ଦ୍ୱୈତବନରେ ପାଣ୍ଡବମାନେ ରହୁଥିବା ସରୋବର କୂଳରେ ଦୁର୍ଯ୍ୟୋଧନ ତାଙ୍କ ପରିଚାରକମାନଙ୍କୁ ଶିବିର ଲଗାଇବାକୁ ଆଦେଶ ଦେଲେ । ଫଳରେ ସେ ତାଙ୍କର ଐଶ୍ୱର୍ଯ୍ୟ ଓ ପ୍ରତିପତ୍ତି ପାଣ୍ଡବମାନଙ୍କୁ ଦେଖାଇ ପାରିବେ । ଦୁର୍ଯ୍ୟୋଧନ ଯେଉଁଠି ଶିବିର ଲଗାଇବାକୁ କହିଲେ ସେଇଠି ଗନ୍ଧର୍ବମାନେ ସେମାନଙ୍କ ପରିଜନଙ୍କୁ ଧରି ସରୋବରକୁ ଜଳକ୍ରୀଡ଼ା କରିବାକୁ ଆସିଥା'ନ୍ତି । ତେଣୁ ଗନ୍ଧର୍ବମାନଙ୍କୁ ଦେଖି ପରିଚାରକମାନେ ସେଠାରୁ ଫେରିଯାଇ ଦୁର୍ଯ୍ୟୋଧନଙ୍କୁ କହିଲେ, ମହାରାଜା ସେ ସ୍ଥାନକୁ ଗନ୍ଧର୍ବମାନେ ଦଖଲ କରି ସାରିଛନ୍ତି । ଦୁର୍ଯ୍ୟୋଧନ କିନ୍ତୁ ଗନ୍ଧର୍ବମାନଙ୍କୁ ହେୟ ମନେ କରି ଆପଣା ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେ ଶୀଘ୍ର ସେ ଗନ୍ଧର୍ବମାନଙ୍କୁ ସେଠାରୁ ତଡ଼ି ଆମ ଶିବିର ଲଗାଅ ।
ସୈନ୍ୟମାନେ ଗନ୍ଧର୍ବମାନଙ୍କୁ 'ହସ୍ତିନାପୁରର ପରାକ୍ରମୀ ରାଜା ଦୁର୍ଯ୍ୟୋଧନ ଏଠାରେ ବିହାର କରିବାକୁ ମନସ୍ଥ କରିଛନ୍ତି, ତେଣୁ ଯଥାଶୀଘ୍ର ସ୍ଥାନ ତ୍ୟାଗ କର' କହିବାରୁ ଗନ୍ଧର୍ବମାନେ ହସି ହସି କହିଲେ; “ତୁମ ମନ୍ଦବୁଦ୍ଧି ରାଜା ଆମମାନଙ୍କୁ ଜାଣିନି ବୋଧହୁଏ । ଭଲ ଦଶା ଥିଲେ ଆମମାନଙ୍କ ସାମ୍ନାରୁ ହଟିଯାଅ । ନହେଲେ ତୁମମାନଙ୍କୁ ଯମାଳୟ ପଠେଇବାକୁ ଆମମାନଙ୍କୁ ବେଶି ସମୟ ଲାଗିବନି ।“
Also Read
ଗନ୍ଧର୍ବମାନଙ୍କ ଚେତାବନୀ ଶୁଣି ସୈନ୍ୟମାନେ ଦୁର୍ଯ୍ୟୋଧନଙ୍କ ପାଖକୁ ଫେରିଆସିଲେ । ଗନ୍ଧର୍ବମାନଙ୍କ ଅପମାନଜନକ କଥା ଶୁଣି ଦୁର୍ଯ୍ୟୋଧନ କ୍ରୋଧରେ କୌରବସେନାଙ୍କୁ ଆଦେଶ ଦେଲେ ଯାଅ ସେ ଗନ୍ଧର୍ବଙ୍କ ଉପରେ ଆକ୍ରମଣ କରି ସେଠୁ ସେମାନଙ୍କୁ ତଡ଼ିଦିଅ। ରାଜା ଆଦେଶ ପାଇ କୌରବସେନା ଗନ୍ଧର୍ବମାନଙ୍କୁ ଚାରିଦିଗରୁ ଘେରିଗଲେ । ପରିସ୍ଥିତି ଦେଖି କିଛି ଗନ୍ଧର୍ବ ଯାଇ ଗନ୍ଧର୍ବରାଜା ଚିତ୍ରସେନଙ୍କୁ ଖବର ଦେଲେ । ଚିତ୍ରସେନ ତୁରନ୍ତ ଆଦେଶ ଦେଲେ ଆତ୍ମଗର୍ବି କୌରବମାନଙ୍କୁ ପ୍ରତିଆକ୍ରମଣ କରି ଶୀଘ୍ର ପରାଜିତ କର।
