Advertisment

Mahabharat Story: ଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତ୍ତାନ୍ତ

ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
Birth of hundred sons from hundred clay pots

Birth of hundred sons from hundred clay pots

Advertisment

ଏବେ ଧୃତରାଷ୍ଟ୍ର ହସ୍ତିନାପୁରର ମହାରାଜ । ମହାରାଣୀ ଗାନ୍ଧାରୀ ଗର୍ଭବତୀ ।

ଦିନେ ହସ୍ତିନାପୁରରେ ଗାନ୍ଧାରୀଙ୍କ ପାଖରେ ଖବର ପହଞ୍ଚିଲା ପଣ୍ଡୁଙ୍କ ପତ୍ନୀ କୁନ୍ତୀ ଜଙ୍ଗଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଖବର ପାଇ ସେ ବ୍ୟସ୍ତ ହୋଇପଡିଲେ । ହିସାବରେ ପରିବାରର ବଡ ବୋହୂ ସେ । ପ୍ରଥମେ ସେ ଗର୍ଭବତୀ ବି ହେଇଥିଲେ । କିନ୍ତୁ ଏତେଦିନର ଗର୍ଭଧାରଣ ପରେ ବି ପ୍ରସବର କୌଣସି ଲକ୍ଷଣ ଦିଶୁନି । ଏହା ଭିତରେ ଗର୍ଭ ଧାରଣର ଦୁଇ ବର୍ଷ ବିତିଗଲାଣି । ସେପଟେ ତାଙ୍କ ଠାରୁ ସାନ ହେଇ କୁନ୍ତୀ ଗର୍ଭ ଧାରଣ କରି ପୁଅଟିଏ ଜନ୍ମ ଦେଇ ମାଆ ହେଇ ସାରିଲାଣି ।

Advertisment

କୁନ୍ତିଙ୍କ ଖବର ପାଇ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । କାହାକୁ କିଛି ନକହି ଗାନ୍ଧାରୀ ବଳପୂର୍ବକ କଷ୍ଟ ସହି ନିଜର ଗର୍ଭପାତ କରିପକାଇଲେ । ଗାନ୍ଧାରୀ ଯାହା ପ୍ରସବ କଲେ ତାହା କୌଣସି ମଣିଷ ପିଲା ନଥିଲା । ଥିଲା ଲୌହ ଗୋଲକ ପରି ଏକ ମାଂସ ପିଣ୍ଡୁଳା । ମାଂସ ପିଣ୍ଡୁଳାକୁ ଦେଖି ଗାନ୍ଧାରୀ ବଡ ଦୁଃଖୀ ହେଇ ଭାବିଲେ ଯେ, ସେ ତେବେ ଏଇ ମାଂସ ପିଣ୍ଡୁଳାକୁ ଗଲା ଦୁଇ ବର୍ଷ ଧରି ଗର୍ଭରେ ଧରି ବୁଲୁଛନ୍ତି । ଏ ମାଂସ ପିଣ୍ଡୁଳା କୋଉ କାମର ନୁହେଁ ଭାବି ତାକୁ ଫିଙ୍ଗି ଦେବା କଥା ଚିନ୍ତାକଲା ବେଳକୁ ବ୍ୟାସଦେବ ଆସି ତାଙ୍କ ପାଖରେ ପହଞ୍ଚିଲେ । ବଳପୂର୍ବକ ଏମିତି ମୂର୍ଖତାପୂର୍ଣ୍ଣ ଗର୍ଭପାତ କାହିଁକି କଲ ବୋଲି ବ୍ୟାସ ଯେତେବେଳେ ଗାନ୍ଧାରୀଙ୍କୁ ପ୍ରଶ୍ନ କଲେ, ସେତେବେଳେ ଗାନ୍ଧରୀ ସତ କଥାଟି କହିଲେ । କହିଲେ ସେ ଯେତେବେଳେ କୁନ୍ତି ପିଲା ଜନ୍ମ କରିବା କଥା ଶୁଣିଲେ ସେତେବେଳେ ଇର୍ଷାରେ ବ୍ୟସ୍ତ ହେଇ ଏମିତି କରିପକାଇଛନ୍ତି । ଆପଣ ତ ମୋତେ ଶହେ ପୁତ୍ର ଜନ୍ମ କରିବାର ବର ଦେଇଥିଲେ କିନ୍ତୁ ଏବେ ଦେଖନ୍ତୁ ମୋ ଗର୍ଭରୁ କ'ଣ ପ୍ରସବ ହେଇଛି ।

