ପରିବର୍ତ୍ତିତ ସମୟ ସହ ବଦଳି ଚାଲିଛି ସାମାଜିକ ଚାଲିଚଳଣି। ସେଥିରୁ ଓଡ଼ିଆମାନେ ବାଦ୍ ପଡ଼ନ୍ତେ କିପରି? ଜୀବନଯାପନ ଶୈଳୀଠାରୁ ଆରମ୍ଭ କରି ଖାଦ୍ୟପେୟ ଓ ବେଶଭୂଷା; ସବୁଠି ପାଶ୍ଚାତ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଆଧୁନିକ ହେବା ଚକ୍କର୍ରେ ନିଜର ସଭ୍ୟତା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି ଆଜିର ଯୁବପିଢ଼ି।
ଏହି କ୍ରମରେ ଓଡ଼ିଆଙ୍କର ଖାଦ୍ୟ ଋଚି ମଧ୍ୟ ବଦଳିବାରେ ଲାଗିଛି। ଓଡ଼ିଆ ଲୋକମାନେ ନିଜର ଖାଦ୍ୟ ଆଡ଼ମ୍ବରକୁ ନେଇ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ଏମାନେ ଯେମିତି ଖାଆନ୍ତି, ସେମିତି ଖୁଆନ୍ତି। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଣେ ଖାଦ୍ୟପ୍ରିୟ ଠାକୁର। ଦୈନିକ ସେ ଖାଆନ୍ତି ଚଉଷଠୀ ପଉଟି ଭୋଗ। ସେଥିରେ ପୁଣି ଏତେ ଭେରାଇଟି ଯେ, ବୋଧହୁଏ ବିଶ୍ୱର ଅନ୍ୟ କୌଣସି ମନ୍ଦିରରେ ଏତେପ୍ରକାର ଖାଦ୍ୟ ଭୋଗ ହେଉନଥିବ।
ପ୍ରତି ଓଡ଼ିଆ ଘରେ ଖାଦ୍ୟର ପ୍ରକାର ଅଲଗା ଅଲଗା। ଏତେ ଭେରାଇଟି ଦେଶୀ ଖାଦ୍ୟ ପ୍ରସ୍ତୁତି ଅନ୍ୟ କେଉଁଠି ଦେଖାଯାଏ ନାହିଁ। ବିଶେଷକରି ଓଡ଼ିଆଙ୍କ ପିଠାର ପ୍ରକାରଭେଦ ବହୁପ୍ରକାର। ଆଉ ପ୍ରତି ପିଠା କୌଣସି ନା କୌଣସି ଓଡ଼ିଆ ପର୍ବପର୍ବାଣୀ ସହିତ ଜଡ଼ିତ ଥାଏ। ସେଥିପାଇଁ ପିଠାକୁ କେହି ଭୁଲି ପାରନ୍ତି ନାହିଁ। ପର୍ବ ଆସିଲେ, ତା ସଂପର୍କିତ ପିଠା ଖାଇବାକୁ ମିଳେ।
Also Read
କିନ୍ତୁ ଏବେର ଓଡ଼ିଆମାନଙ୍କ ଋଚି ବଦଳି ଚାଲିଛି। ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍। ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ। ଆଜିର ନୂଆ ସମୟର ପିଲାଏ ମଣ୍ତାପିଠା ଖାଇବାକୁ ପସନ୍ଦ କରୁନାହାନ୍ତି, ବରଂ ସେଇ ମଣ୍ଡାପିଠା ପ୍ରକ୍ରିୟାରେ ତିଆରି ମୋମୋ ସେମାନଙ୍କ ଦୈନନ୍ଦିନ ପସନ୍ଦର ଖାଦ୍ୟ ପାଲଟିଛି। ସେହିପରି କାକରା ପିଠାର ସ୍ଥାନ ନେଇଛି ବର୍ଗର। ଏହିପରି ଭାବେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି।
ଓଡ଼ିଆଙ୍କ ପିଠା ସ୍ୱତନ୍ତ୍ର
ଓଡ଼ିଆ ପିଠାର ମୁଖ୍ୟ ଉପାଦନ ହେଲା ଚାଉଳ, ବିରି, ମୁଗ, ସୁଜି, ଅଟା ପ୍ରଭୃତି। ଏହାର ଗୁଣ୍ଡ ବା ବଟା ବା ଚୂନା ଦ୍ୱାରା ପ୍ରସ୍ତୁତ ହେଉଥିବା ଆଣ ବା ଖଳିରେ ପ୍ରସ୍ତୁତ ହୋଇଥାଏ ପିଠା। ପ୍ରକାରଭେଦ ଦେଖି ପିଠାର ଉପାଦନ ବଦଳିଥାଏ। ଏକାଧିକ ପିଠାର ସମ୍ଭାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଛପନ ଭୋଗ ଭାବରେ ଲାଗି କରାଯାଇଥାଏ। ପିଠାକୁ ସାଧାରଣତଃ ପୋଡ଼ି କରି, ଭାଜି କରି, ତେଲ ବା ଘିଅରେ ଛାଣି, ପାଣିରେ ସିଝାଇ କିମ୍ବା ବାମ୍ଫରେ ସିଝାଇ ପ୍ରସ୍ତୁତ କରାଯାଏ।
