Advertisment

Dhritarashtra's Fear and The Kauravas' Jealousy: ଧୃତରାଷ୍ଟ୍ରଙ୍କ ଆଶଙ୍କା ଓ କୌରବଙ୍କ ଈର୍ଷା କଥା

ବନବାସରେ ଥିବା ପାଣ୍ଡବମାନଙ୍କ ପାଖକୁ ଯିବାକୁ କର୍ଣ୍ଣ ଓ ଶକୁନି କାହିଁକି ଚାହୁଁଥିଲେ? କାହିଁକି ସେମାନଙ୍କୁ ବଣକୁ ଯିବାକୁ ମନା କରୁଥଲେ ରାଜା ଧୃତରାଷ୍ଟ୍ର? କାହିଁକି ଭୟ କରୁଥିଲେ ସେ? କାହିଁକି ପୁଣି ପାଣ୍ଡବମାନେ ରହୁଥିବା ସରୋବର ପାଖରେ ଶିବିର ପକାଇବାକୁ ବାହାରିଲେ ଦୁର୍ଯ୍ୟୋଧନ? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

Mahabharat

Mahabharat

Advertisment

ପାଣ୍ଡବମାନେ କୁରୁରାଜ୍ୟ ନିକଟରେ ଥିବା ଦ୍ଵୈତବନରେ ରହୁଥିବା ବେଳେ ବିଭିନ୍ନ ଆଡୁ ବ୍ରାହ୍ମଣ ଓ ପଣ୍ଡିତମାନେ ସେମାନଙ୍କୁ ଦେଖା କରିବାକୁ ଆସୁଥା'ନ୍ତି । ଥରେ ଜଣେ ବ୍ରାହ୍ମଣ ପାଣ୍ଡବମାନଙ୍କ ପାଖରୁ ଯାଇ ହସ୍ତିନାପୁରରେ ରାଜା ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚିଲେ । ଧୃତରାଷ୍ଟ୍ର ତାଙ୍କର ଯଥାରୀତି ଆଦର ଅଭ୍ୟର୍ଥନା କଲେ । ବ୍ରାହ୍ମଣ ଜଣକ ପାଣ୍ଡବମାନଙ୍କ ପାଖରୁ ଫେରୁଛନ୍ତି ବୋଲି କହିଲାରୁ ଧୃତରାଷ୍ଟ୍ର ପାଣ୍ଡୁ ପୁତ୍ରମାନଙ୍କ ଭଲ ମନ୍ଦ ପଚାରିଲେ । ବ୍ରାହ୍ମଣ କହିଲେ, “ହେ ମହାରାଜ! ଆପଣଙ୍କ ଭାଇଙ୍କ ପୁଅମାନେ ବଡ଼ ଦୁଃଖ କଷ୍ଟରେ ଜଙ୍ଗଲରେ ଅଛନ୍ତି । ଗଛର ବକଳ ଓ ମୃଗ ଚମଡ଼ା ପିନ୍ଧି ମାଟିରେ ଶୋଇ ସମୟ କାଟୁଛନ୍ତି । ଜଙ୍ଗଲରେ ଖରା ବର୍ଷା ଓ ଶୀତରେ ରହି ରାଜକୁମାରମାନଙ୍କର ଶରୀର ଦୁର୍ବଳ ଦିଶିଲାଣି ।”

