାଣ୍ଡକଙ୍କ ଆଶ୍ରମ ପାଖ ନଦୀ କୂଳରେ ପହଞ୍ଚିଲା ଓ ଜରତା ଠିକଣା ସମୟକୁ ଅପେକ୍ଷା କରି ରହିଲେ । ଉଦ୍ଦେଶ୍ୟ ଆଶ୍ରମରେ ଯେତବେଳେ ଋଷ୍ୟଶୃଙ୍ଗ ଏକା ରହିଥିବେ ତାଙ୍କୁ ସାକ୍ଷାତ କରିବେ ଓ କୌଶଳ କରି ତାଙ୍କୁ ନୌକା ଭିତରକୁ ଆଣିଦେବେ ।