War
କିଚକର ମୃତ୍ୟୁ ପରେ ତା'ର ପରିଜନମାନେ ସିନା କ୍ରୋଧ କଲେ, କିନ୍ତୁ ନଗରର ସାଧାରଣ ଲୋକମାନେ ଖୁସି ହେଲେ। ନିଜର ବାହୁବଳରେ ସମସ୍ତଙ୍କୁ ଡରେଇ ରଖିଥିଲା କିଚକ। ପରସ୍ତ୍ରୀ ହରଣ ସହ ଆହୁରି ଅନେକ ପ୍ରକାରର ପାପ କର୍ମରେ ଲିପ୍ତ କିଚକକୁ ଗନ୍ଧର୍ବ ଉଚିତ ଶାସ୍ତି ଦେଇଛନ୍ତି ଜାଣି ସମସ୍ତେ ଖୁସି ।
ସେପଟରେ କୌରବମାନେ ତାଙ୍କ ବିଶ୍ୱସ୍ଥ ଚରମାନଙ୍କୁ ଚାରିଦିଗକୁ ପଠେଇଥିଲେ ପାଣ୍ଡବମାନଙ୍କୁ ଖୋଜିବାକୁ । ଅଜ୍ଞାତବାସ ସମୟରେ ପାଣ୍ଡବମାନଙ୍କୁ ଚିହ୍ନିଦେଲେ ସେମାନେ ପୁଣିଥରେ ବାରବର୍ଷ ପାଇଁ ବନବାସରେ ଯିବେ । କିନ୍ତୁ ଚାରି ଦିଗ ଖୋଜି ଖୋଜି ଚରମାନେ ଅସଫଳ ହୋଇ ଫେରି ଆସିଲେ । ଫେରିଆସି ଦୁର୍ଯ୍ୟୋଧନଙ୍କୁ ଜଣେଇଲେ ସେମାନେ ଅନେକ ଦେଶ, ଅନେକ ବଣ, ଜଙ୍ଗଲ, ତୀର୍ଥସ୍ଥାନ ଓ ଆଶ୍ରମ ବୁଲି ବୁଲି ଖୋଜିଲେ ବି ପାଣ୍ଡବମାନଙ୍କର ଚିହ୍ନ ବର୍ଣ୍ଣ କୋଉଠି ବି ପାଇଲେନି। ଚରମାନେ ବୁଝେଇ କହିଲେ, “ମହାରାଜ ଏତେ ଖୋଜିଲା ପରେ ବି ପାଣ୍ଡବମାନେ ନମିଳିବା ଅର୍ଥ ଘୋର ଅରଣ୍ୟ ଭିତରେ ସେମାନଙ୍କର ମରଣ ବୋଧେ ହେଇସାରିଛି ।”
ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ନିଧନ ହୋଇଛି ଖବର ଶୁଣି ବଡ଼ ଖୁସି ହୋଇଗଲେ । କିନ୍ତୁ କର୍ଣ୍ଣ କହିଲେ, “ବନ୍ଧୁ ଏତେ ଶୀଘ୍ର କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ନୁହେଁ । ଆମେ ଆମର ଚରମାନଙ୍କୁ ଆଉଥରେ ଭଲରେ ଖୋଜିବାକୁ ପଠେଇବା ଉଚିତ । ପାଣ୍ଡମାନେ ନିଶ୍ଚୟ କୋଉଁଠି ଗୋଟେ ଆତ୍ମଗୋପନ କରିଛନ୍ତି । ଅଜ୍ଞାତବାସ ଶେଷ ହେବା ପୂର୍ବରୁ ସେମାନଙ୍କୁ ଖୋଜି ବାହାର କରିବାକୁ ହେବ”।
କର୍ଣ୍ଣଙ୍କ କଥାକୁ ଦୁଃଶାସନ ସମର୍ଥନ କଲା । କହିଲା “ହଁ ଆମକୁ ଆଉଥରେ ଖୋଜିବାକୁ ହେବ। ଚର୍ତୁଦ୍ଦିଗ ତନ୍ନ ତନ୍ନ କରି ଖୋଜିଲାପରେ ଯଦି ଏଥର ବି ପାଣ୍ଡବମାନେ ମିଳିବେନି ତେବେ ଆମେ ବୁଝିଯିବା ସେମାନେ ସମୁଦ୍ର ସେପଟକୁ ଯାଇଛନ୍ତି କିମ୍ବା ଘୋର ଜଙ୍ଗଲରେ ସେମାନଙ୍କୁ ସାପ ଗ୍ରାସ କରିଛି ଅବା ଦୁଃଖ କଷ୍ଟ ସହିନପାରି ସେମାନେ ଆତ୍ମହତ୍ୟା କରିଛନ୍ତି ।”
