Travelling Benefit: ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ, ଆପଣ କେବଳ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କେବେବି ଜୀବନର ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ନିଶ୍ଚୟ ମିଳିଯିବ।

ଶିକ୍ଷା ଦିଏ ଭ୍ରମଣ

ଏମିତି ଏକ ସମୟ ଥିଲା ଯେତେବେଳେ ଜୀବନରେ ସବୁକିଛି ଓଲଟା ପୋଲଟା ହେଲା ଭଳି ମନେ ହେଉଥିଲା। ମନ, ମନ ବାଟରେ । ଇମୋସନ୍ ତା’ ବାଟରେ ଆଉ ଶରୀର ବି ତା’ ବାଟରେ। ମୁଁ ଯେତେ ବାଗେଇବାକୁ ଚେଷ୍ଟା କଲେ ବି ଏସବୁ ଗୋଟିଏ ଅସରନ୍ତି ଚକ୍ରବ୍ୟୁହ ପରି ଲାଗୁଥିଲା। ତେଣୁ ସୁସ୍ଥତା କଥା ନକହିବା ଭଲ। ସବୁଦିନ ଦିନସାରା ଏକାପରି କାମ । ତେଣୁ ସମସ୍ୟା ବି ଏକାପରି। ନା ସମସ୍ୟାର ଉତ୍ତର ମିଳେ ନା ମନ ଆଉ ଶରୀର ଏମିତି କାହିଁକି ନିଜ ଅକ୍ତିଆର ବାହାରକୁ ଚାଲିଯାଉଛନ୍ତି ତା’ର ଉତ୍ତର ମିଳେ।

ଆପଣଙ୍କୁ ବି ଏମିତି କେବେ ଅନୁଭବ ହେଇଛି କି? ମାନେ, ଆପଣ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି ଯାହା, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ।

ଦିନେ ବାଆ ନାହିଁ କି ବତାସ ନାହିଁ, ନିଜ ବ୍ୟାଗ୍ ପ୍ୟାକ୍ କଲି। ଆଉ କିଛି ନଭାବି ନିଜ ସମସ୍ୟାର ସମାଧାନ ନଖୋଜି, କିଛି ଯୋଜନା ନକରି ବାହାରି ପଡିଲି। କୁଆଡେ ଯିବି ଜାଣିନଥାଏ। ଏମିତି ଏକ ଅଜବ ଆଇଡିଆଟି ବୋଧେ ଅନେକ ଦିନ ତଳୁ ମୁଣ୍ଡ ଭିତରେ କୋଉଠି ଗୋଟେ ପୋତି ହୋଇ ରହିଥିଲା। କଥାଟି ଏମିତି।

