ଲୋମଶ ମହର୍ଷିଙ୍କ ସହ ପାଣ୍ଡବ ପରିବାର ଏବଂ ଅନ୍ୟମାନେ ଯାଇ ମନ୍ଦରଗିରି ଓ ଶ୍ୱେତଗିରିରେ ପହଞ୍ଚିଲେ । ଲୋମଶ କହିଲେ, ଏଠାରେ ମାଣିବର ନାମକ ଯକ୍ଷ ଓ ଯକ୍ଷପତି କୁବେର ବାସ କରନ୍ତି । ମାଣିବରଙ୍କୁ ଅଠାଅଶି ହଜାର ଗନ୍ଧର୍ବ ଓ ତା'ର ଚାରିଗୁଣା କିନ୍ନର ଓ ଯକ୍ଷମାନେ ଅନେକ ରୂପରେ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ଉପାସନା କରୁଛନ୍ତି । ପବନ ବେଗରେ ସେମାନେ ଚଳପ୍ରଚଳ ହୁଅନ୍ତି ଓ ଏ ଅଞ୍ଚଳରେ ସେମାନଙ୍କର ବିଶେଷ ପ୍ରାର୍ଦୁଭାବ ରହିଛି । ଏପରକି ଦେବରାଜ ଇନ୍ଦ୍ରଙ୍କୁ ବି ସେମାନେ ହଇରାଣରେ ପକାଇ ପାରନ୍ତି । ଏହାର ପର୍ବତ ଓ ଶୃଙ୍ଗସବୁ ବିଭିନ୍ନ ରାକ୍ଷସମାନଙ୍କ ଦ୍ୱାରା ପୁଣି ଅଧିକୃତ । ତେଣୁ ଏ ଅଞ୍ଚଳ ଭୀଷଣ ଭାବରେ ଦୁର୍ଗମ ଓ ବିପଦପୂର୍ଣ୍ଣ । କୈଳାସ ପର୍ବତ ଛଅ ଶହ ଯୋଜନ ଉଚ୍ଚ। ସେଠାକୁ ଦେବତାମାନେ ଭ୍ରମଣରେ ଆସନ୍ତି । କିଛି ବିଶାଳ ଆକାରର ନଦୀ ବି ସେଠାରେ ରହିଛି । କୁବେରଙ୍କ ଚାରିପାଖରେ ଅସଂଖ୍ୟ ଯକ୍ଷ, ରାକ୍ଷସ, କିନ୍ନର, ନାଗ, ସୁପର୍ଣ୍ଣ ଓ ଗନ୍ଧର୍ବ ବେଢିକି ରହିଛନ୍ତି।
ଲୋମଶ ମୁନିଙ୍କ କଥା ଶୁଣି ଯୁଧିଷ୍ଠିର ଅନ୍ୟମାନଙ୍କୁ କହିଲେ ଆଗକୁ ରାସ୍ତା ବିଷମ ଓ ଦୁର୍ଗମ ତେଣୁ ଆମ ସମସ୍ତଙ୍କୁ ସତର୍କ ହୋଇ ରହିବାକୁ ପଡିବ। ତା' ପରେ ଭୀମଙ୍କୁ କହିଲେ ତୁମେ ପାଞ୍ଚାଳୀଙ୍କର ଦାୟିତ୍ୱ ନିଅ । ମୁଁ ଭାବୁଛି ଏପରି ଦୁର୍ଗମ ରାସ୍ତାରେ ସମସ୍ତେ ଆଗକୁ ନଗଲେ ଭଲ ହୁଅନ୍ତା । ପାଞ୍ଚାଳୀ, ସହଦେବ, ଧୈମ୍ୟ, ସାରଥି, ରୋଷେଇଆ, ପରିଚାରକ, ରଥ, ଘୋଡା ଓ ଯେଉଁ ବ୍ରାହ୍ମଣମାନେ କଷ୍ଟ ସହି ନପାରିବେ ସେମାନେ ବରଂ ଏଇଠି ରହିଯାଆନ୍ତୁ । ତୁମେ ସମସ୍ତଙ୍କ ଦାୟିତ୍ୱ ନେଇ ଏଇଠି ରୁହ । ମୁଁ, ନକୁଳ ଓ ଲୋମଶ ମହର୍ଷି କେବଳ ଆଗକୁ ଯାଉଛୁ । ଆମେ ଫେରିବା ପର୍ଯ୍ୟନ୍ତ ତୁମେ ସବୁ ଆମକୁ ଏଇଠି ଅପେକ୍ଷା କରିକି ରହିଥିବ ।
Also Read