ବ୍ୟାସଦେବ ଗାନ୍ଧାରୀଙ୍କୁ ବ୍ୟସ୍ତ ନହୋଇ ଧୈର୍ଯ୍ୟ ଧରିବାକୁ କହି ଶହେ ଘିଅ ଭର୍ତ୍ତି ଥିବା ଅଲଗା ଅଲଗା ମାଟିପାତ୍ର ଆଣିଲେ । ତାପରେ ସେ ମାଂସ ପିଣ୍ଡୁଳା ଉପରେ ମନ୍ତ୍ର ପାଣି ସିଞ୍ଚିଦେଲାରୁ ତାହା ଆପେ ଆପେ ବୁଢା ଅଙ୍ଗୁଳି ଆକାରର ଶହେ ଭାଗରେ ବିଭକ୍ତ ହେଇଗଲେ । କିଛି ଦିନ ପରେ ତାହା ପୁଣି ଶହେ ଏକ ଭାଗ ହେଲା । ସମସ୍ତ ପାତ୍ରକୁ ଅତ୍ୟନ୍ତ ଯତ୍ନର ସହ ଗୋପନ ସ୍ଥାନରେ ରଖାହେଲା । ବ୍ୟାସ ସେଠାରୁ ଯିବା ଆଗରୁ ଗାନ୍ଧାରୀଙ୍କୁ ସମୟ ଆଗରୁ ମାଟି ପାତ୍ରମାନଙ୍କୁ ନ ଭାଙ୍ଗିବାକୁ ସତର୍କ କରିଦେଇଗଲେ । ନିର୍ଦ୍ଧାରିତ ସମୟରେ ଗାନ୍ଧାରୀଙ୍କର ପୁଅମାନେ ଜନ୍ମ ନେଲେ । ବଡ ପୁଅର ନାମ ଦୁର୍ଯ୍ୟୋଧନ ରଖାଗଲା । ତାପରେ ଆହୁରି ଅନେଶତ ପୁଅ ଜନ୍ମ ନେଲେ । ଶହେ ଭାଇରେ ଯେଉଁ ଗୋଟିଏ ବୋଲି ଝିଅ ଜନ୍ମ ନେଲା ତା'ର ନାମ ଦୁଶଳା ରଖାଗଲା ।

Advertisment
Birth of hundred sons from hundred clay potsଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତାନ୍ତ

ଏହା ଭିତରେ କୁନ୍ତୀ, ପଣ୍ଡୁ ଓ ମାଦ୍ରୀ ସେମାନଙ୍କ ତିନି ସାନ ପୁଅଙ୍କୁ ଧରି ଜଙ୍ଗଲରେ ଥାଆନ୍ତି । ପଣ୍ଡୁଙ୍କର ଇଚ୍ଛା ତାଙ୍କର ଆଉ କିଛି ପୁଅ ହୁଅନ୍ତୁ । କିନ୍ତୁ କୁନ୍ତି ତ ତିନି ପୁଅ ଜନ୍ମ କଲାପରେ ମନା କରିଦେଇଛନ୍ତି । ବିଚାରୀ ମଦ୍ରୀର କିଛି ପିଲା ନଥା'ନ୍ତି ।