ଥରକର କଥା। ସେତେବେଳେ ମାଆ ମୋର ଥାଏ। କଟକରେ ତା’ ବ୍ରେନ୍ ଅପରେସନ୍ ପରେ ଆମ ଭାଇ ଭଉଣୀଙ୍କ ପାଖକୁ ଗୋଟେ ଦିନ ପାଇଁ ଆସିଥାଏ ଭୁବନେଶ୍ୱର। ହଠାତ୍ ସେଦିନ ରାତି ୧୨ଟା ବେଳେ କହିଲା ଚାଲ, ବୁଲିବାକୁ ଯିବା। ଆରେ କେଉଁଠିକି ଯିବ, କେମିତି ଯିବ? ନା, ଯିବା ତ ଆଉ। ମାମୁଁ ବି ମାଆ କଥାରେ ହଁ ମାରିଦେଲା। ଆମେ ସେତେବେଳେ ନୟାପଲ୍ଲୀରେ ରହୁଥାଉ। ବସଷ୍ଟାଣ୍ଡ ଯିବୁ ନା ଷ୍ଟେସନ୍ ଆଡକୁ? ଏପଟେ ପୁଣି ଘର ଓନର୍ ଗ୍ରୀଲ୍ ଚାବି ବି ପକେଇ ସାରିଛନ୍ତି। ପ୍ରଥମ କଥା ତେଣୁ ହେଲା ‘ଘରୁ ବାହାରି ରାସ୍ତାକୁ ଚାଲ, ତାପରେ ଦେଖିବା।’ ମାଆ, ମାମୁଁ, ଭାଇ, ମୁଁ ଆଉ ଦି ତିନି ଜଣ ସାଙ୍ଗ ଯିଏ ମାଆକୁ ଭେଟିବାକୁ ଆସିଥିଲେ ସମସ୍ତେ ଗୋଟେ ପରେ ଗୋଟେ ଗ୍ରୀଲ୍ ଡେଇଁ ଚାଲିଲୁ ରାସ୍ତାକୁ। ଘର ମାଲିକ ଭାଉଜ ନିହାତି ଦରକାର ଥିଲେ ରାତିରେ ଆଉ ତାଙ୍କୁ ନଉଠେଇ ଏମିତି ଯିବାର ପରମିସନ୍ ଦେଇଥାଆନ୍ତି ଆଗରୁ। ରାସ୍ତା ପୂରା ଖାଁ ଖାଁ। ଆଜିକାଲି ଭଳିଆ ଗାଡିଫାଡି ନଥାଏ। ଏ ପ୍ରାୟ ୧୫ ବର୍ଷ ତଳର କଥା। ତେଣୁ ଅନୁମାନ କରିପାରୁଥିବେ। ବ୍ରଶ୍, ପେଷ୍ଟ, ଗୋଟେ ଗୋଟେ ଲୁଗା ଥିବା ଛୋଟିଆ ବ୍ୟାଗ୍ ଖଣ୍ଡେ ଖଣ୍ଡେ କାନ୍ଧରେ ପକେଇ ଆମେ ଚାଲୁଥାଉ ରାଜାରାସ୍ତାରେ। ବହୁତ ସମୟ ପରେ ଗୋଟେ ଅଟୋ ଦେଖାଗଲା, ଯିଏ ଜଣେ ମଉସାଙ୍କୁ ନେଇ ଷ୍ଟେସନ୍ ଯାଉଥିଲା। ବହୁତ ଅନୁରୋଧ ପରେ ଆମ ଭିତରୁ ଦି ଜଣକୁ ଅଟୋରେ ନେଇଯିବାକୁ ରାଜିହେଲା ସେ। ତାକୁ ହିଁ କହିଲୁ ‘ଆମେ ଏହି ରାସ୍ତାରେ ଚାଲି ଚାଲି ଯାଉଥିବୁ, ଫେରିଲା ବେଳକୁ ଯେତେ ଡେରି ହେଲେ ବି ବାକି ଆମ ସମସ୍ତଙ୍କୁ ଯେଉଁଠି ଦେଖିବ ସେଉଠୁ ଟିକେ ନେଇଯିବ। ସେଇଆ ହେଲା। ଷ୍ଟେସନ୍‌ରେ ପହଞ୍ଚି ନିଷ୍ପତ୍ତି ହେଲା, ଯେଉଁଠିକି ଯିବା ପାଇଁ ଆଗ ଟ୍ରେନ୍ ଆସିବ ସେଇଟା ଧରିବୁ। ରାତି ଗୋଟେ କେତେରେ ପୁରୀ ଯିବା ପାଇଁ ଗୋଟେ ଟ୍ରେନ୍ ଆସିଲା, ଆଉ ସେଇଥିରେ ଜେନେରାଲ୍ ଟିକେଟ୍ କାଟି ବସିଗଲୁ ଆମେ। ପହଞ୍ଚିଗଲୁ ପୁରୀ ସମୁଦ୍ର କୂଳରେ ଭୋର୍ ଚାରିଟା ବେଳେ। ତାପରେ କ’ଣ କ’ଣ ହେଲା ସେ ଏକ ଲମ୍ବା କାହାଣୀ। ସେକଥା ଆଉ କେବେ। ତେବେ ଏଇ ଯେଉଁ ଘଟଣାଟି ବୋଧେ ଭିତରେ କେଉଁଠି ମାଡିମକଚି ଶୋଇଥିଲା ଯିଏ ଜୀବନର ଅସୀମ ସମସ୍ୟା ଭିତରୁ ଏମିତି ହଠାତ୍ ବାହାରି ପଡିବାକୁ ଅବଚେତନ ସ୍ତରରେ କେଉଁଠି ଗୋଟେ ପ୍ରେରଣା ଯୋଗାଇଥିବ। ଆଉ ସେଇ ଯାତ୍ରା ମୋତେ ଏମିତି କିଛି ଶିଖାଇଲା ଯାହା କେହି ବ୍ୟକ୍ତି ବା କେଉଁ ବହି ମୋତେ ଶିଖେଇ ପାରିନଥାନ୍ତା।

