Mahabharat Story
ଦୁର୍ଯ୍ୟୋଧନ ତାଙ୍କ ବନ୍ଧୁ ଓ ଭାଇମାନଙ୍କୁ ଧରି ବଡ ଆନନ୍ଦରେ ରାଜସୁଖ ଭୋଗ କରୁଥିଲେ ବି ବନବାସ ଦଣ୍ଡ ଭୋଗୁଥିବା ପାଣ୍ଡବମାନଙ୍କୁ କେମିତି ହଇରାଣରେ ପକାଯିବ ସେନେଇ ଅହରହ ଚିନ୍ତା କରୁଥାନ୍ତି । ଥରେ ନିଜର ଦଶ ହଜାର ଶିଷ୍ୟଙ୍କୁ ଧରି ଦୁର୍ବାସା ମୁନି ହସ୍ତିନାପୁରରେ ପହଞ୍ଚିଲେ । ଦୁର୍ବାସା ମୁନି ଭୀଷଣ କ୍ରୋଧୀ ଓ ତାଙ୍କ ସେବା ଯତ୍ନରେ ସାମାନ୍ୟ ଏପାଖ ସେପାଖ ହେଲେ ରାଗି ଯାଉଥିଲେ ଓ ତୁରନ୍ତ ଅଭିଶାପ ଦେଇଦେଉଥିଲେ । ତେଣୁ ସେ ଯେଉଁଠି ଅତିଥି ଭାବରେ ପହଞ୍ଚୁଥିଲେ ସମସ୍ତେ ଚେଷ୍ଟା କରୁଥିଲେ ଋଷି ଯେମିତି କ୍ରୋଧ ନକରନ୍ତୁ । ତେଣୁ ଦୁର୍ବାସା ମୁନି ଓ ତାଙ୍କ ଶିଷ୍ୟମାନଙ୍କର ସେବା ଯତ୍ନରେ ଯେପରି କୌଣସି ତ୍ରୁଟି ନହୁଏ ଦୁର୍ଯ୍ୟୋଧନ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥାନ୍ତି ।
ଦିନେ ଦୁର୍ବାସା ମୁନି ଭୋକ ହେଉଛି ଖାଦ୍ୟ ପ୍ରସ୍ତୁତ କର କହି ଗାଧୋଇବାକୁ ଗଲେ । କିନ୍ତୁ ବହୁ ସମୟ ପରେ ଫେରି ଆସି ମୋର ଭୋକ ଆଉ ନାହିଁ କହି ଚାଲିଗଲେ । ପୁଣି ଅଳ୍ପ ସମୟ ପରେ ଫେରି ଆସି ଖାଇବାକୁ ମାଗିଲେ । ଦୁର୍ବାସା କେବେ ଅଧ ରାତିରେ ରାନ୍ଧିବାକୁ କୁହନ୍ତି ଓ ଖାଦ୍ୟ ଠିକ ହେଇନି କହି ଖାଆନ୍ତିନି । ଦୁର୍ବାସାଙ୍କ ଏପରି ବ୍ୟବହାରରେ ଦୁର୍ଯ୍ୟୋଧନ କିନ୍ତୁ କୌଣସି ଭାବାନ୍ତର ନଦେଖାଇ ଧୈର୍ଯ୍ୟର ସହ ଋଷିଙ୍କ ଆଦେଶ ପାଳନ କଲେ ଓ ଆତିଥ୍ୟତା ଯୋଗାଇ ଦେଲେ । ଶେଷରେ ବିଦାୟ ବେଳାକୁ ଦୁର୍ବାସା ଖୁସି ହୋଇ କହିଲେ, "ଦୁର୍ଯ୍ୟୋଧନ, ତୁମ ଅତିଥି ପରାୟଣତାରେ ମୁଁ ଖୁସି । ସେଥିପାଇଁ ଯାହାବି ବର ମାଗୁଛ ମାଗ ।"
