Advertisment

Nutrienits: କାଞ୍ଜି ଭଲ କରେ ଛୋଟ ପିଲାଙ୍କ ତରଳ ଝାଡ଼ା

କାଞ୍ଜି କେବଳ ଯେ ଆମ ପାଟି ସୁଆଦ କରେ, ତାହା ନୁହେଁ, ବରଂ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରିତା ଏହାର ରହିଛି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି।

ଅଦ୍ୟତନ ହୋଇଛି
What are the benefits of kanji

What are the benefits of kanji

Advertisment

ଶୀତଦିନ ଆରମ୍ଭ ହେଲାଣି। ସକାଳର କୁହୁଡ଼ି ଘେରା ଚତୁର୍ଦ୍ଦିଗକୁ କୋହଲିଆ ପବନରେ ଏବେ ଗାଁରୁ ସହର ଉଷୁମ ପାନୀୟର ଖୋଜା ପଡ଼ିବ। ଥଣ୍ଡା ସକାଳରେ ଚା କି କଫି ହେଉ କିମ୍ୱା ଉପରବେଳା ସମୟରେ ଖଳା ବାରିରେ କାଞ୍ଜି ପିଇବାର ଖୁସି ହେଉ, ଶୀତଦିନ ଏମିତି କେତେ ନୂଆ ଖାଇବା ନେଇ ଆସିବ। ତେବେ ଆପଣ ଜାଣନ୍ତି, ଏ କାଞ୍ଜି କେବଳ ଯେ ଆମ ପାଟି ସୁଆଦ କରେ, ତାହା ନୁହେଁ, ବରଂ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରିତା ଏହାର ରହିଛି। ଯଦିଓ ଏହା ଖରାଦିନ ପାଇଁ ଅତ୍ୟନ୍ତ ଉପଯୁକ୍ତ ହୋଇଥାଏ, କିନ୍ତୁ ଶୀତଦିନେ ମିଳୁଥିବା ପରିବା ଯେପରି ମୂଳା, କୋବି, ଶିମ୍ୱ ଆଦି ପକାଇ ପ୍ରସ୍ତୁତକାଞ୍ଜି ଅଧିକ ସୁସ୍ୱାଦୁ ହୋଇଥାଏ। ଭାତ ପ୍ରସ୍ତୁତ ହୋଇ ଗାଳିସାରିବା ପରେ ଗରମ ଗରମ ପେଜକୁ ରଖି ସେଥିରେ ପରିବା ପକାଇ ପ୍ରସ୍ତୁତ ଏହି କାଞ୍ଜି କେତେ ଯେ ପୌଷ୍ଟିକ ଗୁଣରେ ଭରପୂର ତାହା ଜାଣିଲେ ଆପଣ ସାଙ୍ଗେ ସାଙ୍ଗେ କାଞ୍ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ।

Advertisment
What are the benefits of kanjiକାଞ୍ଜି ପୌଷ୍ଟିକ ଗୁଣରେ ଭରପୂର

ସାଧାରଣତଃ ଘରେ ଭାତ ହୋଇସାରିବା ପରେ ଗଳାଯାଇଥିବା ପେଜକୁ ଆମେ ଫୋପାଡ଼ି ଦେଉ। କେବେ ଲକ୍ଷ୍ୟ କରିଛନ୍ତି ଏହି ପେଜ କିଛି ସମୟ ରହିଗଲା ପରେ ହାଲକା ବସିଯାଏ। ଜେଲି ପରି। ଏହାର କାରଣ ଏଥିରେ ଥିବା ମଣ୍ଡଦ ବା ଷ୍ଟାର୍ଚ। ଏହା ବିଶେଷ ଭାବେ ଛୋଟ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ। ପୋଷଣବିତ୍‌ମାନେ ପେଜକୁ ନ ଫୋପାଡ଼ି ଏହାକୁ ଅନ୍ୟ ତରକାରି ପ୍ରସ୍ତୁତି କିମ୍ୱା ଅଟା ଆଦି ଚକଟିବାରେ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି। ଏହି ପେଜରୁ ପ୍ରସ୍ତୁତ ହେଉଥିବା କା଼ଞ୍ଜି ଏକ ସ୍ୱାସ୍ଥ୍ୟକର ଖାଦ୍ୟ।

What are the benefits of kanjiପେଜରୁ ପ୍ରସ୍ତୁତ ହେଉଥିବା କା଼ଞ୍ଜି ଏକ ସ୍ୱାସ୍ଥ୍ୟକର ଖାଦ୍ୟ