ମହାଭାରତ ସେଠାରେ ଉପସ୍ଥିତ ଥିବା ଗୁରୁ ଦ୍ରୋଣାଚାର୍ଯ୍ୟ କହିଲେ, “ପାଣ୍ଡବମାନେ ବୀର୍ଯ୍ୟବାନ, ବଳଶାଳୀ, ଧାର୍ମିକ, ବୁଦ୍ଧିମାନ ଓ କୃତଜ୍ଞ ଅଟନ୍ତି । ସାନ ଚାରିଭାଇ ଧାର୍ମିକ ଯୁଧିଷ୍ଠିରଙ୍କୁ ମାନି କରି ଚଳନ୍ତି । ସେମାନଙ୍କର କୌଣସି ପରିସ୍ଥିତିରେ କେବେ ବି ମୃତ୍ୟୁ ହୋଇନଥିବ । ସେମାନେ ନିଶ୍ଚିନ୍ତ ଭାବରେ ଅଜ୍ଞାତବାସ ଶେଷ ହେବାକୁ ଅପେକ୍ଷା କରିଛନ୍ତି । ଦେଖିବ ତେରବର୍ଷ ସରିଲା ପରେ ନିଶ୍ଚୟ ଆସି ପହଞ୍ଚିବେ । ଏଇ ଚରମାନଙ୍କ ପକ୍ଷରେ ସେମାନଙ୍କୁ ଖୋଜି ପାଇବା ଏତେ ସହଜ ବ୍ୟାପାର ନୁହେଁ ।” ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କ କଥାକୁ ସମର୍ଥନ କରି କହିଲେ, “ପାଣ୍ଡବମାନେ ସତ୍ୟଧର୍ମପରାୟଣ, ସଦାଚାରୀ,ମହାପରାକ୍ରମୀ, କୃଷ୍ଣଙ୍କ ଆଶ୍ରିତ ଓ କ୍ଷତ୍ରୀୟ ଧର୍ମନିଷ୍ଠ ଅଟନ୍ତି । ସେମାନେ ଧର୍ମବଳରେ ଓ ନିଜ ବାହୁବଳରେ ବିଶ୍ୱାସ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କରି ରହିଛନ୍ତି । ସେମାନେ କେବେବି ମୃତ୍ୟୁମୁଖରେ ପଡିନାହାଁନ୍ତି ବରଂ ଉପଯୁକ୍ତ ସମୟକୁ ଅପେକ୍ଷା କରି ରହିଛନ୍ତି ।” ସେଠାରେ ଉପସ୍ଥିତ ଥିବା କୃପାଚାର୍ଯ୍ୟ ବି ଆଚାର୍ଯ୍ୟ ଦ୍ରୋଣ ଓ ପିତାମହ ଭୀଷ୍ମଙ୍କ ମତ ସହ ଏକମତ ହେଲେ ।
ଏହି ସମୟରେ ଚରମାନଙ୍କ ପାଖରୁ ଖବର ମିଳିଲା ମତ୍ସ୍ ନରେଶ ବିରାଟଙ୍କ ବଳଶାଳୀ ଶାଳକ କିଚକକୁ କୌଣସି ଅଜ୍ଞାତ ଗନ୍ଧର୍ବ ହତ୍ୟା କରିଛି । କିଚକ କୌଣସି ଏକ ପରମା ସୁନ୍ଦରୀ ନାରୀର ପ୍ରଣୟ ଭିକ୍ଷା କରି ଏପରି ପରାଭବ ପାଇଛି । ସମସ୍ତେ ଜାଣିଥିଲେ କିଚକକୁ ପରାଜୟ କରି ହତ୍ୟା କରିବା ସହଜ କଥା ନୁହେଁ । ମଲ୍ଲ ଯୁଦ୍ଧରେ ତାପରି ବୀର କେହି ନଥିଲେ । ତାକୁ ହରାଇ ପାରିବାର ସାମର୍ଥ୍ୟ କେବଳ ଭୀମ ଓ ବଳରାମଙ୍କର ଥିଲା । ଖବର ପାଇ ଦୁର୍ଯୋଧନଙ୍କର ମନରେ ସନ୍ଦେହ ହେଲା ଯେ ସେ ଅପରୂପା ସୁନ୍ଦରୀ ନିଶ୍ଚୟ ପାଞ୍ଚାଳୀ ଓ କିଚକକୁ ହତ୍ୟା କରିଥିବା ଗନ୍ଧର୍ବ ଆଉକେହି ନୁହେଁ ନିଶ୍ଚୟ ଭୀମସେନ ହୋଇଥିବେ।
