• Astrospeak
  • Live TV
  • Read In English

Mahabharat Story: କୌରବଙ୍କ ପରାଜୟ ଓ ଦୁର୍ଯ୍ୟୋଧନଙ୍କ ଗର୍ବ ଭଙ୍ଗ ବୃତ୍ତାନ୍ତ

କେମିତି କୌରବ ପକ୍ଷର ବିଶିଷ୍ଟ ବୀରମାନଙ୍କୁ ଅର୍ଜୁନ ଏକା ଏକା ଯୁଦ୍ଧରେ ପରାସ୍ତ କଲେ? କାହିଁକି ଅର୍ଜୁନ ତାଙ୍କ ଗୁରୁ ଦ୍ରୋଣଙ୍କୁ ଯୁଦ୍ଧ କ୍ଷେତ୍ରରୁ ଯିବାକୁ ଦେଲେ? ଶେଷରେ ପଳାୟନ କରୁଥିବା ଦୁର୍ଯ୍ୟୋଧନଙ୍କୁ କ'ଣ କହି ଡାକିଲେ ଅର୍ଜୁନ? ଏଇ ସବୁ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

mahabharat
ମହାଭାରତ

ଅର୍ଜୁନଙ୍କ ପାଖରୁ ଯୁଦ୍ଧ କ୍ଷେତ୍ରରେ କ୍ଷତ ବିକ୍ଷତ ହୋଇ ଅଙ୍ଗ ନରେଶ କର୍ଣ୍ଣ ପରାସ୍ତ ହୋଇ ଜୀବନ ଧରି ପଳାୟନ କଲାପରେ ଦୁର୍ଯ୍ୟୋଧନ ଓ ଅନ୍ୟ ମହାରଥିମାନେ ଅର୍ଜୁନଙ୍କ ପାଖକୁ ଆସିଲେ । କୌରବ ବୀରମାନଙ୍କ ଆକ୍ରମଣକୁ ପ୍ରତିହତ କରି ଅର୍ଜୁନ ଏତେ ସଂଖ୍ୟାରେ ତୀର ବୃଷ୍ଟି କଲେ ଯେ କୌରବ ସେନାଙ୍କ ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ଓ ପଦାତିକ ସୈନ୍ୟସାମନ୍ତ କେହି ଆଉ ଅକ୍ଷତ ରହିଲେନି। ଜଳୁଥିବା ନିଆଁକୁ ଯେମିତି କେହି ସିଧା ସଳଖ ଚାହିଁ ପାରନ୍ତିନି ସେମିତି ଅର୍ଜୁନଙ୍କ ତେଜ ଦେଖି ତାଙ୍କୁ କେହି ସାମ୍ନା କରିପାରୁନଥାନ୍ତି । ଅର୍ଜୁନଙ୍କ ଶରାଘାତରେ ଅସଂଖ୍ୟ କୌରବସେନା, ହାତୀ ଓ ଘୋଡା ମରି ଯୁଦ୍ଧ କ୍ଷେତ୍ରରେ ପଡିରହିଥାନ୍ତି ।