ଯୁଧିଷ୍ଠିରଙ୍କ କଥା ଶୁଣି ଭୀମ କହିଲେ, ନା ଆମେ ସମସ୍ତେ ସାଙ୍ଗ ହେଇ ଆଗକୁ ଯିବା। ମୁଁ ଆପଣଙ୍କୁ ଏ ଭୟଙ୍କର ଜଙ୍ଗଲରେ ଏକା ଛାଡି ପାରିବିନି । ଆମମାନଙ୍କ ସାଙ୍ଗରେ ଅର୍ଜୁନ ନାହାଁନ୍ତି ବୋଲି ଆମେ ସମସ୍ତେ ତାଙ୍କୁ ଝୁରି ହେଉଛେ । ସେଥିରେ ପୁଣି ପରସ୍ପର ଅଲଗା ହୋଇଗଲେ ଆମେ ସମସ୍ତେ ଦୁଃଖରେ ରହିବା । ଆଗକୁ ଆହୁରି ଘଞ୍ଚ ଜଙ୍ଗଲ । ସେଥିରେ ପୁଣି ରାକ୍ଷସ, ପିଶାଚ, ବିଭିନ୍ନ ହିଂସ୍ର ପଶୁଙ୍କ ଭୟ ରହିଛି । ଆପଣ ବ୍ୟସ୍ତ ହୁଅନ୍ତୁନି, ଚାଲି ନପାରିଲେ ମୁଁ ପାଞ୍ଚାଳୀ, ନକୁଳ ଓ ସହଦେବଙ୍କୁ ଏକାଠି କାନ୍ଧରେ ବସେଇ ବାଟ ଚାଲିବି । ଭୀମଙ୍କ କଥା ଶୁଣି ଦ୍ରୌପଦୀ ହସି ହସି କହିଲେ ସେ ଏତେ ଦୁର୍ବଳ ନୁହଁନ୍ତି ଯେ ନିଜ ପାଦରେ ବାଟ ଚାଲିପାରିବେନି । ନକୁଳ ଓ ସହଦେବ ବି ସେଇ ଏକା କଥା କହିଲେ । ଯୁଧିଷ୍ଠିର ସମସ୍ତଙ୍କୁ ପ୍ରେମପୂର୍ଣ୍ଣ ଆଖିରେ ଚାହିଁ ଭୀମଙ୍କୁ ଆଲିଙ୍ଗନ କଲେ ।
ଦୁର୍ଗମ ପଥୁରିଆ ରାସ୍ତାରେ ବାଟ ଚାଲୁ ଚାଲୁ ସମସ୍ତେ ଯାଇଁ ହିମାଳୟ କୋଳରେ ଥିବା କୁଳିନ୍ଦ ଦେଶରେ ପହଞ୍ଚିଲେ । କୁଳିନ୍ଦ ଦେଶର ରାଜା ହେଲେ ସୁବାହୁ । ସୁବାହୁ ବିଭିନ୍ନ ବନବାସୀମାନଙ୍କର ରାଜା । ନିଜର ଅନେକ ଘୋଡା, ହାତୀ ଓ ଆତିଥ୍ୟତା ପାଇଁ ରାଜା ସୁବାହୁଙ୍କର ପ୍ରସିଦ୍ଧି ଥିଲା । ଆପଣା ରାଜ୍ୟରେ ପାଣ୍ଡବ ଓ ଲୋମଶ ଋଷିଙ୍କୁ ଦେଖି ସେ ବହୁତ ଖୁସି ହେଲେ ଓ ଅତି ଆଦରର ସହ ପାଖରେ କିଛିଦିନ ରଖିଲେ । କିଛି ଦିନ ବିଶ୍ରାମ ପରେ ରାଜା ସୁବାହୁଙ୍କ ପାଖରୁ ବିଦାୟ ନେଇ ସମସ୍ତେ ପୁଣି ଆଗକୁ ଚାଲିଲେ । ଲୋମଶ କହିଲେ, ଆମେ ମନ୍ଦରଗିରି ଦିଗରେ ଯାଉଛେ । ସେଇଠି ଅଳକାନନ୍ଦା ନଦୀ ପ୍ରବାହିତା ହେଉଛନ୍ତି । ସେଠାରେ ଦେବତାଙ୍କ ସହ ଋଷିମାନେ ଅଛନ୍ତି ଓ ମହାଦେବଙ୍କ ମସ୍ତକରୁ ଗଙ୍ଗା ବି ପ୍ରବାହିତା ହେଉଛନ୍ତି । ମନ୍ଦରଗିରିରେ ପହଞ୍ଚି ପାଣ୍ଡବମାନେ ଅଳକାନନ୍ଦା ଓ ଆକାଶଗଙ୍ଗାଙ୍କୁ ନମସ୍କାର କଲେ । ସେତିକିବେଳେ ସମସ୍ତେ ଦେଖିଲେ କିଛି ଦୂରରେ ଅତ୍ୟନ୍ତ ଧଳାରଙ୍ଗର ପାହାଡ଼ ଆକାରର ପଦାର୍ଥ ବିସ୍ତୃତ ହୋଇ ପଡିଛି ।