ଯୁଦ୍ଧ ଆରମ୍ଭ ହୋଇଗଲା। କୌରବସେନା ଗନ୍ଧର୍ବମାନଙ୍କୁ ସାମ୍ନା କରିନପାରି ଛତ୍ର ଭଙ୍ଗ ଦେଲେ । କୌରବସେନାଙ୍କ ପରାଜୟ ଦେଖି କର୍ଣ୍ଣ ଯୁଦ୍ଧର ମଙ୍ଗ ସମ୍ଭାଳିବାକୁ ଆପଣା ରଥ ଧରି ଆଗକୁ ଆସିଲେ । ମହାବଳୀ କର୍ଣ୍ଣଙ୍କୁ ସମ୍ମୁଖୀନ ହେବାକୁ ଗନ୍ଧର୍ବମାନେ ପ୍ରସ୍ତୁତ ନଥିଲେ । ସେ ପ୍ରବଳ ବେଗରେ ତୀର ବର୍ଷାକରି ଅନେକ ଗନ୍ଧର୍ବ ବୀରଙ୍କୁ ହତ୍ୟା କରିବାକୁ ଲାଗିଲେ । ଗନ୍ଧର୍ବମାନେ ନିପାତ ହେଲାପରେ ଆହୁରି ଅନେକ ଗନ୍ଧର୍ବ ଆସି ଯୁଦ୍ଧରେ ଯୋଗ ଦେଲେ । କର୍ଣ୍ଣଙ୍କୁ ସାହାଯ୍ୟ କରିବାକୁ ଦୁର୍ଯ୍ୟୋଧନ, ଶକୁନି, ଦୁଃଶାସନ ଆଦି ଆସି ଯୁଦ୍ଧରେ ଯୋଗ ଦେଲେ । ଏକାବେଳରେ ଏତେ ଗୁଡ଼େ ବୀର ଯୋଦ୍ଧାଙ୍କୁ ସାମ୍ନା କରିନପାରି ଗନ୍ଧର୍ବମାନେ ପଛ ଘୁଞ୍ଚା ଦେବାକୁ ଲାଗିଲେ ।
ଗନ୍ଧର୍ବମାନଙ୍କ ଅବସ୍ଥା ଦେଖି ଗନ୍ଧର୍ବ ରାଜା ଚିତ୍ରସେନ ଆସି ପହଞ୍ଚିଲେ ଓ ମାୟା ଯୁଦ୍ଧ ଆରମ୍ଭ କରିଦେଲେ । ମାୟା ଯୁଦ୍ଧରେ ଧୁରନ୍ଧର ଗନ୍ଧର୍ବମାନଙ୍କୁ ଆଉ ଏଥର କୌରବସେନା ସାମ୍ନା କରିପାରିଲେନି । ଅନେକ ଗନ୍ଧର୍ବ ମିଳିମିଶି କର୍ଣ୍ଣଙ୍କୁ ଆକ୍ରମଣ କଲେ । କିଏ ତାଙ୍କ ଘୋଡ଼ାମାନଙ୍କୁ ମାରିପକାଇଲା ତ କିଏ ତାଙ୍କ ସାରଥିର ମୁଣ୍ଡ କାଟି ପକାଇଲା । ଶେଷରେ କର୍ଣ୍ଣଙ୍କ ରଥକୁ ଗନ୍ଧର୍ବମାନେ ଭାଙ୍ଗି ପକାଇବାରୁ ସେ ରଥରୁ ଡେଇଁ ବିକର୍ଣ୍ଣଙ୍କ ରଥରେ ବସି ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କଲେ । ପୂର୍ବରୁ ଶକୁନି ଓ ଦୁଃଶାସନ ଆଦି ଜୀବନ ବଞ୍ଚେଇ ପଳାୟନ କରିସାରିଥିଲେ ।