ଟ୍ରାଭେଲ୍ କେବଳ ବହୁତ ଗୁଡେ ଡେଷ୍ଟିନେସନ୍ ଦେଖିଆସିବା ନୁହେଁ, ଏହା ନିଜକୁ ପୁଣିଥରେ ଖୋଜିବାର ଯାତ୍ରା ବି। ଯଦି ଆପଣଙ୍କୁ କେବେବି ଜୀବନ ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ମିଳିଯିବ।

୧.ସ୍ଥାନ ପରିବର୍ତ୍ତନ କରିବାରେ ରହିଛି ହିଲିଙ୍ଗ ପାୱାର୍ 

ଉତ୍ତର ସେଇ ଜାଗାରେ ମିଳେନି ଯେଉଁଠି ସମସ୍ୟା ଆରମ୍ଭ ହୋଇଥାଏ। ବେଳେବେଳେ ସେଇ ଏକା ଜାଗାରେ ରହି, ଏକା ପ୍ରକାର ସମସ୍ୟାକୁ ସାମ୍ନା କରିବା ଭିତରେ ବିଚାରରେ ସ୍ପଷ୍ଟତା ଆସେନି। ସେମିତି ଚେଷ୍ଟା କରିବାଟା ଏମିତି ଏକ କଥା ଯେମିତି ଗୋଟିଏ ମଇଳା ଆଇନାକୁ ଧୂଳି ଭର୍ତ୍ତିଥିବା ରୁମ୍ ଭିତରେ ରହି ସଫା କରିବାକୁ ଚେଷ୍ଟା କରିବା। ତେଣୁ କେବେକେବେ ସ୍ପଷ୍ଟତା ପାଇଁ ନିଜ କମ୍ଫର୍ଟ ଜୋନରୁ ବାହାରକୁ ଯିବା ଦରକାର ପଡେ।

ବ୍ୟସ୍ତ ହୁଅନ୍ତୁ ନାହିଁ

ମୋ ସହିତ ଏମିତି ଅନେକ ଥର ହୋଇଛି। ଥରେ ଗୋଟିଏ ଛୋଟିଆ ପାହାଡିଆ ଗାଁକୁ ଯାଇଥିଲି ଯେଉଁଠି ଜୀବନ ଖୁବ୍ ଧୀର ଗତିରେ ଚାଲେ। କିଛି ବ୍ୟସ୍ତତା ନାହିଁ, କୋଳାହଳ ନାହିଁ, ଡିଜିଟାଲ୍ ଦୁନିଆର ସୋରସରାବା ନାହିଁ। ଗୋଟେ ଅସୀମ ଶାନ୍ତି ଓ ଅସରନ୍ତି ନୀରବତା ଛାଇ ଯାଇଛି ଯେମିତି ସବୁଠି। ସେଇଠି ଝରଣା ପାଖରେ ବସି ବହି ଯାଉଥିବା ପାଣିକୁ ଦେଖି ମୁଁ ଅନୁଭବ କରିଥିଲି; “ଆପଣ ବ୍ୟସ୍ତ ହୁଅନ୍ତୁ ବା ନ ହୁଅନ୍ତୁ ଜୀବନ ତା’ ବାଟରେ ବହିଯାଏ।”

ସବୁଦିନିଆ ରୁଟିନ୍ ଲାଇଫରୁ ବାହାରେ ରହିବା ଦ୍ୱାରା ସେଇଠି ମୋତେ ଗୋଟିଏ ନୂଆ ଦୃଷ୍ଟିକୋଣ ମିଳିଲା। ଯେଉଁ ଅସୁବିଧା ଗୁଡିକର ସମାଧାନ ନାହିଁ ମନେ ହେଉଥିଲା, ସେସବୁ ଅଚାନକ୍ ଖୁବ୍ ଛୋଟ ମନେହେଲେ। ବର୍ତ୍ତମାନରେ କିଛି ସମୟ ରହି ତା’ର ସୌନ୍ଦର୍ଯ୍ୟ ଅନୁଭବ କରିବା ପରେ ଭବିଷ୍ୟତ ପାଇଁ ଚିନ୍ତା ସବୁ ପାଣି ଫୋଟକା ପରି କେଉଁଠି ମିଳେଇଗଲା।

ଏହା କାହିଁକି କାମ କରେ?

-ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ବାର ବାର ଆସୁଥିବା ନକାରାତ୍ମକ ଭାବନାର ଫ୍ଲୋ ଭାଙ୍ଗିଯାଏ।

-ନୂଆ ଜାଗା ନୂଆ ଦୃଷ୍ଟିକୋଣ ଓ ସମାଧାନ ଦିଏ।

-ଏହା ଆପଣଙ୍କୁ ଅଟୋ ପାଇଲଟ୍ ମୋଡରୁ ବାହାର କରିନେଇ ଜୀବନର ଛୋଟ ଛୋଟ ଖୁସିକୁ ଅନୁଭବ କରିବାର ସୁଯୋଗ ଦିଏ।

ଆପଣ କ’ଣ କରିପାରିବେ?

-କେଉଁ ଗୋଟେ ଶାନ୍ତ ଗାଁ ବା ନଈ, ଜଙ୍ଗଲ, ପାହାଡ ଆଦି ପ୍ରାକୃତିକ ଜାଗାକୁ ବୁଲିବାକୁ ଚାଲିଯାଆନ୍ତୁ।

-ଗୋଟେ ଦିନ ପାଇଁ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ଦୁନିଆ ଠୁ ଦୂରରେ ରୁହନ୍ତୁ। ରିଲ୍ ସବୁ ସ୍କ୍ରୋଲିଙ୍ଗ କରିବା ବଦଳରେ ମନକୁ ତା’ ଦୁନିଆରେ ବୁଲିବାକୁ ଦିଅନ୍ତୁ।

-କିଛି ସମୟ ପାଇଁ ନୀରବ ଦେଖଣାହାରୀଟିଏ ହେବାର ଅଭ୍ୟାସ କରନ୍ତୁ। ସବୁଦିନିଆ ବସିବା ଜାଗା ଛାଡି ଯେକୌଣସି ଗୋଟିଏ ନୂଆ ଜାଗାରେ ବସନ୍ତୁ ଆଉ ଜୀବନ କେମିତି ତା’ ବାଟରେ ବହିଯାଉଛି, ତାକୁ କେବଳ ଦେଖନ୍ତୁ।

୨. ଅଜଣା ଲୋକଙ୍କୁ ଭେଟିବା ଭିତରେ ନିଜକୁ ଖୋଜି ପାଇବା

‘ସବୁ ଅସୁବିଧାର ସମାଧାନର ରାସ୍ତା ନିଜକୁ ହିଁ ବାହାର କରିବାକୁ ହେବ’ ବୋଲି ଖୁସି ରହିବା ବିଷୟରେ ସବୁଠୁ ବଡ ଗୋଟେ ଯେଉଁ ମିଥ୍ ରହିଛି ତାହା ଆପଣ ଜାଣିଥିବେ। କିନ୍ତୁ ଗୋଟେ ସିକ୍ରେଟ୍ କହିବି? ବେଳେବେଳେ ଆପଣ ଯାହା କେବେବି ଭାବିନଥିବେ ଜଣେ ଅଚିହ୍ନା ଲୋକ ସହ କଥାବାର୍ତ୍ତା ଆପଣଙ୍କୁ ସେମିତି କିଛି ଶିଖାଇଦେବ।

