Mahabharat Story: ପୃଥିବୀରୁ ସାପ ବଂଶକୁ ଲୋପ କରିଦେବାର ପ୍ରତିଜ୍ଞା ଓ ସେମାନଙ୍କୁ ପୁଣି ବଞ୍ଚାଇବାର ବାଟ ଖୋଜା କଥା

ଶହ ଶହ ସାପ ଆସି ଜଳୁଥିବା ଯଜ୍ଞ କୁଣ୍ଡରେ ପଡି ମରୁଥାନ୍ତି । କିନ୍ତୁ କାହିଁକି? କ'ଣ ଦୋଷ ନାଗମାନଙ୍କର ? ନାଗ ବଂଶ ସମ୍ପୂର୍ଣ ଲୋପ ପାଇବା ଆଗରୁ କିଏ ପୁଣି ତ୍ରାଣକର୍ତ୍ତା ସାଜି ବଞ୍ଚେଇଲା ସେମାନଙ୍କୁ?

ପୃଥିବୀରୁ ସାପ ବଂଶକୁ ଲୋପ କରିଦେବାର ପ୍ରତିଜ୍ଞା

ମହାଭାରତ ଯୁଦ୍ଧ ସରିସାରିଛି । ହଜାର ହଜାର ସୈନ୍ୟଙ୍କ ରକ୍ତରେ କର୍ଦ୍ଦମାକ୍ତ ଯୁଦ୍ଧକ୍ଷେତ୍ର ଏବେ ଶୁଖିସାରିଛି । କୌରବ ଶହେ ଭାଇ ଓ ସେମାନଙ୍କ ପକ୍ଷ ନେଇ କ୍ଷୁଦ୍ଧ କରୁଥିବା ମହାନ ରଥି ମହାରଥିମାନେ ମୃତ୍ୟୁ ବରଣ କରିସାରିଛନ୍ତି । ପାଣ୍ଡବମାନେ ଭାରତବର୍ଷକୁ ଅନେକ ବର୍ଷ ଧରି ଶାସନ କଲାପରେ ସ୍ୱର୍ଗାରୋହଣ କରିସାରିଛନ୍ତି । ଚକ୍ରଧାରୀ କୃଷ୍ଣ ମଧ୍ୟ ତାଙ୍କ ଲୀଳାଖେଳା ଶେଷ କରି ଧରାଧାମରୁ ବିଦାୟ ନେଇସାରିଛନ୍ତି ।

ଏବେ ହସ୍ତିନାପୁରୀର ରାଜା ହେଉଛନ୍ତି ପରିକ୍ଷୀତ । ସମଗ୍ର ଭାରତବର୍ଷର ନିରଙ୍କୁଶ ରାଜା ସେ । ଆଜି କିନ୍ତୁ ଭୟ ଓ ଆଶଂକାରେ ଜଡ଼ସଡ଼ ହେଇ ସେ ଲୁଚିକି ବସିଛନ୍ତି । ରାଜଧାନୀର ମଧ୍ୟସ୍ଥଳରେ ସ୍ୱତନ୍ତ୍ର ଭାବରେ ଗଢ଼ା ଏକ ଡେଙ୍ଗା ସ୍ତମ୍ବାକୃତି ଘରର ଉପର ମହଲାରେ ମରଣ ଠାରୁ ଲୁଚି ବସିଛନ୍ତି ରାଜା ।

ରାଜାଙ୍କୁ ଅଭିଶାପ ମିଳିଛି ସାତ ଦିନ ଭିତରେ ସର୍ପାଘାତରେ ତାଙ୍କର ମରଣ ହେବ । ମରଣକୁ କାହାର ବା ଭୟ ନାହିଁ । ସେ ରାଜା ହେଉ କି ପ୍ରଜା । ସେଇ ମରଣ ମୁହଁରୁ ବଞ୍ଚିବାର ପ୍ରତିକାର ପାଇଁ କାହିଁରେ କେତେ ଉପାୟ ଖୋଜା ଚାଲିଛି । ସମସ୍ତେ ବ୍ୟସ୍ତ ସମସ୍ତେ ବିବ୍ରତ । ମନ୍ତ୍ରୀ ପରିଷଦ, ସେନାପତି, ସୈନ୍ୟ ସାମନ୍ତ ଓ ପଦସ୍ଥ ଅଧିକାରୀ ସମସ୍ତେ ମରଣ ମୁଖରୁ ରାଜାଙ୍କୁ ବଞ୍ଚେଇ ରଖିବା ପାଇଁ ଉପାୟ ଖୋଜିବାରେ ବ୍ୟସ୍ତ ।

