ମହାଭାରତ କଥା
କୌରବ ଓ ପାଣ୍ଡବମାନଙ୍କ ଅନୁରୋଧ ରକ୍ଷା କରି ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରୁ ରାଜା ଓ ସୈନ୍ୟସାମନ୍ତ କୁରୁକ୍ଷେତ୍ର ଅଭିମୂଖେ ଆସିବାକୁ ଲାଗିଲେ । ପାଣ୍ଡବମାନଙ୍କୁ ସହଯୋଗ କରିବାକୁ ଯଦୁବଂଶର ଶ୍ରେଷ୍ଠ ଯୋଦ୍ଧା ସାତ୍ୟକି, ଚେଦିରାଜା ଶିଶୁପାଳଙ୍କ ପୁଅ ଧୃଷ୍ଟକେତୁ, ଜରାସନ୍ଧଙ୍କ ପୁଅ ମଗଧ ନରେଶ ସହଦେବ, ପାଞ୍ଚାଳ ଦେଶର ରାଜା ଦ୍ରୁପଦ ଓ ତାଙ୍କର ଦୁଇ ପୁଅ ଧୃଷ୍ଟଦ୍ୟୁମ୍ନ ଏବଂ ଶ୍ରୀଖଣ୍ଡୀ, ମତ୍ସ୍ଯ ନରେଶ ବିରାଟ ଓ ତାଙ୍କ ପୁଅ ଉତ୍ତର ବାହାରିଥିଲେ । ପାଣ୍ଡବମାନଙ୍କ ପକ୍ଷରେ ମୋଟ ସାତ ଅକ୍ଷୈାହିଣୀ ସେନା ଯୋଗଦେଲେ ।
ସେପଟେ ଦୁର୍ଯ୍ୟୋଧନଙ୍କୁ ସାହାଯ୍ୟ କରିବାକୁ ରାଜା ଭଗିଦତ୍ତ, ରାଜା ଭୂରିଶ୍ରବା, ସିନ୍ଧୁଦେଶର ରାଜା ଜୟଦ୍ରଥ, ଅନ୍ଧକ ବଂଶର ରାଜା କୃତବର୍ମା, କାମ୍ବୋଜ ରାଜା ସୁଦକ୍ଷିଣ, ମାହିଷ୍ମତୀ ରାଜା ନୀଳଧ୍ୱଜ, ଅବନ୍ତୀ ଦେଶର ବିନ୍ଦ ଓ ଅନୁବିନ୍ଦ ଏବଂ କେକେୟ ଦେଶର ରାଜା ଓ ଯୋଦ୍ଧାମାନେ ଆସି ଯୋଗଦେଲେ । କୌରବମାନଙ୍କ ପାଖରେ ପାଣ୍ଡବମାନଙ୍କ ଅପେକ୍ଷା ଅଧିକ ସୈନ୍ୟବଳ ହୋଇଗଲା ।
ମଦ୍ର ନରେଶ ଶଲ୍ୟଙ୍କୁ ଛଳ କପଟରେ ଦୁର୍ଯ୍ୟୋଧନ ନିଜ ସପକ୍ଷକୁ ନେଇଯାଇଥାନ୍ତି । ଶଲ୍ୟ ବାଧ୍ୟରେ ଦୁର୍ଯ୍ୟୋଧନଙ୍କୁ ସମ୍ମତି ଦେଇସାରି ପାଣ୍ଡବମାନଙ୍କୁ ଦେଖା କରିବାକୁ ଆସିଲେ ଓ କର୍ଣ୍ଣଙ୍କ ଉପରେ କେମିତି ପ୍ରତିଶୋଧ ନିଆଯିବ ସେ ବିଷୟରେ ଯୁଧିଷ୍ଠିରଙ୍କ ଯୋଜନାରେ ସାମିଲ ହେଲେ । ଶଲ୍ୟ ବୁଝୁଥିଲେ ପାଣ୍ଡବମାନେ ସ୍ଥିର ନିଶ୍ଚିନ୍ତ ଥିଲେ ସେ ଦୁର୍ଯ୍ୟୋଧନଙ୍କ ବିରୁଦ୍ଧରେ ଯୁଦ୍ଧ ଲଢିବେ କିନ୍ତୁ ପରିସ୍ଥିତି ବଦଳି ସାରିଥିଲା । ଶଲ୍ୟ ଯୁଧିଷ୍ଠିରଙ୍କୁ ଆଗାମୀ ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବାର ଆଶୀର୍ବାଦ ଦେଇ କହିଲେ, ପରିସ୍ଥିତିରେ ପଡି ଦେବତାମାନେ ବି ଦୁଃଖ ଭୋଗ କରନ୍ତି । ଦେବତାଙ୍କ ରାଜା ଇନ୍ଦ୍ରଦେବ ମଧ୍ୟ ପରିସ୍ଥିତିରେ ପଡି ତାଙ୍କ ପତ୍ନୀଙ୍କ ସହ ଅଶେଷ ଦୁଃଖ ଭୋଗ କରିଥିଲେ ।
ଇନ୍ଦ୍ର ଓ ଶଚ୍ଚିଙ୍କ ଦୁଃଖ କଷ୍ଟ ଭୋଗିବାର କଥା ଶୁଣି ସେ ବିଷୟରେ ଜାଣିବାକୁ ଯୁଧିଷ୍ଠିରଙ୍କର ଆଗ୍ରହ ହେଲାରୁ ଶଲ୍ୟ ପୁରା କାହାଣୀ କହିଲେ ।
ସେ ବହୁତ ପୁରୁଣା ଦିନର କଥା । ସେତବେଳେ ମହାତ୍ମା ତୃଷ୍ଟା ନାମରେ ଜଣେ ପ୍ରଜାପତି ଥିଲେ । ଇନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ଥରେ ଇନ୍ଦ୍ରଙ୍କ ଅନିଷ୍ଟ କରିବାକୁ ସେ ବିଶ୍ୱରୂପ ନାମରେ ଗୋଟେ ତିନିମୁଣ୍ଡିଆ ପୁଅ ସୃଷ୍ଟି କଲେ । ସେ ବିଶ୍ୱରୂପ ତାଙ୍କ ତିନି ମୁହଁରୁ ଗୋଟେ ମୁହଁରେ ବେଦ ଅଧ୍ୟୟନ କରୁଥିଲେ, ଦ୍ୱିତୀୟ ମୁହଁରେ ସୁରାପାନ କରୁଥିଲେ ଓ ତୃତୀୟ ମୁହଁରେ ସର୍ବଦିଗକୁ ଗ୍ରାସ କରିବା ପାଇଁ ଚାରିଆଡକୁ ଚାହିଁ ତପସ୍ୟା କରୁଥିଲେ । ବିଶ୍ୱରୂପର ନିଷ୍ଠାପୂର୍ଣ୍ଣ ତପସ୍ୟା ଦେଖି ଇନ୍ଦ୍ରଦେବ ପ୍ରମାଦ ଗଣିଲେ। ତାଙ୍କୁ ଲାଗିଲା ଏ ବିଶ୍ୱରୂପ ନିଶ୍ଚୟ ତାଙ୍କ ଇନ୍ଦ୍ରପଦ ପାଇବାକୁ ଏତେ କଷ୍ଟ କରୁଛି ।
ତାପରେ ଇନ୍ଦ୍ରଦେବ ତାଙ୍କ ସୁନ୍ଦରୀ ଚିର ଯୌବନାବତୀ ଅପସରୀମାନଙ୍କୁ ଆଦେଶ ଦେଇ କହିଲେ ଯାଅ ସେ ତିନିମୁଣ୍ଡିଆ ବିଶ୍ୱରୂପ ତପସ୍ୟା କରୁଥିବା ସ୍ଥାନରେ ପହଞ୍ଚି କାମ ଉଦ୍ଦୀପକ ନୃତ୍ୟ ପରିବେଷଣ କର । ତୁମମାନଙ୍କୁ ଦେଖି ନିଶ୍ଚୟ ତା'ର ଏକାଗ୍ରତା ଭଙ୍ଗ ହେବ । ଅପସରୀମାନେ ଇନ୍ଦ୍ରଦେବଙ୍କ ଆଦେଶ ପାଳନ କରି ବିଶ୍ୱରୂପଙ୍କ ପାଖରେ ପହଞ୍ଚିଲେ । କିନ୍ତୁ ଅପସରୀମାନଙ୍କର ଶୃଙ୍ଗାରପୂର୍ଣ୍ଣ ନୃତ୍ୟ ଗୀତର ପ୍ରଭାବ ଜିତେନ୍ଦ୍ରୀୟ ବିଶ୍ୱରୂପଙ୍କ ଉପରେ ଲେଶମାତ୍ର ପଡିଲାନି । ଅପସରୀମାନେ ଫେରିଗଲେ ।