ତ୍ରୀଗର୍ତ୍ତ ରାଜା ସୁଶର୍ମା ସେଇଠି ଉପସ୍ଥିତ ଥିଲେ । ସୁଶର୍ମାଙ୍କର ମତ୍ସ୍ଯ ଦେଶ ସହ ପୁରୁଣା ବିବାଦ ଥିଲା । ବିରାଟ ରାଜାଙ୍କ ଶଳା ତଥା ସେନାପତି କିଚକ ଅନେକ ଥର ତ୍ରୀଗର୍ତ୍ତ ଦେଶକୁ ଆକ୍ରମଣ କରିଥିଲେ । ତେଣୁ ସେ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କୁ କହିଲେ, “ମହାରାଜ ସମସ୍ତେ ଜାଣନ୍ତି କିଚକ ବାହୁ ବଳେ ବିରାଟ ରାଜା । ଏବେ କିଚକ ମୃତ । ବୁଢା ରାଜା ବିରାଟ ଅସହାୟ ଅବସ୍ଥାରେ ଅଛନ୍ତି । ମୋ ମତରେ ଣ ଦେଶ ଆକ୍ରମଣର ଏହାହିଁ ଉପଯୁକ୍ତ ସମୟ । ଗୋଧନ ପାଇଁ ବିରାଟ ରାଜ୍ୟର ପ୍ରସିଦ୍ଧି ଅଛି । ତ୍ରୀଗର୍ତ୍ତ ଓ କୌରବ ସେନା ମିଶି ଣଦେଶ ଆକ୍ରମଣ କଲେ ଆମେ ପ୍ରଚୁର ଧନ ରତ୍ନ ସହ ଗୋଧନ ବି ଅପହରଣ କରି ଆଣିପାରିବା ।”
ସୁଶର୍ମାଙ୍କ କଥା ଶୁଣି କର୍ଣ୍ଣ କହିଲେ, “ତ୍ରୀଗର୍ତ୍ତ ରାଜା ଠିକ କଥା କହୁଛନ୍ତି । ମତ୍ସ୍ୟ ଦେଶ ଆକ୍ରମଣର ଏହାହିଁ ଉପଯୁକ୍ତ ସମୟ ।”
ଦୁର୍ଯ୍ୟୋଧନ କହିଲେ, “ମୋତେ ଲାଗୁଛି ପାଣ୍ଡବମାନେ ନିଶ୍ଚୟ ସେହି ମତ୍ସ୍ୟ ଦେଶରେ ହିଁ ଆତ୍ମଗୋପନ କରିଛନ୍ତି । ତେଣୁ ସେମାନଙ୍କୁ ସେମାନଙ୍କ ଲୁଚିଥିବା ଜାଗାରୁ ବାହାରକୁ ବାହାର କରିବାକୁ ହେଲେ ଆମକୁ ତୁରନ୍ତ ମତ୍ସ୍ଯଦେଶ ଆକ୍ରମଣ କରିବାକୁ ପଡିବ । ଆଶ୍ରୟଦାତା ବିରାଟଙ୍କୁ ସାହାଯ୍ୟ କରିବାକୁ ଧର୍ମଭୀରୁ ପାଣ୍ଡବମାନେ ନିଶ୍ଚୟ ବାହାରକୁ ବାହାରି ଯୁଦ୍ଧ କରିବେ ଓ ଧରାପଡିବେ । ଅଜ୍ଞାତବାସ ସମୟ ଭିତରେ ସେମାନଙ୍କୁ ଦେଖିନେଲେ ସେମାନେ ପୁଣି ଥରେ ବାର ବର୍ଷପାଇଁ ବନବାସରେ ଯିବେ। ଯଦି ପାଣ୍ଡବମାନେ ସେଠାରେ ନଥିବେ ତେବେ ବେଶି କିଛି କ୍ଷତି ନାହିଁ । ଆମେ ଆମ ଦେଶର ଧନ ରତ୍ନ ଓ ଗୋଧନ ଆଣି ଫେରିବା ।”
ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନି ବିରାଟଙ୍କ ରାଜ୍ୟ ଆକ୍ରମଣ କରିବାର ସମସ୍ତ ଯୋଜନା କରିସାରି ହସ୍ତିନାର ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଅନୁମତି ପାଇଁ ଦୁଃଶାସନଙ୍କୁ ପଠାଇଲେ । ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଆଦି ଜାଣିଥିଲେ ଦୁର୍ଯ୍ୟୋଧନ କେବଳ ପାଣ୍ଡବମାନଙ୍କୁ ଖୋଜି ବାହାର କରିବାକୁ ମତ୍ସ୍ୟ ଦେଶ ଆକ୍ରମଣ କରିବାର ଯୋଜନା କରୁଛି । ଧୃତରାଷ୍ଟ୍ର କିନ୍ତୁ ବଡ ଖୁସି ଥିଲେ ଯେ ପୁଅ ତାଙ୍କର ଆଉ ଏକ ଦେଶକୁ ବିଜୟ କରିବାକୁ ଯୁଦ୍ଧ ପ୍ରସ୍ତୁତି କରୁଛି । ରାଜଦରବାରର ଅନ୍ୟ ବୟସ୍କ ସଦସ୍ୟମାନଙ୍କ ବିରୋଧ ପରେ ବି ଧୃତରାଷ୍ଟ୍ର ମତ୍ସ୍ୟ ଦେଶକୁ ଆକ୍ରମଣ ପାଇଁ ଅନୁମତି ଦେଇଦେଲେ ।
କର୍ଣ୍ଣ କହିଲେ, ମତ୍ସ୍ୟ ଦେଶକୁ ଦୁଇ ପଟରୁ ଆକ୍ରମଣ କରିବା । ତ୍ରୀଗର୍ତ୍ତର ସୈନ୍ୟ ଦକ୍ଷିଣ ଦିଗରୁ ଆକ୍ରମଣ କରି ମତ୍ସ୍ୟ ଦେଶର ଶସ୍ୟକ୍ଷେତ୍ର ନଷ୍ଟ କରିବା ସହ ଗୋଧନ ଅପହରଣ କରିବେ । ତାପରେ କୌରବ ସେନା ଅନ୍ୟ ଦିଗରୁ ଅତର୍କିତ ଆକ୍ରମଣ କରିବେ ।
ଯୋଜନା ମୁତାବକ ସେଇଆ ହେଲା । କୃଷ୍ଣପକ୍ଷ ସପ୍ତମୀ ତିଥିରେ ତ୍ରୀଗର୍ତ୍ତ ଦେଶର ସୈନ୍ୟମାନେ ମତ୍ସ୍ୟ ଦେଶ ଆକ୍ରମଣ କରି ବିରାଟଙ୍କ ଗୋଧନ ଅପହରଣ କରିବାରୁ ଗାଈ ଗୋରୁଙ୍କ ଯତ୍ନ ନେଉଥିବା ଗୋପାଳମାନେ ଭୟରେ ଯାଇ ବିରାଟଙ୍କୁ ଖବର ଦେଲେ ଯେ ସୁଶର୍ମାଙ୍କ ସୈନ୍ୟମାନେ ଶସ୍ୟକ୍ଷେତ୍ର ନଷ୍ଟ କରିବା ସହ ଗୋଧନ ଅପହରଣ କରୁଛନ୍ତି ।
ଖବର ପାଇ ବିରାଟ ବ୍ୟସ୍ତ ବିବ୍ରତ ହୋଇଗଲେ । ଗଲା ତେର ବର୍ଷ ଧରି ସୁଶର୍ମା କେବଳ କିଚକର ଭୟରେ ମତ୍ସ୍ୟ ଦେଶ ଆକ୍ରମଣ କରିନଥିଲେ । ରାଜା ଭାବିବାକୁ ଲାଗିଲେ, ଏବେ କିଚକ ନାହିଁ । କିଏ ତେବେ ଯୁଦ୍ଧ ସମ୍ଭାଳି ଶତ୍ରୁଙ୍କୁ ମୁକାବିଲା କରିବ? ସେ ଦେଶର ରାଜା, ତେଣୁ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ । ବୁଢା ରାଜା ବିରାଟ ତାଙ୍କ ସେନାପତି, ଅଶ୍ୱାରୋହୀ, ଗଜାରୋହୀ ଓ ପଦାତିକ ସୈନ୍ୟ ବାହିନୀକୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ ।