ଅନ୍ୟମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲାପରେ ବି ଏକା ଦୁର୍ଯ୍ୟୋଧନ ଗନ୍ଧର୍ବମାନଙ୍କ ସାଙ୍ଗରେ ଯୁଦ୍ଧ କରୁଥା'ନ୍ତି । କିନ୍ତୁ ଖୁବ୍ ଶୀଘ୍ର ଗନ୍ଧର୍ବମାନେ ଦୁର୍ଯ୍ୟୋଧନଙ୍କ ରଥକୁ ଭାଙ୍ଗି ପକାଇଲେ ଓ ଦୁର୍ଯ୍ୟୋଧନ ରଥରୁ ଖସି ତଳେ ପଡିଗଲେ । ଗନ୍ଧର୍ବ ରାଜା ଚିତ୍ରସେନ ଦୁର୍ଯ୍ୟୋଧନଙ୍କୁ ବନ୍ଦୀ କଲେ । ଅନ୍ୟ ଗନ୍ଧର୍ବମାନେ କୌରବମାନଙ୍କ ପତ୍ନୀ ଓ ଅନେକ ସୈନ୍ୟ ଏବଂ ସେନାପତିମାନଙ୍କୁ ମଧ୍ୟ ବନ୍ଦୀ କରି ସେଠାରୁ ନେବାକୁ ବାହାରିଲେ।
ଦୁର୍ଯ୍ୟୋଧନ ବନ୍ଦୀ ହେବାପରେ ଓ କୌରବ ରମଣୀମାନଙ୍କୁ ଗନ୍ଧର୍ବମାନେ ନେଇ ପଳାଇବା ବେଳକୁ ପରାଜିତ କିଛି କୌରବ ସେନା, ପାରିଷଦ ଏବଂ ମନ୍ତ୍ରୀମାନେ ଅନ୍ୟ ଉପାୟ ନପାଇ ଯାଇଁ ପାଣ୍ଡବମାନଙ୍କ ଶରଣ ପଶିଲେ । ଭୟରେ ଆତୁର ହୋଇ କହିଲେ, ଗନ୍ଧର୍ବମାନେ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧରେ ପରାସ୍ତ କରି କୌରବ ରମଣୀମାନଙ୍କ ସହ ବନ୍ଦୀ କରି ନେଇଯାଉଛନ୍ତି । ଦୟାକରି ସେମାନଙ୍କୁ ରକ୍ଷା କରନ୍ତୁ ।
କୌରବ ସେନାପତି ଓ ମନ୍ତ୍ରୀମାନଙ୍କ ଆକୁଳ ନିବେଦନ ଶୁଣି ଭୀମ ଅତ୍ୟନ୍ତ ପ୍ରସନ୍ନ ହୋଇ କହିଲେ, “ଖୁବ ଭଲ ଖବର । ଆମେ ଏବେ ସେ ଗନ୍ଧର୍ବମାନଙ୍କୁ ଯାଇ କୃତଜ୍ଞତା ଜଣାଇବା ଉଚିତ । କାରଣ ଆମ କାମ ସେମାନେ କରି ଆମର ବଡ଼ ଉପକାର କଲେ। ମନ୍ଦବୁଦ୍ଧି ଦୁର୍ଯ୍ୟୋଧନ ସୈନ୍ୟସାମନ୍ତ ଆଣି ଜଙ୍ଗଲକୁ ଆସିଥିଲା କେବଳ ଆମ ଆଗରେ ନିଜର ବଡ଼ିମା ଦେଖାଇବାକୁ । ଆମ ଦୁଃଖ ସମୟରେ ଆମକୁ ଆହୁରି ଦୀନହୀନ ଓ ତଳିଆ ଦେଖାଇବାକୁ । ତା' ମନ୍ଦ କର୍ମର ଫଳ ସେ ଭୋଗିଛି । ଗନ୍ଧର୍ବମାନେ ଆମର ବନ୍ଧୁ ପରି କାମ କରିଛନ୍ତି ।”
ଭୀମସେନଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, “ବୃକୋଦର! ସବୁ ପରେ ବି ଦୁର୍ଯ୍ୟୋଧନ ଆମର ଭାଇ । ସବୁ ଶତ୍ରୁତା ପରେ ବି ଆମେ ଗୋଟିଏ ପରିବାରର ଲୋକ । କୌରବ ସେନାପତି ପାତ୍ର ମନ୍ତ୍ରୀ ଆସି ଆମ ଶରଣ ପଶି ସାହାଯ୍ୟ ଭିକ୍ଷା କରୁଛନ୍ତି । ଗନ୍ଧର୍ବମାନେ ଆମ କୂଳନାରୀମାନଙ୍କୁ ଅପହରଣ କରି ନେଇଯାଉଛନ୍ତି । ତେଣୁ କୁଳଧର୍ମ ରକ୍ଷା କରିବାକୁ ଆମମାନଙ୍କୁ ବାହାରିବାକୁ ହେବ ।”