ରାଜା ଏକା । ପାଖରେ କେହି ବି ଆତ୍ମୀୟ ନାହାଁନ୍ତି । ଚାକର ଚାକରାଣୀ, ପରିଚାରିକା, କେହି ବି ନାହଁନ୍ତି । ଚାରିପାଖରେ କେବଳ ବିଶ୍ୱସ୍ଥ ସୈନ୍ୟ ଦିନ ରାତି ଜଗି ରହିଛନ୍ତି । ମାଛି ମୁଣ୍ଡ ନବଖଣ୍ଡ । ଗୃହର ପ୍ରତିଟି ଦୁଆର, ପ୍ରତିଟି ଝରକା ପାଖରେ ଶସସ୍ତ୍ର ପ୍ରହରୀ । ଘଡି ଘଡି କରି ତନ୍ନ ତନ୍ନ ସବୁଠି ଖୋଜା ଚାଲିଛି । କାଳେ କୋଉ ଅନ୍ଦିସନ୍ଧିରେ ନାଗ ଛୁଆଟେ ଲୁଚିକି ରହିଥିବ । ରାଜାଙ୍କ ପାଖକୁ ଯିବା ପାଇଁ କହାରିକୁ ବି ଅନୁମତି ନାହିଁ । ପାଖରେ କେବଳ ଅଛନ୍ତି ବ୍ରହ୍ମଚାରୀ, ତପସ୍ୱୀ ବ୍ୟାସ ପୁତ୍ର ଶୁକଦେବ । ଶୁକମୁନି ଭାଗବତ ପୁରାଣ ଗପୁଛନ୍ତି । ପରିକ୍ଷୀତ ଶୁଣୁଛନ୍ତି । କେମିତି କ'ଣ କରି ସାତ ଦିନ କଟିଗଲେ ଗଲା ।

ଭଲରେ ଭଲରେ ଅବଶ୍ୟ ଛଅ ରାତି ସରିଗଲା । ସାତ ଦିନ ପରେ କିନ୍ତୁ ଅଘଟଣାଟି ଘଟିଲା । ତକ୍ଷକଙ୍କ ନିର୍ଦ୍ଦେଶରେ କିଛି ନାଗ ଛଦ୍ମବେଶରେ ତପସ୍ୱୀ ବେଶରେ ରାଜାଙ୍କୁ କିଛି ଫଳ ଉପହାର ଭାବରେ ଆଣିଦେଲେ । ସନ୍ଧ୍ୟା ଉପଗତ । ସପ୍ତମ ଦିନ ସରିବାକୁ ବସିଲାଣି । ରାଜା ନିଶ୍ଚିନ୍ତ ଯେ ସେ ଅଭିଶାପକୁ ଏଡେଇଦେଇ ପାରିଛନ୍ତି । ରାଜା ପରିକ୍ଷୀତ ପାଚିଲା ଫଳ ଗୋଟେ ଧରି ଖାଇବାକୁ ବାହାରିଲେ । ସେଇ ଫଳ ଭିତରେ ସୁକ୍ଷ୍ମ ଭାବରେ ଛୋଟିଆ କୃମି ରୂପରେ ଲୁଚିକି ଥିଲେ ସର୍ପରାଜ ତକ୍ଷକ। ପରିକ୍ଷୀତଙ୍କ ପାଖରେ ପହଞ୍ଚିବାର ଶହେଟି ଅସଫଳ ଚେଷ୍ଟା କଲାପରେ ଶେଷରେ ଗୋଟେ ପାଚିଲା ଫଳ ଭିତରେ ନିଜକୁ ଲୁଚେଇ ତକ୍ଷକ ନାଗ ପରିକ୍ଷୀତଙ୍କ ପାଖରେ ପହଞ୍ଚି ଯାଇଥିଲେ । ସୁଯୋଗ ମିଳିଲା ମାତ୍ରକେ ତକ୍ଷକ ନିଜର ବିରାଟ ରୂପରେ ପ୍ରକଟ ହେଲେ ଓ ଆଖିପିଛୁଳାକେ ରାଜା ପରିକ୍ଷୀତଙ୍କୁ ଦଂଶନ କଲେ । ନାଗରାଜ ତକ୍ଷକଙ୍କ ଆକ୍ରମଣ ଏତେ ସଂକ୍ଷିପ୍ତ ଓ ଏତେ ଆକସ୍ମିକ ଥିଲା ଯେ, ପରିକ୍ଷୀତ ନିଜର ଆତ୍ମରକ୍ଷା କରିବାର କିଛିବି ପ୍ରୟାସ କରିପାରିଲେନି ଓ ଏତେ କମ ସମୟ ଭିତରେ ସାହାଯ୍ୟ ପାଇଁ ତାଙ୍କ ପାଖରେ କେହିବି ଦେହରକ୍ଷୀ ପହଞ୍ଚି ପାରିଲେନି । କେହି ପାଖରେ ପହଞ୍ଚିବା ପୂର୍ବରୁ ତକ୍ଷକ ତାଙ୍କ କାମ ସାରି ସେଠାରୁ ବାହାରି ଯାଇସାରିଥିଲେ ।