ଦରବାରରେ କଙ୍କ ଛଦ୍ମବେଶରେ ଉପସ୍ଥିତ ଥିବା ଯୁଧିଷ୍ଠିର ରାଜାଙ୍କ ଉଦବେଗ ଦେଖିପାରି କହିଲେ, “ମହାରାଜ ଆପଣ ଯୁଦ୍ଧ ପାଇଁ ଆଦୌ ଭୟ କରନ୍ତୁ ନାହିଁ । ମୁଁ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ । ମୁଁ ଆପଣଙ୍କ ପାଇଁ ଯାଇ ଯୁଦ୍ଧ କରିବି । ଆପଣଙ୍କ ରୋଷଶାଳରେ କାମ କରୁଥିବା ସୁପକାର ବଲ୍ଲବ, ଆପଣଙ୍କ ଘୋଡାମାନଙ୍କ ରକ୍ଷଣା ବେକ୍ଷଣା କରୁଥିବା ପରିଚାରକ ଅଶ୍ୱପାଳ ଧର୍ମଗ୍ରନ୍ଥୀ ଓ ଗୋରୁ ଗାଈଙ୍କ ପରିଚାରକ ତନ୍ତ୍ରୀପାଳ ସମସ୍ତେ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ । ସେମାନଙ୍କୁ ପ୍ରସ୍ତୁତ ହୋଇ ଯୁଦ୍ଧକୁ ବାହାରିବା ପାଇଁ ଆଦେଶ ଦିଅନ୍ତୁ ।
ସୈନ୍ୟସାମନ୍ତଙ୍କୁ ଧରି ରାଜା ବିରାଟ ଯୁଦ୍ଧ କରିବାକୁ ବାହାରିଲେ । ଅଳ୍ପ ସମୟ ପରେ ସେମାନେ ସୁଶର୍ମାଙ୍କ ସେନା ବାହିନୀକୁ ଭେଟିଲେ । ଦୁଇ ସେନା ଓ ସେନାପତିମାନଙ୍କ ଭିତରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା । ପଦାତିକଙ୍କ ସହ ପଦାତିକ, ଅଶ୍ୱାରୋହୀଙ୍କ ସହ ଅଶ୍ୱାରୋହୀ, ଗଜାରୋହୀଙ୍କ ସହ ଗଜାରୋହୀଙ୍କ ଘମାଘୋଟ ଲଢେଇ ଆରମ୍ଭ ହେଲା । ବିରାଟଙ୍କ ସେନା ବାହିନୀ ବୀର ଦର୍ପରେ ସୁଶର୍ମାଙ୍କ ସୈନ୍ୟମାନଙ୍କୁ ମାରି ଚାଲିଲେ । ଧିରେ ଧିରେ ସୁଶର୍ମାଙ୍କ ସେନା ବାହିନୀ ପଛଘୁଞ୍ଚା ଦେବାକୁ ଆରମ୍ଭ କଲେ। ସେତିକିବେଳେ ସୁଶର୍ମା ଓ ତାଙ୍କ ସାନ ଭାଇ ସୁଧର୍ମାଙ୍କୁ ଧରି ଯୁଦ୍ଧ ପରିଚାଳନା କଲେ ଓ ମତ୍ସ୍ୟ ଦେଶର ସୈନ୍ୟ ବାହିନୀକୁ ପରାଜିତ କରି ବିରାଟଙ୍କ ପାଖରେ ପହଞ୍ଚିଲେ । ଖୁବ ଶୀଘ୍ର ଦୁଇଭାଇ ବିରାଟଙ୍କ ରଥର ଘୋଡା ଓ ସାରଥିକୁ ହତ୍ୟା କରି ବିରାଟଙ୍କୁ ବଳପୂର୍ବକ ଧରି ସେମାନଙ୍କ ରଥରେ ବସେଇ ଯୁଦ୍ଧକ୍ଷେତ୍ରରୁ ଦ୍ରୁତ ଗତିରେ ବାହାରିଲେ ।