ସମସ୍ତଙ୍କ କୌତୁହଳ ଦେଖି ଲୋମଶ ମହର୍ଷି କହିଲେ, ସେ ଯେଉଁ ଧଳା ଜିନିଷଟି ପାହାଡ ପରି ପଡିଛି, ତାହା ପ୍ରକୃତରେ ନରକାସୁରର ହାଡ । ଲୋମଶ ମହର୍ଷି ବର୍ଣ୍ଣନା କରି କହିଲେ ଦେବତାଙ୍କ ପାଖରୁ ବର ପାଇ ନରକାସୁର ସେଇ ଦେବତାମାନଙ୍କ ଉପରେ ବହୁତ ଅତ୍ୟାଚାର କଲା ଓ ଶେଷରେ ଇନ୍ଦ୍ରଙ୍କ ଅନୁରୋଧରେ ବିଷ୍ଣୁ ତାକୁ ହତ୍ୟା କଲେ। ସେଇଦିନରୁ ନରକାର ହାଡ଼ ଏଇଠି ପାହାଡ଼ ପ୍ରମାଣେ ପଡିରହିଛି । ବିଷ୍ଣୁଙ୍କ କଥା ପଡିବାରୁ ବରାହ ଅବତାର କଥା ପଡିଲା । ଲୋମଶ ପାଣ୍ଡବମାନଙ୍କୁ ବିଷ୍ଣୁ ବରାହ ଅବତାର ଗ୍ରହଣ କରି ପ୍ରାଣୀମାନଙ୍କ ଓଜନ ସହିନପାରି ଶତ ଯୋଜନ ପାଣି ତଳକୁ ବୁଡିଯାଥିବା ଧରିତ୍ରୀକୁ କେମିତି ଉଦ୍ଧାର କଲେ ସେ କଥା ବି କହିଲେ ।
ପାଣ୍ଡବ ପରିବାର ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟମାନେ ଗନ୍ଧମାର୍ଦନର ଉଚ୍ଚ ଶୃଙ୍ଗ ଆରୋହଣ କଲେ । ଶୃଙ୍ଗ ଆରୋହଣ କରି କିଛି ବାଟ ଗଲା ପରେ ହଠାତ ପ୍ରବଳ ପାହାଡି ଝଡ଼ର ସମ୍ମୁଖୀନ ହେଲେ । ଝଡ଼ରୁ ରକ୍ଷା ପାଇବାକୁ ସମସ୍ତେ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେଲେ । ପ୍ରଚଣ୍ଡ ଝଡ଼ କମିଲା ପରେ ପୁଣି ଚାଲିବା ଆରମ୍ଭ ହେଲା । କିନ୍ତୁ ଅଳ୍ପ ସମୟ ପରେ ଶ୍ରମଭାର ସହି ନପାରି ଦ୍ରୌପଦୀ ସଂଜ୍ଞାହୀନ ହୋଇଗଲେ । ଚାରିଭାଇ ବ୍ୟସ୍ତ ବିବ୍ରତ ହୋଇ ଦ୍ରୌପଦୀଙ୍କର ସେବା ସୁଶୃଷା କରି ତାଙ୍କୁ ସୁସ୍ଥ କଲେ। ଯୁଧିଷ୍ଠିର ଜାଣିଲେ ରାସ୍ତା ବେଳକୁ ବେଳ ଅଧିକରୁ ଅଧିକ ଦୁର୍ଗମ ହେଉଛି । ତେଣୁ ଭୀମ ତାଙ୍କ ପୁଅ ଘଟତ୍କୋଚକୁ ସ୍ମରଣ କରିବାରୁ ସେ ଅଳ୍ପ ସମୟ ଭିତରେ ସେଠାରେ ଆସି ପହଞ୍ଚିଲେ ।