ଅର୍ଜୁନ ଏକାବେଳେକେ ଦ୍ରୋଣ, କୃପ, ଭୀଷ୍ମ ଓ ଦୁର୍ଯ୍ୟୋଧନଙ୍କ ପ୍ରତି ତୀର ସନ୍ଧାନ କଲେ । କିଛି ସମୟ ପରେ ଅର୍ଜୁନ ତାଙ୍କ ସାରଥି ସାଜିଥିବା ରାଜକୁମାର ଉତ୍ତରଙ୍କୁ ଗୋଟେ ରଥ ଦେଖାଇ କହିଲେ, "ଚାଲ ଏବେ ସେଇ ରଥ ପାଖକୁ ଚାଲ ।" ସେ ରଥ ଥିଲା ଆଚାର୍ଯ୍ୟ କୃପଙ୍କର । ଉତ୍ତର ତାଙ୍କ ରଥ କୃପଙ୍କ ରଥ ପାଖକୁ ନେବାରୁ ଅର୍ଜୁନଙ୍କ ତୀକ୍ଷ୍ଣ ବାଣମାନଙ୍କୁ ସହ୍ୟ କରିନପାରି କୃପ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ । ତାପରେ ଅର୍ଜୁନଙ୍କ ନିର୍ଦେଶରେ ଯୁବରାଜ ଉତ୍ତର ଆଚାର୍ଯ୍ୟ ଦ୍ରୋଣଙ୍କ ଦିଗକୁ ରଥ ମୋଡିଲେ । ଅର୍ଜୁନ ସମ୍ମାନର ସହ ଦ୍ରୋଣଙ୍କୁ କହିଲେ, “ହେ ଗୁରୁଦେବ! ମୁଁ ଆପଣଙ୍କ ପ୍ରତି ପଥମେ ବାଣ ପ୍ରୟୋଗ କରିପାରିବିନି । ଆପଣ ପ୍ରଥମେ ମୋତେ ଅସ୍ତ୍ରାଘାତ କରନ୍ତୁ।” ପରିସ୍ଥିତିରେ ପଡି ଦୁହେଁ ସାମ୍ନାସାମ୍ନି ଯୁଦ୍ଧକ୍ଷେତ୍ରରେ ଛିଡା ହୋଇଥିଲେ ବି ଦ୍ରୋଣଙ୍କ ହୃଦୟରେ ତାଙ୍କ ଶ୍ରେଷ୍ଠ ଶିଷ୍ୟ ଅର୍ଜୁନଙ୍କ ପ୍ରତି ଭଲପାଇବା ଥିଲା । ଗଲା ତେର ବର୍ଷଧରି ଅର୍ଜୁନ କ'ଣ କ'ଣ ନୂଆ ଯୁଦ୍ଧ କୌଶଳ ଆୟତ୍ତ କରିଛନ୍ତି ଓ କିପରି ଅସ୍ତ୍ର ସାଧନା କରିଛନ୍ତି ସେକଥା ବି ଦ୍ରୋଣ ପ୍ରତ୍ୟକ୍ଷରେ ଜାଣିବାକୁ ଚାହୁଁଥିଲେ।