Advertisment

ପାଣ୍ଡବମାନେ ଏପରି ଦୁଃଖ କଷ୍ଟର ଜୀବନ ବିତାଉଛନ୍ତି ଶୁଣି ଧୃତରାଷ୍ଟ୍ରଙ୍କ ମନରେ ବଡ଼ କଷ୍ଟ ହେଲା । ସେ ବୁଝୁଥିଲେ ଏପରି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପାଣ୍ଡବମାନଙ୍କ ମନରେ କୌରବମାନଙ୍କ ପ୍ରତି ଥିବା କ୍ରୋଧ ନିଶ୍ଚୟ ବହୁଗୁଣିତ ହେଉଥିବ । ଧୃତରାଷ୍ଟ୍ର କହିଲେ, “ହେ ବ୍ରାହ୍ମଣ! ମୁଁ ଜାଣିପାରୁଛି ଭୀମ ଓ ଅର୍ଜୁନ ପ୍ରତିଶୋଧ କଥା ମନରେ ଭାବି ଭାବି ରାତିରେ ଶୋଇ ପାରୁନଥିବେ। ଶକୁନିର ବୁଦ୍ଧିରେ ପଡ଼ି କପଟ ପଶାରେ ସେମାନଙ୍କୁ ପରାଜିତ କରି ସେମାନଙ୍କୁ ବନବାସରେ ପଠାଇଲା ବେଳେ ଦୁଃଶାସନ କହିଥିବା କଟୁକଥା ଭୀମ କେବେବି ଭୁଲିନଥିବେ । ଭୀମ ଓ ଅର୍ଜୁନ ରାଗିଥିବା ବେଳେ ସେମାନଙ୍କ ସାମ୍ନାରେ ଠିଆ ହେଲାପରି ବୀର କେହି ନାହାଁନ୍ତି । ସେଥିରେ ପୁଣି ଅର୍ଜୁନ ଏବେ ଅନେକ ପ୍ରକାରର ଦୈବୀ ଅସ୍ତ୍ରର ଅଧିକାରୀ । ଅର୍ଜୁନଙ୍କୁ ସାମ୍ନା କଲାପରି ବୀର ଏଠି କାହାକୁ ବି ମୁଁ ଦେଖିପାରୁନି। ମୋ ପୁଅମାନେ ଶକୁନି କଥାରେ ପଡ଼ି ସେମାନଙ୍କୁ ଯାହା କଲେ ସେମାନେ କେବେବି ଭୁଲିବେନି । ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ ଓ ଶକୁନିଙ୍କୁ ସେମାନଙ୍କ କଲା କର୍ମର ଫଳ ନିଶ୍ଚୟ ଭୋଗ କରିବାକୁ ପଡିବ । ପାଣ୍ଡବ ଭାଇମାନଙ୍କ ପାଖରେ ଏବେ ଅସ୍ତ୍ରବଳ ଅଛି ତା' ସାଙ୍ଗରେ ତପ ବଳ ବି ଅଛି । ସେମାନେ ଅପରାଜେୟ।”

ବ୍ରାହ୍ମଣଙ୍କ ସହ ଧୃତରାଷ୍ଟ୍ରଙ୍କ କଥାବାର୍ତ୍ତା ଶକୁନି ଠିଆ ହୋଇ ଶୁଣୁଥିଲେ । ସେ ଆଉ ବିଳମ୍ବ ନକରି ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚି ପାଣ୍ଡବମାନଙ୍କ ଦ୍ଵୈତବନରେ ଆସି ରହୁଥିବା ଖବର ଓ ରାଜା ଧୃତରାଷ୍ଟ୍ରଙ୍କ ବିଳାପ କଥା କହିଲେ । ଶକୁନିଙ୍କ ପାଖରୁ ଖବର ପାଇ ଦୁର୍ଯ୍ୟୋଧନଙ୍କ ମନରେ କିଛି ଭାବାନ୍ତର ଆସିଲା । ଦୁର୍ଯ୍ୟୋଧନଙ୍କ ମନରେ ଉଠିଥିବା ବିଷାଦକୁ ଲକ୍ଷ୍ୟ କରି କର୍ଣ୍ଣ କହିଲେ, “ହେ ବନ୍ଧୁ! ତୁମେ ଏ ଅଯଥା କଥାରେ ବିବ୍ରତ ହେବା ଉଚିତ ନୁହେଁ । ସର୍ବସ୍ୱ ହରେଇ ପାଣ୍ଡବମାନେ ଦରିଦ୍ର ଭିକାରୀଙ୍କ ପରି ବକଳ ଓ ଚମଡା ପିନ୍ଧି ବଣରେ ରହୁଛନ୍ତି । ଯେଉଁ ରାଜାମାନେ ଯୁଧିଷ୍ଠିରଙ୍କୁ ସମ୍ମାନ କରୁଥିଲେ ଏବେ ସେମାନେ ତୁମ ଅଧୀନରେ। ଏବେ ସମଗ୍ର ପୃଥିବୀ ତୁମ କରାଗତ । ଲକ୍ଷ୍ମୀ ତୁମର କାନ୍ଧରେ । ଅଥଚ ତୁମେ ଦରିଦ୍ର ହତଭାଗା ପାଣ୍ଡବମାନଙ୍କ କଥା ଭାବି ବିବ୍ରତ ହେଉଛ? ବରଂ ଏବେ ସଠିକ ସମୟ ସେମାନଙ୍କୁ ଏଇ ଦରିଦ୍ର ଅବସ୍ଥାରେ ଥରେ ଯାଇ ଦେଖି ଆସିବାର କଥା ।”