ଦୁର୍ଯ୍ୟୋଧନଙ୍କ ମୁଣ୍ଡରେ କିଛି ଭଲ କଥା କେତେବେଳେ ଚାଲୁନଥାଏ। ସେ ଋଷିଙ୍କ ବରଦାନକୁ ବି ପାଣ୍ଡବମାନଙ୍କ କ୍ଷତି କରିବାରେ କିପରି ବିନିଯୋଗ କରାଯାଇ ପାରିବ ସେ କଥା ଭାବିଲେ । ଭାବି ଚିନ୍ତି କହିଲେ, "ହେ ମୁନିବର! ହସ୍ତିନାପୁର ଅତିଥି ହୋଇ ଆମମାନଙ୍କୁ ଆପଣ କୃତାର୍ଥ ଓ ଅନୁଗୃହୀତ କଲେ । ଆମ ବଂଶର ଜ୍ୟେଷ୍ଠ ହେଲେ ଗୁଣବାନ ଧର୍ମାତ୍ମା ଯୁଧିଷ୍ଠିର । ସେ ଏବେ ତାଙ୍କ ସାନ ଭାଇ ଓ ପତ୍ନୀଙ୍କୁ ଧରି ବନବାସରେ ଅଛନ୍ତି । ଆପଣ ଆପଣଙ୍କ ଶିଷ୍ୟମାନଙ୍କୁ ଆଣି ଆମର ଯେମିତି ଅତିଥି ହେଲେ ଠିକ ସେପରି ସେମାନଙ୍କ ପାଖରେ ମଧ୍ୟ ଥରେ ଅତିଥି ହୁଅନ୍ତୁ । ହଁ, ସାଙ୍ଗରେ ଥିବା ବ୍ରାହ୍ମଣ, ଅତିଥି, ନିଜର ପାଞ୍ଚପତିଙ୍କୁ ଖାଇବାକୁ ଦେଇସାରି ପାଞ୍ଚାଳୀ ନିଜେ ଖାଇସାରି ବିଶ୍ରାମ କରୁଥିବା ବେଳେ ଯାଇଁ ହିଁ ଆପଣ ସେମାନଙ୍କ ଅତିଥି ହେବେ । ମୋର ଏତିକି ମାତ୍ର ପ୍ରାର୍ଥନା ।
ଦୁର୍ଯ୍ୟୋଧନ ଯେପରି ପ୍ରାର୍ଥନା କଲେ ସେ ଠିକ ସେପରି କରିବେ କହି ଦୁର୍ବାସା ହସ୍ତିନାପୁରରୁ ବିଦାୟ ନେଇ ଚାଲିଗଲେ । ଦୁର୍ବାସାଙ୍କ ବିଦାୟ ପରେ କର୍ଣ୍ଣ, ଶକୁନି, ଦୁଃଶାସନ ଓ ଅନ୍ୟ କୌରବମାନେ ଦୁର୍ଯ୍ୟୋଧନଙ୍କ ବୁଦ୍ଧିକୁ ପ୍ରଶଂସା କଲେ । କର୍ଣ୍ଣ କହିଲେ, ସଖା ଏବେ ଦୁର୍ବାସାଙ୍କ ଅଭିଶାପରୁ ପାଣ୍ଡବମାନଙ୍କର ଆଉ ରକ୍ଷା ନାହିଁ । ବଣର ଫଳ ମୂଳ ଓ ହରିଣ ମାରି ଖାଉଥିବା ପାଣ୍ଡବମାନେ ଦୁର୍ବାସା ଓ ତାଙ୍କ ଶିଷ୍ୟମାନଙ୍କୁ କେବେବି ଉପଯୁକ୍ତ ଖାଦ୍ୟପେୟ ଯୋଗାଇ ଅତିଥି ସତ୍କାର କରିପାରିବେନି । ଶେଷରେ ଦୁର୍ବାସାଙ୍କ ଅଭିଶାପ ପାଇ ସିଧା ଘୋର ନର୍କରେ ଘାଣ୍ଟି ହେବେ । ଶକୁନି ହସି ହସି କହିଲେ ତା' ପୁଣି ସମସ୍ତେ ଖାଇ ସାରିଲା ପରେ ଦୁର୍ବାସା ପହଞ୍ଚିବେ । ତାପରେ ପାଣ୍ଡବମାନଙ୍କ ସମ୍ଭାବ୍ୟ କ୍ଷତି କଥା କହି ସମସ୍ତେ ଖୁବ ଆନନ୍ଦ ଅନୁଭବ କଲେ ।