ଭୀମଙ୍କ ଆଦେଶରେ ଘଟତ୍କୋଚ ଓ ତାଙ୍କର ଅନୁଚରମାନେ ସମସ୍ତଙ୍କୁ ପିଠିରେ ବସେଇ ଆକାଶ ମାର୍ଗରେ ଜଙ୍ଗଲ ଓ ପାହାଡକୁ ଅତିକ୍ରମ କରିବାକୁ ଲାଗିଲେ । ପାଣ୍ଡବ ପରିବାର ଓ ସାଙ୍ଗରେ ଥିବା ବ୍ରାହ୍ମଣମାନେ ପାହାଡ, ଶୃଙ୍ଗ ଓ ଜଙ୍ଗଲର ଅପରୂପ ଶୋଭା ସହିତ ବିଭିନ୍ନ ପଶୁ ପକ୍ଷୀଙ୍କୁ ଦର୍ଶନ କରି ଖୁସି ହେଲେ । ଶେଷରେ ସେମାନେ କୈଳାସ ପର୍ବତ ପାଖରେ ଥିବା ନରନାରାୟଣଙ୍କ ଆଶ୍ରମରେ ପହଞ୍ଚିଲେ ।
ଆଶ୍ରମ ପରିସର ମନୋରମ ଥିଲା । ସେଠାରେ ଛଅ ରାତି ରହିଲା ପରେ ଦିନେ ସକାଳେ ଦ୍ରୌପଦୀଙ୍କ ପାଖରେ ଉଡି ଆସି ଏକ ଶତଦଳ ପଦ୍ମ ପଡିଲା । ଫୁଲର ସୁଗନ୍ଧ ଓ ସୌନ୍ଦର୍ଯ୍ୟରେ ଦ୍ରୌପଦୀ ବିଭୋର ହେଇ ଭୀମଙ୍କୁ କହିଲେ ଏଇ ଫୁଲକୁ ମୁଁ ଯୁଧିଷ୍ଠିରଙ୍କୁ ଉପହାର ଦେବି । ମୋର ଏପରି ଆହୁରି ଫୁଲ ଦରକାର । ତୁମେ ଯାଅ ଜଙ୍ଗଲରୁ ଖୋଜି ଖୋଜି ମୋ ପାଇଁ ଏଇ ଫୁଲ କିଛି ଆଣିବ । ଏହି ଫୁଲଗଛକୁ ମୁଁ କାମ୍ୟକ ବନରେ ଲଗାଇବାକୁ ଚାହୁଁଛି ।
ଭୀମଙ୍କୁ ସବୁବେଳେ ଲାଗେ ପାଣ୍ଡବ ପାଞ୍ଚ ଭାଇଙ୍କୁ ବିବାହ କରି ଦ୍ରୌପଦୀ ଅକାରଣରେ କାହିଁରେ କେତେ କଷ୍ଟ ଭୋଗୁଛନ୍ତି । ତେଣୁ ସେ ସବୁବେଳେ ତାଙ୍କୁ ଖୁସି କରିବାକୁ ପ୍ରୟାସ କରନ୍ତି । ଦ୍ରୌପଦୀ ସୁନ୍ଦର ଫୁଲ ଦରକାର କହୁ କହୁ ଭୀମ ବଡ ଭାଇ ଯୁଧିଷ୍ଠିରଙ୍କ ପାଖରୁ ଅନୁମତି ନେଇ ଫୁଲ ସନ୍ଧାନରେ ସଙ୍ଗେ ସଙ୍ଗେ ବାହାରିଲେ। ଜଙ୍ଗଲ ରାସ୍ତା ବିପଦ ଶଙ୍କୁଳ ଥିଲା । ବାଟସାରା ବିଭିନ୍ନ ହିଂସ୍ର ପଶୁଙ୍କ ଚଳ ପ୍ରଚଳ । କିନ୍ତୁ ମହା ବଳଶାଳୀ ଭୀମଙ୍କୁ କିଛି ଫରକ ପଡୁନଥାଏ । ତାଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜୁଥିବା ବଡ ବଡ ଗଛକୁ ସେ ଭାଙ୍ଗିଦେଉଥାନ୍ତି ଓ ବାଘ ସିଂହ ପରି ବଳଶାଳୀ ପଶୁମାନଙ୍କୁ ଘଉଡେଇ ଦେଉଥାନ୍ତି । ଭୀମଙ୍କ ଭୀମକାନ୍ତି ଦେଖି ଭୟରେ ତାଙ୍କ ପାଖକୁ କେହି ଆସୁନଥାନ୍ତି ।