ଅଭିଶାପ ଫଳିଲା । କୌଣସି ଅଭିଶାପ ଅକାରଣରେ ଯାଏନି ।

ମହାନ ପାଣ୍ଡବମାନଙ୍କ ବଂଶଜ ପରିକ୍ଷୀତ । ବୀର ଯୋଦ୍ଧା ଅଭିମନ୍ୟୁଙ୍କ ପୁଅ । ଭଗବାନ କୃଷ୍ଣ ଆଉ ଧନୁର୍ଧର ଅର୍ଜୁନଙ୍କ ନାତି । ଅନେକ ପ୍ରୟାସ ପରେ ବି ଅଭିଶାପରୁ କିନ୍ତୁ ବର୍ତ୍ତି ପାରିଲେନି ସେ । ଚାରିଆଡେ ହା ହା କାର । ଦେଶର ରାଜାଙ୍କ ବିୟୋଗରେ ପରିଜନରୁ ନଗ୍ରଜନ ଯାଏଁ ସଭିଏଁ ଶୋକରେ ମ୍ରିୟମାଣ । ସବୁଠି ଶୋକର ଛାୟା । ପରିକ୍ଷୀତଙ୍କ ଅନ୍ତେଷ୍ଟି ପୂର୍ବରୁ ବିଧି ମୁତାବକ ତାଙ୍କ ପୁଅ ଜନ୍ମେଜୟଙ୍କର ରାଜ ଅଭିଷେକ ହେଲା । ଜନ୍ମେଜୟ ଦେଶର ନୂଆ ରାଜା ହେଲେ ।

ପୃଥିବୀରୁ ସାପ ବଂଶକୁ ଲୋପ କରିଦେବାର ପ୍ରତିଜ୍ଞା

ବାପାଙ୍କ ଆକସ୍ମିକ ମୃତ୍ୟୁ ଘଟଣାକୁ କିନ୍ତୁ ସହଜରେ ଗ୍ରହଣ ପାରିପାରିଲେନି ପରିକ୍ଷୀତଙ୍କ ପୁଅ ଜନ୍ମେଜୟ । ସବୁ ରାଗ ତକ୍ଷକ ନାଗ ଉପରେ । ଏବେ ତକ୍ଷକକୁ ମରିବାକୁ ହେବ । ପିତୃହତ୍ୟାର ପ୍ରତିଶୋଧ ସେ ନେବେ । ଏତେ ଛଳରେ ନିଜର ନିର୍ଦୋଷ ବାପାକୁ ହଠାତ୍ ମରଣ ମୁହଁକୁ ଠେଲି ଦେଇଥିବା କେବଳ ତକ୍ଷକ ନାଗ କାହିଁକି, ବରଂ ସମ୍ପୂର୍ଣ୍ଣ ସର୍ପ କୂଳ ସମୂଳେ ଧ୍ୱଂସ ହେବା ଦରକାର । ପ୍ରତିଶୋଧ ନେବା ପାଇଁ ଜନ୍ମେଜୟ ଏଥର ଆୟୋଜନରେ ଲାଗିପଡିଲେ । ଚତୁର୍ଦ୍ଦିଗରୁ ଶହ ଶହ ବେଦଜ୍ଞ ବ୍ରାହ୍ମଣ ଆମନ୍ତ୍ରୀତ ହୋଇ ଆସିଲେ । ହସ୍ତିନାପୁରରେ ଆରମ୍ଭ ହେଲା ରାଜା ଜନ୍ମେଜୟଙ୍କ ସର୍ପମେଧ ଯଜ୍ଞ । ରାଜାଜ୍ଞା ରହିଲା ଯଜ୍ଞର ପୂର୍ଣ୍ଣାହୂତି ସୁଦ୍ଧା ଧରାପୃଷ୍ଠରୁ ସମଗ୍ର ସର୍ପକୂଳ ଯେମିତି ଧ୍ୱଂସ ହେଇ ସାରିଥିବେ ।

ଯଜ୍ଞ ଆରମ୍ଭର କିଛି ଦିନ ଭିତରେ ହସ୍ତିନାପୁରର ଆକାଶ ଠୁ ଆରମ୍ଭ କରି ରାସ୍ତା ଘାଟ ସବୁଠି ସାଲୁବାଲୁ ସାନ ବଡ ସାପରେ ଭର୍ତ୍ତି ହେଇଗଲେ । ବ୍ରାହ୍ମଣମାନଙ୍କ ମନ୍ତ୍ରର ଅଲୌକିକ ଶକ୍ତି ବଳରେ ଆକର୍ଷିତ ହୋଇ ଚାରିଦିଗରୁ ଆସୁଥାନ୍ତି ହଜାର ହଜାର ସର୍ପ । କିଏ ମାଟି ଉପରେ ବାଧ୍ୟ ହେଇ ଘୋଷାରି ଓଟାରି ହେଇ ଆସୁଥାଏ ତ କିଏ ପାଣିରେ ପହଁରି ପହଁରି । କିଏ ପୁଣି ସିଧା ଆକାଶରୁ ଉଲକା ପରି ତୀବ୍ର ବେଗରେ ଧାଇଁ ଆସି ଯଜ୍ଞଶାଳାର ନିଆଁରେ ସିଧା ପଡୁଥା'ନ୍ତି । ସାପମାନେ ସର୍ପମେଧ ଯଜ୍ଞ କୁଣ୍ଡରେ ପଡି ଯେତିକି ଯେତିକି ଭଷ୍ମ ହେଉଥା'ନ୍ତି, ଯଜ୍ଞକୁଣ୍ଡର ଚାରିପାର୍ଶ୍ୱରେ ଉପବିଷ୍ଟ ବ୍ରାହ୍ମଣମାନେ ସେତିକି ଉଦାତ୍ତ ସ୍ୱରରେ ମନ୍ତ୍ର ଉଚ୍ଚାରଣ କରି ଅଗ୍ନିଙ୍କ ଲେଲିହାନ ଜିଭରେ ଘିଅ ଢାଳୁଥା'ନ୍ତି । ଚତୁର୍ଦ୍ଦିଗରେ ହଜାର ହଜାର ସର୍ପଙ୍କ ମରଣାନ୍ତକ ଆର୍ତ୍ତ ଚିତ୍କାର। ଆକାଶକୁ କୁଣ୍ଡଳୀ କାଟି ଉଠୁଥାଏ ଧୂଆଁ । ବାୟୁମଣ୍ଡଳରେ ଯଜ୍ଞ କୁଣ୍ଡରେ ଜଳୁଥିବା କାଠ, ଘିଅ ଓ ପୋଡି ମରୁଥିବା ସାପଙ୍କ ସମ୍ମିଳିତ ଅଜବ ଅସହ୍ୟ ଗନ୍ଧ । ଜନପଦର ମଣିଷମାନଙ୍କ ଭିତରୁ କିଏ ଅସହାୟ ହତଭାଗ୍ୟ ସାପମାନଙ୍କ ସାମୂହିକ ହତ୍ୟା ଯୋଜନାକୁ ବିରୋଧ କରୁଥା'ନ୍ତି ତ କିଏ କହୁଥାଏ ଠିକ କରିଛନ୍ତି ରାଜା । ଯେସାକୁ ତେସା ହିଁ ନ୍ୟାୟ । ପ୍ରିୟ ରାଜାଙ୍କ ନିଧନର ପ୍ରତିଶୋଧରେ ସେମାନେ ଖୁସି ।

ଏମିତି ବେଳାରେ ହଠାତ୍ ଯଜ୍ଞଶାଳାରେ ପହଞ୍ଚିଲେ ଜଣେ ସୌମ୍ୟଦର୍ଶୀ ଯୁବକ । ଯୁବକ ଜଣଙ୍କ ତୀବ୍ର କଣ୍ଠରେ ଆଦେଶ ଦେବା ଢଙ୍ଗରେ ରାଜା ଜନ୍ମେଜୟଙ୍କୁ କହିଲେ, ହେ ରାଜନ! ଏମିତି ଏକ ଧର୍ମ ବିରୋଧି ଯଜ୍ଞକୁ ଏଇ ମୁହୂର୍ତ୍ତରେ ଆପଣ ବନ୍ଦ କରନ୍ତୁ ।

ଜନ୍ମେଜୟ ହଠାତ୍ ବୁଝିପାରିଲେନି କିମ୍ବା ଚିହ୍ନିପାରିଲେନି ଆଗନ୍ତୁକ ଯୁବକଙ୍କୁ । ତାଙ୍କ ନିଜ ରାଜ୍ୟରେ, ତାଙ୍କ ଦ୍ୱାରା ଆହୁତ ଯଜ୍ଞକୁ ବନ୍ଦ କରିବାକୁ ଓ ତାଙ୍କୁ ଆଦେଶ ଦେବାକୁ ଏମିତି ଆସ୍ପର୍ଦ୍ଧା କାହାର ହେଇପାରେ? ଯଜ୍ଞ କର୍ମରେ ବ୍ୟାଘାତ ହେବା ଦେଖି କ୍ରୋଧ ସହ ରାଜା ଜନ୍ମେଜୟ ଆଗନ୍ତୁକ ଯୁବକଙ୍କ ପରିଚୟ ମାଗିଲେ । ଯୁବକ ଜଣକ ନିଜର ପରିଚୟ ଦେଇ କହିଲେ, ସେ ହେଉଛନ୍ତି ବାସୁକିଙ୍କ ସମ୍ପର୍କୀୟ, ଜରତ୍କାରୁଙ୍କ ପୁଅ ନାଗରାଜ ଆସ୍ତିକ । ଋଷି ପିତା ଓ ନାଗ ମାତାଙ୍କ ସନ୍ତାନ ।

ଆସ୍ତିକଯେ ନାଗ ବଂଶର, ଏତକ ଜାଣିଲା ପରେ ଜନ୍ମେଜୟ ଆହୁରି ରାଗିଗଲେ। ନାଗରାଜ ଆସ୍ତିକ କିନ୍ତୁ ଶାନ୍ତ ଭାବରେ ଜନ୍ମେଜୟଙ୍କୁ ବୁଝାଇବାକୁ ଲାଗିଲେ । କହିଲେ, ହେ ରାଜନ ତୁମେ ଯେଉଁ ତୁମ ପିତାଙ୍କୁ ବିନା କାରଣରେ ବିନା ଦୋଷରେ ହତ୍ୟା କରାଯାଇଛି ବୋଲି ଧାରଣାକୁ ଧରି ବସିଛ ଓ ଧରାତଳରୁ ନାଗ ବଂଶକୁ ସମୂଳେ ବିନାଶ କରିବ ବୋଲି ଶପଥ କରିଛ, ପ୍ରକୃତ ସତ୍ୟକଥାଟି କିନ୍ତୁ ସେମିତି ନୁହେଁ । ମହିମଣ୍ଡଳରେ ବିନା କର୍ମରେ କାହାକୁ କିଛି ଫଳ ମିଳେନି । ତାହା ସୁଫଳ ହେଉ କି କୁଫଳ । ପୂର୍ବାପର ପ୍ରସଙ୍ଗ ଓ କାରଣ ନଥାଇ ଅଯଥାରେ ତ୍ରିଲୋକରେ କିଛି ବି ଘଟେନି ।