ଯୁଧିଷ୍ଠିରଙ୍କ କଥାରେ ଭୀମ ରାଜି ହେଲେନି । ସେ ରାଗି କରି କହିଲେ, “ନା ବଡ଼ଭାଇ! ଆପଣ ଭୁଲି ଯାଉଛନ୍ତି ଏଇ ଦୁଷ୍ଟ ମନ୍ଦବୁଦ୍ଧି ଦୁର୍ଯ୍ୟୋଧନ ଆମମାନଙ୍କର କ'ଣ କ"ଣ କ୍ଷତି କରିଛି । ବିଷ ଲଡୁ ଦେଇ ମୋତେ ମାରିବାର ଯୋଜନା କରିଛି । ଯତୁଗୃହରେ ଆମ ସମସ୍ତଙ୍କୁ ପୋଡ଼ି ମାରିବାକୁ ଚେଷ୍ଟା କରିଛି । କୁରୁସଭା ମଝିରେ ପାଞ୍ଚାଳୀର ବସ୍ତ୍ର ହରଣ କରିଛି । ମୁଁ ତା'ର ଅପମାନ ମୁହୂର୍ତ୍ତଟେ ପାଇଁ ବି ଭୁଲି ପାରୁନି । ସେ ଗନ୍ଧର୍ବମାନଙ୍କ ସହ ଯୁଦ୍ଧ କଲା ଓ ପରାଜିତ ହୋଇ ବନ୍ଦୀ ହେଲା । ସେଥିରେ ଆମେ କାହିଁକି ପଶିବା?”
ଯୁଧିଷ୍ଠିର ମନ ଦେଇ ଭୀମଙ୍କ ସବୁ କଥା ଶୁଣି ସାରି କହିଲେ, “ମୋର ଯଜ୍ଞରେ ବସିବା ସମୟ ହୋଇଯାଇଛି । ନଚେତ ମୁଁ ନିଜେ ଯାଇ ଦୁର୍ଯ୍ୟୋଧନ ଓ ଆମ କୁଳନାରୀମାନଙ୍କୁ ଉଦ୍ଧାର କରିଥା'ନ୍ତି । ତେଣୁ ତୁମେ ଚାରିଜଣ ଯାଇ ସେମାନଙ୍କୁ ଉଦ୍ଧାର କର।” ଏତିକି ମାତ୍ର କହି ଯୁଧିଷ୍ଠିର ଯଜ୍ଞରେ ବସିଲେ । ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଯେତେଯାହା ହେଲେବି ବଡ଼ ଭାଇଙ୍କ ଆଦେଶ ଭାଙ୍ଗିପାରିବେନି । ତେଣୁ ସେମାନେ କୌରବ ସେନା ଓ ସେନାପତିମାନଙ୍କୁ ଏକାଠି କରି ଯୁଦ୍ଧରେ ବାହାରିଲେ ।
ପାଣ୍ଡବମାନଙ୍କ ଅଧିନାୟକତ୍ୱରେ କୌରବସେନା ସେମାନଙ୍କୁ ଅନୁଧାବନ କରୁଛନ୍ତି ଦେଖି ଗନ୍ଧର୍ବରାଜ ଚିତ୍ରସେନ ଦ୍ରୁତ ଗତିରେ ଆକାଶ ମାର୍ଗରେ ତାଙ୍କ ରଥ ଧରି ଚାଲିଯିବାକୁ ବାହାରିଲା ବେଳକୁ ବର୍ଷା ପରିକା ତୀର ସନ୍ଧାନ କରି ଅର୍ଜୁନ ତାଙ୍କ ରାସ୍ତା ସମ୍ପୂର୍ଣ ବନ୍ଦ କରିଦେଲେ । ଗନ୍ଧର୍ବମାନେ ପାଲଟା ଆକ୍ରମଣ କରିବାରୁ ଅର୍ଜୁନ ଦିବ୍ୟ ଅସ୍ତ୍ର ପ୍ରୟୋଗ କରି ଅନେକ ଗନ୍ଧର୍ବଙ୍କୁ ହତ୍ୟା କରି ମାଟିକୁ ପକାଇ ଚାଲିଲେ । ଭୀମ, ନକୁଳ ଓ ସହଦେବ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥାନ୍ତି । ଅର୍ଜୁନ ଇନ୍ଦ୍ରପୁରରେ ଥିବା ସମୟରେ ଚିତ୍ରସେନ ଗନ୍ଧର୍ବଙ୍କ ସହ ତାଙ୍କର ବନ୍ଧୁତା ହେଇଥିଲା । ସେ ଅର୍ଜୁନଙ୍କ ବୀରତ୍ୱ ବିଷୟରେ ଭଲରେ ଆଗରୁ ଅବଗତ ଥିଲେ ।
ସେ ଯୁଦ୍ଧ ବନ୍ଦ କରି କହିଲେ, “ହେ ଅର୍ଜୁନ! ଏ ଉଦ୍ଧତ, ଗର୍ବୀ, ନରାଧମ ଦୁର୍ଯ୍ୟୋଧନକୁ କାହିଁକି ମୁକ୍ତ କରିବାକୁ ଚାହୁଁଛ? ତୁମମାନଙ୍କୁ ଓ ତୁମ ପତ୍ନୀଙ୍କୁ ଏ ଯେପରି ଲାଞ୍ଛିତ ଓ ଅପମାନିତ କରିଛି ତମେ କ'ଣ ଭୁଲି ଗଲଣି?” ଅର୍ଜୁନ କହିଲେ, “ହେ ବନ୍ଧୁ! ବଡ଼ ଭାଇ ଯୁଧିଷ୍ଠିରଙ୍କ ଆଦେଶରେ ଆମେ କୁରୁରାଜାଙ୍କୁ ଓ କୁଳନାରୀମାନଙ୍କୁ ଉଦ୍ଧାର କରିବାକୁ ଆସିଛୁ ।” ତାପରେ ସମସ୍ତେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ଓ ସେଇଠି ଚିତ୍ରସେନ ଦୁର୍ଯ୍ୟୋଧନର କୁକର୍ମ ସବୁ ବଖାଣିଲେ । ଯୁଧିଷ୍ଠିର ପ୍ରଥମେ ଦୁର୍ଯ୍ୟୋଧନଙ୍କୁ ମୁକ୍ତ କଲାପରେ ଗନ୍ଧର୍ବ ରାଜାଙ୍କୁ ଧନ୍ୟବାଦ ଦେଲେ । କହିଲେ, “ହେ ରାଜନ୍! ବଳଶାଳୀ ହୋଇ ବି ଆପଣ ପରାଜିତଙ୍କୁ ହତ୍ୟା ନକରି ବନ୍ଦୀ ମାତ୍ର କରିଛନ୍ତି । ମୁଁ କେବଳ ମୋର କୁଳକୁ ଅପମାନିତ ନକରିବାକୁ ଏ ଦୁରାତ୍ମା ଦୁର୍ଯ୍ୟୋଧନକୁ ମୁକ୍ତ କରିଛି ।”
ଧର୍ମରାଜଙ୍କୁ ପ୍ରଣାମ କରି ଗନ୍ଧର୍ବମାନେ ଫେରିଗଲେ । ଏପରି ମୁର୍ଖଙ୍କ ପରି ଦୁଃସାହସ ନକରିବାକୁ ଦୁର୍ଯ୍ୟୋଧନଙ୍କୁ ଯୁଧିଷ୍ଠିର ଉପଦେଶ ଦେଲେ । ଘୋର ଲଜ୍ଜା ଓ ଅପମାନରେ ମୁଣ୍ଡ ତଳକୁ କରି ଦୁର୍ଯ୍ୟୋଧନ ସେ ସ୍ଥାନ ପରିତ୍ୟାଗ କଲେ ।