ଓଡ଼ିଆ ସଂସ୍କୃତିରେ ଅନେକ ପ୍ରକାରର ପିଠା ରହିଛି। ଚାଉଳ ବଟା ଯଦି ପତଳା ଥାଏ, ତେବେ ତାକୁ ପିଠଉ ଓ ମୋଟା-ବହଳିଆ ହେଲେ ତାକୁ ଖଳି ବା ସୋଦୁଅ କୁହାଯାଏ। କାକରା, ଚିତଉ, ନାନମାନ, ଆରିସା, ପୁରୀ, ଏଣ୍ଡୁରୀ, ଚକୁଳି, ପୋଡ଼ପିଠା, ଗଇଁଠା, ମଣ୍ଡା, ପୁଳି, ବିରିବରା, ବିରିଲଡ଼ୁ, ମାଲପୁଆ, ଝିଲି, ଛୁଞ୍ଚିପତ୍ର ଆଦି ବହୁ ପ୍ରକାର ପିଠା ରହିଛି।
ଓଡ଼ିଶାର ଅନ୍ୟତମ ପରିଚୟ କହିଲେ, ଏହାର ଖାଦ୍ୟପେୟକୁ ବୁଝାଏ । ଆମ ଠାକୁର ଯେପରି ଖାଦ୍ୟ ପ୍ରିୟ, ସେହିପରି ଓଡ଼ିଆମାନେ ମଧ୍ୟ ଖାଦ୍ୟ ପ୍ରିୟ । ଭାରତର ବୈଶିଷ୍ଟ୍ୟ ହେଉଛି ବିଭିନ୍ନତା ଭିତରେ ଏକତା । ଅନ୍ୟ ଅଞ୍ଚଳର ଲୋକେ ଯେଉଁ ଜିନିଷ ଗୁଡ଼ିକୁ ଅଦରକାରୀ ଭାବି ବ୍ୟବହାର କରନ୍ତି ନାହିଁ, ଓଡ଼ିଶାର ଲୋକମାନେ ସେହି ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରନ୍ତି । ଏହାହିଁ ଓଡ଼ିଆ ମାନଙ୍କର ସ୍ୱତନ୍ତ୍ରତା ।
ଓଡ଼ିଆ ପିଠାକୁ ଲୋକପ୍ରିୟ କରିବାକୁ କେତୋଟି ପ୍ରସ୍ତାବ
- ଓଡ଼ିଶା ସରକାର ପିଠାକୁ ଲୋକପ୍ରିୟ କରିବାକୁ ଏବେ ମିଶନ ଶକ୍ତି ମହିଳାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଇଛନ୍ତି। କିନ୍ତୁ ଏହା ନୁହେଁ, ପିଠାରୁ କେମିତି ଦୁଇପଇସା ରୋଜଗାର ହୋଇପାରିବ, ସେମିତି କିଛି ଉପାୟ କରିବା ଦରକାର।
- ପର୍ବପର୍ବାଣୀ ସମୟରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପିଠା ଯୋଗାଇବାର ବ୍ୟବସ୍ଥା ହେଉଛି। କିନ୍ତୁ ଏହା କେବଳ ପର୍ବପର୍ବାଣୀରେ ସୀମିତ ରହିବା ଉଚିତ ନୁହେଁ।
- ଆଜିକାଲି ବିଭିନ୍ନ ସହରରେ ଓଡ଼ିଆ ପିଠା ପାଇଁ ସ୍ୱତନ୍ତ୍ର ଷ୍ଟଲ୍ ଖୋଲୁଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ବ୍ୟାବପକ କରାଯାଉ।
- ପିଠାର ଲୋକପ୍ରିୟତାକୁ ପୁଣି ଫେରାଇ ଆଣିବାକୁ ହେଲେ ପ୍ରଥମେ ପରିବାରରୁ ପ୍ରୟାସ ହେବା ନିତାନ୍ତ ଆବଶ୍ୟକ।
- ବର୍ତ୍ତମାନର ପିଢ଼ିକୁ ପିଠାର ଉପାଦେୟତା ସମ୍ପର୍କରେ ଶିଖାଇବା ସହ ପାଶ୍ଚାତ୍ୟ ଖାଦ୍ୟରୁ ଦୂରେଇ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ
- ପିଲାଙ୍କ ପାଠ୍ୟକ୍ରମରେ ଓଡ଼ିଆ ପିଠାର ମହତ୍ୱ ଓ ପରମ୍ପରା ସଂପର୍କରେ ରହିବା ଜରୁରି।