ଥରେ ଗୋଟିଏ ଗାଁକୁ ବୁଲି ଯାଇଥିବା ବେଳେ ବୟସ୍କ କୁମ୍ଭାର ମଉସା ଜଣେ ପାରମ୍ପରିକ ମାଟି ହାଣ୍ଡିଟିଏ ତିଆରି କରୁଥିବାର ଦେଖିଲି। ହାଣ୍ଡି ଗଢ଼ୁଥିବା ବେଳେ ସେ କିଛି ଗୋଟେ ଗୀତ ଗୁଣୁ ଗୁଣାଉଥିଲେ । କୌତୁହଳ ବଶତଃ ପଚାରିଦେଲି, ମଉସା, ୫୦ ବର୍ଷ ଧରି ସେଇ ଏକ କାମ କରି ବି ଆପଣ ଏତେ ଖୁସି କେମିତି ରହିପାରୁଛନ୍ତି? ସେ କହିଲେ, ମୁଁ ଏ କାମଟି ତୁମମାନଙ୍କ ପରି କିଛି ସଫଳତା ପାଇବା ପାଇଁ କରୁନି। ଏଇ କାମଟି କଲେ ମୋ ହାତ, ମନ, ହୃଦୟ ସବୁକିଛି ଉଲ୍ଲସିତ ହୋଇଯାଆନ୍ତି। ଜୀବନଟା ଅଛି ଆଉ ଜୀବନ ମଧୁର ବୋଲି ଅନୁଭବ ହୁଏ। ତାଙ୍କ କଥା ଶୁଣି ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ଆଜିକାଲିର ଦୁନିଆ ଯେଉଁଠି ସମସ୍ତେ ସଫଳତା ଆଉ ସୋସିଆଲ୍ ମିଡିଆର ଇମିଡିଏଟ୍ ଭେଲିଡେସନ୍ ପଛରେ ଦଉଡୁଛନ୍ତି, ସେତେବେଳେ ଆମେ ସମସ୍ତେ ଭୁଲିଯାଇଛନ୍ତି ଯେ ଅସଲ ଖୁସି ଆମେ ଭଲପାଉଥିବା କାମ କରିବା ଭିତରେ ହିଁ ଅଛି।

ଏହା କାହିଁକି କାମ କରେ?

-ଟ୍ରାଭେଲ୍ ଆପଣଙ୍କୁ ନୂଆ ଭାବନା ଓ ନୂଆ ଜୀବନଶୈଳୀ ସହିତ ପରିଚିତ କରାଏ।

-ନୂଆ ନୂଆ ଲୋକ ଆପଣଙ୍କ ସମସ୍ୟାକୁ ଭିନ୍ନ ବାଗରେ ଦେଖିବା ଲାଗି ନୂଆ ଦୃଷ୍ଟିଭଙ୍ଗୀ ଦିଅନ୍ତି।

-ଆପଣ ଅନୁଭବ କରନ୍ତି ଯେ, ଜୀବନ କେବଳ ଉପଲବ୍ଧିମାନଙ୍କ ସମ୍ପର୍କରେ ନୁହେଁ, ବରଂ ଆନନ୍ଦରେ ରହିବା ବିଷୟରେ ବି।

ଆପଣ କ’ଣ କରିପାରିବେ?

-ଟ୍ରାଭେଲ୍ ସମୟରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ ଓ ତାଙ୍କ ଜୀବନ ଓ କାହାଣୀ ଶୁଣନ୍ତୁ।