Advertisment

ଅଧିକ ପଢ଼ନ୍ତୁ: ଅଗ୍ନିଙ୍କ ପ୍ରଣୟ ଓ ଦେବତାଙ୍କ ସେନାପତି ପ୍ରାପ୍ତି କଥା

ଶକୁନି ତାଳି ମାରି ଖୁସି ହେଇ କହିଲେ, “ଅଙ୍ଗ ନରେଶ ଠିକ କଥା କହିଛନ୍ତି ଭଣଜା । ପାଣ୍ଡବମାନଙ୍କୁ ଶ୍ରୀହୀନ ଦୁଃସ୍ଥ ଅବସ୍ଥାରେ ଥରେ ଯାଇ ଦେଖି ଆସିବା ଉଚିତ । ତୁମର ଥାଟ ବାଟ ଐଶ୍ୱର୍ଯ୍ୟ ଦେଖି ପରମ ଇର୍ଷାରେ ସେମାନଙ୍କ ମନ ଓ ହୃଦୟ ପୋଡି ଜଳି ଅଙ୍ଗାର ହୋଇଯିବ । ତାପରେ ପାଣ୍ଡବଙ୍କ ଦୁଃଖ ଦୈନ୍ୟ ଅବସ୍ଥା ଦେଖିଲେ ତୁମ ହୃଦୟରେ ତୁମେ ବେଶ୍ ଶୀତଳତା ମଧ୍ୟ ଅନୁଭବ କରିବ ଦୁର୍ଯ୍ୟୋଧନ। ଚାଲ ଦ୍ଵୈତବନକୁ ଯିବାର ବ୍ୟବସ୍ଥା କରିବା।”

ଶକୁନି ଓ କର୍ଣ୍ଣଙ୍କ ଖଳ ମନ୍ତ୍ରଣା ଶୁଣି ଦୁର୍ଯ୍ୟୋଧନ କହିଲେ, “ମାମୁ ତୁମମାନଙ୍କ ପ୍ରସ୍ତାବ ଶୁଣି ହିଁ ମୋତେ ଆନନ୍ଦ ଲାଗୁଛି । ପାଣ୍ଡବମାନଙ୍କ ଅବସ୍ଥା ନିଜ ଆଖିରେ ଦେଖିଲେ ମୋ ହୃଦୟକୁ ଯୋଉ ଶାନ୍ତି ମିଳିବ ସେତିକି ଶାନ୍ତି ଏ ରାଜପ୍ରାସାଦର ଐଶ୍ୱର୍ଯ୍ୟ ଭୋଗରେ ନାହିଁ । ମୋର ତ ଯିବାକୁ ଇଚ୍ଛା କିନ୍ତୁ ରାଜା ଆମମାନଙ୍କୁ ସହଜରେ ଅନୁମତି ଦେବେନି । ତାଙ୍କ ମନରେ ପାଣ୍ଡବମାନଙ୍କ ପ୍ରତି ଭୟ ଅଛି । ତାଙ୍କର ଧାରଣା ବଣ ଜଙ୍ଗଲରେ ବୁଲି ବୁଲି ପାଣ୍ଡବମାନେ ତପ ଶକ୍ତି ସଂଗ୍ରହ କରିବା ସହ ଦିବ୍ୟ ଅସ୍ତ୍ର ସବୁ ପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ପାଖକୁ ଗଲେ ସେମାନେ ମୋର କିଛି କ୍ଷତି କରିପାରନ୍ତି ବୋଲି ମହାରାଜା ଭୟ କରୁଛନ୍ତି । ତାପରେ ମହାରାଜାଙ୍କ ପାଖରେ ସବୁବେଳେ ବୁଢା ବିଦୂର ବସି ବସି ହଜାରେ କୁମନ୍ତ୍ରଣା ଦେଉଛନ୍ତି । ଆମ ପ୍ରସ୍ତାବକୁ ବିଦୂର ପ୍ରଥମେ ବିରୋଧ କରିବେ । ସେଇ ଅନୁସାରେ ମହାରାଜାଙ୍କୁ ପରାମର୍ଶ ଦେବେ । ମୁଁ କିଛି ବାଟ ପାଉନି । ବରଂ ତୁମେ ସବୁ ମିଶି କିଛି ଉପାୟ ଖୋଜ ।”