ଦ୍ରୋଣ ଆଉ ବିଳମ୍ବ ନକରି ଅର୍ଜୁନଙ୍କ ଉଦ୍ଦେଶ୍ୟରେ ତୀର ସନ୍ଧାନ କଲେ । ଗୁରୁ ଓ ଶିଷ୍ୟଙ୍କ ଭିତରେ ବେଶ୍ କିଛି ସମୟ ଧରି ଘମାଘୋଟ ଯୁଦ୍ଧ ଲାଗିରହିଲା । ଦୁହେଁ ଦୁହିଁଙ୍କ ଉପରକୁ ଅନବରତ ତୀର ବର୍ଷା କରିବାରେ ଲାଗିଥା'ନ୍ତି । ଅର୍ଜୁନଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଖି ଆଚାର୍ଯ୍ୟ ଦ୍ରୋଣ ମନେ ମନେ ଆନନ୍ଦିତ ବି ହେଉଥା'ନ୍ତି । ଅର୍ଜୁନଙ୍କ ଅବ୍ୟର୍ଥ ଅସ୍ତ୍ର ପ୍ରୟୋଗକୁ ଆଚାର୍ଯ୍ୟ ଦ୍ରୋଣ ପ୍ରତିହତ କରୁଥା'ନ୍ତି । ଦ୍ରୋଣଙ୍କର ବୟସ ହୋଇସାରିଥିଲା ତେଣୁ ଆଉ ବେଶି ସମୟ ସେ ଅର୍ଜୁନଙ୍କ ଆଗରେ ଠିଆହୋଇ ପାରିଲେନି । ଠିକ ସେତିକି ବେଳକୁ ଅଶ୍ଵତ୍ଥାମା ତାଙ୍କ ରଥକୁ ଦ୍ରୋଣ ଓ ଅର୍ଜୁନଙ୍କ ମଝିକୁ ଆଣିଦେଲେ । ସେଇ ସୁଯୋଗରେ ଦ୍ରୋଣଙ୍କର ସାରଥି ତାଙ୍କ ରଥକୁ ସେଠାରୁ ଦୂରକୁ ନେଇ ପଳେଇଲା । ଅର୍ଜୁନ ବି ଚାହୁଁଥିଲେ ତାଙ୍କ ଆଗରୁ ଚାଲିଯିବାକୁ ଦ୍ରୋଣଙ୍କ ପାଇଁ କେମିତି ଗୋଟେ ସୁଯୋଗ ତିଆରି ହେଉ । ଦ୍ରୋଣ ଯିବା ପରେ ପରେ ଅର୍ଜୁନଙ୍କ ଉପରକୁ ଅଶ୍ଵତ୍ଥାମା ଅସ୍ତ୍ରରେ ଭୀଷଣ ପ୍ରହାର ଆରମ୍ଭ କଲେ । ଅର୍ଜୁନ ପ୍ରତ୍ୟୁତ୍ତରରେ ଅଶ୍ଵତ୍ଥାମାଙ୍କୁ ପ୍ରତିଆକ୍ରମଣ କଲେ । ଅନେକ ସମୟ ଦୁଇ ବୀରଙ୍କ ଭିତରେ ଯୁଦ୍ଧ ଚାଲିଲା। ଅଶ୍ଵତ୍ଥାମା ମନେ ମନେ ଅର୍ଜୁନଙ୍କ ଯୁଦ୍ଧ ଚାତୁରୀକୁ ପ୍ରଶଂସା କରୁଥା'ନ୍ତି । କିନ୍ତୁ ଅର୍ଜୁନ ଅଶ୍ଵତ୍ଥାମାଙ୍କ ରଥର ଘୋଡାମାନଙ୍କୁ ମାରି ରଥ ଭାଙ୍ଗିପକାଇବାରୁ ସେ ବି ଯୁଦ୍ଧ କ୍ଷେତ୍ର ଛାଡି ପଳାୟନ କଲେ ।

