ଦମୟନ୍ତୀ ଶିଖାଇଥିବା ଗୀତକୁ ବ୍ରାହ୍ମଣମାନେ ଆଖ ପାଖ ଓ ଦୂର ଦେଶରେ ଜନ ଗହଳି ସ୍ଥାନମାନଙ୍କରେ ଗାଇ ଶୁଣାଇଲେ । ଦମୟନ୍ତୀ ଅପେକ୍ଷା କରିଥାନ୍ତି କେବେ ତାଙ୍କ ପାଖରେ ନଳଙ୍କର କିଛି ଖବର ପହଞ୍ଚିବ । ଅନେକ ଦିନ ପରେ ପର୍ଣ୍ଣାଦ ନାମକ ଜଣେ ବ୍ରାହ୍ମଣ ଦମୟନ୍ତୀଙ୍କ ପାଖକୁ ଫେରିଆସିଲେ । ଆସି କହିଲେ ଜେମାଦେଈ, ମୁଁ ଏବେ ଗୋଟେ ଭଲ ଖବର ନେଇ ସିଧା ଅଯୋଧ୍ୟାରୁ ଫେରୁଛି । ଆପଣଙ୍କ ଗୀତଟି ମୁଁ ସେଠାର ରାଜ ଦରବାରରେ ଗାଇଲି । ହେଲେ କେହି ବି କିଛି ପ୍ରତିକ୍ରିୟା ଦେଖାଇଲେନି । କିନ୍ତୁ ସେ ସ୍ଥାନ ଛାଡିଲା ପରେ ଏକ ନିର୍ଜନ ସ୍ଥାନରେ ବାହୁକ ନାମରେ ରାଜାଙ୍କ ସାରଥି ମୋତେ ସାକ୍ଷାତ କରି ଅନେକ କଥା କହିଲେ । ସେ ବ୍ୟକ୍ତି ଜଣକ ଘୋଡା ଚାଳନାରେ ଧୁରନ୍ଧର ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ବି ନିପୁଣ । ମୁଁ କବିତା ଛଳରେ ପଚାରିଥିବା ପ୍ରଶ୍ନର ଉତ୍ତର ସେ ଫେରାଇଲେ । କହିଲେ କୂଳବଧୂମାନେ ସେମାନଙ୍କ ଦୁଃଖ ଅନ୍ୟ ପାଖରେ ପ୍ରକାଶ କରନ୍ତିନି । କାରଣ ତାଙ୍କ ପାଇଁ ତାଙ୍କ ଚରିତ୍ର ରକ୍ଷାକବଚ ପରି କାମ କରେ । ଜଣେ ଅସହାୟ ସ୍ୱାମୀ ଦୁର୍ଭାଗ୍ୟ କ୍ରମେ ଜୀବନ ବଞ୍ଚିବାକୁ ଚେଷ୍ଟା କଲାବେଳେ ପକ୍ଷୀମାନେ ତା'ର ଖଣ୍ଡିଏ ମାତ୍ର ବସ୍ତ୍ରକୁ ଅପହରଣ କଲାପରେ ସେ କେତେ ଯେ ମାନସିକ ଯନ୍ତ୍ରଣା ଭୋଗ କରିଥିବ ସେ କଥା ବୁଝି ତା'ର ସତୀ ପତ୍ନୀ ଆଦୌ କୋପ ପ୍ରକାଶ କରିବା କଥା ନୁହେଁ ।
ପର୍ଣ୍ଣାଦଙ୍କ ପାଖରୁ ସମ୍ବାଦ ପାଇଲାପରେ ଦମୟନ୍ତୀ ବୁଝିପାରିଲେନି ତାଙ୍କ ଗୀତର ଉତ୍ତର ଦେଇଥିବା ଲୋକଟି ନଳ କି ଆଉ କିଏ । କାରଣ ପର୍ଣ୍ଣଦଙ୍କ କହିବା ଅନୁସାରେ ଲୋକଟି ଦେଖିବାକୁ କଦାକାର । ଦେବତାଙ୍କ ପରି ରୂପ କାନ୍ତି ପାଇଥିବା ନଳ କୁରୂପ କାହିଁକି ହେବେ? ଦମୟନ୍ତୀ ଅନେକ ସମୟ ଚିନ୍ତା କଲାପରେ ଉପାୟ ଗୋଟିଏ ଚିନ୍ତାକଲେ । ତାଙ୍କ ମାଆଙ୍କୁ ଯାଇ ସବୁକଥା କହିଲେ ।

