Advertisment

Mahabharat Story: ଭୀମଙ୍କ ନାରୀ ବେଶ ଓ କିଚକ ବଧ ପ୍ରସଙ୍ଗ

ରାତି ଅଧରେ ନୃତ୍ୟ ମନ୍ଦିରରେ ଭୀମ ଲୁଚି ଶୋଇଥିଲେ କାହିଁକି ? କାହିଁକି କିଚକର ପରିବାର ଲୋକ ଚାହୁଁଥିଲେ କିଚକ ସହ ଦ୍ରୌପଦୀଙ୍କୁ ଜୀବନ୍ତ ଜାଳିଦେବେ ? ମଶାଣୀ ଭୂଇଁରୁ ଦ୍ରୌପଦୀଙ୍କୁ ପୁଣି ବଞ୍ଚାଇଲା କିଏ ? ଏଇପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

Advertisment

ଭୀମସେନଙ୍କ ଯୋଜନା ଅନୁସାରେ ଦ୍ରୌପଦୀ କିଚକକୁ ନିର୍ଜନ ରାତିରେ ନୃତ୍ୟମନ୍ଦିରରେ ସାକ୍ଷାତ କରିବେ ବୋଲି ସୂଚନା ଦେଲେ। କିଚକ ସୁଯୋଗକୁ ଚାହିଁ ବସିଥିଲା । ସେ ବଡ଼ ଆନନ୍ଦରେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା। ତାପରେ ଦ୍ରୌପଦୀ ସେ ଖବର ରୋଷଶାଳକୁ ଆସି ଭୀମଙ୍କୁ ଦେଲେ । 

Advertisment

ଦ୍ରୌପଦୀଙ୍କ ସମ୍ମତି ପରେ କିଚକର ସେଦିନ ଖୁସିର ଆଉ ସୀମା ନଥାଏ । ସେ ବିଭିନ୍ନ ପ୍ରକାର ନୂଆ ବେଶ ପୋଷାକ ଓ ଅଳଙ୍କାର ପିନ୍ଧି ନିଜକୁ ସଜେଇବାରେ ଲାଗିଲା । ଦେହରେ ଚନ୍ଦନ, ଅଗୁର ଆଦି ସୁଗନ୍ଧ ଦ୍ରବ୍ୟ ଲଗାଇଲା ଓ ବେକରେ ବାସ୍ନା ଫୁଲର ମାଳା ପକେଇଲା । ସେ ବଡ଼ ବ୍ୟସ୍ତ ଥାଏ କେମିତି ଶୀଘ୍ର ଦିନଟା ସରିବ ଓ ରାତି ହେବ । ଅନ୍ୟ ଦିନମାନଙ୍କ ଅପେକ୍ଷା ସେ ଦିନଟି ତାକୁ ବଡ଼ ଲମ୍ବା ଲାଗୁଥାଏ । ମୁହୁର୍ତ୍ତଟେ ଯୁଗଟେ ପରି ଲାଗୁଥାଏ । କାମ ଅଗ୍ନିରେ ସାରା ଶରୀର ତା'ର ଯେମିତି ଜଳି ଯାଉଥାଏ । ଭୀଷଣ ଉଦବେଗରେ କିଚକର ଦିନଟି କଟିଲା । ଶେଷରେ ଦିନ ସରି ସନ୍ଧ୍ୟା ଯାଇ ରାତି ହେଲା । ରାତି ଗାଢ଼ ହେଲାପରେ କିଚକ ଧିର ସୁସ୍ଥେ ଲୁଚି ଲୁଚି ନୃତ୍ୟମନ୍ଦିରକୁ ଅଭିସାରରେ ବାହାରିଲା । 