Advertisment

ରାତିସାରା ଭାବି ଭାବି କର୍ଣ୍ଣ ଓ ଶକୁନି ରାସ୍ତା ବାହାର କଲେ । ସକାଳୁ କର୍ଣ୍ଣ ଆସି ଦୁର୍ଯ୍ୟୋଧନଙ୍କୁ କହିଲେ, “ବନ୍ଧୁ ଉପାୟ ମିଳିଯାଇଛି । ଶୁଣ ଏବେ ବର୍ଷାଦିନ ପାଇଁ ଦ୍ଵୈତବନରେ ହସ୍ତିନାପୁରର ସମସ୍ତ ଗୋରୁଗୋଠ ରହିଛି । ସେମାନଙ୍କ ଦେଖା ଚାହାଁ କରିବାକୁ ତୁମ ଗୋପାଳମାନେ ସେଇଠି ରହୁଛନ୍ତି । ତେଣୁ ଗୋରୁମାନଙ୍କୁ ଗଣନା କରି ହିସାବ କରିବାର ଏ ଉପଯୁକ୍ତ ସମୟ। ଆମେ ଏଇ କଥା କହି ସହଜରେ ଦ୍ଵୈତବନକୁ ଯାଇ ସେଠାରେ ବାସ କରୁଥିବା ପାଣ୍ଡବ ପାଞ୍ଚ ଭାଇ ଓ ପାଞ୍ଚାଳୀକୁ ଦେଖି ପାରିବା।” କର୍ଣ୍ଣଙ୍କ ଉପାୟଟି ଦୁର୍ଯ୍ୟୋଧନଙ୍କ ମନକୁ ପାଇଲା ଓ ସେ ସେଇକଥା କହି ଧୃତରାଷ୍ଟ୍ରଙ୍କ ପାଖରୁ ଅନୁମତି ଆଣିବାକୁ ଶକୁନିଙ୍କୁ ପଠାଇଲେ ।

ଶକୁନି ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚି କହିଲେ, “ମହାରାଜ! ଏବେ ଦ୍ୱୈତବନରେ ଆପଣଙ୍କ ଗୋରୁ ଗାଈଙ୍କୁ ଗଣିବା ସମୟ ଆସିଯାଇଛି । ସେମାନଙ୍କର ବୟସ, ବର୍ଣ୍ଣ ଓ ଜାତିର ହିସାବ କରାଯିବା କଥା । ବାଛୁରୀମାନଙ୍କ ଦେହରେ ଚିହ୍ନ ବି ଦିଆଯିବ । ଏହି ସମୟରେ ଆପଣଙ୍କ ପୁଅମାନେ ମୃଗୟାରେ ଯିବାକୁ ଇଚ୍ଛା କରୁଛନ୍ତି । ଆପଣ ଅନୁମତି ଦେଲେ ଦୁଇଟି କାମ ଏକା ସମୟରେ ହୋଇଯାଆନ୍ତା ।”

ଶକୁନିଙ୍କ କଥା ଶୁଣୁ ଶୁଣୁ ଧୃତରାଷ୍ଟ୍ର କହିଲେ, “ଖୁବ ଭଲ କଥା । ଏକା ବେଳକେ ଗୋରୁ-ଗାଈଙ୍କ ଗଣନା ଓ ମୃଗୟା ଦୁଇଟା କାମ ହୁଅନ୍ତା । କିନ୍ତୁ ମୁଁ ଶୁଣୁଛି ପାଣ୍ଡବମାନେ ସେଇ ଦ୍ଵୈତବନରେ ରହୁଛନ୍ତି । ସେମାନଙ୍କ ପାଖରେ ଅସ୍ତ୍ରବଳ ଓ ତପ ବଳ ରହିଛି । ସେମାନେ ତୁମକୁ ତପୋବଳରେ ପୋଡିଦେଇ ପାରନ୍ତି । ସେମାନଙ୍କୁ ଆକ୍ରମଣ କରି ବି ତୁମେ ଜିତି ପାରିବନି । ଦୁର୍ଯ୍ୟୋଧନ ସେମାନଙ୍କୁ ବନବାସକୁ ପଠେଇ କିଛି ଭଲ କରିନି । ସେ ରାଗ ସେମାନେ ଭୁଲିନଥିବେ । ତୁମେ କେହି ନଯାଇ ବରଂ ରାଜ କର୍ମଚାରୀଙ୍କୁ ପଠାଅ । ସେମାନେ ଗଣନା କାମ କରି ଫେରିବେ। ମୁଁ ଚାହୁଁନି ଦୁର୍ଯ୍ୟୋଧନ ସେଠାକୁ ଯାଉ ।”

mahabharatମହାଭାରତ

ଧୃତରାଷ୍ଟ୍ରଙ୍କ ନା' ଶୁଣିଲା ପରେ ଶକୁନି କହିଲେ, "ଆମେ ଆମ ବାଟରେ ଆମ କାମ କରି ଫେରି ଆସିବୁ । ଆମେ ପାଣ୍ଡବମାନଙ୍କ ପାଖକୁ କାହିଁକି ଅବା ଯିବୁ? ମୃଗୟା ଓ ଗାଈ ଗୋରୁ ଗଣନା ସରିଲେ ଆମେ ତୁରନ୍ତ ହସ୍ତିନାପୁରକୁ ଫେରିଆସିବୁ ।"

ଧୃତରାଷ୍ଟ୍ର କହିଲେ, “ନା ଶକୁନି ସେ ତ ସେଇ ଗୋଟିଏ ସ୍ଥାନ। ମୋ ମତରେ ତୁମେ ସବୁ ପାଣ୍ଡବମାନେ ରହୁଥିବା ବଣକୁ ହିଁ ଯିବା କଥା ନୁହେଁ । ସେମାନେ ଦୁଃଖରେ ଅଛନ୍ତି । ତୁମେ ସବୁ ନିଜର ବଡିମା ଓ ଐଶ୍ୱର୍ଯ୍ୟ ପ୍ରଦର୍ଶନ ପାଇଁ ସେମାନଙ୍କ ପାଖକୁ ଯାଇଛ ବୋଲି ସେମାନେ ଯଦି ଭାବିଲେ ତେବେ ଅଯଥା ଅନର୍ଥ ଘଟିବ । ନିଆଁରେ ଘିଅ ପକାଇବା ପରି କଥା ହେବ । ତୁମେ ନକଲେ ବି ତୁମ ସାଙ୍ଗରେ ଯାଇଥିବା ଯେ କେହି ବି ପାଣ୍ଡବଙ୍କ ପାଖରେ ପହଞ୍ଚି ସେମାନଙ୍କର ଅପମାନ କରିପାରେ । ତା ପରର ପରିସ୍ଥିତି ଭଲ ହେବନି । ତେଣୁ ଦ୍ୱୈତବନକୁ ଯିବାର ପ୍ରଶ୍ନ ଉଠୁନି ।”

ଶକୁନି କିନ୍ତୁ ନଛୋଡ଼ବନ୍ଧା ହୋଇ ଧୃତରାଷ୍ଟ୍ରଙ୍କୁ ବହୁ ପ୍ରକାରର କଥା କହି ବୁଝାଇଲେ । କହିଲେ ପାଣ୍ଡବମାନଙ୍କ ବଡ଼ ଭାଇ ଯୁଧିଷ୍ଠିର ଧର୍ମରାଜ । ସେ ହିଁ ନିଜେ ରାଜି ହୋଇ ବାର ବର୍ଷ ବନବାସରେ ଯାଇଛନ୍ତି । ତାଙ୍କ ଭାଇମାନେ ତାଙ୍କ କଥାରୁ କେବେବି ବାହାରକୁ ଯିବେନି। ତାପରେ ଆମମାନଙ୍କର ଭେଟା ଭେଟି ହେବାର ପ୍ରଶ୍ନ ଉଠୁନି । ବହୁତ ବୁଝାଇଲା ପରେ ଶେଷରେ ଧୃତରାଷ୍ଟ୍ର ବହୁ କଷ୍ଟରେ ରାଜି ହେଲେ ।