ଦିନେ ପଣ୍ଡୁଙ୍କୁ ଏକାନ୍ତରେ ପାଇ ମାଦ୍ରୀ କହିଲେ, ହେ ସ୍ୱାମୀ ଆପଣ ଓ କୁନ୍ତି ପୁଅ ପାଇ ଖୁସି । ସେପଟେ ଗାନ୍ଧାରୀ ଶତ ପୁତ୍ରର ଜନନୀ ହୋଇସାରିଲେଣି । ମୁଁ କୋଉ ଦୋଷ କରିଥିଲି? ଆପଣ ମୋ କଥା କେବେବି ଚିନ୍ତା କରିନାହାନ୍ତି ନା? ମୋ ଭିତରେ ବି ମାଆ ହେବାକୁ ଇଚ୍ଛାଟେ ଅଛି, ସେ କଥା ଆପଣ କେବେବି ଭାବିନାହାଁନ୍ତି କେମିତି? କୁନ୍ତୀ ଯଦି ଅନ୍ୟ ଉପାୟରେ ମାଆ ହେଇ ପାରିଲେ ମୁଁ ବି ସେଇ ଉପାୟରେ ମାଆ ହୋଇପାରିବିନି କାହିଁକି? ଅବଶ୍ୟ ମୁଁ କୁନ୍ତୀଙ୍କୁ ଏ କଥା ସିଧା ସଳଖ କହିପାରିବିନି । ଦୟାକରି ଆପଣ ମୋ ତରଫରୁ ତାଙ୍କୁ ଅନୁରୋଧ କରନ୍ତୁ ।

Advertisment

ମାଦ୍ରୀଙ୍କ କଥା ଶୁଣି ପଣ୍ଡୁ କହିଲେ, ନା ନା ତୁମେ ସେମିତି କେବେବି ଭାବନି । ତୁମ କଥା ମୁଁ ସବୁବେଳେ ଚିନ୍ତା କରିଛି । କିନ୍ତୁ କୁନ୍ତୀ ଯେଉଁ ଉପାୟରେ ସନ୍ତାନ ସମ୍ଭବା ହେଲେ, ତୁମେ ସେପରି କରିବାକୁ ମନ କରିବ କି ନା ବୋଲି ମୋ ମନରେ ଦ୍ୱିଧା ରହିଥିଲା । ଏବେ ବ୍ୟସ୍ତ ହୁଅନି, ତୁମେ ଯଦି ରାଜି ମୁଁ ନିଜେ କୁନ୍ତୀଙ୍କ ସାଙ୍ଗରେ ଏ ବିଷୟରେ ନିଶ୍ଚୟ କଥା ହେବି । ମୋର ବିଶ୍ୱାସ କୁନ୍ତୀ କେବେବି ଅରାଜି ହେବନି ।

ଦିନେ ପଣ୍ଡୁ ଏକାନ୍ତରେ କୁନ୍ତିଙ୍କୁ ସାକ୍ଷାତ କରି ମାଦ୍ରୀଙ୍କ ଆଗ୍ରହ ବିଷୟରେ କହିଲେ । କହିଲେ ଯେଉଁ ମନ୍ତ୍ର ବଳରେ କୁନ୍ତି ନିଜ ପାଇଁ ତିନି ଦେବତାଙ୍କୁ ଡାକିଥିଲେ ସେଇ ମନ୍ତ୍ର ବଳରେ ମାଦ୍ରୀ ପାଇଁ କ'ଣ କୌଣସି ଦେବତାଙ୍କୁ ଡକାଯାଇ ପାରିବନି? ପଣ୍ଡୁଙ୍କ ଅନୁରୋଧ ଶୁଣିଲା ପରେ ମାଦ୍ରୀଙ୍କୁ ଆସି କୁନ୍ତି କହିଲେ ଏବେ ସେ ତାଙ୍କ ପସନ୍ଦର ଜଣେ ଦେବତାଙ୍କୁ ଭାବିଚିନ୍ତି ସ୍ମରଣ କରନ୍ତୁ । କାରଣ ସେ ଯେଉଁ ଦେବତାଙ୍କୁ ଆବାହନ କରିବେ ପିଲାଟି ଠିକ୍ ସେଇ ଦେବତାଙ୍କ ପରି ହେବ । ମାଦ୍ରୀ କିଛି ସମୟ ଭାବିଲେ ଓ କହିଲେ ସେ ଦୁଇ ଅଶ୍ୱିନୀ କୁମାରଙ୍କୁ ଆବାହନ କରିବାକୁ ଚାହାଁନ୍ତି । କୁନ୍ତୀଙ୍କ ମନ୍ତ୍ର ଶକ୍ତି ଓ ମାଦ୍ରୀଙ୍କ ସ୍ମରଣ ଫଳରେ ଦୁଇ ଅଶ୍ୱିନୀ କୁମାର ଆସି ପହଞ୍ଚିଲେ ଓ ମାଦ୍ରୀ ଗର୍ଭବତୀ ହେଲେ । ତାପରେ ଉପଯୁକ୍ତ ସମୟରେ ମାଦ୍ରୀଙ୍କ ଗର୍ଭରୁ ଏକାବେଳେ ଦୁଇଟି ପୁଅ ଜନ୍ମ ନେଲେ । ଜମଜ ସନ୍ତାନ । ଯାଆଁଳା ହୋଇ ଜନ୍ମ ହେଇଥିବା ଦୁଇ ଭାଇଙ୍କ ନାମ ରଖାଗଲା ନକୁଳ ଓ ସହଦେବ ।