ଦିନରେ ନୃତ୍ୟମନ୍ଦିରରେ ନାଚ ଗୀତ ହୁଏ । ରାତିରେ ସେଠି କେହିନଥା'ନ୍ତି କି କୌଣସି ଆଲୋକର ବ୍ୟବସ୍ଥା ନଥାଏ । କିଚକ ନୃତ୍ୟମନ୍ଦିରରେ ପ୍ରବେଶ କରି ଅନ୍ଧାରରେ ପ୍ରଥମେ କାହାକୁ ନପାଇ ପ୍ରେମପୂର୍ଣ୍ଣ ନରମ ସ୍ୱରରେ ଦ୍ରୌପଦୀଙ୍କୁ ଡାକିଲା, “ହେ ସୁନ୍ଦରୀ ସୈରୀନ୍ଧ୍ରୀ! କୋଉଠି ଲୁଚିଛ? ପ୍ରାଣପ୍ରିୟେ ଶୀଘ୍ର ମୋ ପାଖକୁ ଆସ । ତୁମ କୋମଳ ଅଙ୍ଗର ସ୍ପର୍ଶ ପାଇବା ପାଇଁ ମୁଁ କେତେ ବ୍ୟାକୁଳ ତୁମେ ବୁଝିପାରିବନି । ମୋ ଠାରୁ ସୁନ୍ଦର ସୁପୁରୁଷ ଏ ଖଣ୍ଡ ମଣ୍ଡଳରେ ନାହାଁନ୍ତି ବୋଲି ଆମ ଅନ୍ତଃପୁରର ନାରୀମାନେ ମୋତେ ପ୍ରସଂଶା କରି କୁହନ୍ତି । ମୋତେ ପାଇ ତୁମେ କେତେ ଭାଗ୍ୟବାନ ବୁଝିପାରୁନ ।“ 

Advertisment

ଏମିତି ଅନେକ ପ୍ରକାରର ଚାଟୁ କଥା କହି କିଚକ ନୃତ୍ୟମନ୍ଦିରରେ ପଡ଼ିଥିବା ପଲଙ୍କ ପାଖରେ ପହଞ୍ଚିଲା । ପଲଙ୍କରେ ଶାଢ଼ି ପିନ୍ଧି ଭୀମସେନ ଆଗରୁ ଶୋଇଥିଲେ । ଅତି ଆବେଗରେ କିଚକ ପଲଙ୍କରେ ଶୋଇଥିବା ଭୀମସେନଙ୍କୁ ସୈରୀନ୍ଧ୍ରୀ ଭାବି କୋମଳ ସ୍ପର୍ଶ କରୁ କରୁ ଗୋଟେ ଭୟଙ୍କର ବଜ୍ରମୁଷ୍ଠି ଆସି ତା' ମୁହଁରେ ବାଜିଲା । ଅପ୍ରସ୍ତୁତ କିଚକ ହଠାତ୍ କିଛି ଭାବିବା ଆଗରୁ ତଳେ ପଡିଗଲା ଓ ଭୀମ ତା' ଉପରକୁ କୁଦି ପଡିଲେ । କିଚକ ଖୁବ ଶୀଘ୍ର ବୁଝିଗଲା ସେ ଯାହାକୁ ସୈରିନ୍ଧ୍ରୀ ଭାବିଥିଲା ସେ ଆଉ କେହିଜଣେ ବଳଶାଳୀ ବ୍ୟକ୍ତି । 

କିଚକକୁ ମାଡ଼ିବସି ହସି ହସି ଭୀମ କହିଲେ, “ଆହାଃ ତୁମ ପରି ସୁପରୁଷ, କାମକଳା ନିପୁଣ ନାରୀମନଲୋଭା ପ୍ରେମିକ ମୁଁ ଜୀବନରେ ଦେଖିନି । ତୁମ ଅଙ୍ଗ ସ୍ପର୍ଶକରି ମୁଁ ଯୋଉ ଆନନ୍ଦ ଆଜି ପାଇଲି ସେପରି ଆନନ୍ଦ କେବେବି ପାଇନଥିଲି ।“ ଭୀମ ପୁଣି କହିଲେ "ଆରେ ପାପୀ ନରାଧମ, ପର୍ବତ ଆକାରର ହାତୀକୁ ସିଂହ ଆକ୍ରମଣ କରି ହତ୍ୟା କଲାପରି ତୋତେ ଏବେ ହତ୍ୟା କରିବି । ମୋ ହାତରୁ ତୋତେ ଆଜି କେହିବି ରକ୍ଷା କରିପାରିବେନି । ତୁ ମଲେ ସୈରିନ୍ଧ୍ରୀ ସୁଖରେ ରହିବ । ବହୁତ କଷ୍ଟ ତାକୁ ତୁ ଦେଇସାରିଲୁଣି।“ 