- ବିଭିନ୍ନ ପ୍ରକାର ପିଠାର ଉପାଦେୟତା କଥା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗଣମାଧ୍ୟମ ମଧ୍ୟ ଆଗେଇ ଆସିବା ଦରକାର
- ରାଜ୍ୟ ସରକାର ସ୍କୁଲ ମଧ୍ୟାହ୍ନ ଭୋଜନରେ ଓଡ଼ିଆ ପିଠାକୁ ଅନ୍ତର୍ଭୁକ୍ତ କରିପାରିବେ। ଏହା ଦ୍ୱାରା ବର୍ତ୍ତମାନର ପିଲାଏ ଓଡ଼ିଆ ପିଠା ଖାଇବାର ସ୍ୱାଦ ପାଇବେ, ତା ସହିତ ପିଠା ତିଆରି ମଧ୍ୟ ଏକ ଶିଳ୍ପରେ ପରିଣତ ହୋଇପାରିବ।
- ରାଜ୍ୟ ସରକାର ଏକ ପିଠା ବିଭାଗ କିମ୍ବା ଓଡ଼ିଆ ଖାଦ୍ୟକୁ ନେଇ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବା ଉଚିତ।
ଓଡ଼ିଶାରେ ପିଠାର ସ୍ଥାନ ସ୍ୱତନ୍ତ୍ର । ବାହାଘରଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ଯାଏଁ, ସବୁ କାମରେ ଖୋଜା ପଡ଼େ ପିଠା। ଶ୍ରୀଜଗନ୍ନାଥଙ୍କର ହେଉଥିବା ଛପନ ପଉଟି ଭୋଗ ପିଠା ବିନା ଅସମ୍ପୂର୍ଣ୍ଣ। କିନ୍ତୁ ବର୍ତ୍ତମାନ ଓଡ଼ିଆ ପିଠାର ମହତ୍ୱ ହଜିଯିବାକୁ ବସିଲାଣି। ପିଠାର ସ୍ଥାନ ନେଲାଣି ପାଶ୍ଚାତ୍ୟ ଖାଦ୍ୟ। ଲୋକେ ଆଉ ଏବେ ପିଠା ଖାଇବାକୁ ମନ କରୁନାହାନ୍ତି।
କିନ୍ତୁ ଖାଦ୍ୟ ହିସାବରେ ଓଡ଼ିଆ ପିଠା ବେଶ୍ ସ୍ବାସ୍ଥ୍ୟପ୍ରଦ। ଅଧିକାଂଶ ଓଡ଼ିଆ ପିଠା ସିଝା କିମ୍ବା ପୋଡ଼ା ହୋଇଥିବାରୁ ଏହା ପେଟ ଖରାପ କରିବାର ଆଶଙ୍କା ହିଁ ନଥାଏ। ତା ପରେ ଏହା ଦେଶୀ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଖାଦ୍ୟସାର ନଷ୍ଟ ହୋଇନଥାଏ। ଫାଷ୍ଟଫୁଡ୍ ଖାଇବେ ଦେହ ଖରାପ ହେବାକଥା ଆପଣ ଶୁଣିଥିବେ, କିନ୍ତୁ ପିଠା ଖାଇଲେ ଦେହ ଖରାପ ହୁଏ ବୋଲି ଆମେ କେବେବି ଜାଣିନାହାଁନ୍ତି।
ପରିବର୍ତ୍ତିତ ପରିସ୍ଥିତିରେ, ଅନେକ ଘରଣୀ ପିଠା ପ୍ରସ୍ତୁତି ଶୈଳୀ ଭୁଲି ଗଲେଣି। ବର୍ତ୍ତମାନର ପିଢ଼ି, ପିଠା ବିଷୟରେ ପ୍ରାୟ ଅଜ୍ଞ। ଆମେ ପାଶ୍ଚାତ୍ୟ ସଂସ୍କୃତି ଓ ଖାଦ୍ୟ ପ୍ରେମରେ ଏତେ ପଡିଯାଇଛୁ ଯେ, ଆମେ ଆମ ନିଜ ସଂସ୍କୃତି ଓ ଖାଦ୍ୟପେୟକୁ ଭୁଲି ଯାଉଛେ। ଆଜି କାଲିକା ପିଲାମାନଙ୍କୁ ବାପାମାଆ ମାନେ ପିଠା ସ୍ଥାନରେ କେକ୍ ଖୁଆଉଛନ୍ତି। ଫଳରେ ସେମାନେ ପିଠା ବିଷୟରେ ଜାଣିବାକୁ ମୂଳରୁ ସୁଯୋଗ ପାଉନାହାଁନ୍ତି। ଆଜିକାଲିର ପିଲାଙ୍କୁ କେତେ ପ୍ରକାର କେକ୍ ଅଛି ପଚାରିଲେ ନିହାତି କହି ଦେଇପାରିବେ। କିନ୍ତୁ ଓଡ଼ିଶାର ପରିଚୟ ବୋଲାଉଥିବା “ପିଠା” ବିଷୟରେ ସେମାନେ ଜାଣିନାହାଁନ୍ତି।
କହିବାକୁ ଗଲେ ଏବେ ବିଲୁପ୍ତ ହେବାକୁ ବସିଲାଣି ଆମ ଓଡ଼ିଆ ଚଳଣିର ପ୍ରତୀକ ପିଠା ସଂସ୍କୃତି । ଏଥିପାଇଁ ସରକାରଙ୍କ ସମେତ ଜନସାଧାରଣ ଆଗେଇ ଆସିବା ନିହାତି ଆବଶ୍ୟକ।