କିଛି ଦିନ ପରେ ପଣ୍ଡୁ ଆସି ପୁଣି ଥରେ କୁନ୍ତୀଙ୍କୁ ଅନୁରୋଧ କରି କହିଲେ, ତୁମେ ତ ତିନି ପୁଅ ପରେ ଆଉ ସନ୍ତାନ ଜନ୍ମ କରିବାକୁ ଚାହୁଁନ, କିନ୍ତୁ ମାଦ୍ରୀ ଆଉ ଥରେ ମା ହେଇ ପାରିବ । ଆଉ ଥରେ ତୁମ ମନ୍ତ୍ର ଶକ୍ତି ପ୍ରୟୋଗ କରି ତାକୁ ଆଉ ଏକ ସୁଯୋଗ ଦିଆଯାଉ । କୁନ୍ତୀ କିନ୍ତୁ ଚାହୁଁନଥିଲେ ତାଙ୍କରି ମନ୍ତ୍ର ବଳରେ ମାଦ୍ରୀ ତାଙ୍କ ଠାରୁ ଅଧିକ ସନ୍ତାନର ମାଆ ହୁଅନ୍ତୁ । ପ୍ରଥମ ସୁଯୋଗରେ ମାଦ୍ରୀ ଚାଲାକି କରି ଏକାଥରେ ଦୁଇ ସନ୍ତାନ ପ୍ରାପ୍ତ କରିବାକୁ ଦୁଇ ଦେବତାଙ୍କୁ ଡାକିଦେଲେ । ଏବେ ଆଉ ଥରେ ସୁଯୋଗ ପାଇଲେ କେତେଜଣଙ୍କୁ ଏକାଥରେ ଡାକିବେ କିଏ ଜାଣେ । ହୁଏତ ଏକାଥରେ ଦଶ ଦେବତାଙ୍କୁ ବି ଆବାହନ କରି ବହୁପୁତ୍ରର ଜନନୀ ହେଇଯିବେ । ଏକା ଥରେ ଅନେକ ଦେବତାଙ୍କୁ ଆବାହନ କରିବା କଥା ଆଗରୁ କୁନ୍ତୀଙ୍କର ମୁଣ୍ଡରେ ପଶିନଥିଲା । ଏବେ କିନ୍ତୁ ଆଉ ଏକ ସୁଯୋଗ ସେ ଅନ୍ୟକୁ ଦେଇ ପାରିବେନି । କୁନ୍ତୀ ଏମିତି କିଛି ଚିନ୍ତା କରି ପଣ୍ଡୁଙ୍କୁ ସିଧା ମନା କରିଦେଲେ । କହିଲେ ନା, ମାଦ୍ରୀ ଦୁଇ ପୁଅରେ ସନ୍ତୁଷ୍ଟ ରହୁ । ପଣ୍ଡୁ ଫେରିଗଲେ । ପଣ୍ଡୁଙ୍କର ଅନେକ ପୁତ୍ରର ଜନକ ହେବାର ଯେଉଁ ଇଚ୍ଛାଟି ଥିଲା ତାହା ଆଉ ଫଳବତୀ ହେଲାନି ।