ଅଧିକ ପଢ଼ନ୍ତୁ: କୌରବଙ୍କ ଯଜ୍ଞ ଓ ମୁଦୁଗଲ ଋଷିଙ୍କ ବୃତ୍ତାନ୍ତ
ଦିନେ କାମ୍ୟକ ବନରେ ଦ୍ରୌପଦୀ ସମସ୍ତଙ୍କୁ ଖାଇବାକୁ ଦେଇସାରି ନିଜେ ଖାଇସାରି ବିଶ୍ରାମ ନେଉଥାନ୍ତି । କଥା ଅନୁସାରେ ଠିକ ସେଇ ସମୟରେ ଦୁର୍ବାସା ଋଷି ସାଙ୍ଗରେ ତାଙ୍କ ଦଶ ହଜାର ଶିଷ୍ୟ ଧରି କାମ୍ୟକ ବନରେ ରହୁଥିବା ପାଣ୍ଡବମାନଙ୍କ ପାଖରେ ପହଞ୍ଚିଗଲେ । ଦୁର୍ବାସା ଋଷି ଓ ତାଙ୍କ ଶିଷ୍ୟମାନଙ୍କୁ ଦେଖି ଯୁଧିଷ୍ଠିର ସସମ୍ମାନେ ପାଛୋଟି ଆଣିଲେ । ଋଷିଙ୍କ ପାଦ ପୂଜା କଲେ ଓ କହିଲେ ହେ ମହର୍ଷି ଆପଣ ସ୍ନାନକରି ଆସି ଆମର ଆତିଥ୍ୟ ଗ୍ରହଣ କରନ୍ତୁ । ଦୁର୍ବାସା ସାଙ୍ଗରେ ଶିଷ୍ୟମାନଙ୍କୁ ଧରି ନଦୀକୁ ସ୍ନାନ କରିବାକୁ ଚାଲିଗଲେ ।
ଯୁଧିଷ୍ଠିର ସିନା କହିଦେଲେ କିନ୍ତୁ ଦ୍ରୌପଦୀ ଘୋର ଚିନ୍ତାରେ ପଡିଗଲେ। ସମସ୍ତଙ୍କୁ ଖାଇବାକୁ ଦେବାର ଦାୟିତ୍ୱ ତ ତାଙ୍କ ଉପରେ। କ'ଣ ସେ କରିବେ ଏବେ? ସମସ୍ତେ ଖାଇ ସାରିଛନ୍ତି। ଏବେ ଅକ୍ଷୟ ପାତ୍ରରୁ ଆଉ ଖାଦ୍ୟ ବାହାରିବନି । ପାତ୍ରର ବିଶେଷତ୍ୱ ଅନୁସାରେ ଯେତେ ଲୋକ ଆସିଲେ ବି ସେଥିରୁ ଖାଦ୍ୟ ବାହାରିବ କିନ୍ତୁ ଦ୍ରୌପଦୀ ନିଜେ ଖାଇସାରିଲା ପରେ ସେ ଦିନପାଇଁ ସେଥିରୁ ଆଉ କିଛି ଖାଦ୍ୟ ବାହାରିବନି । ସମସ୍ତେ ଖାଇସାରିଲା ପରେ ପାତ୍ର ଏବେ ଶୂନ୍ୟ । ଏତେ କମ୍ ସମୟରେ ଏତେ ଲୋକଙ୍କ ପାଇଁ ସେ ଖାଦ୍ୟ କେମିତି ଅବା ପ୍ରସ୍ତୁତ କରିବେ? ଦ୍ରୌପଦୀଙ୍କ ହାତରେ ଆଉ କିଛି ଉପାୟ ନଥିଲା । ସେ କ୍ଷଣକୋପୀ ଦୁର୍ବାସାଙ୍କ କ୍ରୋଧ କଥା ଭଲରେ ଜାଣିଥିଲେ ।
ଦ୍ରୌପଦୀ ନିଜକୁ ଓ ପାଣ୍ଡବ ଭାଇମାନଙ୍କୁ ଦୁର୍ବାସାଙ୍କ ଅଭିଶାପରୁ ବଞ୍ଚାଇବାକୁ ଶେଷରେ ବିକଳ ହୋଇ ସଖା ଶ୍ରୀକୃଷ୍ଣଙ୍କୁ ଡାକିବାକୁ ଲାଗିଲେ ।