Advertisment

ଭୀମ କିଚକର କେଶକୁ ଧରି ଆକର୍ଷଣ କଲା ବେଳକୁ କିଚକ ତା'ର କେଶକୁ ଭୀମଙ୍କ ହାତରୁ ମୁକୁଳାଇ ନେଲା । ଶାରିରୀକ ଭାବରେ କିଚକ ଖୁବ ବଳୁଆ ଥିଲା ଓ ମଲ୍ଲ ଯୁଦ୍ଧର କଳା କୌଶଳ ତାକୁ ବେଶ୍ ଜଣା ଥିଲା। ଅତର୍କିତ ଆକ୍ରମଣର ଚକିତ ଭାବ କଟିଗଲା ପରେ ସେ ହୁଙ୍କାର ଦେଇ ଭୀମଙ୍କ ସହ ବଳ କଷି ଲଢ଼ିବାକୁ ଲାଗିଲା । ମାଦା ହାତୀ ପାଇଁ ଦୁଇ ନରହାତୀ ଅବା ତାରା ପାଇଁ ବାଳୀ ସୁଗ୍ରୀବ ଲଢ଼ିଲା ପରି ଦୁହେଁ ଭୀଷଣ ଭାବରେ ପରସ୍ପର ସହ ଲଢ଼େଇ କଲେ । 

କିଛି ସମୟ ଲଢ଼େଇ କଲା ପରେ କୀଚକ ଆଉ ଭୀମଙ୍କ ସହ ଲଢ଼ିପାରିଲାନି । ଭୀମ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି କିଚକର ଛାତିରେ ବଜ୍ରମୁଷ୍ଠି ଆଘାତ କଲେ । ତାପରେ କିଚକକୁ ଶୂନ୍ୟକୁ ଉଠେଇ ଘୁରେଇବାକୁ ଲାଗିଲେ ଓ କିଛି ସମୟ ପରେ ଖୁବ ଜୋରରେ ତଳେ କଚାଡ଼ି ଦେଲେ । କିଚକର ବେକକୁ ନିଜ ଦୁଇ ହାତରେ ଖୁବ ଜୋରରେ ଚିପିଲାରୁ ସେ କ୍ରମେ ଚୁପ୍ ହୋଇଗଲା ଓ ଦେହ ତା'ର ଅଶାଢ ହେଇଗଲା । ଭୀମ ଆଉଥରେ କିଚକକୁ ଶୂନ୍ୟକୁ ଉଠେଇ ତଳେ କଚାଡ଼ି ଦେଲେ । ଭଙ୍ଗା ଭେରୀ ବାଜିଲା ପରି ଶବ୍ଦ କରି କିଚକର ପ୍ରାଣବାୟୁ ତା' ଶରୀରରୁ ବାହାରିଗଲା । କିଚକର ଶରୀର ନିସ୍ତେଜ ହେଲାପରେ ବି ଭୀମଙ୍କର କ୍ରୋଧ କମିନଥାଏ। ସେ କିଚକର ମୁଣ୍ଡ, ଦେହ, ହାତ ଓ ଗୋଡ଼କୁ ମିଶେଇ ଗୋଟେ ମାଂସ ପିଣ୍ଡୁଳା ପରି କରି କଡ଼କୁ ଗଡ଼େଇଦେଲେ । 