ପୂର୍ବରୁ ଯୁଦ୍ଧ କ୍ଷେତ୍ରରୁ ଆହତ ହୋଇ ପ୍ରାଣ ରକ୍ଷା କରି ପଳାୟନ କରିଥିବା ଶକୁନି, କର୍ଣ୍ଣ , ଦୁଃଶାସନ ଓ ଅନ୍ୟମାନେ ଦୁର୍ଯ୍ୟୋଧନଙ୍କ ଖବର ଜାଣିବାକୁ ଅଧା ବାଟରେ ଅପେକ୍ଷା କରି ବସିଥା'ନ୍ତି । ଦୁର୍ଯ୍ୟୋଧନଙ୍କୁ ଅକ୍ଷତ ଅବସ୍ଥାରେ ଫେରିବାର ଦେଖି ସେମାନେ ଖୁସି ହୋଇଗଲେ ଓ ଭାବିଲେ ଦୁର୍ଯ୍ୟୋଧନ ନିଶ୍ଚୟ ବୀରଦର୍ପରେ ଲଢି ଏକାକୀ ବନ୍ଧର୍ବମାନଙ୍କୁ ପରାଜିତ କରି ଫେରିଛନ୍ତି । କର୍ଣ୍ଣ ବଡ଼ପାଟି କରି 'ମହାରାଜାଙ୍କର ଜୟ ହେଉ' କହିବାରୁ ଦୁର୍ଯ୍ୟୋଧନ କହିଲେ, “ତୁମେସବୁ ତ ଛତ୍ର ଭଙ୍ଗ ଦେଇ ଜୀବନ ଧରି ପଳେଇ ଆସିଲ ତେଣୁ ପ୍ରକୃତ ସତ୍ୟ ଜାଣିନ । ପ୍ରକୃତ ଲଜ୍ଜାଜନକ ସତ କଥାଟି ହେଲା, ଅର୍ଜୁନ ହିଁ ଯୁଦ୍ଧ କରି ଆମମାନଙ୍କୁ ରକ୍ଷା କରିଛି ।”
ତାପରେ କିଛି ସମୟ ନୀରବ ରହି ଦୁର୍ଯ୍ୟୋଧନ କହିଲେ, “ଆଜି ଦ୍ୱୈତବନରେ ଯାହା ସବୁ ଘଟିଲା ସେଥିରେ ଘୋର ଲାଜରେ ମୋ ମୁଣ୍ଡ ତଳକୁ ହୋଇସାରିଛି । ଏତେ ଅପମାନ ମୁଁ ମୋ ଜୀବନରେ କେବେବି ପାଇନଥିଲି । ଏମିତିକା ତୁଚ୍ଛ ଜୀବନ ଧରି ମୁଁ ଆଉ ହସ୍ତିନାପୁରକୁ ଫେରିବାକୁ ଚାହୁଁନି । କୁରୁସଭାରେ କାହାକୁ ମୁଁ ମୁହଁ ଦେଖାଇବାକୁ ଏବେ ଯୋଗ୍ୟ ନୁହେଁ । ମୁଁ ଏଇଠି ଏମିତି ବସି ବସି ମୋ ଜୀବନ ତ୍ୟାଗ କରିବି ।” ତାପରେ ଦୁଃସାସନକୁ ଚାହିଁ କହିଲେ, “ତୁମେ ଏବେ ରାଜକାର୍ଯ୍ୟ କରିବ । ତୁମକୁ ମୁଁ ଆଜିଠାରୁ କୁରୁରାଜ୍ୟର ରାଜା କରୁଛି ।”
ଦୁର୍ଯ୍ୟୋଧନଙ୍କ କଥା ଶୁଣି ଦୁଃଶାସନ ଦୁଃଖରେ ମ୍ରିୟମାଣ ହୋଇ କାନ୍ଦିବାକୁ ଲାଗିଲେ । କର୍ଣ୍ଣ କହିଲେ, “ହେ ସଖା ! ଏଇ ସାମାନ୍ୟ କଥାରେ ତୁମେ ଏତେ ଦୁଃଖିତ ହେବାର କାରଣ ମୁଁ ଖୋଜି ପାଉନି। ପାଣ୍ଡବମାନେ ଆପଣଙ୍କ ପ୍ରଜା । ତେଣୁ ସେମାନେ ତାଙ୍କ ରାଜା ପାଇଁ ଉପଯୁକ୍ତ କାମ କରିଛନ୍ତି । ରାଜାକୁ ବିପଦରେ ସାହାଯ୍ୟ କରିବା ପ୍ରତିଟି ପ୍ରଜାର ଦାୟିତ୍ୱ । ପାଣ୍ଡବମାନେ ସେମାନଙ୍କ ଦାୟିତ୍ୱ ତୁଲାଇଛନ୍ତି ମାତ୍ର । ଏଥିରେ ତୁମେ ଲଜ୍ଜା ଅନୁଭବ କରିବାର କ'ଣ ଅଛି?”