ଦ୍ରୋଣ ଓ ଅଶ୍ଵତ୍ଥାମାଙ୍କ ଛତ୍ରଭଙ୍ଗ ପରେ ଅଳ୍ପ ଦୂରରୁ ଥିବା ପିତାମହ ଭୀଷ୍ମ ତାଙ୍କ ରଥ ଆଣି ଅର୍ଜୁନଙ୍କ ପାଖରେ ପହଞ୍ଚିଲେ । ପିତାମହଙ୍କୁ ଆଗରେ ଦେଖି ଅର୍ଜୁନ ପ୍ରଥମେ ପ୍ରଣାମ କଲେ ଓ ଅବିଳମ୍ବେ ଶର ବର୍ଷା ଆରମ୍ଭ କରିଦେଲେ । ଦ୍ରୋଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧ ପରି ଭୀଷ୍ମଙ୍କ ସହ ମଧ୍ୟ ଅନୁରୂପ ପ୍ରବଳ ଯୁଦ୍ଧ ହେଲା । କୌରବ ସେନା ଆଶ୍ଚର୍ଯ୍ୟ ହୋଇ ବିଶ୍ୱର ଦୁଇ ଶ୍ରେଷ୍ଠ ବୀରଙ୍କ ଭିତରେ ଚାଲିଥିବା ଭୀଷଣ ଯୁଦ୍ଧକୁ ଦେଖୁଥା'ନ୍ତି । ଅର୍ଜୁନ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ଯେତେ ତୀର ମାରୁଥା'ନ୍ତି ତାହା ସବୁ ଭୀଷ୍ମଙ୍କ ଶର ଆଘାତରେ ଖଣ୍ଡ ଖଣ୍ଡ ହୋଇ ଫେରିଯାଇ ଅର୍ଜୁନଙ୍କ ରଥରେ ପଡୁଥା'ନ୍ତି । ଭୀଷ୍ମଙ୍କ ଉପରେ ଅର୍ଜୁନଙ୍କ ଆକ୍ରମଣ ଦେଖି ଦୁଃଶାସନ ଅର୍ଜୁନ ଓ ତାଙ୍କ ରଥର ସାରଥି ଉତ୍ତରଙ୍କ ଉପରେ ବର୍ଚ୍ଛାଧରି ଆକ୍ରମଣ କଲା । ଦୁଃଶାସନ ସହ ବିକର୍ଣ୍ଣ, ଦୁଃସହ ଓ ବିବିଂଶତି ମଧ୍ୟ ଯୋଗ ଦେଲେ । କିନ୍ତୁ ଅର୍ଜୁନଙ୍କ ଶର ଆଘାତ ସହି ନପାରି ତୁରନ୍ତ ଅନ୍ୟ ଦିଗରେ ଦୂରକୁ ଚାଲିଗଲେ । ଅନେକ ସମୟ ବୀର ଦର୍ପରେ ଯୁଦ୍ଧ କଲାପରେ ବୟସ ଭାରରେ ଭୀଷ୍ମ ଅର୍ଜୁନଙ୍କ ବାଣକୁ ଆଉ ଅଧିକ ସମୟ ସାମ୍ନା କରିପାରିଲେନି । ଅର୍ଜୁନଙ୍କ ଏକ ବାଣର ଆଘାତ ସହିନପାରି ସେ ରଥର ଯୁଗନ୍ଧର କାଠକୁ ଧରି ମୁର୍ଚ୍ଛା ଗଲେ । ରଥର ସାରଥି ଦ୍ରୁତ ଗତିରେ ଭୀଷ୍ମଙ୍କୁ ଧରି ସେଠାରୁ ରଥ ନେଇ ଚାଲିଗଲା ।

ଭୀଷ୍ମଙ୍କ ପଳାୟନ ପରେ ଦୁର୍ଯ୍ୟୋଧନ ତୀବ୍ରବେଗରେ ତାଙ୍କ ରଥକୁ ଅର୍ଜୁନଙ୍କ ପାଖକୁ ଆଣିଲେ । ଦୁର୍ଯ୍ୟୋଧନଙ୍କ ଭାଇ ବିକର୍ଣ୍ଣ ଗୋଟେ ପାଗଳା ହାତୀ ଉପରେ ବସି ଅର୍ଜୁନଙ୍କୁ ଆକ୍ରମଣ କଲା । ଅର୍ଜୁନ ସଙ୍ଗେ ସଙ୍ଗେ ଏକ ବାଣରେ ସେ ହାତୀକୁ ମାରି ତଳେ ପକେଇଦେଲେ । ହାତୀ ସାଙ୍ଗରେ ବିକର୍ଣ୍ଣ ବି ତଳେ ପଡିଲା ଓ ପ୍ରାଣ ବିକଳରେ ଜୀବନ ରକ୍ଷା କରି ସେଠାରୁ ଧାଇଁ ପଳେଇଲା । ଅର୍ଜୁନ ଯେଉଁ ବାଣରେ ବିଶାଳ ହାତୀକୁ ମାରି ତଳେ ପକେଇଲେ ସେଇପରି ଅନ୍ୟ ଏକ ବାଣ ଦୁର୍ଯ୍ୟୋଧନ ଉଦ୍ଦେଶ୍ୟରେ ନିକ୍ଷେପ କଲେ । ଅର୍ଜୁନଙ୍କ ବାଣ ଆଘାତରେ ଦୁର୍ଯ୍ୟୋଧନଙ୍କର ରକ୍ତବାନ୍ତି ହେଲା ଓ ସେ ସେଠାରୁ ତୁରନ୍ତ ଖସିଯିବାକୁ ଚେଷ୍ଟା କଲେ।