ଇନ୍ଦ୍ରଦେବ ମନସ୍ଥ କରିସାରିଥିଲେ ଯେ କୌଣସି ଉପାୟରେ ବିଶ୍ୱରୂପଙ୍କ ତପସ୍ୟା ଭଙ୍ଗ କରିବେ । ତେଣୁ ସେ ରାଗରେ ବିଶ୍ୱରୂପଙ୍କ ଉପରେ ବଜ୍ର ପ୍ରହାର କଲେ । ବଜ୍ର ମାଡରେ ବିଶ୍ୱରୂପ ପର୍ବତ ଶୃଙ୍ଗ ପରି ତଳେ ପଡିଗଲେ। ତଥାପି ଇନ୍ଦ୍ରଙ୍କ ମନରେ ଖୁସି ନଥିଲା । କାରଣ ମଲା ପରେବି ବିଶ୍ୱରୂପ ବଞ୍ଚିଥିବା ପରି ଦିଶୁଥିଲେ । ତାଙ୍କ ତିନିମୁଣ୍ଡର ତେଜ କିଛିବି ଊଣା ହେଇନଥିଲା । ସେତିକିବେଳେ ସେଇ ରାସ୍ତାରେ ଜଣେ ବଢେଇ ଯାଉଥିଲା । ଇନ୍ଦ୍ର ସେ ବଢେଇକୁ ବିଶ୍ୱରୂପଙ୍କ ତିନି ମୁଣ୍ଡକୁ କାଟିଦେବାକୁ ଅନୁରୋଧ କଲେ । ବଢେଇ ଜଣକ ମନାକରି କହିଲା ଅକାରଣରେ ସେ ତା' କୁରାଢୀରେ ମଲା ଲୋକୁଟାର ମୁଣ୍ଡ କାହିଁକି କାଟି ପାପରେ ଭାଗି ହେବ?
ତାପରେ ସେ ବଢେଇ ଜଣକ ଇନ୍ଦ୍ରଙ୍କୁ ପଚାରିଲା, ତୁମେ କିଏ ଆଗ ନିଜର ପରିଚୟ ଦିଅ । କ'ଣ ପାଇଁ ଜଣେ ଋଷିପୁତ୍ରକୁ ହତ୍ୟାକରି ବ୍ରହ୍ମହତ୍ୟା ପାପ କରିଛ? ଇନ୍ଦ୍ର ନିଜର ପରିଚୟ ଦେଇ କହିଲେ, ଏ ମୋର ଶତୃ ଓ ମୁଁ ତାକୁ ବଜ୍ର ପ୍ରହାରରେ ହତ୍ୟା କରିଛି। କିନ୍ତୁ ସେ ତା'ର ତପସ୍ୟା ଶକ୍ତି ବଳରେ କାଳେ ପୁଣି ଜୀବନ୍ୟାସ ପାଇଯିବ ସେଥିପାଇଁ ବିବ୍ରତ ହୋଇ ତୁମକୁ ତା'ର ଶୀରଚ୍ଛେଦନ ପାଇଁ ଅନୁରୋଧ କରୁଛି । ତୁମେ ତା'ର ଶୀର ଚ୍ଛେଦନ କଲେ ତୁମ କୁରାଢୀ ବଜ୍ର ପରି ଟାଣ ହେବ ଓ ମଣିଷମାନେ ଯଜ୍ଞ ଶେଷରେ ଯେଉଁ ପଶୁକୁ ବଳିଦେବେ ତା'ର ମୁଣ୍ଡଟି ଆଜିଠାରୁ ତୁମକୁ ମିଳିବ ବୋଲି ମୁଁ ବର ଦେଉଛି । ଆଉ ଡେରି ନକରି ଶୀଘ୍ର ଏହାର ତିନି ମୁଣ୍ଡକୁ କାଟିପକାଅ । ବଢେଇ ଏଥର ବିଶ୍ୱରୂପଙ୍କ ତିନି ମୁଣ୍ଡକୁ କାଟି ପକାଇଲା ।
ଇନ୍ଦ୍ରଦେବ ଓ ବଢେଇ କାମସରି ନିଜ ନିଜ ରାସ୍ତାରେ ଚାଲିଗଲେ । ପୁଅ ବିଶ୍ୱରୂପର ମୃତ୍ୟୁ ଖବର ପ୍ରଜାପତି ତୃଷ୍ଟାଙ୍କ ପାଖରେ ପହଞ୍ଚିଲା । ତୃଷ୍ଟା ଭୀଷଣ କ୍ରୋଧରେ କହିଲେ, ବିନା କାରଣରେ ତପସ୍ୟା କରୁଥିବା ମୋ ପୁଅକୁ ଯଦି ଇନ୍ଦ୍ର ହତ୍ୟା କରିଛି ତେବେ ଇନ୍ଦ୍ରକୁ ହତ୍ୟା କରିବାପାଇଁ ମୁଁ ଆଉ ଏକ ପୁଅ ମୁଁ ଜନ୍ମ କରିବି । ତୃଷ୍ଟା ଯଜ୍ଞ ଗୋଟେ ଆରମ୍ଭ କରି ଆହୁତି ଦେବାକୁ ଲାଗିଲେ । ଶେଷରେ ସେ ଯଜ୍ଞର ଅଗ୍ନି କୁଣ୍ଡ ଭିତରୁ ବୃତ୍ତ୍ର ନାମରେ ପୁଅଟିଏ ଜନ୍ମ ନେଲା। ତୃଷ୍ଟା ତାକୁ ଆଦେଶ ଦେଲେ ଯାଅ ସେ ଇନ୍ଦ୍ରକୁ ପ୍ରଥମେ ସଂହାର କର ।
ବୃତ୍ତ୍ର ସ୍ୱର୍ଗ ଆକ୍ରମଣ କଲା । ଇନ୍ଦ୍ର ଦେବ ଓ ବୃତ୍ତ୍ରଙ୍କ ଭିତରେ ଭୟଙ୍କର ଯୁଦ୍ଧ ହେଲା । କେହି କାହାଠାରୁ କିଛି କମ୍ ନଥିଲେ । କିନ୍ତୁ ବୃତ୍ତ୍ର ଅଶେଷ ପରାକ୍ରମ ଦେଖାଇ ଶେଷକୁ ଇନ୍ଦ୍ରଙ୍କୁ ଗିଳି ପକାଇଲା । ବୃତ୍ତ୍ରାସୁର ଇନ୍ଦ୍ରଙ୍କୁ ଗୋଟାପଣ ଗିଳି ପକାଇଲାରୁ ଦେବଲୋକରେ ଭାଳେଣି ପଡିଗଲା । ସମସ୍ତେ ଚାହିଁଲେ ଇନ୍ଦ୍ରଙ୍କୁ କେମିତି ମୁକ୍ତ କରିବେ । ସେଉଠୁ ସମସ୍ତେ ପରାମର୍ଶ କରି ମିଳିମିଶି ହାଇ ସୃଷ୍ଟି କଲେ । ବୃତ୍ତ୍ରାସୁର ବଡ ଗୋଟେ ଆଁ କରି ହାଇ ମାରିବାରୁ ଇନ୍ଦ୍ର ତା' ପେଟ ଭିତରୁ ବାହାରକୁ ବାହାରି ଆସିଲେ ।
ଇନ୍ଦ୍ର ଓ ଅନ୍ୟ ଦେବତାମାନେ ବୁଝିସାରିଥିଲେ ସେମାନେ କେହିବି ବୃତ୍ତ୍ରାସୁରକୁ ହତ୍ୟା କରିପାରିବେନି । ଅନ୍ୟ ଉପାୟ ନପାଇ ସେମାନେ ଶେଷରେ ବିଷ୍ଣୁଙ୍କ ଶରଣ ପଶିଲେ । ଭଗବାନ ବିଷ୍ଣୁ କହିଲେ ବୃତ୍ତ୍ରାସୁରକୁ ନିହତ କରିବାକୁ ହେଲେ ତା' ସହ ପ୍ରଥମେ ସନ୍ଧି ସ୍ଥାପନ କର । ସନ୍ଧି ସ୍ଥାପନ ପରେ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ହେବ । ମୁଁ ଇନ୍ଦ୍ରଙ୍କ ବଜ୍ର ଭିତରେ ମୋର ତେଜକୁ ଗୋପନରେ ଲୁଚାଇ ରଖିଥିବି । ସମୟ ଆସିଲେ ବୃତ୍ତ୍ରାସୁରକୁ ନିହତ କରିବି । ବିଷ୍ଣୁଙ୍କ କଥା ଶୁଣି ଦେବତାମାନେ ଋଷିମାନଙ୍କୁ ସାଙ୍ଗରେ ଧରି ବୃତ୍ତ୍ରାସୁର ପାଖରେ ପହଞ୍ଚିଲେ ଓ କହିଲେ, ହେ ବୃତ୍ତ୍ରାସୁର ତୁମର ଓ ଇନ୍ଦ୍ରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ହେବା ଦରକାର । ତୁମର ତେଜରେ ପୁରା ସଂସାର ଜଳିଯିବାକୁ ବସିଲାଣି । ତୁମ ଦୁହିଁଙ୍କ ଭିତରେ ସନ୍ଧି ହେଲେ ସଂସାରର ଅଶେଷ ମଙ୍ଗଳ ହେବ ।
ବୃତ୍ତ୍ର କହିଲା, ଏ ତ ଅସଂଭବ କଥା । ଇନ୍ଦ୍ର ମୋର ଶତ୍ରୁ । ଶତ୍ରୁ ସହ ସନ୍ଧି ଅସମ୍ଭବ । କିନ୍ତୁ ଦେବତା ଓ ଋଷିମାନେ ବହୁପ୍ରକାର ବୁଝାଇଲା ପରେ ବୃତ୍ତ୍ରାସୁର ଶେଷରେ ଇନ୍ଦ୍ରଙ୍କ ସହ ସନ୍ଧି କରିବାକୁ ରାଜି ହେଲା । ରାଜି ହେଲା ଯେ, ସନ୍ଧି ସ୍ଥାପନ ପାଇଁ ସର୍ତ୍ତ ବି ରଖିଲା । କହିଲା ସନ୍ଧି ପାଇଁ ଦେବତାମାନଙ୍କୁ ତାକୁ କିଛି ବର ଦାନ କରିବାକୁ ହେବ । କହିଲା ମୁଁ କୌଣସି ଶୁଖିଲା ଅବା ଓଦା ଜିନିଷ ଦ୍ୱାରା ମରିବିନି । କୌଣସି କାଠ ଅବା ପଥରରେ ତିଆରି ଅସ୍ତ୍ର ଶସ୍ତ୍ର ଦ୍ୱାରା ମରିବିନି । ଦିନରେ ମରିବିନି କି ରାତିରେ ବି ମରିବିନି । ବାଧ୍ୟରେ ଦେବତାମାନେ ବୃତ୍ତ୍ରାସୁରକୁ ତା' ଦାବି ଅନୁସାରେ ବର ପ୍ରଦାନ କଲେ । ଶେଷରେ ଇନ୍ଦ୍ର ଓ ବୃତ୍ତ୍ରାସୁର ଭିତରେ ଯୁଦ୍ଧ ବିରତିର ସନ୍ଧି ସ୍ଥାପନ ହେଲା ।
ଯୋଜନା ଅନୁସାରେ ଇନ୍ଦ୍ର ସବୁବେଳେ ସୁଯୋଗ ଖୋଜୁଥାନ୍ତି, ସମସ୍ତ ବର ପ୍ରଦାନ ପରେବି କେମିତି ବୃତ୍ତ୍ରାସୁରକୁ ନିଧନ କରିବେ । ଦିନେ ସଞ୍ଜରେ ବୃତ୍ତ୍ରାସୁର ସମୁଦ୍ର କୁଳରେ ଏକା ବୁଲୁଥାଏ । ଇନ୍ଦ୍ରଙ୍କୁ ଲାଗିଲା ଏଇଟା ହିଁ ଉପଯୁକ୍ତ ସମୟ । କାରଣ ସନ୍ଧ୍ୟା ସମୟ ଦିନ ନୁହେଁ କି ରାତି ବି ନୁହେଁ । ଇନ୍ଦ୍ର ସମୁଦ୍ରର ଫେଣକୁ ଅନେଇ ଭାବିଲେ ଫେଣ ଓଦା ନୁହେଁ କି ଶୁଖିଲା ନୁହଁ । ଫେଣ ଅସ୍ତ୍ର ନୁହେଁ କି ଶସ୍ତ୍ର ବି ନୁହଁ । ଫେଣ କାଠରେ ତିଆରି ନୁହେଁ କି ପଥରରେ ତିଆରି ନୁହେଁ । ଇନ୍ଦ୍ର ଏବେ ବିଷ୍ଣୁଙ୍କୁ ସ୍ମରଣ କରିବାକୁ ଲାଗିଲେ । ଇନ୍ଦ୍ର ସମୁଦ୍ରର ଫେଣ ସାଙ୍ଗରେ ବଜ୍ର ଶକ୍ତି ମିଶାଇଲେ ଓ ବିଷ୍ଣୁ ତାଙ୍କର ତେଜ ମିଶାଇଲେ । ସେଇ ସମୁଦ୍ର କୁଳରେ ବୃତ୍ତ୍ରାସୁରର ନିଧନ ହେଲା ।
ଇନ୍ଦ୍ର କପଟ କରି ସନ୍ଧିର ନୀୟମ ଭାଙ୍ଗି ବୃତ୍ତ୍ରାସୁରକୁ ହତ୍ୟା କରିଥିଲେ । ବିଶ୍ୱାସଘାତକତା ଓ ମିଥ୍ୟାଚାରର ସହାୟତା ନେଇ ବୃତ୍ତ୍ରାସୁରକୁ ନିହତ କରିଥିବାରୁ ଇନ୍ଦ୍ରଦେବ ଘୋର ପାପରେ ଘାରି ହେବାକୁ ଲାଗିଲେ । ପୂର୍ବରୁ ବିଶ୍ୱରୂପକୁ ହତ୍ୟା କରି ବ୍ରହ୍ମହତ୍ୟା ପାପରେ ଭାଗିଦାର ଥିଲେ । ଦୁଇ ଦୁଇଟି ପାପର ପରାଭବରେ ଇନ୍ଦ୍ର ତାଙ୍କର ସମସ୍ତ ତେଜ ହରାଇ ବସିଲେ ଓ ସ୍ୱର୍ଗ ଛାଡି ଏଣେତେଣେ ବିଚଳିତ ହେଇ ବୁଲିବାକୁ ଲାଗିଲେ । ତାଙ୍କ ପାଖରେ ଆଉ ତାଙ୍କର ଇନ୍ଦ୍ରପଦ ବି ରହିଲାନି ।
ଇନ୍ଦ୍ରଙ୍କ ପରିସ୍ଥିତି ବିଷୟରେ ବର୍ଣ୍ଣନା କରି ଶଲ୍ୟ କହିଲେ, “ହେ ଯୁଧିଷ୍ଠିର! ଦେବତାମାନଙ୍କ ରାଜା ହୋଇବି ଇନ୍ଦ୍ରଙ୍କୁ ତାଙ୍କ ପାପ କର୍ମର ଫଳ ଭୋଗିବାକୁ ପଡିଲା । କର୍ମଫଳରୁ କେହିବି ମୁକ୍ତ ହୋଇପାରିବେନି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753426078.jpg)