ଶକୁନି ମଧ୍ୟ କର୍ଣ୍ଣଙ୍କ କଥାକୁ ସମର୍ଥନ କରି କହିଲେ, “କେତେ ବୁଦ୍ଧି ପାଞ୍ଚି ତୁମକୁ ଏତେବଡ଼ ସାମ୍ରାଜ୍ୟର ରାଜା କରାଇଲି । ଭଲରେ ପୋଡ଼ି ହୋଇନଥିବା ମାଟି ହାଣ୍ଡି ପାଣି ସମ୍ପର୍କରେ ଆସି ଯେମିତି ମିଳେଇଯାଏ, ସେପରି ସକଳ ଐଶ୍ୱର୍ଯ୍ୟ ଲାଭ କରି ବି ତୁମେ ଏପରି ଅଯଥା ବିଚାରରେ ସବୁକିଛିକୁ ଶେଷରେ ହରେଇ ବସିବ । ଆତ୍ମହତ୍ୟା କରିବାର ଆବଶ୍ୟକତା ନାହିଁ ବରଂ ପାଣ୍ଡବମାନଙ୍କ ଦେଶ ସେମାନଙ୍କୁ ଫେରେଇଦିଅ ଓ ସେମାନଙ୍କ ପାଖକୁ ଯାଇ କ୍ଷମା ମାଗ ଓ ସବୁଦିନପାଇଁ କୃତଜ୍ଞ ରୁହ ।”
ଶକୁନିଙ୍କ କଥାରେ ଦୁର୍ଯ୍ୟୋଧନ ପ୍ରକୃତିସ୍ଥ ହେଲେ । କର୍ଣ୍ଣ କହିଲେ, "ହେ ରାଜନ ! ତୁମେ ଯଦି ଅର୍ଜୁନଙ୍କ ପରାକ୍ରମ ଦେଖି ଚିନ୍ତାରେ ପଡିଛ ତେବେ ଅସ୍ତ୍ର ଛୁଇଁ ମୁଁ ଏଇଠି ଶପଥ କରି କହୁଛି ପାଣ୍ଡବମାନଙ୍କ ଅଜ୍ଞାତ ବାସ ପରେ ଅର୍ଜୁନକୁ ମୁଁ ନିଶ୍ଚୟ ହତ୍ୟା କରିବି ।” କର୍ଣ୍ଣଙ୍କ କଥା ଶୁଣି କିଛି ନଖାଇ ନପିଇ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିବା ଦୁର୍ଯ୍ୟୋଧନ ଘାସ ଉପରୁ ଉଠିଲେ । ତାଙ୍କର ପରମ ଶତ୍ରୁ ପାଣ୍ଡବମାନଙ୍କୁ ଯୁଦ୍ଧରେ ହରାଇ କେମିତି ଶୀଘ୍ର ନିପାତ କରିବେ ସେଇ କଥା ମନରେ ଭାବିବାକୁ ଲାଗିଲେ ।
ତାପରେ ସମସ୍ତେ ମିଶି ସେଠାରୁ ହସ୍ତିନାପୁର ଅଭିମୁଖେ ବାହାରିଲେ ।