କେଶବ ରୁକ୍ମିଣୀଙ୍କ ପାଖରେ ଶୋଇଥା'ନ୍ତି । ପାଞ୍ଚାଳୀଙ୍କ ଡାକ ଶୁଣୁ ଶୁଣୁ ବିଳମ୍ବ ନକରି କାମ୍ୟକ ବନରେ ଆସି ହାଜର ହୋଇଗଲେ । ଦ୍ରୌପଦୀ କୃଷ୍ଣଙ୍କୁ ପ୍ରଣାମ କରି ତାଙ୍କ ସମସ୍ୟା କଥା କହିଲେ । କୃଷ୍ଣ ସବୁଶୁଣି ହସି ହସି କହିଲେ, ସେ କଥା ପରେ । ମୋତେ ଏବେ ପ୍ରବଳ ଭୋକ । ପ୍ରଥମେ ମୋତେ କିଛି ଖାଇବାକୁ ଦିଅ । ତାପରେ ସେ କଥା ବୁଝିବା । ଦ୍ରୌପଦୀ ଅସହାୟ ହୋଇ କହିଲେ, ହେ ସଖା ଆମେ ସମସ୍ତେ ଖାଇ ସାରିଛୁ । ସୂର୍ଯ୍ୟ ଦେବଙ୍କ ଅକ୍ଷୟ ପାତ୍ରରେ ମୁଁ ଖାଇଲା ପର୍ଯ୍ୟନ୍ତ ହିଁ ଖାଦ୍ୟ ରୁହେ । ଏବେ ତାହା ଶୂନ୍ୟ । ଏବେ ମୋ ପାଖରେ କିଛି ନାହିଁ । ବୁଝିପାରୁନି ଆପଣଙ୍କୁ କ'ଣ ବା ଖାଇବାକୁ ଦେଇ ପାରିବି । କୃଷ୍ଣ କହିଲେ, ସଖୀ ଭୋକରେ ମୋର ହଂସା ଉଡିବାକୁ ବସିଲାଣି । ମୋ ସାଙ୍ଗରେ ଆଉ ଉପହାସ କରନି । ଯାହାବି ଅଛି ଦିଅ। ନହେଲେ ସେଇ ପାତ୍ରକୁ ମୋ ପାଖକୁ ଆଣ ମୁଁ ଦେଖେ ସେଥିରେ କେତେ କ'ଣ ଖାଦ୍ୟ ବଳକା ଅଛି ।
ମହାଭାରତଦ୍ରୌପଦୀ ବାଧ୍ୟ ହେଇ ପୋଛା ପୋଛି ହୋଇ ସାରିଥିବା ଅକ୍ଷୟ ପାତ୍ରକୁ ଆଣି କୃଷ୍ଣଙ୍କ ହାତରେ ଦେଲେ । ସତକୁ ସତ ପାତ୍ରରେ କିଛି ବି ଖାଦ୍ୟ ନଥିଲା । କିନ୍ତୁ ପାତ୍ରର ମଙ୍ଗରେ ଟିକିଏ ଶାକାନ୍ନ ଲାଗିଥାଏ । କୃଷ୍ଣ ସେଇ ସାମାନ୍ୟ ଶାକାନ୍ନକୁ ଟିପରେ ପାଟିକୁ ନେଲେ ଓ ପରମ ତୃପ୍ତି ସହ କହିଲେ, ହେ ବିଶ୍ୱାତ୍ମା ଏବେ ଏହି ଶାକାନ୍ନ କଣିକାରେ ପରିତୃପ୍ତ ହୁଅ । ଶାକାନ୍ନ କଣିକା ଖାଇ କୃଷ୍ଣ ଭୁରି ଭୋଜନ କଲାପରି ପରିତୃପ୍ତ ହେଇ ହେଉଡି ଗୋଟେ ମାରିଲେ ଓ ସହଦେବଙ୍କୁ କହିଲେ ଯାଅ ସ୍ନାନ କରିବାକୁ ଯାଇଥିବା ଦୁର୍ବାସା ଓ ତାଙ୍କ ଶିଷ୍ୟମାନଙ୍କୁ ଭୋଜନ କରିବାକୁ ଡାକିଆଣ । ସହଦେବ କିଛି ବୁଝି ପାରିଲେନି। ତଥାପି କୃଷ୍ଣଙ୍କ ଆଜ୍ଞା ପାଳନ କରି ନଈ ପାଖକୁ ଗଲେ ।