ଅନୁମତି ପାଇଲାପରେ ଦୁର୍ଯ୍ୟୋଧନ ତାଙ୍କର ବନ୍ଧୁ କର୍ଣ୍ଣ ଓ ମାମୁ ଶକୁନି ବିରାଟ କୌରବ ସେନାକୁ ସାଙ୍ଗରେ ଧରି ମହା ଆଡ଼ମ୍ବରରେ ଦ୍ୱୈତବନକୁ ବାହାରିଲେ । ଭୀଷ୍ମ, ଦ୍ରୋଣ, କୃପ ଓ ଅଶ୍ଵତ୍ଥାମା ଆଦି କେହି ଗଲେନି । ରଥ, ଘୋଡ଼ା, ହାତୀ, ଶଗଡ଼ରେ ଭର୍ତ୍ତି ହୋଇ ଆବଶ୍ୟକୀୟ ଜିନିଷ ସବୁ ସାଙ୍ଗରେ ଗଲା। ବନରେ ପହଞ୍ଚି ସମସ୍ତଙ୍କ ପାଇଁ ଅଲଗା ଅଲଗା ଶିବିର ନିର୍ମାଣ ହେଲା। ଗାଈ ଗୋଠରୁ ଯଥେଷ୍ଟ ପରିମାଣର ଦୁଧ, ଦହି, ଘିଅ ଓ ଛେନା ଆସିଲା। ମୃଗ ଶିକାର କରାଯାଇ ରୋଷେଇ କରାଗଲା। ସାଙ୍ଗରେ ଯାଇଥିବା ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କଲେ ଓ ଗାୟକମାନେ ବାଦ୍ୟ ଯନ୍ତ୍ର ବଜାଇ ଗୀତ ଗାଇଲେ । ହସ୍ତିନା ରାଜପ୍ରାସାଦରୁ ଦୂରରେ ରହି ବି କୌରବ ଭାଇମାନଙ୍କର ରାଜସୁଖର କିଛି ଉଣା ରହିଲାନି। ସମସ୍ତେ ମହା ଆନନ୍ଦରେ ସମୟ କାଟିବା ଭିତରେ ଗୋରୁମାନଙ୍କ ଗଣନା ଓ ବାଛୁରୀ ସବୁରେ ଚିହ୍ନ ଦିଆ କାମ ବି ସରିଲା ।

ଦିନେ ମୃଗୟାରେ ବାହାରିଥିବା ଦୁର୍ଯ୍ୟୋଧନ ବଣରେ ବୁଲୁ ବୁଲୁ ଏକ ସୁନ୍ଦର ସରୋବର ଦେଖିଲେ । ଆହୁରି ଦେଖିଲେ ସରୋବର ପାଖରେ ପାଣ୍ଡବମାନେ ରହୁଛନ୍ତି । ପାଣ୍ଡବମାନଙ୍କୁ ଦୂରରୁ ଦେଖି ଦୁର୍ଯ୍ୟୋଧନଙ୍କ ମନ ଭିତରେ ଇର୍ଷା ଓ ରାଗ ବଢ଼ିଗଲା । ଦୁର୍ଯ୍ୟୋଧନ ଭାବିଲେ ଏଇଟା ହିଁ ପ୍ରକୃତ ସ୍ଥାନ ଯୋଉଠି ସେ ପାଣ୍ଡବମାନଙ୍କ ଆଗରେ ତାଙ୍କର ଐଶ୍ୱର୍ଯ୍ୟ ଓ ପ୍ରତିପତ୍ତି ଦେଖାଇ ପାରିବେ । ପାଣ୍ଡବମାନେ ଜାଣିବା ଦରକାର କେମିତି ଦୀନ ଦରିଦ୍ର ପରି ସେମାନେ ଜଙ୍ଗଲରେ ସମୟ କାଟୁଛନ୍ତି । ଦୁର୍ଯ୍ୟୋଧନ ଆଉ ବିଳମ୍ବ ନକରି ସଙ୍ଗେ ସଙ୍ଗେ ତାଙ୍କର ପରିଚାରକମାନଙ୍କୁ ତୁରନ୍ତ ତାଙ୍କର ଶିବିର ସରୋବର ପାଖରେ ଲଗାଇବାକୁ ଆଦେଶ ଦେଲେ ।

ଅଧିକ ପଢ଼ନ୍ତୁ: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା

Mahabharat Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: