ମହାଭାରତ କଥା
ଦ୍ୱୈତ ବନରେ ବନ୍ଧର୍ବମାନଙ୍କ ପାଖରୁ ପରାସ୍ତ ଓ ଅପମାନିତ ହେଇ କୌରବମାନେ ହସ୍ତିନାପୁରକୁ ଫେରି ଆସିଲେ। ଦୁର୍ଯ୍ୟୋଧନଙ୍କୁ ଦେଖି ପିତାମହ ଭୀଷ୍ମ କହିଲେ “ତୁମମାନଙ୍କ ଯାତ୍ରା ପୂର୍ବରୁ ମୁଁ ଯୋଉ ଆଶଙ୍କା କରିଥିଲି ତାହା ସତ ହେଲା । ତୁମେ ସେଇଠି ପୁଣି ଥରେ ଅପକର୍ମ କରି ବନ୍ଦୀ ହେଲ । ଯୋଉ ପାଣ୍ଡବମାନଙ୍କୁ ଏତେ ହଇରାଣ କରିଛ ସେଇମାନେ ଶେଷରେ ତୁମମାନଙ୍କୁ ସାହାଯ୍ୟ କଲେ। ତୁମ ଜୀବନ ରକ୍ଷା କଲେ । ତଥାପି ତୁମମାନଙ୍କ ମୁହଁରେ ଲାଜର ସାମାନ୍ୟ ଆଭାସ ନାହିଁ । ଯେଉଁ କର୍ଣ୍ଣ ଭରସାରେ ତୁମେ ଯୁଦ୍ଧ କରିବାକୁ ବାହାରିଥିଲ ତାଙ୍କ ବଳ ବୀର୍ଯ୍ୟ ଜଣା ପଡିଗଲା । ସେ ଗନ୍ଧର୍ବମାନଙ୍କ ହାତରୁ ନିଜ ଜୀବନ ରକ୍ଷା କରିବାକୁ କେମିତି ପଳାୟନ କଲେ ସେ ଖବର ଆମେ ପାଇ ସାରିଛୁ । ତେଣୁ ଆଉ ବେଶି ଡେରି ନକରି ପାଣ୍ଡବଭାଇମାନଙ୍କ ସହ ତୁମେ ଯଥାଶୀଘ୍ର ସନ୍ଧି କରିବା ଉଚିତ ।”
ପିତାମହ ଭୀଷ୍ମଙ୍କ କଥାର କୌଣସି ପ୍ରଭାବ ପଡିଲାନି । ଦୁର୍ଯ୍ୟୋଧନ ବଡ ପାଟିରେ ହସି ହସି ସଭାରୁ ବାହାରିଗଲେ । ତାଙ୍କ ପଛେ ପଛେ ଶକୁନି, କର୍ଣ୍ଣ ଓ ଅନ୍ୟ ଅନୁଗତମାନେ ମଧ୍ୟ ହସି ବାହାରି ଚାଲିଗଲେ । ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନଙ୍କ ଏପରି ଅଭଦ୍ର ବ୍ୟବହାର ଅପମାନଜନକ ଲାଗିଲା, ତେଣୁ ସେ ବି ଚୁପଚାପ ସେଠାରୁ ବାହାରିଗଲେ।
ସଭାରୁ ବାହାରି ଦୁର୍ଯ୍ୟୋଧନ ତାଙ୍କ ସମର୍ଥକମାନଙ୍କ ସାଙ୍ଗରେ ବସି ମନ୍ତ୍ରଣା ଆରମ୍ଭ କଲେ। କର୍ଣ୍ଣ କହିଲେ, “ଭୀଷ୍ମ କୌରବମାନଙ୍କୁ ପସନ୍ଦ କରନ୍ତିନି । ମୁଁ ତୁମର ଅନ୍ତରଙ୍ଗ ବନ୍ଧୁ ବୋଲି ମୋତେ ବି ସହ୍ୟ କରନ୍ତିନି । ଅସଲରେ ପାଣ୍ଡବମାନେ ତାଙ୍କର ପ୍ରିୟ । ତେଣୁ ତାଙ୍କ କଥାକୁ କୌଣସି ଗୁରୁତ୍ୱ ଦେବା ଉଚିତ ନାହିଁ। ଏବେ ଆମକୁ ଆମର ଶକ୍ତି ପ୍ରଦର୍ଶନ କରିବାକୁ ହେବ । ମୁଁ ସାଙ୍ଗରେ ସୈନ୍ୟ ସାମନ୍ତ ନେଇ ବାହାରିବି । ପାଣ୍ଡବମାନେ ଯେଉଁ ଦେଶକୁ ଜୟ କରିଥିଲେ ସେ ସମସ୍ତ ଦେଶକୁ ଜୟ କରିବି। ପଡୋଶୀ ରାଜ୍ୟମାନଙ୍କୁ ବଶକୁ ନଆଣିଲେ ଭବିଷ୍ୟତକୁ ଅସୁବିଧା।” କର୍ଣ୍ଣଙ୍କ ପ୍ରସ୍ତାବରେ ଦୁର୍ଯ୍ୟୋଧନ ଖୁସି ହୋଇ ଯଥା ଶୀଘ୍ର ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରିବାକୁ ନିର୍ଦେଶ ଦେଲେ ।
କର୍ଣ୍ଣ ସାଙ୍ଗରେ ବିରାଟ କୌରବ ସେନା ଧରି ଦିଗବିଜୟରେ ବାହାରି ପ୍ରଥମେ ଦ୍ରୁପଦ ରାଜ୍ୟ ଆକ୍ରମଣ କରି ରାଜା ଦ୍ରୁପଦଙ୍କୁ ପରାସ୍ତ କରି ବାର୍ଷିକ କର ପାଇଁ ବାଧ୍ୟ କଲେ । ତାପରେ ଉତ୍ତରକୁ ଯାତ୍ରା କରି ସେଠାରେ ଅନେକ ରାଜାଙ୍କୁ ହରାଇ ହସ୍ତିନାପୁର ପାଇଁ କର ବ୍ୟବସ୍ଥା କଲେ । ତାପରେ ହିମାଳୟ ଅଞ୍ଚଳର କିଛି ରାଜ୍ୟ ପରେ ଅଙ୍ଗ, ବଙ୍ଗ, କଳିଙ୍ଗ,ମୁଣ୍ଡିକ, ମିଥିଳା ଓ ମଗଧ ଆଦି ରାଜ୍ୟକୁ ଅଧିକାର କଲେ । ଚାରିଦିଗର ଅନେକ ରାଜ୍ୟକୁ ବଶୀଭୂତ କରି କର୍ଣ୍ଣ ହସ୍ତିନାପୁରକୁ ଫେରିଲା ପରେ କୌରବମାନେ ତାଙ୍କର ଅତ୍ୟନ୍ତ ଆଦର ପୂର୍ବକ ସ୍ୱାଗତ କଲେ ।
ବହୁରାଜ୍ୟକୁ କୌରବ ସେନାଙ୍କ ଦ୍ୱାରା ପରାଭୂତ କଲା ପରେ ଦୁର୍ଯ୍ୟୋଧନ ଦିନେ କର୍ଣ୍ଣଙ୍କୁ ଡାକି କହିଲେ, “ବନ୍ଧୁ ଯୁଧିଷ୍ଠିରଙ୍କ ପରି ମୋ ପାଇଁ ଏକ ରାଜସୂୟ ଯଜ୍ଞର ଆୟୋଜନ କରିବାକୁ ହେବ।” କର୍ଣ୍ଣ କହିଲେ, “ବନ୍ଧୁ ତୁମେ ଏବେ ସମଗ୍ର ଭାରତବର୍ଷର ଏକ ଛତ୍ରପତି ରାଜା । ତେଣୁ ତୁମର ଇଚ୍ଛା ସହଜରେ ଏବେ ପୁରଣ ହୋଇପାରିବ।” ଦୁର୍ଯ୍ୟୋଧନ ଯଜ୍ଞ ଆୟୋଜନ ପାଇଁ ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ଡାକି ଆଲୋଚନା କଲାବେଳକୁ ସେମାନେ କହିଲେ, ମହାରାଜ! କୁଳରେ ଯୁଧିଷ୍ଠିର ଥାଉ ଥାଉ ଆପଣ ରାଜସୂୟ ଯଜ୍ଞର ଆୟୋଜନ କରିପାରିବେନି । ତାପରେ ଆପଣଙ୍କ ପିତା ଧୃତରାଷ୍ଟ୍ର ଏବେବି ଜୀବିତ ଅଛନ୍ତି । ରାଜସୂୟ ଯଜ୍ଞର ଆୟୋଜନ କରିନପାରିଲେ ବି ଆପଣ କିନ୍ତୁ ବୌଷ୍ଣବଯଜ୍ଞ କରିପାରିବେ ।
କୌରବମାନେ ବୌଷ୍ଣବଯଜ୍ଞର ଆୟୋଜନରେ ଲାଗିପଡିଲେ । କର୍ଣ୍ଣଙ୍କ ପାଖରୁ ପରାଜିତ ରାଜାମାନଙ୍କ ପାଖରୁ ସୁନା ଆସି ଏକ ସୁଦୃଶ୍ୟ ସୁନାର ଲଙ୍ଗଳ ଗଢାଗଲା । ବିଭିନ୍ନ ରାଜାମାନଙ୍କୁ ଅମନ୍ତ୍ରଣ କରାଗଲା । ନିଜର ବଡିମା ଦେଖାଇବାକୁ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ପାଖକୁ ବି ନିମନ୍ତ୍ରଣ ପଠାଇଲେ । ଦୂତ ପାଖରୁ ଖବର ପାଇ ଯୁଧିଷ୍ଠିର କହିଲେ, “ଯଜ୍ଞ ଆୟୋଜନ ହେଉଛି ଖୁବ ଭଲ କଥା । କିନ୍ତୁ ଆମେ ତେରବର୍ଷ ପର୍ଯ୍ୟନ୍ତ ବନବାସରେ ରହିବୁ ବୋଲି ପ୍ରତିଜ୍ଞା କରିଛୁ । ଯଜ୍ଞରେ ଯୋଗଦେଇ ପାରୁନଥିବାରୁ ଦୁଃଖିତ ।” କିନ୍ତୁ ସେଇଠି ବସିଥିବା ଭୀମସେନ ଦୂତକୁ କହିଲେ, “ଶୁଣ ସେ ଦୁରାଚାରୀ ଦୁର୍ଯ୍ୟୋଧନକୁ କହିବ, ଏବେ ସେ ଯୋଉ ଯଜ୍ଞ କରୁଛି କରୁଥାଉ କିନ୍ତୁ ଠିକ ତେର ବର୍ଷ ପରେ ଅସଲ ଯଜ୍ଞ ଆରମ୍ଭ ହେବ । ସେହି ସମର ଯଜ୍ଞକୁଣ୍ଡରେ ଗୋଟି ଗୋଟି ସବୁ କୌରବ ଭାଇଙ୍କୁ ମୁଁ ବଳି ଚଢେଇବି ।”
ଯଜ୍ଞର ଆୟୋଜନରେ କିଛିବି ତ୍ରୁଟି ଯେପରି ରହିବନି ସେଥିପାଇଁ ଧୃତରାଷ୍ଟ୍ର ଆଦେଶ ଦେଲେ । ମହା ଆଡମ୍ବରରେ ଯଜ୍ଞ ସମାପନ ହେଲା । ପାଣ୍ଡବଙ୍କୁ ଭଲ ପାଉଥିବା ଲୋକେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ସହ ତୁଳନା କରି ନିରାଶ ହେଲେ । କହିଲେ ପୂର୍ବ ଯଜ୍ଞର ଷୋଳ ଭାଗରୁ ଭାଗେ ହେଲାନି। କିନ୍ତୁ କୌରବମାନଙ୍କ ସମର୍ଥକମାନେ ଯଜ୍ଞର ଭୁୟସୀ ପ୍ରଶଂସା କରି କହିଲେ ଏମିତିକା ଯଜ୍ଞ ଆଗରୁ କେହି କରିନଥିଲେ ।