ଆସ୍ତିକ ଏଥର ଜନ୍ମେଜୟଙ୍କ ଆଗରେ କଥାଟିକୁ ଅଧିକ ବିସ୍ତାର କରି କହିଲେ । ତକ୍ଷକ ଦଂଶନର ମାତ୍ର ସାତ ଦିନ ଆଗରୁ ତୁମ ପିତା ରାଜା ପରୀକ୍ଷିତ ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ । ଶିକାର ପଛରେ ଧାଇଁ ଧାଇଁ ହଠାତ୍ ରାଜାଙ୍କୁ ପ୍ରବଳ ଶୋଷ ଲାଗିଲା । ଆଖ ପାଖରେ କୌଣସି ଜଳାଶୟର ସନ୍ଧାନ ବି ମିଳିଲାନି । ରାଜା ସେଇ ଖୋଜିବା ଭିତରେ ଦେଖିଲେ ଜଣେ ତପସ୍ୱୀ ଏକ ବୃକ୍ଷ ତଳେ ଧ୍ୟାନରେ ବସିଛନ୍ତି । ତୃଷାର୍ତ୍ତ ପରୀକ୍ଷିତ ଧ୍ୟାନସ୍ଥ ତପସ୍ୱୀଙ୍କ ନିକଟକୁ ଯାଇ ତୃଷା ନିବାରଣ ପାଇଁ ଜଳ ଭିକ୍ଷା କଲେ । ତପସ୍ୱୀ ତ ଧ୍ୟାନରେ ମଗ୍ନ । ସେ ବା ପରୀକ୍ଷିତଙ୍କ କଥା ଶୁଣିଥା'ନ୍ତେ କେମିତି? ସେତେବେଳକୁ ଶୋଷରେ ରାଜା ନିଜର ହିତାହିତ ଜ୍ଞାନ ହରେଇ ସାରିଲେଣି । କ୍ରୋଧରେ ରାଜା ପରୀକ୍ଷିତ ପାଖରେ ପଡିଥିବା ଗୋଟେ ମଲା ସାପକୁ ଧ୍ୟାନସ୍ଥ ତପସ୍ୱୀଙ୍କ ବେକରେ ଗୁଡେଇ ଦେଲେ । ତପସ୍ୱୀଙ୍କ ପୁଅ ଏତାଦୃଶ ଅପମାନକୁ କେମିତି ବା ସହିଥା'ନ୍ତେ? ସେମାନେ ପରୀକ୍ଷିତଙ୍କ ଧୃଷ୍ଠତା ପାଇଁ ଅଭିଶାପ ଦେଲେ ଯେ, ଏମିତି ଅପକର୍ମ ଯିଏ କରିଛି ସେ ମାତ୍ର ସାତ ଦିନ ଭିତରେ ସର୍ପାଘାତରେ ନିଶ୍ଚୟ ମୃତ୍ୟୁବରଣ କରିବ ।

କିନ୍ତୁ ତକ୍ଷକ ନାଗ କାହିଁକି? ରାଜା ତକ୍ଷକର କି କ୍ଷତି କରିଥିଲେ? ଜନ୍ମେଜୟଙ୍କ ମନରେ ପ୍ରଶ୍ନ ।

ପୃଥିବୀରୁ ସାପ ବଂଶକୁ ଲୋପ କରିଦେବାର ପ୍ରତିଜ୍ଞା

ଜନ୍ମେଜୟଙ୍କ ମନରେ ଦ୍ୱନ୍ଦ ଦେଖି ଆସ୍ତିକ ତାଙ୍କୁ ବୁଝାଇ କହିଲେ - ତା'ର ବି କାରଣ ଅଛି ରାଜନ । ଗୋଟେ ଘଟଣା ଆଉ ଗୋଟେ ଘଟଣାକୁ ଜନ୍ମ ଦିଏ । ବିନା କାରଣରେ ତକ୍ଷକ ନାଗ କାହିଁକି ତୁମ ବାପାଙ୍କୁ ଦଂଶନ କରିବେ?