ଆହୁରି କହିଲେ ନଳଙ୍କୁ ଖୋଜି ପାଇବାକୁ ସେ କରୁଥିବା ଉପାୟ ଯେମିତି କେହି ଜାଣି ନପାରନ୍ତି । ବାପା ଭୀମଙ୍କୁ ବି ସେ ବିଷୟରେ କିଛି କୁହାଯିବନି । ତାପରେ ଦମୟନ୍ତୀ ସୁଦେବ ବ୍ରାହ୍ମଣଙ୍କୁ ରାଜା ଋତୁପର୍ଣ୍ଣଙ୍କ ନଗରୀ ଅଯୋଧ୍ୟା ପଠେଇଲେ । କୁହାଗଲା ସୁଦେବ ଅଯୋଧ୍ୟା ରାଜଦରବାରରେ ପହଞ୍ଚି ରାଜାଙ୍କୁ କହିବେ ଯେ ବିଦର୍ଭ ରାଜନନ୍ଦିନୀ ଦମୟନ୍ତୀଙ୍କର ଆସନ୍ତାକାଲି ସକାଳେ ପୁଣିଥରେ ସ୍ୱୟଂବର ସଭା ଆୟୋଜନ କରାଯାଉଛି । କାରଣ ନଳଙ୍କ ବିଷୟରେ କିଛିବି ଖବର ମିଳୁନି । ସେଥିପାଇଁ ରାଜକୁମାରୀ ଦ୍ୱିତୀୟ ପତି ବରଣ କରିବେ । ବିଭିନ୍ନ ଦେଶର ରାଜା ଓ ରାଜକୁମାର ମାନେ ବି ଆସୁଛନ୍ତି । ପାରିବେ ଯଦି ନିମନ୍ତ୍ରଣ ଗ୍ରହଣ କରି ଆପଣ ମଧ୍ୟ ଆସନ୍ତୁ ।
ବାହୁକ ରୂପୀ ନଳ ବି ସେଇଠି ଉପସ୍ଥିତ ଥିଲେ । ସେ ବୁଝିପାରିଲେନି ଦମୟନ୍ତୀ ସତରେ କ'ଣ ଆଉଥରେ ବିବାହ କରିବାକୁ ମନସ୍ଥ କରିଛନ୍ତି? ହେଲେ କାହିଁକି? ନା ତାଙ୍କୁ ଗୋପନବାସରୁ ଖୋଜି ବାହାର କରିବାକୁ ଏପରି ଘୋଷଣା କରିଛନ୍ତି? ପୁଣି ନଳ ମନେ ମନେ ଭାବୁଥାନ୍ତି ସେ ଦମୟନ୍ତୀଙ୍କ ପ୍ରତି ଯେଉଁ ବ୍ୟବହାର କରିଛନ୍ତି ଏପରି କୌଣସି ପତି ତା'ର ସତୀ ପତ୍ନୀ ପ୍ରତି କରିବନି । ଦମୟନ୍ତୀ ଅଭିମାନରେ ଏପରି ନିଷ୍ପତ୍ତି ନେଇନାହାଁନ୍ତି ତ? ରାଜା ଋତୁପର୍ଣ୍ଣ ବାହୁକଙ୍କୁ କହିଲେ ଆମେ କ'ଣ ଆଜିର ସୂର୍ଯ୍ୟାସ୍ତ ସୁଦ୍ଧା ବିଦର୍ଭରେ ପହଞ୍ଚି ପାରିବା? ବାହୁକ ହଁ ମାରିଲେ ଓ ତୁରନ୍ତ ରଥ ପ୍ରସ୍ତୁତ କଲେ ।