ଭୀମ ଦ୍ରୌପଦୀଙ୍କୁ ଡାକିଆଣି ମାଂସ ପିଣ୍ଡୁଳା ହୋଇ ନୃତ୍ୟମନ୍ଦିରରେ ପଡ଼ିଥିବା କିଚକକୁ ଦେଖାଇଲେ । ତାପରେ ଭୀମ ରୋଷଶାଳକୁ ତରତରରେ ବାହାରିଗଲେ ଓ ଭଲରେ ଗାଧୁଆ ପାଧୁଆ କରି ଶୋଇପଡିଲେ । ଦ୍ରୌପଦୀ ରକ୍ଷୀମାନଙ୍କୁ ଡାକି ଖବର ଦେଇ କହିଲେ ତମ ସେନାପତି କିଚକ ମୋ ଉପରେ ପାପ ଦୃଷ୍ଟି ପକାଇଲା ବୋଲି ମୋର ଗନ୍ଧର୍ବ ସ୍ୱାମୀମାନେ ତାକୁ ତା'ର ଉପଯୁକ୍ତ ଶାସ୍ତି ଦେଇଛନ୍ତି । ତୁମେସବୁ ନୃତ୍ୟମନ୍ଦିର ଯାଇ କିଚକର ଅବସ୍ଥା ଦେଖିପାର । 

ମହାଭାରତ କଥାମହାଭାରତ କଥା

ଦ୍ରୌପଦୀଙ୍କ କଥା ଶୁଣି ରକ୍ଷୀମାନେ ଧାଇଁ ଯାଇ ଦେଖିଲେ ମହାବଳୀ କିଚକ ରକ୍ତ ଜୁଡୁବୁଡୁ ହୋଇ ଗୋଟେ ମାଂସ ପିଣ୍ଡୁଳା ହୋଇ ମରି ପଡିଛି। ସେମାନେ ବିଶ୍ୱାସ କରିପାରିଲେନି କିଚକଙ୍କ ପରି ଯୋଦ୍ଧାକୁ କେହି ହରେଇ ଏମିତି ବିଭତ୍ସ କରି ହତ୍ୟା କରିପାରେ । ସେମାନେ ଅବସ୍ଥା ଦେଖି ଭାବିଲେ କିଚକକୁ କୌଣସି ମଣିଷ ମାରି ଏମିତି କରିପାରିବନି । ଏହା ନିଶ୍ଚିନ୍ତ ଭାବରେ ଗନ୍ଧର୍ବମାନଙ୍କର କାମ । 

ଖବର ପାଇଲା ପରେ କିଚକର କୁଟୁମ୍ବମାନେ କିଚକକୁ ଦେଖିବାକୁ ଆସି କାନ୍ଦିବାକୁ ଲାଗିଲେ। କିଚକର ଅନ୍ତେଷ୍ଟି ପାଇଁ ବାହାରିଲା ବେଳକୁ ସେମାନେ ଦେଖିଲେ ଦ୍ରୌପଦୀ ଗୋଟେ ଖୁଣ୍ଟକୁ ଆଉଜି ଛିଡା ହୋଇଛନ୍ତି । କିଚକର ପରିଜନମାନେ ରାଜା ବିରାଟଙ୍କ ପାଖକୁ ଯାଇଁ କହିଲେ, “ପାପିନୀ ସୈରିନ୍ଧ୍ରୀ ପାଇଁ କିଚକର ମରଣ ହେଇଛି । ତେଣୁ କିଚକର ଶବ ସହ ସୈରିନ୍ଧ୍ରୀକୁ ଜୀବନ୍ତ ଦାହ କରିବାର ଅନୁମତି ଦିଅନ୍ତୁ । କିଚକର ଆତ୍ମା ଏଥିରେ ଶାନ୍ତି ପାଇବ।“ ବିରାଟ ରାଜା କିଚକର ପରିଜନଙ୍କୁ ବି ଭୟ କରୁଥିଲେ । ତେଣୁ ପ୍ରସ୍ତାବରେ ହଁ ମାରିଦେଲେ । କିଚକର କୁଟୁମ୍ବ ଆଉ ବିଳମ୍ବ ନକରି ଦ୍ରୌପଦୀଙ୍କୁ ଜବରଦସ୍ତ ଧରିଆଣି କିଚକର ଶବ ସହ ଜୋର କରି ବାନ୍ଧିପକାଇଲେ । ଦ୍ରୌପଦୀ ଭୟ ଓ ଆତଙ୍କରେ କାନ୍ଦି କାନ୍ଦି ଚିତ୍କାର କରିବାକୁ ଲାଗିଥା'ନ୍ତି । ସିଧା ସଳଖ ପାଣ୍ଡବ ପାଞ୍ଚ ଭାଇଙ୍କୁ ଡାକିନପାରି ଅନ୍ୟ ନାମରେ ରକ୍ଷା କରିବାକୁ ଡାକ ପକାଉଥା'ନ୍ତି । ଦ୍ରୌପଦୀଙ୍କ ଆର୍ତ୍ତ ଚିତ୍କାର ଭୀମସେନ ଶୁଣିପାରିଲେ । ଭୀମ ପ୍ରଥମେ ଗନ୍ଧର୍ବର ବେଶ ଧରିଲେ । ତାପରେ ଭୀମ ମୂଖ୍ୟ ଦରଜା ପଟରେ ନଯାଇ ପାଚେରୀ ଡେଇଁ ବାହାରକୁ ଗଲେ ଓ କିଚକକୁ ଦାହ ପାଇଁ ଯେଉଁ ଶ୍ମଶାନକୁ ନିଆଯାଉଥିଲା ସେଠାକୁ ଧାଇଁଲେ । 