-କୌଣସି ପାରମ୍ପରିକ ହସ୍ତଶିଳ୍ପ ଗାଁରେ ଯାଇ କାରିଗରଙ୍କୁ କାମ କରୁଥିବାର ଦେଖନ୍ତୁ।

-ହୋଟେଲ୍ ରେ ନରହି ହୋମ୍ ଷ୍ଟେ ରେ ରୁହନ୍ତୁ, ଯଦ୍ୱାରା ସତସତିକା ଜୀବନ ଦେଖିପାରିବେ।

୩. ସୋଲୋ ଟ୍ରାଭେଲ୍ = ପ୍ରକୃତ ଆତ୍ମ ଆବିଷ୍କାର 

ବହୁତ ଲୋକ ଏକୁଟିଆ ରହିବାକୁ ଡରନ୍ତି। କିନ୍ତୁ ଆପଣ ଯେତେବେଳେ ଏକୁଟିଆ କୁଆଡେ ଯାଆନ୍ତି, ସେତେବେଳେ ଯାଇ ନିଜକୁ ଭଲଭାବରେ ବୁଝିବାର ସୁଯୋଗ ପାଆନ୍ତି। ପ୍ରଥମଥର ମୁଁ ଯେତେବେଳେ ବୁଲିବାକୁ ଯାଇଥିଲି ସେତେବେଳେ ମୋ ଭିତରେ ବି ଟିକେ ଟିକେ ଡର ଥିଲା। ଯଦି ମୁଁ ରାସ୍ତା ଭୁଲିଗଲି କ’ଣ ହେବ? ଯଦି ପହଞ୍ଚିବାକୁ ଗାଡି ମିଳିବନି କ’ଣ ହେବ? ଯଦି ଏକଲା ଲାଗିବ? ଏମିତି ଅନେକ କଥା। କିନ୍ତୁ କିଛି ସମୟ ପରେ ମୁଁ ଅନୁଭବ କଲି ଯେ,

-ମୁଁ ନିଜ ସହ ସମୟ ବିତାଇବାରେ ସହଜ ହୋଇଯାଇଛି।

-କୌଣସି ବାହ୍ୟ ହସ୍ତକ୍ଷେପ ବିନା ମୁଁ ବୁଝିପାରିଲି ଯେ ଜୀବନଠୁ ମୁଁ କ’ଣ ଚାହୁଁଛି।

-ମୁଁ ବୁଝିଲି ଯେ ଏକା ରହିବାର ଅର୍ଥ ଏକୁଟିଆ ହୋଇଯିବା ନୁହେଁ।

ଏହା କାହିଁକି କାମ କରେ?

-ଆପଣ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭର ହୁଅନ୍ତି।

-ବାହାରର କୋଳାହଳ ଠୁ ଦୂରେଇ ରହି ଆପଣ ନିଜର ଅସଲ ବିଚାରଧାରାକୁ ଶୁଣିପାରନ୍ତି।

-ଆପଣ ନିଜ ଉପରେ ଭରସା କରିବା ଶିଖନ୍ତି।

ଆପଣ କ’ଣ କରିପାରିବେ?

-ଆଖପାଖର କୌଣସି ସ୍ଥାନକୁ ଦିନିକିଆ ସୋଲୋ ଟ୍ରାଭେଲ୍ କରନ୍ତୁ।

-ଆପଣ ଏକା ରହିବା ବେଳେ କେମିତି ଅନୁଭବ କରୁଛନ୍ତି ତାହାକୁ ନିରେଖି ଦେଖନ୍ତୁ।

-ଆପଣ ନିଜ ବିଷୟରେ ଯାହା ଯାହା ଆବିଷ୍କାର କରୁଛନ୍ତି ତାହା ଲେଖି ରଖନ୍ତୁ।

୪. ଟ୍ରାଭେଲ୍ ରୁ ମିଳେ ଗ୍ରହଣ କରିବା, ଯିବାକୁ ଦେବା, ବିଶ୍ୱାସ କରିବାର ଶିକ୍ଷା

ଯାତ୍ରା ସବୁବେଳେ ପ୍ଲାନ୍ ଅନୁସାରେ ହୁଏନି। କେତେବେଳେ ଟ୍ରେନ୍ ଡେରି ହୋଇଯାଏ ତ କେତେବେଳେ ପ୍ଲାନ୍ ବଦଳିଯାଏ। ଆଉ କେତେବେଳେ ପୁଣି ନେଟୱର୍କ ନଥିବା ଜାଗାରେ ମଣିଷ ଫସିଯାଏ। କିନ୍ତୁ ଏହି ଅନିଶ୍ଚିତତା ଆପଣଙ୍କୁ ଜୀବନର ନୂଆ କଥା ଶିଖାଏ।

ଥରେ ମୁଁ ଗୋଟେ ପାହାଡ ଉପରର ଗାଁକୁ ଚାଲି ଚାଲି ଯାଉ ଯାଉ ରାସ୍ତା ଭୁଲିଗଲି। ନା ଇଣ୍ଟରନେଟ୍ ଥିଲା ନା ଆଖପାଖରେ ପଚାରିବାକୁ ଲୋକ ଅବା ଘର। କିନ୍ତୁ ନଡରି ପାଖରେ ଦିଶୁଥିବା ପାଦଚଲା ରାସ୍ତାରେ ଆଗକୁ ଚାଲିଲି। କିଛି ବାଟ ପରେ ମୁଁ ଗୋଟେ ସୁନ୍ଦର ଝରଣା ପାଖରେ ଯାଇ ପହଞ୍ଚିଲି। ସେତେ ସୁନ୍ଦର ଆଉ ସଫା ପାଣି ମୁଁ ଆଗରୁ କେବେ ବୋଧେ ଦେଖିନଥିଲି। ଗାଁର କିଛି ସ୍ତ୍ରୀ ଲୋକ ସେଠିକୁ ପିଇବା ପାଣି ନେବାକୁ ବି ଆସିଥିଲେ।