ଯଜ୍ଞ ପରେ ଦୂତକୁ ଭୀମ ଯାହା କହିଥିଲେ ସେନେଇ କୌରବ ଭାଇମାନଙ୍କ ଭିତରେ ଆଲୋଚନା ହେଲା । ଦୁର୍ଯ୍ୟୋଧନଙ୍କ ଚିନ୍ତା ଦେଖି କର୍ଣ୍ଣ କହିଲେ, “ହେ ସଖା ଭବିଷ୍ୟତରେ ନିଶ୍ଚୟ ତୁମୁଳ ସଂଗ୍ରାମ ହେବ । ସେଥିରେ କୌରବ ନୁହେଁ ବରଂ ପାଣ୍ଡବମାନଙ୍କର ନିଧନ ହେବ । ପାଣ୍ଡବଙ୍କ ଅନ୍ତେ ତୁମେ ରାଜସୂୟ ଯଜ୍ଞର ଆୟୋଜନ କରିପାରିବ ।” ତାପରେ କିଛି ସମୟ ନୀରବ ରହି କର୍ଣ୍ଣ କହିଲେ, “ମୁଁ ଆଜି ଏଇଠି ଶପଥ କରି କହୁଛି ମୋ ହାତରେ ଅର୍ଜୁନର ହତ୍ୟା ନହେଲା ପର୍ଯ୍ୟନ୍ତ ମୁଁ ମାଂସାହାର କରିବିନି, ମଦ୍ୟ ପାନ କରିବିନି କି କେହି କିଛି ମାଗିଲେ ମନା କରିବିନି।” କର୍ଣ୍ଣଙ୍କ ଶପଥ ଶୁଣି କୌରବ ଭାଇମାନେ ଆନନ୍ଦରେ ହର୍ଷ ଧ୍ୱନୀ କଲେ । ସେମାନଙ୍କୁ ଲାଗିଲା ସେଇ ମୁହୂର୍ତ୍ତରେ ପାଣ୍ଡବମାନଙ୍କର ପରାଜୟ ହେଲା ।
ମହାଭାରତ କଥାଯୁଧିଷ୍ଠିରଙ୍କ ପାଖରେ କର୍ଣ୍ଣଙ୍କ ପ୍ରତିଜ୍ଞା ଖବର ପହଞ୍ଚିଲା ପରେ ସେ ଟିକେ ବିବ୍ରତ ହୋଇ ପଡିଲେ । ଯୁଧିଷ୍ଠିର ଜାଣିଥିଲେ କର୍ଣ୍ଣଙ୍କ ଦେହରେ ଅଭେଦ୍ୟ କବଚ ଓ କୁଣ୍ଡଳ ରହିଛି । ଜଣେ ବଳଶାଳୀ ଯୋଦ୍ଧା ଭାବରେ ତାଙ୍କୁ ହରାଇବା ସହଜ ନଥିଲା । ଯୁଧିଷ୍ଠିର ଏସବୁ କଥା ଭାବି ଗଭୀର ଚିନ୍ତାରେ ଥିବା ବେଳେ ହସ୍ତିନାପୁରରେ କୌରବମାନେ ଅତି ଆନନ୍ଦରେ ସମୟ କାଟିବାକୁ ଲାଗିଥାନ୍ତି ।
ଦିନେ ରାତିରେ ଯୁଧିଷ୍ଠିର ନିଦରେ ଶୋଇଥିବା ବେଳେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଦ୍ୱୈତବନର ମୃଗମାନେ ଆସି କାନ୍ଦିବାକୁ ଲାଗିଲେ । ଯୁଧିଷ୍ଠିର ସେମାନଙ୍କ କାନ୍ଦର କାରଣ ପଚାରିବାରୁ ସେମାନେ କହିଲେ, ମହାରାଜ ଏ ସମଗ୍ର ବନରେ ଆମେ ଆଉ ଏତିକି ମାତ୍ର ବଞ୍ଚିଛୁ । ଆପଣଙ୍କ ମୃଗୟାରେ ଆମମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଦୟାକରି ଆପଣମାନେ ଅନ୍ୟ ଏକ ଜଙ୍ଗଲକୁ ଚାଲିଯାଆନ୍ତୁ । ଯୁଧିଷ୍ଠିରଙ୍କ ନିଦ ଭାଙ୍ଗିଗଲା । ସେ ସେଦିନ ସକାଳୁ ତାଙ୍କ ଭାଇମାନଙ୍କୁ ଡାକି ସ୍ୱପ୍ନର ବୃତ୍ତାନ୍ତ କହିଲେ । କହିଲେ ଗଲା ବର୍ଷେ ଆଠ ମାସ ହେଲାଣି ଆମେ ଦ୍ୱୈତବନର ମୃଗମାନଙ୍କୁ ମାରି ଖାଉଛେ । ଏବେ ସେମାନଙ୍କ ସଂଖ୍ୟା କମିଗଲାଣି । ଆଉ ବିଳମ୍ବ ନକରି ଅନ୍ୟତ୍ର ଯିବାକୁ ହେବ । ନିଜ ଭିତରେ ବିମର୍ଷ କରି ପାଣ୍ଡବ ଭାଇମାନେ ଦ୍ୱୈତବନରୁ କାମ୍ୟକ ବନକୁ ଚାଲିଗଲେ ।
ବନବାସର ଦ୍ୱାଦଶ ବର୍ଷ ଚାଲିଥାଏ । ବଡ କଷ୍ଟରେ ସମୟ କଟୁଥାଏ । କର୍ଣ୍ଣଙ୍କ ଶପଥ କଥା ମନକୁ ଆସିଲେ ଯୁଧିଷ୍ଠିର ଦୁଃଖି ହୋଇଯାଉଥାନ୍ତି । ସାନ ଚାରି ଭାଇ ଓ ପାଞ୍ଚାଳୀଙ୍କୁ ଦେଖି ଭାବୁଥାନ୍ତି ବିଚରାମାନେ ତାଙ୍କ ଭୁଲ ପାଇଁ କାହିଁରେ କେତେ କଷ୍ଟ ପାଉଛନ୍ତି । ଯୁଧିଷ୍ଠିରଙ୍କ ଉଦାସ ମୁହଁ ଦେଖି ପରିବାରର ଅନ୍ୟମାନଙ୍କର ମନ କଷ୍ଟ ହେଉଥାଏ । ସମସ୍ତେ ମନକୁ ବୁଝାଉଥାନ୍ତି ବନବାସର କଷ୍ଟ ଆଉ ବେଶିଦିନ ନୁହେଁ । ଖରାପ ସମୟ ସରିବାକୁ ବସିଲାଣି ।
ଏହିପରି ସମୟରେ ଦିନେ ବ୍ୟାସଦେବ ପାଣ୍ଡବମାନଙ୍କୁ ସାକ୍ଷାତ କରିବାକୁ କାମ୍ୟକ ବନରେ ଆସି ପହଞ୍ଚିଲେ । ବ୍ୟାସଦେବଙ୍କୁ ପାଖରେ ପାଇ ପାଣ୍ଡବମାନେ ତାଙ୍କର ଯଥାରୀତି ସତ୍କାର କଲେ । ବ୍ୟାସ ଦେଖିଲେ ବଣ ଜଙ୍ଗଲରେ ବୁଲୁ ବୁଲି ଉପଯୁକ୍ତ ଖାଦ୍ୟ ଓ ବିଶ୍ରାମ ବିନା ପାଣ୍ଡବମାନଙ୍କ ଶରୀର ଦୁର୍ବଳ ଦିଶୁଛି । ସେ ସେମାନଙ୍କ ମନୋବଳକୁ ବଢାଇବାକୁ ଅନେକ ପ୍ରକାର ଉପଦେଶ ଦେଲେ । କହିଲେ ତପ ଆଚରଣ ବିନା ମନୁଷ୍ୟ ସଂସାରରେ ସୁଖ ପ୍ରାପ୍ତି କରିପାରିବନି । ସମସ୍ତଙ୍କ ଜୀବନରେ ଦିନ ରାତି ପରି ସୁଖ ଦୁଃଖ ଲାଗି ଲାଗି ରହିଛି । ସୁଖ ଓ ଦୁଃଖ ଉଭୟେ କ୍ଷଣସ୍ଥାୟୀ । ତେଣୁ ବିଜ୍ଞଜନ କାହାକୁ ବି ଗୁରୁତ୍ୱ ଦିଅନ୍ତିନି । ଏବେ ତୁମେସବୁ ଦୁଃଖ ଭୋଗ କରୁଛ । ଦୁଃଖ ପରେ ସୁଖ ଆସିବା ଆଉ ବେଶି ଦିନ ନୁହେଁ ।
ବ୍ୟାସଦେବ ପାଣ୍ଡବମାନଙ୍କ ମନୋବଳ ବୃଦ୍ଧି କରାଇବାକୁ ଅନେକ କଥା କହିଲାପରେ ଦାନର ମହାତ୍ମ୍ୟ ବିଷୟରେ ବୁଝାଇବାକୁ ମୁଦଗଲ ଋଷିଙ୍କ କାହାଣୀ କହିଲେ । ଧର୍ମାତ୍ମା ମୁଦଗଲ ନିଷ୍ଠାପର ଜୀବନ ଯାପନ କରୁଥାନ୍ତି । ଅନ୍ୟମାନଙ୍କୁ ଦାନ ଧର୍ମ କରୁଥାନ୍ତି । ମୁଦଗଲଙ୍କ କଥା ଶୁଣି ଥରେ ମହାକୋପୀ ଦୁର୍ବାସା ଆସି ତାଙ୍କ ପାଖରେ ପହଞ୍ଚି ଖାଇବାକୁ ମାଗିଲେ । ମୁଦଗଲ ନିଜେ ଉପାସ ରହି ଦୁର୍ବାସାଙ୍କୁ ଖାଇବାକୁ ଦେଲେ । ପରୀକ୍ଷା କରିବାକୁ ଦୁର୍ବାସା ପଛକୁ ପଛ ଛଅ ଥର ମୁଦଗଲଙ୍କ ଠିକ ଖାଇବା ସମୟରେ ପହଞ୍ଚି ଖାଇବାକୁ ମାଗିଲେ । ମନରେ କୌଣସି ଭାବନା ନରଖି ମୁଦଗଲ ଦୁର୍ବାସାଙ୍କୁ ଖାଇବାକୁ ଦେଉଥାନ୍ତି । ଶେଷରେ ଦୁର୍ବାସା ମୁଦଗଲଙ୍କ ମହାନତାକୁ ସ୍ୱିକାର କଲେ । ସେତିକିବେଳେ ମୁଦଗଲଙ୍କୁ ସ୍ୱର୍ଗକୁ ନେବାକୁ ରଥ ଆସି ପହଞ୍ଚିଲା । ସ୍ୱର୍ଗ କିପରି ବୋଲି ମୁଦଗଲଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବଦୂତମାନେ ସ୍ୱର୍ଗର ବର୍ଣ୍ଣନା କଲେ । ଶେଷରେ କହିଲେ ନିଜର ପୂଣ୍ଣ୍ୟଫଳ ଥିବା ପର୍ଯ୍ୟନ୍ତ ଜଣେ ସ୍ୱର୍ଗ ଭୋଗ କରିବ । ତାପରେ ତା'ର ପତନର ସମ୍ଭାବନା ଅଛି । ତାହା ଶୁଣି ମୁଦଗଲ ଋଷି କହିଲେ ତେବେ ସ୍ୱର୍ଗରେ ବହୁତ ଦୋଷ ଅଛି । ସ୍ୱର୍ଗସୁଖ ପରେ ଜଣେ ସେଠାରୁ ପତନ ପରେ ଦାରୁଣ ଦୁଃଖ ଲାଭ କରିପାରେ । ସେଥିପାଇଁ ମୁଁ ସ୍ୱର୍ଗବାସ କାମନା କରୁନି । ଯେଉଁଠାକୁ ଗଲେ ଆଉ ପଥଭ୍ରଷ୍ଟ ହେବାର ସମ୍ଭାବନା ନାହିଁ, ଯେଉଁଠାରେ ସୁଖ, ଦୁଃଖ ଓ ମନସ୍ଥାପ ନାହିଁ ଆମେ ସେଇ ସ୍ଥାନର ସନ୍ଧାନ କରିବୁ ।
ତାପରେ ମୁଦଗଲ ଋଷିଙ୍କ ପାଖରେ ସୁନା ଓ ମାଟି, ସୁଖ ଓ ଦୁଃଖ ସମାନ ଲାଗିଲା । ଧ୍ୟାନ ଓ ଯୋଗ ବଳରେ ସେ ଶେଷରେ ପରମ ସିଦ୍ଧି ଲାଭ କଲେ । ମୁଦୁଗଲ ଋଷିଙ୍କ କାହାଣୀ କହିସାରି ବ୍ୟାସ ଦେବ ପାଣ୍ଡବମାନଙ୍କୁ କହିଲେ ତ୍ୟାଗ ଓ ତପସ୍ୟା ଦ୍ୱାରା ତୁମେମାନେ ନିଜକୁ ଶୁ୍ଦ୍ଧ ଓ ପରାକ୍ରମଶାଳୀ କରିଛ । ଆଉ ଅଳ୍ପ ଦିନ ପରେ ତୁମେ ନିଶ୍ଚୟ ଯଶସ୍ୱୀ ହେବ ଓ ତୁମର ପୈତୃକ ରାଜ୍ୟ ଲାଭ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748586067.jpg)