ରାଜା ଋତୁପର୍ଣ୍ଣ ରଥରେ ବସି ଦେଖିଲେ ସାରଥି ତାଙ୍କର ଯେମିତିକା ଦୁର୍ବଳିଆ ଘୋଡା ସବୁ ରଥରେ ଯୋଚିଛନ୍ତି ସେମାନେ ଏତେ ଶୀଘ୍ର ଏତେ ରାସ୍ତା ଅତିକ୍ରମ କରିବେ ବିଶ୍ୱାସ ହେଲାନି । ରାଜା ବାହୁକଙ୍କ ରଥ ଚାଳନା ପ୍ରତି ସନ୍ଦେହ ନେଇ ରଥରେ ବସିଲେ । ଅଳ୍ପ ସମୟ ଭିତରେ ରାଜାଙ୍କର ସମସ୍ତ ସନ୍ଦେହ ମୋଚନ ହେଇଗଲା । ରଥ ଭୂମିଠାରୁ ସାମାନ୍ୟ ଉପରେ ରହି ବିଜୁଳି ବେଗରେ ଛୁଟି ଚାଲିଥିଲା । ରାଜା ଋତୁପର୍ଣ୍ଣ ରଥରେ ବସି ଭାବୁଥାନ୍ତି ଏ ସାରଥି ତ ନିଷଧ ରାଜା ନଳଙ୍କ ପରି ରଥ ଚାଳନା କରୁଛି । ଏ କେମିତି ସମ୍ଭବ ହେଲା ? ଅବଶ୍ୟ ନଳଙ୍କ ରୂପ ସହ ବାହୁକର ଚେହେରାର କୌଣସି ମେଳ ନାହିଁ । ଏମିତି ଏଣୁ ତେଣୁ ଭାବିଲା ବେଳକୁ ରାଜାଙ୍କ ଉତ୍ତରୀୟ ଠାଏ ଖସି ଗଲା । ରାଜା ବାହୁକଙ୍କୁ କହିଲେ ରଥ ଅଟକାଇବାକୁ । ରାଜା ତାଙ୍କ ଉତ୍ତରୀୟ କଥା କହିଲା ବେଳକୁ ବାହୁକ ରଥ ଅଟକାଇ କହିଲେ, ମହାରାଜ ଆପଣଙ୍କ ଉତ୍ତରୀୟ ପଡିବା ସ୍ଥାନରୁ ଆମେ ଅନେକ ଯୋଜନ ଦୂରକୁ ଆସିସାରିଲେଣି ।
ରଥ ଗୋଟେ ବାହାଡା ଗଛ ତଳେ ଅଟକିଥାଏ । ରାଜା ଋତୁପର୍ଣ୍ଣ ବାହୁକଙ୍କୁ ସେ ଗଛ ଦେଖାଇ କହିଲେ ମୁଁ ଏ ପୂରା ଗଛରେ ଥିବା ପତ୍ର ଓ ଫଳକୁ ନିର୍ଭୂଲ ଭାବରେ ଗଣି କହିଦେଇ ପାରିବି । ସାରଥି ବାହୁକ ଆଶ୍ଚର୍ଯ୍ୟ ହୋଇ କହିଲେ ଏ କେମିତି ସମ୍ଭବ? ତାପରେ ବାହୁକ ରାଜାଙ୍କ ଶକ୍ତି ପରୀକ୍ଷା କରିବାକୁ ଖଣ୍ଡିଏ ଡାଳରେ ଥିବା ପତ୍ର ଓ ଫଳ ଗଣିବାକୁ କହିଲେ । ରାଜା ଯାହା କହିଲେ ସାରଥି ବାହୁକ ଗଣି ଦେଖିଲେ ରାଜାଙ୍କ ହିସାବ ଏକବାର ନିର୍ଭୂଲ ଅଛି । ରାଜା କହିଲେ ସେ ପଶା ଖେଳରେ ବିଶେଷ ପାରଦର୍ଶିତା ଲାଭ କରିଛନ୍ତି । ସେଥିପାଇଁ ଗଣନ ବିଦ୍ୟା ବି ଭଲରେ ଜାଣିଛନ୍ତି ।