ସେଇଦିନ ବୁଝିଲି ଅନେକ ଥର ସବୁଠୁ ସୁନ୍ଦର ଜିନିଷ ଓ ଅନୁଭବ ସେତେବେଳେ ମିଳେ ଯେତେବେଳେ ଆମେ ନିୟନ୍ତ୍ରଣ କରିବା ଛାଡିଦିଅନ୍ତି।

ଏହା କାହିଁକି କାମ କରେ?

-ଯେଉଁ ଜିନିଷ ଉପରେ ଆପଣଙ୍କର କଣ୍ଟ୍ରୋଲ୍ ନାହିଁ ତାକୁ ଆପଣ ବାଦ୍ ଦେଇ ଆଗକୁ ଯିବା ଶିଖନ୍ତି।

-ଆପଣ ଜୀବନର ଅନିଶ୍ଚିତତା ସବୁକୁ ଆପଣେଇବା ଶିଖନ୍ତି।

-ଆପଣ ନିଜ ଉପରେ ଓ ନିଜର ଯାତ୍ରା ଉପରେ ଭରସା କରିବା ଶିଖନ୍ତି।

ଆପଣ କ’ଣ କରିପାରିବେ?

-ଯେତେବେଳେ ପ୍ଲାନ ବଦଳିଯାଏ ସେତେବେଳେ ତାକୁ ସମସ୍ୟା ନୁହେଁ ଆଡଭେଞ୍ଚର ଭଳି ଦେଖନ୍ତୁ।

-ରୀତିମତ ଗୋଟେ ଯୋଜନା ଓ କଡା ନିୟମ ନକରି ଏକ୍ସପ୍ଲୋର୍ କରିବାରେ ଧ୍ୟାନ ଦିଅନ୍ତୁ।

- ଯାତ୍ରା ଉପରେ ଭରସା ରଖନ୍ତୁ - ବେଳେବେଳେ ସବୁଠାରୁ ସୁନ୍ଦର ସ୍ମୃତି ଭାବିନଥିବା ଜାଗାରୁ ହିଁ ମିଳେ।

ଜୀବନ ଜିଇଁବାର ଶିକ୍ଷା ମିଳେ

 

୫. ଟ୍ରାଭେଲ୍ କୃତଜ୍ଞତା ଶିଖାଏ

ଆମେ ସେପର୍ଯ୍ୟନ୍ତ ନିଜ ଜୀବନକୁ ହାଲକା ଭାବରେ ନିଅନ୍ତି ଯେପର୍ଯ୍ୟନ୍ତ ଆମେ ଅନ୍ୟ ଲୋକମାନେ କେମିତି ବଞ୍ଚୁଛନ୍ତି ଦେଖିନଥାନ୍ତି। ଗୋଟିଏ ଛୋଟ ପାହାଡି ଆଦିବାସୀ ଗାଁରେ ବୁଲୁଥିବା ବେଳେ ଛୋଟ ଛୋଟ ମାଟି ଆଉ ଚାଳ ଘରେ ରହୁଥିବା କେତେ ପରିବାରକୁ ଦେଖିଛି, ଯେଉଁମାନେ ହସ ଖୁସି ମଜା ଆଉ ସନ୍ତୋଷରେ ସମୟ ବିତାଉଥିବାର। କିଛି ଦାମିକା ଗ୍ୟାଜେଟ୍ ନାହିଁ, ଚାକଚକ୍ୟ ପୂର୍ଣ୍ଣ ଜୀବନଶୈଳୀ ନାହଁ, ଅଛି କେବଳ ମାନବୀୟ ସମ୍ପର୍କ ଓ ଭଲପାଇବା। ସେତେବେଳେ ମୋତେ ଅନୁଭବ ହେଲା,