ମହାଭାରତ

ଦୁର୍ଯ୍ୟୋଧନଙ୍କ ପଳାୟନ ଦେଖି ଅର୍ଜୁନ ବଡ ପାଟିକରି ପଛରୁ ଡାକି କହିଲେ, “ହେ ଦୁର୍ଯ୍ୟୋଧନ! ଭୀରୁ ପରି ପଛଘୁଞ୍ଚା ଦେଇ ଯୁଦ୍ଧ କ୍ଷେତ୍ରରୁ କୁଆଡେ ପଳଉଛ ? କୁଆଡେ ଗଲା ତୁମର ଆତ୍ମ ଅଭିମାନ? ଶୁଣ, ମୁଁ ପଣ୍ଡୁ ପୁତ୍ର ଅର୍ଜୁନ। ବଡଭାଇ ଯୁଧିଷ୍ଠିରଙ୍କ ଆଦେଶରେ ଯୁଦ୍ଧ କରିବାକୁ ଆସିଛି । କପଟ ପଶାରେ ଆମମାନଙ୍କୁ ଛଳନା କରି ହରେଇଥିବା କଥା ମନ ପକାଇ ଫେରିଆସ ଓ ମୋ ସାଙ୍ଗରେ ଯୁଦ୍ଧ କର । ସେଦିନର ଉତ୍ସାହକୁ ମନ ପକାଇ ଆସ ଯୁଦ୍ଧ କର । ଏତେ ବୀରଙ୍କୁ ଡାକି ଆଣିଥିଲ କୁଆଡେ ଗଲେ ସେମାନେ। ତୁମ ପରମ ବନ୍ଧୁ କର୍ଣ୍ଣ ତୁମକୁ ଏକା ଛାଡି କୁଆଡେ ଗଲେ? ଯୁଦ୍ଧକୁ ଡରି ଯଦି ଯୁଦ୍ଧ କ୍ଷେତ୍ରରୁ ପଳଉଛ ତେବେ ଦୟାକରି ତୁମ ନାମ ଦୁର୍ଯ୍ୟୋଧନ ବୋଲି ଆଉ କେଉଁଠି କହିବନି। ଆଜିଠାରୁ ତୁମର ଦୁର୍ଯ୍ୟୋଧନପଣ ଶେଷ ହେଲା ଜାଣ । ଅବଶ୍ୟ ଏବେ ମୋ ହାତରୁ ତୁମକୁ ରକ୍ଷା କରିବାକୁ ପାଖରେ ଆଉ କେହି ନାହାଁନ୍ତି । ଜୀବନ ଠାରୁ ବଡ କିଛି ନାହିଁ । ଜୀବନ ଧରି ଯେତେ ଶୀଘ୍ର ପାରୁଛ ସେତେ ଶୀଘ୍ର ମୋ ଆଖି ଆଗରୁ ଲୁଚି ଚାଲିଯାଅ ।"