ଏବେ ପଣ୍ଡୁଙ୍କର ପାଞ୍ଚ ପୁଅ । ପଣ୍ଡୁଙ୍କ ପୁଅ ବୋଲି ସେମାନେ ପାଣ୍ଡବ । ପଞ୍ଚୁ ପାଣ୍ଡବ । ସବୁଠାରୁ ବଡ ହେଲେ ଧାର୍ମିକ ଯୁଧିଷ୍ଠିର, ତା ତଳକୁ ବଳଶାଳୀ ଭୀମସେନ । ତୃତୀୟ ପୁତ୍ର ହେଲେ ପାରିବାର ଅର୍ଜୁନ ଓ ତା' ତଳକୁ ସୁଦର୍ଶନ ନକୁଳ ଏବଂ ଜ୍ଞାନୀ ସହଦେବ ।

ପାହାଡ଼, ଜଙ୍ଗଲ ଓ ଝରଣା ପରିବେଷ୍ଟିତ ପରିବେଶରେ ନିଜ ପାଞ୍ଚ ପିଲାମାନଙ୍କୁ ଦେଖି ଦେଖି ପଣ୍ଡୁଙ୍କର ବଡ ଆନନ୍ଦରେ ସମୟ କଟିବାକୁ ଲାଗିଥାଏ । ସେଥର ବସନ୍ତ ଋତୁର ସମୟ ହୋଇଥାଏ। ଗଛମାନଙ୍କରେ ନୂଆ ପତ୍ର ଓ ଫୁଲ ଆସିଥାଏ । ସାରା ଜଙ୍ଗଲ ସୁଗନ୍ଧିରେ ଭରି ଯାଇଥାଏ । ବଣୁଆ ପଶୁ ପକ୍ଷୀମାନେ ଆନନ୍ଦରେ ନୃତ୍ୟ କରୁଥାନ୍ତି । ଦିନେ ସକାଳୁ ସକାଳୁ କଅଁଳିଆ ଖରାରେ ପଣ୍ଡୁ ଓ ତାଙ୍କ ପରିବାର ଅରଣ୍ୟରେ ଭ୍ରମଣ କରୁଥାନ୍ତି । କିଛି ସମୟ ପରେ ଚାଲୁ ଚାଲୁ ପଣ୍ଡୁ ଓ ମାଦ୍ରୀ ଅନ୍ୟମାନଙ୍କ ଠାରୁ ଅଲଗା ଏକ ଜଙ୍ଗଲୀ ରାସ୍ତାରେ ଅନ୍ୟ ଦିଗରେ ଚାଲିଗଲେ । ସକାଳୁ ସକାଳୁ ଝରଣା ପାଣିରେ ଗାଧେଇ, ମାଦ୍ରୀ ସେଦିନ ଏକ ଝିନ ବସନ ପରିଧାନ କରିଥା'ନ୍ତି । ବଡ ବଡ ଗଛମାନଙ୍କ ପତ୍ର ଓ ଶାଖା ଫାଙ୍କରୁ ସକାଳର ସୁନେଲୀ ସୂର୍ଯ୍ୟ କିରଣ ମଝିରେ ମଝିରେ ମାଦ୍ରୀଙ୍କ ଉପରେ ପଡୁଥାଏ । ସୁନ୍ଦରୀ ଯୌବନବତୀ ମାଦ୍ରୀଙ୍କୁ ଅତି ପାଖରୁ ଦେଖୁଥା'ନ୍ତି ପଣ୍ଡୁ । ଧିରେ ଧିରେ କୌଣସି ମାଦକ ଦ୍ରବ୍ୟର ଅଜଣା ନିଶାରେ ନିଶାସକ୍ତ ହେଲାପରି ମାଦ୍ରୀଙ୍କ ପ୍ରତି ତୀବ୍ର ଆକର୍ଷଣ ଅନୁଭବ କରୁଥାନ୍ତି ପଣ୍ଡୁ । ମାଦ୍ରୀଙ୍କର ରୂପ ଲବଣ୍ୟ ଦେଖି ଦେହରେ ତାଙ୍କର କାମନାର ନିଆଁ ଜଳୁଥାଏ । ଋଷିଙ୍କ ଅଭିଶାପ ପାଣ୍ଡୁଙ୍କୁ ଆଉ ବେଶି ସମୟ ଆକଟ କରି ରଖିପାରିଲାନି । ହଠାତ୍ ଏକ ଅତି ନିକାଞ୍ଚନ ସ୍ଥାନରେ ସେ ମାଦ୍ରୀଙ୍କୁ ଆଲିଙ୍ଗନ କରିପକାଇଲେ ।