-ଆମ ପାଖରେ କେତେ ଅଛି, ତାହା ପ୍ରକୃତରେ ଖୁସିର ଆଧାର ନୁହେଁ। ଖୁସି ସେତେବେଳେ ଆସେ ଯେତେବେଳେ ଆମ ପାଖରେ ଯାହା ଅଛି ଆମେ ତାର ମୂଲ୍ୟ ବୁଝନ୍ତି।

-ସରଳ ଜୀବନ ବିଳାସବ୍ୟସନ ଠୁ ବେଶୀ ଶାନ୍ତି ଦିଏ।

-କୃତଜ୍ଞତା ମାନସିକ ଭାବେ ସ୍ୱତନ୍ତ୍ର ହେବାର ମୂଳ ଚାବି।

ଆପଣ କ’ଣ କରିପାରିବେ?

-ନିଜ ପାଖରେ ପ୍ରତିଦିନର କୃତଜ୍ଞତା ଲେଖିବା ପାଇଁ ଗୋଟିଏ ଡାଏରୀ ରଖନ୍ତୁ। ସେଥିରେ ପ୍ରତିଦିନ ଅନ୍ତତଃ ତିନୋଟି କଥା ଲେଖନ୍ତୁ ଯାହାପାଇଁ ଆପଣ କୃତଜ୍ଞ।

-ଜୀବନର ଛୋଟ ଛୋଟ କଥାରେ ଖୁସି ହୁଅନ୍ତୁ, ଯେପରିକି ତାଜା ପବନ, ସୂର୍ଯ୍ୟୋଦୟ, ଖାଇବା।

-ଗାଁକୁ ଯାଇ ଏମିତି ଲୋକଙ୍କ ସହ ମିଶନ୍ତୁ ଯେଉଁମାନେ କମ୍‌ରେ ବଞ୍ଚନ୍ତି ସିନା କିନ୍ତୁ ବେଶି ହସନ୍ତି।

ପ୍ରାୟତଃ ସମସ୍ତେ ନୂଆ ଆରମ୍ଭ ପାଇଁ, ଟ୍ରାଭେଲ୍ ପାଇଁ ବା ଭଲ ଅନୁଭବ କରିବା ପାଇଁ ଠିକ୍ ସମୟର ଅପେକ୍ଷା କରନ୍ତି। କିନ୍ତୁ ସତକଥା ହେଉଛି, ଠିକ୍ ସମୟ ବୋଲି କିଛି ନଥାଏ। ଯାହା ଥାଏ ତାହା ହେଉଛି ବର୍ତ୍ତମାନ, ମାନେ ଏଇ ମୁହୂର୍ତ୍ତ।

-ଆପଣଙ୍କୁ ଯଦି ନିଜକୁ ହଜେଇଦେଲା ପରି ଲାଗୁଛି, ତାହେଲେ ନୂଆ ଜାଗା ଗୋଟେ ଯାଆନ୍ତୁ।

-ଆପଣଙ୍କୁ ଯଦି କେଉଁଠି ଗୋଟେ ଲାଖି ରହିଲା ପରି ମନେହେଉଛି, ତାହେଲେ ଚାରିପାଖର ପରିବେଶ ବଦଳାନ୍ତୁ।

-ଆପଣଙ୍କୁ ଯଦି କନଫ୍ୟୁଜ୍ ଲାଗୁଛି ତାହେଲେ ନୂଆ ଲୋକଙ୍କ ସହ କଥା ହୁଅନ୍ତୁ।

ଆପଣଙ୍କୁ କୌଣସି ଖର୍ଚ୍ଚବହୁଳ ଯାତ୍ରା କରିବାର ନାହିଁ, ଗୋଟିଏ ଛୋଟ ଯାତ୍ରା ବି ଆପଣଙ୍କ ଦୃଷ୍ଟିକୋଣ ବଦଳେଇବାକୁ ଯଥେଷ୍ଟ।

ବି.ଦ୍ର. - ଏହା ଲେଖିକାଙ୍କ ନିଜସ୍ୱ ମତ