ନଈରେ ଗାଧୋଉଥିବା ବେଳେ ଦୁର୍ବାସା ଓ ତାଙ୍କର ଦଶ ହଜାର ଶିଷ୍ୟ ହଠାତ୍ ଅନୁଭବ କଲେ ସେମାନେ ଭୋଜନ କରିସାରିଛନ୍ତି। ଭୋଜନ ପରର ତୃପ୍ତି ଅନୁଭବ କରୁଥିବା ଶିଷ୍ୟମାନେ ଦୁର୍ବାସାଙ୍କୁ କହିଲେ, ହେ ଗୁରୁଦେବ ଆମେ କିଛିବି ଭୋଜନ କରିନୁ କିନ୍ତୁ ଆଶ୍ଚର୍ଯ୍ୟ କଥା ହେଲା ଆମକୁ ଲାଗୁଛି ଆମେ ଆକଣ୍ଠ ଭୋଜନ କରିସାରିଛୁ । ସେପଟେ ଧର୍ମରାଜ ଯୁଧିଷ୍ଠିର ଅପେକ୍ଷା କରି ବସିଛନ୍ତି । ଏବେ ସାମାନ୍ୟ କଣିକା ଖାଇବା ଅବସ୍ଥାରେ ଆମେ ନାହୁଁ । ଏବେ କ'ଣ କରିବା? ଆମମାନଙ୍କ ପାଇଁ ପାଣ୍ଡବଙ୍କ ଖାଦ୍ୟ ଯୋଗାଡ ବୃଥାରେ ଯିବ ।
ଦୁର୍ବାସା କହିଲେ ପ୍ରସ୍ତୁତ ଖାଦ୍ୟ ନଖାଇଲେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ଆମେ ଅପରାଧୀ ହେବା । ସେଥିପାଇଁ ପାଣ୍ଡବମାନେ ଯଦି କ୍ରୋଧ କରନ୍ତି ତେବେ ଆମେ ଭସ୍ମ ହୋଇଯିବା । ଯେଉଁମାନେ ବିଷ୍ଣୁ ଭକ୍ତ ଓ ହରିଙ୍କ ଶରଣରେ ଥାଆନ୍ତି ସେମାନଙ୍କୁ ଦେଖିଲେ ମହା ଭୟ ହୁଏ । ବହୁ ପୂର୍ବରୁ ଆମ୍ଭେ ବିଷ୍ଣୁଙ୍କ ପରମ ଭକ୍ତ ରାଜା ଅମ୍ବରୀଶଙ୍କ ସହ ବିବାଦ କରି ତା'ର ଫଳ ଭୋଗ କରିଛୁ । ପାଣ୍ଡବଭାଇମାନେ ଧର୍ମପଥରେ ସଦା ରୁହନ୍ତି । ନିୟମିତ ନୈଷ୍ଠିକ ଭାବରେ ତପ ଆଚରଣ କରନ୍ତି । ସେଥିରେ ପୁଣି ସେମାନେ କୃଷ୍ଣଙ୍କ ଆଶ୍ରିତ । ସେମାନଙ୍କୁ ଅସନ୍ତୁଷ୍ଟ କଲେ ଆମମାନଙ୍କୁ ତିନି ଭୂବନରେ କୋଉଠି ବି ରକ୍ଷା ମିଳିବନି । ସେମାନଙ୍କ କ୍ରୋଧ ତୁଳାକୁ ନିଆଁ ଜାଳିଲା ପରି ଆମମାନଙ୍କୁ ଜାଳିଦେବ । ଦୂରରୁ ସହଦେବ ସେମାନଙ୍କ ଦିଗରେ ଆସୁଥିବାର ଦେଖି ଦୁର୍ବାସା ତାଙ୍କ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ, ହେଇ ସହଦେବ ଆମମାନଙ୍କୁ ଡାକିବାକୁ ଆସୁଛନ୍ତି । ସେ ପହଞ୍ଚିବା ଆଗରୁ ଯିଏ ଯୁଆଡେ ପାରୁଛ ସ୍ଥାନ ଛାଡି ପଳାୟନ କର ।
ସହଦେବ ନଈ ପାଖରେ ପହଞ୍ଚି ଦେଖିଲେ କେହି କୁଆଡେ ନାହାଁନ୍ତି । ତପସ୍ୱୀ ଦୁର୍ବାସା ନାହାଁନ୍ତି କି ତାଙ୍କ ଶିଷ୍ୟମାନେ ବି ନାହାନ୍ତି । କିଛି ସମୟ ଖୋଜିଲା ପରେ ସେ ଫେରିଆସି ଯୁଧିଷ୍ଠିରଙ୍କୁ ଖବର ଦେଲେ । ତଥାପି ଯୁଧିଷ୍ଠିର ଦୁର୍ବାସାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି । କୃଷ୍ଣ ସ୍ମିତ ହସ ଓଠରେ ଖେଳେଇ କହିଲେ, ଦୁର୍ବାସା କିମ୍ବା ତାଙ୍କର କୌଣସି ଶିଷ୍ୟ ଆଉ ଆସିବେନି । ସେମାନେ ଭୋଜନର ତୃପ୍ତି ନେଇ ବିଦାୟ ନେଇସାରିଛନ୍ତି । ଦୁର୍ବାସାଙ୍କ ଆକସ୍ମିକ ଆଗମନରେ ବ୍ୟସ୍ତ ହେଇ ପାଞ୍ଚାଳୀ ମୋତେ ସ୍ମରଣ କରିବାରୁ ମୁଁ ତୁରନ୍ତ ଆସି ପହଞ୍ଚି ସେ ବ୍ୟବସ୍ଥା କରିସାରିଛି । ଦୁର୍ବାସା ତୁମମାନଙ୍କ ତପ ତେଜ ଦେଖି ପଳାୟନ କରିଛନ୍ତି । ତେଣୁ ନିଶ୍ଚିନ୍ତ ରୁହ। ସେ ପୁଣି ଥରେ ଫେରିଆସି ତୁମମାନଙ୍କୁ ଆଉ ଆଦୌ ହଇରାଣ କରିବେନି ।
କୃଷ୍ଣଙ୍କ କଥା ଶୁଣି ପାଣ୍ଡବ ଭାଇମାନେ ନିଶ୍ଚିନ୍ତ ହେଲେ ଓ ଏତେ ବଡ ବିପଦରୁ ରକ୍ଷା କରିଥିବାରୁ କୃଷ୍ଣଙ୍କୁ ଧନ୍ୟବାଦ ଦେଲେ । ତାପରେ କୃଷ୍ଣ ଆଉ କିଛି ସମୟ ପାଣ୍ଡବମାନଙ୍କ ସହ କଟାଇଲା ପରେ ଦ୍ୱାରକା ଫେରିଗଲେ । ଦୁର୍ଯ୍ୟୋଧନ ଦୁର୍ବାସାଙ୍କୁ ପଠେଇ ପାଣ୍ଡବମାନଙ୍କର ଅନିଷ୍ଟ କରିବାର ଯେଉଁ ଯୋଜନା କରିଥିଲେ ତାହା କୃଷ୍ଣଙ୍କ ପାଇଁ ବିଫଳ ହେଇଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748776268.jpg)