ବାହୁକ ରୂପୀ ନଳଙ୍କୁ ଜଙ୍ଗଲ ଭିତରେ କର୍କୋଟକ ନାଗ ଋତୁପର୍ଣ୍ଣଙ୍କୁ ଅଶ୍ୱ ଚାଳନା ବିଦ୍ୟା ଶିଖାଇ ତାଙ୍କ ପାଖରୁ ଅକ୍ଷ ବିଦ୍ୟା ଶିକ୍ଷା କରିବାକୁ ଉପଦେଶ ଦେଇଥିଲେ । ନଳ ଆଉ ବିଳମ୍ବ ନକରି କହିଲେ ମହାରାଜ ଆପଣ ମୋତେ ଏ ଅକ୍ଷ ବିଦ୍ୟା ଶିଖାଇଦେଲେ ମୁଁ ଆପଣଙ୍କୁ ଅଶ୍ୱ ଚାଳନାର କୌଶଳ ଶିଖାଇ ଦେବି । ତାପରେ ଦୁହେଁ ଦୁହିଁକି ସେମାନେ ଜାଣିଥିବା ବିଦ୍ୟା ଶିକ୍ଷା ଦେଲେ । ଅକ୍ଷ ବିଦ୍ୟା ଶିକ୍ଷା କରୁ କରୁ ନଳଙ୍କ ଶରୀର ଭିତରେ ବାସ କରୁଥିବା କଳି ପଦାକୁ ବାହାରି ଆସିଲା । କର୍କୋଟକ ନାଗର ବିଷ ଜ୍ୱାଳାରେ କଳିର ଅବସ୍ଥା ଖରାପ । ନଳ କଳିକୁ ଅଭିଶାପ ଦେବାକୁ ବାହାରିଲା ବେଳକୁ କଳି କ୍ଷମା ପ୍ରାର୍ଥନା କଲା।
ସୂର୍ଯ୍ୟାସ୍ତ ପୂର୍ବରୁ ନଳ ରଥ ଚଲାଇ ରାଜା ଋତୁପର୍ଣ୍ଣଙ୍କୁ ନେଇ ବିଦର୍ଭରେ ପହଞ୍ଚାଇ ଦେଲେ । ଋତୁପର୍ଣ୍ଣ ବିଦର୍ଭର ରାଜଧାନୀରେ ପହଞ୍ଚି ଦେଖିଲେ ଦମୟନ୍ତୀଙ୍କ ସ୍ୱୟଂବର ପାଇଁ କିଛିବି ଆୟୋଜନ ହେଇନି । ସେ କିଛି ବୁଝି ପାରିଲେନି । ରାଜା ତାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାସାଦରେ ରାତିରେ ରହିଲେ । ଦମୟନ୍ତୀ ଜଣେ ଦାସୀ ସାଙ୍ଗରେ ତାଙ୍କ ଦୁଇ ପିଲାଙ୍କୁ ବାହୁକ ରହୁଥିବା ସ୍ଥାନକୁ ପଠେଇଲେ । ତାଙ୍କ ମନରେ ତ ମୂଳରୁ ସନ୍ଦେହ ଯେ ଏ ସାରଥି ବାହୁକ ହିଁ ନଳ ନା ଆଉ କିଏ? ପିଲା ଦୁହିଁଙ୍କୁ ଦେଖୁ ଦେଖୁ ବାହୁକ ସେମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧାର ସହ ଆଲିଙ୍ଗନ କଲେ। ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଯାଉଥାଏ । ତାଙ୍କ ବ୍ୟବହାର ଦେଖି କେହି କିଛି ଭାବିବା ଆଗରୁ ସେ କହିଲେ ତାଙ୍କର ବି ଠିକ ଏଇପରି ଦୁଇ ସନ୍ତାନ ଅଛନ୍ତି । ଏ ଦୁହିଁଙ୍କୁ ଦେଖି ସେମାନଙ୍କ କଥା ମନ ପଡିବାରୁ ଆଖିରୁ ଦୁଇ ଟୋପା ଲୁହ ଗଡିଗଲା । ଦାସୀ ଆସି ଦମୟନ୍ତୀଙ୍କୁ ସବୁ କହିଲା । ତଥାପି ଦମୟନ୍ତୀ ଦାସୀକୁ କହିଲେ ତୁ ଯା ସେ ସାରଥି କେମିତି ରୋଷେଇ କରୁଛି ମୋତେ ଆସି କହିବୁ ।