Birth of hundred sons from hundred clay potsଶତ ମାଟି ପାତ୍ରରୁ ଶତ ପୁତ୍ରଙ୍କ ଜନ୍ମ ଘଟଣା ଓ ଅଭିଶପ୍ତ ରାଜାଙ୍କ ମୃତ୍ୟୁ ବୃତାନ୍ତ

ମାଦ୍ରୀ କିନ୍ଦମ ଋଷିଙ୍କର ଅଭିଶାପ କଥା ଜାଣନ୍ତି । ପଣ୍ଡୁଙ୍କର ତାଙ୍କ ସହ ମିଳନର ପରାଭବ କ'ଣ ହେବ ସେକଥା ବି ଜାଣନ୍ତି । ତେଣୁ ସେ ପଣ୍ଡୁଙ୍କୁ ଅଟକାଇବାକୁ ଓ ବୁଝାଇବାକୁ ଖୁବ ଚେଷ୍ଟା କଲେ । କିନ୍ତୁ ପଣ୍ଡୁ ସେତବେଳକୁ ଆଉ କିଛି ବି ବୁଝିବା ଅବସ୍ଥାରେ ନଥା'ନ୍ତି। ସେ ଯୋର ଜବରଦସ୍ତି ମାଦ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଠା କରୁଥା'ନ୍ତି ।

କିଛି ସମୟ ପରେ ମାଦ୍ରୀ ହଠାତ୍ ଅନୁଭବ କେଲେ ତାଙ୍କ ବାହୁବନ୍ଧନରେ ରହିଥିବା ପାଣ୍ଡୁଙ୍କ ଶରୀର ଏବେ ନିଶ୍ଚଳ-ନିସ୍ପନ୍ଦ ହୋଇସାରିଛି । ଋଷିଙ୍କର ଅଭିଶାପ ଫଳିଛି । ଶୃଙ୍ଗାର ମଝିରୁ ପାଣ୍ଡୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏତେ ଦିନ ଧରି ନିଜକୁ ଶୃଙ୍ଖଳା ଭିତରେ ରଖି, ଜପ-ତପ ଯୋଗ ସାଧନା କରୁଥିବା ପଣ୍ଡୁ ଶେଷକୁ କାମନା କବଳରେ କବଳିତ ହେଇ ଦେହ ତ୍ୟାଗ କଲେ। ହଠାତ୍ ନିଜର କୋଳରେ ପଣ୍ଡୁଙ୍କ ମର ଶରୀର ଦେଖି ମାଦ୍ରୀ ଅତ୍ୟନ୍ତ ବିଚଳିତ ହୋଇ କୁନ୍ତୀଙ୍କୁ ଡାକ ପକାଇଲେ । କୁନ୍ତୀ ଓ ପିଲାମାନେ ଆସି ଦେଖିଲେ ପଣ୍ଡୁ ଚିର ନିଦ୍ରାରେ ଶୋଇ ଯାଇଛନ୍ତି। କୁନ୍ତି ବୁଝିଗଲେ ଏଠି ଘଟଣା କ'ଣ ଘଟିବାକୁ ଯାଉଥିଲା ଓ କ'ଣ ଘଟିଯାଇଛି । ସେ ମାଦ୍ରୀଙ୍କୁ ସେଥିପାଇଁ ଦାୟୀ କରିବାରୁ ମାଦ୍ରୀ ସବୁକଥା କୁନ୍ତୀଙ୍କୁ ବୁଝାଇ କହିଲେ ।