ଚାଲିଯାଉଥିବା ସାପ ଲାଞ୍ଜକୁ ଛୁଇଁ ଦେଲେ ଯେପରି ସେ ବୁଲି ପଡି କ୍ରୋଧରେ ଦଂଶନ କରିବାକୁ ବାହାରେ, ଦୁର୍ଯ୍ୟୋଧନ ଠିକ୍ ସେମିତି ଅର୍ଜୁନଙ୍କ କଟୁ କଥା ସହି ନପାରି ପଛକୁ ରଥ ଲେଉଟାଇଲେ । ଦୁର୍ଯ୍ୟୋଧନଙ୍କୁ ଅର୍ଜୁନଙ୍କ ଦିଗରେ ଯିବାର ଦେଖି କୌରବ ବୀରମାନେ ତାଙ୍କୁ ସୁରକ୍ଷା ଦେବାକୁ ଅର୍ଜୁନଙ୍କୁ ଚାରିଦିଗରୁ ଘେରି ଆଉ ଥରେ ଯୁଦ୍ଧ ଆରମ୍ଭ କଲେ । ଭୀଷ୍ମ, ଦ୍ରୋଣ, କୃପ, ଅଶ୍ୱଥାମା, କର୍ଣ୍ଣ, ବିବିଂଶତି, ଦୁଃଶାସନ ମିଳିମିଶି ଅର୍ଜୁନଙ୍କ ଉପରକୁ ତୀର ବର୍ଷା ଆରମ୍ଭ କରିଦେଲେ । ଅର୍ଜୁନ ଆଉ ବିଳମ୍ବ ନକରି କୌରବ ବୀରମାନଙ୍କୁ ପ୍ରତିହତ କରିବାକୁ ଇନ୍ଦ୍ରଙ୍କ ଦ୍ୱାରା ପ୍ରଦତ୍ତ ଅମୋଘ ନାମକ ଦିବ୍ୟ ଅସ୍ତ୍ର ପ୍ରୟୋଗ କଲେ ଓ ଶଙ୍ଖନାଦ କରିବାକୁ ଲାଗିଲେ । ଦିବ୍ୟ ଅସ୍ତ୍ରର ପ୍ରଭାବ ଓ ଶଙ୍ଖନାଦରେ କୌରବ ବୀରମାନେ ସେମାନଙ୍କ ଅସ୍ତ୍ର ଶସ୍ତ୍ର ଛାଡି ଯୁଦ୍ଧ ଭୂଇଁରେ ମୂର୍ଚ୍ଛା ହୋଇ ପଡିରହିଲେ ।

ଏପରି ଅଦ୍ଭୁତ ଦୃଶ୍ୟ ଦେଖି ରାଜକୁମାର ଉତ୍ତର କହିଲେ, “ହେ ଧନଞ୍ଜୟ! ଏବେ ସମସ୍ତ କୌରବ ବୀର ମୂର୍ଚ୍ଛା ଯାଇଛନ୍ତି । ଚାଲ ଏବେ ସମସ୍ତଙ୍କ ମୁଣ୍ଡ କାଟିପକାଇବା ।” ଅର୍ଜୁନ କହିଲେ, “ନା ଯୁବରାଜ! ମୂର୍ଚ୍ଛିତ ଯୋଦ୍ଧାମାନଙ୍କର ଶୀର ଛେଦନ କ୍ଷତ୍ରୀୟ ଧର୍ମର ବିରୁଦ୍ଧ । ମୋର ଉଦ୍ଦେଶ୍ୟ ଥିଲା ରାଜା ବିରାଟଙ୍କ ଗୋଧନକୁ ସୁରକ୍ଷା ଦେବା ଓ ଆତ୍ମଗର୍ବୀ ଦୁର୍ଯ୍ୟୋଧନକୁ ଉଚିତ ଶିକ୍ଷା ଦେବା । ଦୁଇଟି ଯାକ ଉଦ୍ଦେଶ୍ୟ ପୂରା ହୋଇଛି । ଆମେ ଅନ୍ତଃପୁରରେ କଥା ଦେଇ ଆସିଥିଲେ, ତେଣୁ ଏବେ ଯାଅ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟଙ୍କ ଧଳା ଚଦର, କର୍ଣ୍ଣଙ୍କ ହଳଦୀ ରଙ୍ଗର ଚଦର, ଅଶ୍ଵତ୍ଥାମା ଓ ଦୁର୍ଯ୍ୟୋଧନଙ୍କ ନୀଳ ଚଦର ଆଣିଦିଅ। ବିଜୟର ଚିହ୍ନ ଭାବରେ ସାଙ୍ଗରେ ନେଇ ଅନ୍ତଃପୁରରେ ଦେଖାଇବା ।“