ଦାସୀ ବାହୁକଙ୍କ ପାଖରେ ପହଞ୍ଚି ଦେଖିଲା ସେ ରାତି ରୋଷେଇ ପାଇଁ ଯୋଗାଡ ଯନ୍ତ୍ର କରୁଛନ୍ତି । ଦାସୀ ଦେଖି ଆଶ୍ଚର୍ଯ୍ୟ ହେଇଗଲା ଯେ ବାହୁକ ଛୁଉଁ ଛୁଉଁ ମାଠିଆରେ ପାଣି ଭର୍ତ୍ତି ହେଇଗଲା । ଚୁଲିରେ ହାଣ୍ଡି ରଖୁ ରଖୁ କାଠରେ ଆପଣା ଛାଏଁ ମନକୁ ମନ ନିଆଁ ଲାଗି ଜଳିବାକୁ ଲାଗିଲା । ନିଆଁକୁ ସେ ସହଜରେ ଛୁଇଁ ପାରୁଥିଲେ ଓ ନିଆଁ ତାଙ୍କର କିଛି କ୍ଷତି କରୁନଥାଏ । ଏ ଖବର ଦାସୀ ଆଣି ଦମୟନ୍ତୀଙ୍କୁ ଦେଲା ପରେ ଦମୟନ୍ତୀଙ୍କ ମନରେ ଆଉ ତିଳେ ହେଲେ ସନ୍ଦେହ ରହିଲାନି ଯେ ସାରଥି ବାହୁକ ହିଁ ନଳ ଛଡା ଆଉ କେହି ନୁହଁନ୍ତି । ତଥାପି ସେ ଦାସୀକୁ କହିଲେ ନଳ ରାନ୍ଧିଥିବା ମାଂସ ତରକାରୀ କିଛି ଆଣିବାକୁ । ନଳଙ୍କ ଅନୁପସ୍ଥିତିରେ ଦାସୀ ଅଳ୍ପ କିଛି ମାଂସ ତରକାରୀ ଦମୟନ୍ତୀଙ୍କୁ ଆଣି ଦେଲେ ଓ ଦମୟନ୍ତୀ ତରକାରୀର ସ୍ୱାଦରୁ ଜାଣିଲେ ନଳଙ୍କ ଛଡା ଅନ୍ୟ କେହି ଏପରି ସୁସ୍ୱାଦୁ ତରକାରୀ ରାନ୍ଧି ପାରିବେନି ।
ଏଥର ଦମୟନ୍ତୀ ବାହୁକଙ୍କୁ ଡକେଇ ପଠେଇଲେ ଓ ଏକ ନିରୋଳା ପ୍ରକୋଷ୍ଠରେ ଭେଟିଲେ । ଦମୟନ୍ତୀ ପଚାରିଲେ, କୁହ ବାହୁକ ତୁମେ ଏମିତି କୌଣସି ଧର୍ମବନ୍ତ ପରୁଷଙ୍କୁ ଦେଖିଛ କି ଯିଏକି ତାଙ୍କର ଏକାନ୍ତ ଅନୁଗତା ପତିବ୍ରତା ପତ୍ନୀଙ୍କୁ ଅସହାୟ କରି ଘନ ଜଙ୍ଗଲ ଭିତରେ ସେ ଶୋଇଥିବା ବେଳେ ଏକାକିନୀ କରି ଛାଡିଦେଇ ଯିବ? ଦମୟନ୍ତୀ ପ୍ରଶ୍ନ ପଚାରୁଥାନ୍ତି ଓ କାନ୍ଦୁଥାନ୍ତି । ଦମୟନ୍ତୀଙ୍କ କାନ୍ଦ ଦେଖି ନଳ ଆଉ ନିଜକୁ ଅଟକାଇ ପାରିଲେନି। କୋହ ଭରା ସ୍ୱରରେ କହିଲେ, ନା ନା ସେପରି କୌଣସି ବିବେକହୀନ ବ୍ୟକ୍ତିଙ୍କୁ ମୁଁ ଦେଖିନି । ମୁଁ ଜାଣିଛି ମୁଁ କ'ଣ କରିଛି । ଏମିତି କହି ମୋତେ ଅଧିକ ଲାଜ ଦିଅନି । ପରିସ୍ଥିତରେ ପଡି କଳିର ପ୍ରଭାବରେ ମୁଁ ଏପରି କୁକର୍ମ କରିଛି । ସେଇ ପାପୀମାନଙ୍କ ଦାଉରୁ ନିଜକୁ ରକ୍ଷା କରିବାକୁ ମୁଁ ଆତ୍ମଗୋପନ କରି ରହିଥିଲି । କେବଳ ତୁମକୁ ଦେଖିବାକୁ ମାତ୍ର ଗୋଟେ ଦିନରେ ଅଯୋଧ୍ୟାରୁ ରଥ ଚଳାଇ ବିଦର୍ଭରେ ପହଞ୍ଚିଛି । ହେଲେ ତୁମେ ଆଉ ଥରେ ବିବାହ କରିବାକୁ ରାଜି ହେଇଛ ଶୁଣି ମୋର ଛାତି ଫାଟିଯାଉଛି । ଏମିତି କ'ଣ କୋଉ ପତିବ୍ରତା ସ୍ତ୍ରୀ କରିପାରେ? ଅବଶ୍ୟ ମୁଁ ତୁମ ପ୍ରତି ବହୁତ ଖରାପ ବ୍ୟବହାର କରିଛି । ସେକଥା ଭାବି ନିଜ ଉପରେ ମୋର ବହୁତ ରାଗ ଆସୁଛି ।
ଅଧିକ ପଢ଼ନ୍ତୁ: କର୍କୋଟକ ନାଗ ଓ ସାରଥୀ ସାଜିଥିବା ରାଜାଙ୍କ କାହାଣୀ
ଦମୟନ୍ତୀ କହିଲେ, ହେ ସ୍ୱାମୀ ! ଆପଣଙ୍କୁ ଛାଡି ମୁଁ ଅନ୍ୟ କାହା କଥା କେବେବି ମନରେ କାହିଁକି ସ୍ୱପ୍ନରେ ବି ଚିନ୍ତା କରିପାରିବିନି । ମୁଁ ଖବର ପାଇଥିଲି ହୁଏତ ଆପଣ ଅଯୋଧ୍ୟାରେ ଅଛନ୍ତି । ସେଥିପାଇଁ ସ୍ୱୟଂବରର ନାଟକ ରଚନା କରିଥିଲି । ଜାଣିଥିଲି ଆପଣଙ୍କ ଛଡା ଆଉ କେହିବି ଏତେ ଶୀଘ୍ର ଅଯୋଧ୍ୟାରୁ ଆସି ବିଦର୍ଭରେ ପହଞ୍ଚି ପାରିବନି ।
ନଳ ଏଥର କର୍କୋଟକ ନାଗଙ୍କୁ ସ୍ମରଣ କରି ନାଗ ରାଜ ଦେଇଥିବା ବସ୍ତ୍ର ପିନ୍ଧିପକାଇଲେ । ମୁହୂର୍ତ୍ତକ ଭିତରେ କଦାକାର ବାହୁକ ସୌମ୍ୟଦର୍ଶନ ନଳରେ ପରିଣତ ହେଇଗଲେ । ରାଜା ଋତୁପର୍ଣ୍ଣ ପରଦିନ ସକାଳୁ ସମସ୍ତ ବିଷୟ ଅବଗତ ହୋଇ ଆନନ୍ଦିତ ହେଲେ । ନଳ ଦମୟନ୍ତୀଙ୍କ ସହ କିଛି ଦିନ ବିଦର୍ଭ ଦେଶରେ କାଟିଲା ପରେ ଦିନେ ସୈନ୍ୟ ସାମନ୍ତ ଧରି ନିଷଧ ଦେଶରେ ପହଞ୍ଚିଲେ ଓ ପୁଷ୍କରଙ୍କୁ ପଶା ଖେଳିବାକୁ ଆମନ୍ତ୍ରଣ କଲେ । ଅଯୋଧ୍ୟା ନରେଶ ଋତୁପର୍ଣ୍ଣଙ୍କ ପାଖରୁ ନଳ ଅକ୍ଷ ବିଦ୍ୟା ଶିକ୍ଷା କରିଥିଲେ ତେଣୁ ଅଳ୍ପ ସମୟ ଭିତରେ ସହଜରେ ପୁଷ୍କରଙ୍କୁ ପରାଜିତ କରି ଆପଣା ଦେଶ ଫେରି ପାଇଲେ । ନଳ ପୁଣିଥରେ ନିଷଧ ଦେଶର ରାଜା ହେଲେ ।ପରିବାର ସହ ସୁଖରେ କାଳାତିପାତ କଲେ ।