କିଚକର ପରିଜନ ବର୍ଗ ଦେଖିଲେ ବିଶାଳ ଆକାରର ଗନ୍ଧର୍ବ ଜଣେ ବିରାଟ ଗୋଟେ ଗଛକୁ ଉପାଡି ଯମ ପରି ସେମାନଙ୍କ ଆଡ଼କୁ ମାଡ଼ିଆସୁଛି । ସେମାନେ ବୁଝିଗଲେ ସେମାନେ ବାନ୍ଧି ଆଣିଥିବା ସୈରିନ୍ଧ୍ରୀ ପାଇଁ ଗନ୍ଧର୍ବ କ୍ରୋଧରେ ସେମାନଙ୍କ ଉପରେ ଏବେ ନିଶ୍ଚୟ ଆକ୍ରମଣ କରିବ । ସେମାନେ ଭୟରେ ନଗର ଆଡ଼କୁ ଧାଇଁବାକୁ ଲାଗିଲେ । କିନ୍ତୁ ଭୀମ ସେମାନଙ୍କୁ ଜୀବନ୍ତ ଛାଡ଼ିଦେବାକୁ ପ୍ରସ୍ତୁତ ନଥିଲେ । ବଡ଼ ବଡ଼ ଗଛ ଫୋପାଡ଼ି ଭୀମ କିଚକର ପରିଜନଙ୍କ ଭିତରୁ ଶହେ ପାଞ୍ଚ ଜଣଙ୍କୁ ସେଇଠି ମାରିପକେଇଲେ । ଭୀମ ତାପରେ ଦ୍ରୌପଦୀଙ୍କ ବନ୍ଧନ ଫିଟାଇ ଆଖିର ଲୁହକୁ ପୋଛିଦେଇ କହିଲେ, “ତୁମେ ଏବେ ବିନା ଡରରେ ସିଧା ରାଜନଗରକୁ ଯାଅ । ମୁଁ ଅନ୍ୟ ରାସ୍ତାରେ ଆସିବି ।” 

ଦ୍ରୌପଦୀ ଫେରିଲା ବେଳକୁ ତାଙ୍କୁ ନଗରବାସୀମାନେ ଭୟପୂର୍ଣ୍ଣ ଆଖିରେ ଚାହୁଁଥା'ନ୍ତି । କିଚକ ଓ ତା'ର ପରିଜନମାନଙ୍କ ମୃତ୍ୟୁ ପରେ ସମସ୍ତେ ଭାବୁଥିଲେ ସୈରିନ୍ଧ୍ରୀଙ୍କର କିଛି ବି ଅସୁବିଧା ହେଲେ ଗନ୍ଧର୍ବମାନେ କଠୋର ଶାସ୍ତି ଦେବେ । ନଗରବାସୀ ରାଜା ବିରାଟଙ୍କୁ ଦେଖାକରି କହିଲେ, “ମହାରାଜ ପରିଚାରିକା ସୈରିନ୍ଧ୍ରୀ ଅପରୂପା ସୁନ୍ଦରୀ । ତାଙ୍କୁ ଦେଖିଲେ ଯେକୌଣସି ପୁରୁଷର ମନ ବିଚଳିତ ହୋଇଯିବ । କିନ୍ତୁ ତାପରେ ସେ ଲୋକର ଅବସ୍ଥା ସେନାପତି କିଚକଙ୍କ ପରି ହେବନି ବୋଲି କିଏ କହିପାରିବ? ତେଣୁ ଆପଣ କିଛି ପ୍ରତିକାର କରନ୍ତୁ । ସୈରିନ୍ଧ୍ରୀ ରାଜପ୍ରାସାଦରେ ରହିଲା ପର୍ଯ୍ୟନ୍ତ ଏଠି କେହିବି ନିରାପଦ ନୁହଁନ୍ତି।"