ତାପରେ କୁନ୍ତୀ କହିଲେ ସେ ବଡ । ତେଣୁ ପ୍ରଥା ଅନୁସାରେ ଏବେ ତାଙ୍କୁ ପାଣ୍ଡୁଙ୍କ ସହ ସତୀ ହୋଇ ଦେହ ତ୍ୟାଗ କରିବାକୁ ପଡିବ । ମାଦ୍ରୀ କହିଲେ, ନା ସ୍ୱାମୀ ତାଙ୍କରି କୋଳରେ ଦେହ ତ୍ୟାଗ କରିଛନ୍ତି । ତେଣୁ ସେ ହିଁ ସତୀ ହେବେ । କୁନ୍ତୀ ବରଂ ପାଞ୍ଚ ପିଲାଙ୍କୁ ଉପଯୁକ୍ତ ଲାଳନ ପାଳନ କରି ମଣିଷ କରିବାର ଦାୟିତ୍ୱ ନିଅନ୍ତୁ ।

ପଣ୍ଡୁଙ୍କର ମୃତ୍ୟୁ ଖବର ସେଠାର ଅନ୍ୟ ତପସ୍ୱୀମାନେ ପାଇଲେ । ସେମାନେ ସମସ୍ତଙ୍କୁ ଧରି ହସ୍ତିନା ନଗରକୁ ଆସିଲେ ଓ ସମସ୍ତ ଘଟଣା ଧୃତରାଷ୍ଟ୍ର, ଭୀଷ୍ମ, ବିଦୁର ଓ ସତ୍ୟବତୀଙ୍କୁ ବର୍ଣ୍ଣନା କରି ବୁଝାଇ କହିଲେ । ରାଜା ଧୃତରାଷ୍ଟ୍ରଙ୍କ ଆଦେଶରେ ପଣ୍ଡୁଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା । ମୃତ ସ୍ୱାମୀଙ୍କ ଚିତା ଅଗ୍ନିରେ ପ୍ରବେଶ କରି ମାଦ୍ରୀ ଦେହ ତ୍ୟାଗକଲେ । ହସ୍ତିନାପୁରର ରାଜ ନଅରରେ ପଣ୍ଡୁ ଓ ମାଦ୍ରୀଙ୍କ ମୃତ୍ୟୁ ପରର ସମସ୍ତ ବିଧି ବିଧାନ ପାଳନ କରାଗଲା ।

ପାଞ୍ଚ ପୁଅଙ୍କୁ ଧରି କୁନ୍ତିଙ୍କୁ ହସ୍ତିନାପୁରର ରାଜନଅରରେ ରହିବାକୁ ହେଲା । ଏବେ ହସ୍ତିନା ନଗରରେ ଧୃତରାଷ୍ଟ୍ରଙ୍କ ଶହେ ପୁଅ ଓ ପଣ୍ଡୁଙ୍କର ପାଞ୍ଚ ପୁଅ ସାଙ୍ଗ ହୋଇ ରହିଲେ । ସାଙ୍ଗ ହୋଇ ଖେଳ କୁଦ କଲେ । ସାଙ୍ଗ ହେଇ ବାଳ ସୁଲଭ ଦୁଷ୍ଟାମି ସବୁ କଲେ ।

Mahabharata Special Story Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