ପୁରୁଣା ଦିନର କଥା ରାଜା । ତୁମରି ପୂର୍ବପୁରୁଷ ଧନୁର୍ଦ୍ଧର ବୀର ଅର୍ଜୁନ ଦିନେ ଚକ୍ରଧାରୀ ଶ୍ରୀକୃଷ୍ଣଙ୍କ ସହ ମିଶି ଇନ୍ଦ୍ରପ୍ରସ୍ଥ ସହର ସ୍ଥାପନ କରିବାକୁ ଖାଣ୍ଡବବନ ନାମକ ଜଙ୍ଗଲକୁ ଜାଳିଦେଇଥିଲେ । ସେଇ ଅଗ୍ନିକାଣ୍ଡରେ ଅନେକ ପଶୁପକ୍ଷୀଙ୍କ ସହ ନାଗ ଓ ସେମାନଙ୍କ ପରିବାର ଉଚ୍ଛନ୍ନ ହୋଇଯାଇଥିଲା । ଯେଉଁ ଅଳ୍ପ କେତେଜଣ ନାଗବଂଶରୁ ବଞ୍ଚି ରହିଯାଇଥିଲେ, ସେଥିରେ ତକ୍ଷକ ନାଗ ଅନ୍ୟତମ । ସୁଯୋଗ ମିଳିବାରୁ ଅନେକ ବର୍ଷ ପରେ ତକ୍ଷକ ନାଗ ତା'ର ବଂଶ ଓ ପରିବାର ହତ୍ୟା ପାଇଁ ଅର୍ଜୁନଙ୍କ ନାତି ତଥା ତୁମ ପିତା ପରିକ୍ଷୀତଙ୍କୁ ଦଂଶନ କରି ସେଇ ପୁରୁଣା ରାଗର ପ୍ରତିଶୋଧ ନେଇଛି । ତୁମେ ପୁଣି ହେଇ ତୁମ ବାପାଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ସର୍ପକୂଳଙ୍କୁ ହତ୍ୟା କରୁଛ । ସର୍ପ କୂଳର କେହି ସମ୍ପର୍କୀୟ ପୁଣି ତୁମର ଏଇ ସର୍ପମେଧ ଯଜ୍ଞର ପ୍ରତିଶୋଧ ନେବ । ଏମିତି କେତେ ଦିନ ଏଇ ପ୍ରତିଶୋଧର ଧାରା ଚାଲିଥିବ? କେଉଁଠି ନା କେଉଁଠି ଆଉ କାହା ପାଖରେ ନା କାହା ପାଖରେ ଏହାକୁ ଶେଷ କରିବାକୁ ହେବ ରାଜନ । ଆପଣ ଜ୍ଞାନୀ ଓ ବିବେକୀ ତେଣୁ ମୋ କଥା ସ୍ଥିର ଚିତ୍ତରେ ଥରେ ଶୁଣନ୍ତୁ । ଆଶା ମୋ ଯୁକ୍ତିର ଯଥାର୍ଥତା ଆପଣ ନିଶ୍ଚୟ ବୁଝିପାରୁଥିବେ ।

ଜନ୍ମେଜୟଙ୍କ କ୍ରୋଧ ସାମାନ୍ୟ ପ୍ରଶମିତ ହେଲେ ମଧ୍ୟ ସେ ଆସ୍ତିକଙ୍କ କଥାରେ ସମ୍ପୂର୍ଣ୍ଣ ଭାବରେ ରାଜି ହୋଇପାରୁନଥିଲେ । ସେ ଆସ୍ତିକଙ୍କୁ ବୁଝାଇବାକୁ ଯାଇଁ କହିଲେ, ପ୍ରତିଶୋଧ ପାଇଁ ନହେଲେ ନାହିଁ, କିନ୍ତୁ ଜଣେ ରାଜା ଭାବରେ ଧର୍ମ ରକ୍ଷା ପାଇଁ ଓ ନ୍ୟାୟ ପ୍ରତିଷ୍ଠା ପାଇଁ ତ ଏତକ କରିବାକୁ ହେବ ।

ଜନ୍ମେଜୟଙ୍କୁ ଏଥର ଆସ୍ତିକ ବୁଝାଇଲେ ଯେ ନ୍ୟାୟ ପ୍ରତିଷ୍ଠା ପାଇଁ ତୁମ ବଂଶଧର କୁରୁକ୍ଷେତ୍ରରେ ଯୁଦ୍ଧ ଲଢିନଥିଲେ । ସେମାନେ ଧର୍ମରକ୍ଷା ପାଇଁ ଯୁଦ୍ଧ ଲଢିଥିଲେ । ହେ ରାଜନ, ଧର୍ମ ନ୍ୟାୟ ନୁହେଁ । ନ୍ୟାୟ ପାଇଁ ଯୁଦ୍ଧରେ ଜଣେ ଜୟ କରେ ଓ ଆଉ ଜଣେ ପରାଜିତ ହୁଏ । କିନ୍ତୁ ଧର୍ମଯୁଦ୍ଧରେ ଏମିତି ହୁଏନି । କିଏ ହାରିଲା କିଏ ଜିତିଲା ସେଠି ବଡ କଥା ନୁହେଁ । ସେଠି ସମସ୍ତଙ୍କର ଜିତାପଟ । ଜିତ ଓ ପରାଜିତ ସମାନ । ସେମିତି ହୋଇନଥିଲେ ମହାଭାରତ ଯୁଦ୍ଧ ପରେ କୌରବମାନଙ୍କୁ ସ୍ୱର୍ଗପ୍ରାପ୍ତି ହୋଇନଥାନ୍ତା କି ପାଣ୍ଡବମାନଙ୍କୁ ନର୍କ ଯିବାକୁ ହୋଇନଥାନ୍ତା । ଆମର ସାଧାରଣ ହିସାବ ଓ ଧର୍ମର ହିସାବ ଅଲଗା ରାଜନ । ସେ କଥାକୁ ଧୈର୍ଯ୍ୟ ସହକାରେ ବୁଝିବାକୁ ପଡିବ । ସେଇ ଧର୍ମ ଓ ଧର୍ମରକ୍ଷା ବିଷୟରେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ଆରମ୍ଭରେ ଅର୍ଜୁନଙ୍କୁ ବୁଝାଇଥିଲେ । ତୁମର ବି ସେ ବିଷୟରେ ଜାଣିବା ଦରକାର ।