ଯୁଧିଷ୍ଠିର ଏପରି ଦୃଶ୍ୟ ଦେଖି ଭୀମସେନଙ୍କୁ ଆଦେଶ ଦେଇ କହିଲେ, “ଆମେ ସବୁ ଥାଉ ଥାଉ ସେ ଦୁଷ୍ଟ ସୁଶର୍ମା ଆମ ରାଜା ବିରାଟଙ୍କୁ ଧରି ପଳଉଛି । ଯାଅ ଶୀଘ୍ର ରାଜାଙ୍କୁ ଆଗ ରକ୍ଷା କର।” ଭୀମ ସଙ୍ଗେ ସଙ୍ଗେ ପାଖରେ ଥିବା ଏକ ବିରାଟ ଗଛ ଉପାଡିବାକୁ ବାହାରିବାରୁ ଯୁଧିଷ୍ଠିର ତାଙ୍କୁ ବାରଣ କରି କହିଲେ, “ନା ନା ତୁମେ ଏବେ ବିଶାଳ ଗଛ ଧରି, ସିଂହନାଦ କରି ଆକ୍ରମଣ କଲେ ସମସ୍ତେ ତୁମ ପରିଚୟ ପାଇଯିବେ । ତେଣୁ ତୁମେ ଅନ୍ୟମାନଙ୍କ ପରି ରଥରେ ବସି ଧନୁ ଓ ତୀରରେ ଶତ୍ରୁ ଉପରେ ଆକ୍ରମଣ କର।”
ଭୀମ ସେଇଆ କଲେ । ରଥ ଚଢି ସେ ଖୁବ ଶୀଘ୍ର ସୁଶର୍ମାଙ୍କ ପାଖରେ ପହଞ୍ଚି ତାଙ୍କ ରାସ୍ତା ଅଟକାଇଲେ । ଖୁବ କମ୍ ସମୟ ଭିତରେ ଭୀମ ଅନବରତ ତୀର ବର୍ଷା କରି ସୁଶର୍ମାଙ୍କୁ ଆହତ କରିବା ସହ ତାଙ୍କ ସାରଥି ଓ ରଥର ଘୋଡାକୁ ନିହତ କଲେ । ତାପରେ ସେଠାରୁ ଖସି ପଳେଇବାକୁ ଚେଷ୍ଟା କରୁଥିବା ସୁଶର୍ମାଙ୍କୁ ଉପରକୁ ଉଠେଇ ତଳେ ଥରେ କଚାଡି ଦେଲେ । ସୁଶର୍ମା ମୁର୍ଚ୍ଛାଯାଇ ତଳେ ପଡିରହିଲେ । ସୁଶର୍ମାଙ୍କ ଅବସ୍ଥା ଦେଖି ତାଙ୍କ ସୈନ୍ୟମାନଙ୍କ ମନୋବଳ ଭାଙ୍ଗିଗଲା ଓ ବିରାଟଙ୍କ ସୈନ୍ୟମାନେ ଶତସିଂହର ବଳନେଇ ଶତ୍ରୁ ସୈନ୍ୟଙ୍କ ଉପରେ ଭୟଙ୍କର ପାଲଟା ଆକ୍ରମଣ ଆରମ୍ଭ କଲେ ।
ଭୀମ ଚାହୁଁଥିଲେ ସୁଶର୍ମାଙ୍କୁ ଜୀବନରେ ମାରିଦେବାକୁ । କିନ୍ତୁ ଧର୍ମରାଜ ଯୁଧିଷ୍ଠିର ବାରଣ କରି କହିଲେ, “ସେ ତାର ଦୁଃସାହସ ପାଇଁ ଉପଯୁକ୍ତ ଶାସ୍ତି ପାଇସାରିଲାଣି । ରାଜା ବିରାଟ ମୁକ୍ତ ହୋଇ ସାରିଛନ୍ତି । ଯୁଦ୍ଧରେ ମତ୍ସ୍ୟଦେଶ ବିଜୟ ଲାଭ କରିସାରିଛି । ଏବେ ଶତ୍ରୁମାନଙ୍କ ଦ୍ୱାରା ଅପହୃତ ଗାଈ ସବୁକୁ ଧରି ଦେଶକୁ ଫେରିଚାଲ ।”
ବିରାଟ ରାଜାଙ୍କ ବିଜୟ ବାର୍ତ୍ତା ରାଜଧାନୀକୁ ଦୂତଙ୍କ ହାତରେ ପଠେଇ ଦିଆଗଲା । ନଗରବାସୀ ବିଜୟୀ ରାଜାଙ୍କୁ ସ୍ୱାଗତ କରିବାକୁ ନଗରୀକୁ ସାଜସଜା କରି ତୋରଣ ତିଆରି କରି ଅପେକ୍ଷା କରି ରହିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/War_1751192650.jpg)