ଉତ୍ତର ବିଜୟ ଚିହ୍ନ ସ୍ୱରୂପ ଉତ୍ତରୀୟ ସବୁ ସଂଗ୍ରହ କରି ରଥକୁ ଫେରିଲେ । ତାପରେ ଅର୍ଜୁନଙ୍କ ଆଦେଶରେ ଉତ୍ତର ରଥକୁ ଧରି ପୁରୁଣା ଶମୀ ବୃକ୍ଷ ପାଖକୁ ଫେରିଲେ। ଅର୍ଜୁନ ନିଜର ଅସ୍ତ୍ରଶସ୍ତ୍ର, କବଚ ଓ କୁଣ୍ଡଳକୁ ଯଥା ସ୍ଥାନରେ ଲୁଚେଇ ରଖିଲେ । ରାଜଧାନୀରୁ ଯେମିତି ଯେଉଁ ରୂପରେ ଆସିଥିଲେ ପୁଣି ଥରେ ସେଇ ବୃହନ୍ନଳା ବେଶକୁ ଫେରିଗଲେ ଅର୍ଜୁନ । ଏବେ ଉତ୍ତରଙ୍କ ସ୍ଥାନରେ ବୃହନ୍ନଳା ରଥର ସାରଥି ଆସନରେ ବସି ରାଜଧାନୀ ଅଭିମୁଖେ ରଥ ଚଳେଇଲେ ।

କିଛି ସମୟ ପରେ କୌରବମାନଙ୍କର ଚେତା ଫେରିଲା । ଚେତାକୁ ଫେରୁ ଫେରୁ ଦୁର୍ଯ୍ୟୋଧନ ଚାରିପାଖକୁ ଚାହିଁ ଦେଖିଲେ ଅର୍ଜୁନ କେଉଁଠି ଦିଶୁନାହାଁନ୍ତି । ରାଗରେ ଅନ୍ୟମାନଙ୍କୁ ଚାହିଁ ଦୁର୍ଯ୍ୟୋଧନ ଚିତ୍କାର କରି କହିଲେ, “ଅର୍ଜୁନ ଯୁଦ୍ଧଭୂମିରୁ ଅକ୍ଷତ ହୋଇ ଚାଲିଗଲା । କେହି ତାକୁ ଅଟକାଇଲ ନାହିଁ କାହିଁକି?”

ଦୁର୍ଯ୍ୟୋଧନଙ୍କ କଥା ଶୁଣି ପିତାମହ ଭୀଷ୍ମ ହସି ହସି କହିଲେ, “ଏତବେଳ ଯାଏଁ ତୁମର ବୁଦ୍ଧି ଆଉ ବଳ କୁଆଡେ ଯାଇଥିଲା? ତୁମେ ନିଜର ହିତାହତ ଜ୍ଞାନ ଛାଡି ମୁର୍ଚ୍ଛାହେଇ ପଡିଥିଲା ବେଳେ ଅର୍ଜୁନ ତୁମ ଶୀର ଛେଦନ ନକରି ଛାଡିଦେଇ ଯାଇଛି । ସେଥିପାଇଁ କୃତଜ୍ଞ ରୁହ ।ପାଣ୍ଡବମାନେ ଅବିବେକୀ ନୁହଁନ୍ତି କି ଅଧର୍ମ ରାସ୍ତାରେ ବାଟ ଚାଲନ୍ତିନି । ଏବେ ତୁମର ବୁଦ୍ଧି ବଳ ଜଣାପଡିଗଲା । ଶୀଘ୍ର ଶୀଘ୍ର ଦେଶକୁ ଫେରିଚାଲ।"

ପିତାମହଙ୍କ ମରମ ଭେଦୀ କଥା ଚାରିପଦ ଶୁଣି ଦୁର୍ଯ୍ୟୋଧନ ଚୁପଚାପ ଦୀର୍ଘଶ୍ୱାସ ଗୋଟେ ଛାଡିଲେ ।

ଅଧିକ ପଢ଼ନ୍ତୁ: ଅର୍ଜୁନଙ୍କ ଗୋଧନ ଉଦ୍ଧାର ଓ କର୍ଣ୍ଣଙ୍କ ଗର୍ବଭଙ୍ଗ କଥା