ଅନେକ ରାସ୍ତା ଅତିକ୍ରମ କଲାପରେ ଭୀମ ଏକ ନିଘଞ୍ଚ କଦଳୀ ବଣ ଭିତରେ ପ୍ରବେଶ କଲେ । କଦଳୀ ବଣରେ ଚାଲିବା ସହଜ ନଥିଲା । ଭୀମ କଦଳୀ ଗଛମାନଙ୍କୁ ଭାଙ୍ଗି ନିଜ ପାଇଁ ରାସ୍ତା ତିଆରି କରୁଥାନ୍ତି । କିଛି ବାଟ ପରେ ଭୀମ ଦେଖିଲେ ରାସ୍ତା ଅତି ସଂକୀର୍ଣ୍ଣ । ରାସ୍ତା ଉପରେ ବିଜୁଳି ପରି ଉଜ୍ଜ୍ବଳ ଓ ପିଙ୍ଗଳ ବର୍ଣ୍ଣର ବିରାଟ ବାନର ଗୋଟେ ବସିଛି । ଭୀମ ଆଗରୁ ଏପରି ବାନର କେବେବି ଦେଖିନଥିଲେ ।
ଭୀମ ସେ ବାନରକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କ ରାସ୍ତାରୁ ଘଉଡାଇବା ପାଇଁ ବିକଟ ସିଂହନାଦ କଲେ । ଭୀମଙ୍କ ସିଂହନାଦରେ ଆଖ ପାଖରେ ଥିବା ଚଢେଇମାନେ ଆକାଶକୁ ଉଡିଗଲେ ଓ ପଶୁମାନେ ଭୟରେ ସେ ସ୍ଥାନ ଛାଡି ଦୌଡି ପଳେଇଲେ । କିନ୍ତୁ ରାସ୍ତା ମାଡି ବସିଥିବା ସେ ବିଶାଳ ବାନର ଉପରେ ଭୀମଙ୍କ ରଡିର କୌଣସି ପ୍ରଭାବ ପଡିଲାନି । ବାନର ଅତି ଅବଜ୍ଞା ଦୃଷ୍ଟିରେ ଭୀମକୁ ଥରେ ଅନେଇ ହାଇ ମାରିବାକୁ ଲାଗିଲା । ଭୀମ ବାନର ପାଖକୁ ଆସିବାରୁ ବାନର କହିଲା ମୁଁ ବୁଢା ହେଲିଣି । ଅସୁସ୍ଥତା ଯୋଗୁଁ ବିଶ୍ରାମ ନେଇଥିଲି । ମୋ ନିଦ କାହିଁକି ଭାଙ୍ଗିଦେଲ? ତୁମେ କିଏ ଓ ଏପଟେ କାହିଁକି ଆସିଛ? ପ୍ରାଣୀମାନଙ୍କୁ ଦୟା କରାଯାଏ, ଏକଥା କ'ଣ ଜାଣିନ କି? ମଣିଷ ଭାବରେ ତୁମର ବୁଦ୍ଧି ଶୁଦ୍ଧି ରହିବା କଥା । ନ୍ୟାୟ ଅନ୍ୟାୟର ବିଚାର ଶକ୍ତି ରହିବା କଥା । ଅକାରଣରେ ବାଳକ ବୁଦ୍ଧି ଦେଖାଇ ବଣର ପଶୁ ପକ୍ଷୀମାନଙ୍କୁ ଅକାରଣରେ ଭୟଭୀତ କରାଉଛ କାହିଁକି? ଗଛ ବୃକ୍ଷ ନଷ୍ଟ କରୁଛ କାହିଁକି? ଜନମାନବ ନଥିବା ଏ ଜଙ୍ଗଲକୁ କାହିଁକି ଆସିଛ? ତୁମେ ବୋଧେ ଜାଣିନ ଏ ରାସ୍ତା କେବଳ ଦେବତାମାନଙ୍କ ବ୍ୟବହାର ପାଇଁ । ସିଦ୍ଧି ପ୍ରାପ୍ତ ହୋଇନଥିଲେ ଏ ରାସ୍ତାରେ ଆଗକୁ ଯିବା ମନା । ଅଯଥାରେ ନିଜର କ୍ଷତି କଥା ଚିନ୍ତା କରନି । ନିଜ ଜୀବନକୁ ଅଯଥାରେ ବିପଦରେ ପକାଅନି । ମୋ କଥା ଶୁଣ, ଏଠାର ପ୍ରଚୁର ଦିବ୍ୟ ସ୍ୱାଦର ଫଳ ଫଳିଛି । ସେ ଫଳରୁ କିଛି ଆହାର କର ଓ ଏଇଠୁ ଫେରିଯାଅ ।