ରାଜା ବିରାଟ ନଗରବାସୀଙ୍କ କଥା ଶୁଣି ରାଣୀ ସୁଦେଷ୍ଣାଙ୍କୁ ଡକାଇ କହିଲେ, ସେ ସୈରିନ୍ଧ୍ରୀକୁ ବୁଝାଇ ସୁଝାଇ ରାଣୀ ଅନ୍ତଃପୁରରୁ ଶୀଘ୍ର ବିଦାୟ ଦିଅନ୍ତୁ । ଦ୍ରୌପଦୀ ଅନ୍ତଃପୁରରେ ପହଞ୍ଚିଲା ପରେ ରାଣୀ ସୁଦେଷ୍ଣା କହିଲେ, “ହେ ସୈରିନ୍ଧ୍ରୀ! ରାଜା ଓ ନଗରବାସୀ ତୁମ ସ୍ଵାମୀ ଗନ୍ଧର୍ବମାନଙ୍କୁ ଭୟ କରୁଛନ୍ତି । ମତ୍ସ ଦେଶବାସୀ କିଚକର ମୃତ୍ୟୁପରେ ଆତଙ୍କରେ ଅଛନ୍ତି । ତୁମର ସୌନ୍ଦର୍ଯ୍ୟକୁ ନେଇ ସମସ୍ତଙ୍କର ଭୟ । କିଏ କେତେବେଳେ ସେଥିପାଇଁ ଗନ୍ଧର୍ବଙ୍କ ହାତରେ ଦଣ୍ଡ ଭୋଗିବ କିଏ ଜାଣେ? ତେଣୁ ତୁମେ ତମ ମନ ଇଚ୍ଛାରେ ମତ୍ସ ରାଜ୍ୟ ଛାଡ଼ି ଅନ୍ୟତ୍ର ଚାଲିଯାଅ । ଏଥିରେ ସମସ୍ତଙ୍କର ମଙ୍ଗଳ ହେବ ।“

ଦ୍ରୌପଦୀ କହିଲେ, "ମହାରାଣୀ ବିପଦ ସମୟରେ ଆପଣ ମୋତେ ଆଶ୍ରୟ ଦେଇଛନ୍ତି। ତେଣୁ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧାରେ ମୁଁ ପକାଇବିନି । ମୋତେ ଆଉ ମାତ୍ର ତେରଦିନ ଏଠାରେ ରହିବାକୁ ଦିଅନ୍ତୁ । ତେରଦିନ ସରିଲେ ମୋ ସ୍ୱାମୀ ଗନ୍ଧର୍ବମାନଙ୍କର ବ୍ରତ ସରିଯିବ। ସେମାନେ ତାପରେ ଆପଣଙ୍କ ରାଜ୍ୟ ପାଇଁ ଅନେକ ସାହାଯ୍ୟ ଓ ସହଯୋଗ କରିବେ ।“

ସୁଦେଷ୍ଣାବି ମନେ ମନେ ସୈରିନ୍ଧ୍ରୀଙ୍କୁ ଓ ତାଙ୍କ ଗନ୍ଧର୍ବ ପତିମାନଙ୍କୁ ଭୟ କରୁଥିଲେ । ଦ୍ରୌପଦୀଙ୍କୁ ସିଧା ସିଧା ମନା କରିବାକୁ ସେ ସାହସ କଲେନି। ଆଉ ମାତ୍ର ତେର ଦିନର କଥା। ସୁଦେଷ୍ଣା ଚୁପ୍ ରହିଲେ ।

Mahabharat Mahabharat Bheem Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