ଆସ୍ତିକଙ୍କ ପାଖରୁ ଏମିତି କଥା ଶୁଣି ଜନ୍ମେଜୟ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଚାହିଁଲେ ଆସ୍ତିକ ତାଙ୍କୁ ଏ ବିଷୟରେ ଆହୁରି ଅଧିକ କିଛି କୁହନ୍ତୁ । କିନ୍ତୁ ଆସ୍ତିକ କହିଲେ, ହେ ରାଜନ, ଏ ବିଷୟରେ ଓ ତୁମ ବଂଶ ଗାଥା ବିଷୟରେ ବ୍ୟାସଙ୍କ ଶିଷ୍ୟ ବୌଶଂପାୟନ ଭଲରେ କହିପାରିବେ । ତୁମ ବଂଶଗାଥାକୁ ବ୍ୟାସ ଦେବଙ୍କ ଶୃତଲିଖନରେ ଏକଦା ଶ୍ରୀ ଗଣେଷ ଲେଖିସାରିଛନ୍ତି ।

ଏଥର ବୌଶଂପାୟନଙ୍କ ପାଖକୁ ଖବର ଗଲା । ସେ ଆସି ଯଜ୍ଞ ସ୍ଥଳରେ ପହଞ୍ଚିଲେ । ସେତେବେଳକୁ ଯଜ୍ଞ ସ୍ଥଳର ଅବସ୍ଥା ଅନ୍ୟ ପ୍ରକାର । ଆହୁତି ଦେବା ଅପେକ୍ଷାରେ ଶହ ଶହ ବ୍ରାହ୍ମଣ ଅପେକ୍ଷା କରିରହିଛନ୍ତି । ହଜାର ହଜାର ସାପ ଯଜ୍ଞ କୁଣ୍ଡର ଚାରିଦିଗରେ ମୃତ୍ୟୁ ଅପେକ୍ଷାରେ ଅଟକି ରହିଛନ୍ତି । ସେପଟେ କିନ୍ତୁ ରାଜା ଜନ୍ମେଜୟ ଆପଣା ବଂଶର କାହାଣୀ ଶୁଣିବାକୁ ବ୍ୟଗ୍ର ।

ତୁରନ୍ତ ବୌଶଂପାୟନଙ୍କ ପାଇଁ ଉପଯୁକ୍ତ ଉଚ୍ଚ ଆସନର ବ୍ୟବସ୍ଥା କରାଗଲା । ଆସନ ଉପରେ ମୃଗ ଚମଡା ପଡିଲା । ପ୍ରଥମେ ଋଷିବରଙ୍କୁ ସୁଗନ୍ଧି ପୁଷ୍ପ ଚନ୍ଦନ ଓ ସୁସ୍ୱାଦୁ ପାଚିଲା ଫଳ ଅର୍ପଣ କରାଗଲା । ବୌଶଂପାୟନ କହିବା ଆରମ୍ଭ କଲେ ଓ ଜନ୍ମେଜୟ ଧ୍ୟାନ ସହକାରେ ଶୁଣିଲେ । କେମିତି ତାଙ୍କ ବଂଶର ଉତ୍ପତ୍ତି ହେଲା ଓ କେମିତି ତାଙ୍କ ବଂଶର ରାଜାମାନେ ସମଗ୍ର ଭାରତବର୍ଷ ନାମକ ଭୂଖଣ୍ଡକୁ ଶାସନ କଲେ । ପୁଣି ଏଇଠି କେମିତି ଦିନେ ଭାଇ ଭାଇ ଭିତରେ ହୋଇଥିଲା ଧର୍ମଯୁଦ୍ଧ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)