ପେଜରେ ଭିଟାମିନ୍ ବି’ର ସମସ୍ତ ରୂପ ଯେପରି ଥାୟାମିନ୍, ନିଆସିନ୍, ଭିଟାମିନ୍ ଇ ଭରପୂର ପରିମାଣରେ ଥିବା ବେଳେ ଅନ୍ୟ ମିନେରାଲ୍ସଗୁଡ଼ିକ ମଧ୍ୟ ରହିଛି ଯାହା ଆମ ପାଇଁ ଦରକାରୀ। ପେଜକୁ ଥଣ୍ଡା କରିବା ପରେ ଏଥିରେ ବିଭିନ୍ନ ଋତୁଗତ ପରିବା ଯେପରି, ସାରୁ, କନ୍ଦମୂଳ, କୋବି, ଶିମ୍ୱ ଇତ୍ୟାଦି ପଡ଼ି କିଛି ସମୟ ସିଝା ଯାଏ ଏବଂ ଏହା ପରେ ଭୃଷଙ୍ଗ ପତ୍ର ପଡ଼ି ଫୁଟଣ ହୁଏ। ଶୀତଦିନେ ଏହାକୁ ଉଷୁମ ଉଷୁମ କରି ପିଆଯାଏ। ଖରାଦିନେ ପ୍ରସ୍ତୁତ କାଞ୍ଜିକୁ ଥଣ୍ଡା କରି ପିଇଲେ ଏହା ଶରୀରର ଜଳୀୟ ଅଂଶ ବ୍ୟବସ୍ଥିତ ରଖେ। ଏଥିରେ ତୋରାଣି ମଧ୍ୟ ପକାଇ ପ୍ରସ୍ତୁତ ହୋଇପାରିବ।

Advertisment

କାଞ୍ଜିରେ ଥିବା ଷ୍ଟାର୍ଚ ଛୋଟଶିଶୁଙ୍କ ତରଳ ଝାଡ଼ା ସଙ୍ଗେ ସଙ୍ଗେ ବନ୍ଦ ହୁଏ। ଏଥିରେ ଥିବା ପ୍ରୋବାୟୋଟିକ୍ସ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। ଏଥିରେ ଥିବା ଏକ ପ୍ରକାର ଜୈବିକ ଅମ୍ଲ ଆମର ଶରୀର ଡିଟକ୍ସିଫାଏ ବା ଶୋଧନ କରେ। ପୁରାତନ ସମୟରୁ ସାଧାରଣ ଗ୍ରାମୀଣ ପରିବାରରେ ଏକ ପୁଷ୍ଟିକର ସୁପ୍ ବା ପାନୀୟ ଭାବେ ଏହା ବ୍ୟବହୃତ ହେଉଥିଲା। ଏଥିରେ ଥିବା ଗଟ୍ ଉପଯୋଗୀ ବ୍ୟାକ୍ଟେରିଆ ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ଏହାର ଆଉ ଏକ ଉପାଦେୟତା ହେଲା ଏଥିରେ ଥିବା ଭିଟାମିନ୍ ଇ ତଥା ସର୍ବିଟଲ୍ ଯୋଗୁଁ ଏହା ଆପଣଙ୍କ ଚର୍ମକୁ ଚମକଦାର କରି ସମସ୍ତ ଅଶୋଧିତ ଦ୍ରବ୍ୟ ବାହାର କରିପାରେ।

What are the benefits of kanjiକାଞ୍ଜିରେ ଥିବା ଷ୍ଟାର୍ଚ ଛୋଟଶିଶୁଙ୍କ ତରଳ ଝାଡ଼ା ସଙ୍ଗେ ସଙ୍ଗେ ବନ୍ଦ କରେ

ପ୍ରାଚୀନ କାଳରେ ଲୋକମାନେ ଖାଦ୍ୟର ବର୍ଜ୍ୟକୁ ଉପଯୋଗ କରିପାରୁଥିଲେ। କାଞ୍ଜି ଏହାର ଉଦାହରଣ। ଏବେ ସହରୀ ସଭ୍ୟତାରେ ସୁପ୍, ହଟ୍ ଚକୋଲେଟ୍ ଆଦି ଶୀତଦିନିଆ ସ୍ନାକ୍ସ ଓ ପାନୀୟ ପାଲଟିଯାଇଥିବା ବେଳେ କାଞ୍ଜି ପରି ପାନୀୟ ଏବେ ଗାଁ ଗହଳିରେ କ୍ୱଚିତ୍  ଦେଖିବାକୁ ମିଳୁଛି। ଜେଜେମା ଓ ଆଈମାନେ ଘରେ ଉପଲବ୍ଧ ଥିବା ଯେକୌଣସି ପରିବା ପକାଇ ମଧ୍ୟ କାଞ୍ଜି ପ୍ରସ୍ତୁତ କରିଦେଇ ପାରନ୍ତି, ଏବଂ ଏହା ଏତେ ସୁସ୍ୱାଦୁ ଯେ, ଆପଣ ଏହାକୁ ଥରେ ଖାଇଲେ ଆଉଥରେ ନିଶ୍ଚୟ ମାଗିବେ।

Advertisment

ଆମର ପୁରାତନ ଖାଦ୍ୟ ପରମ୍ପରା ଅତ୍ୟନ୍ତ ସ୍ୱାସ୍ଥ୍ୟକର ଓ ସହଜଲବ୍ଧ। ଏହାକୁ ଅନୁସରଣ କରି ଆମ ଖାଦ୍ୟାଭ୍ୟାସରେ ସାମିଲ୍ କଲେ ଆମେ ସୁସ୍ଥ ରହିବା। କାଞ୍ଜି ଏପରି ଏକ ଖାଦ୍ୟ ଯେଉଁଥିରେ ପେଜକୁ ଆପଣ ଦିନେ ରଖି ତା ପରଦିନ ମଧ୍ୟ ପ୍ରସ୍ତୁତ କରିପାରିବେ। ସକାଳୁ ସକାଳୁ ଏହାକୁ ହାଲକା ବ୍ରେକ୍‌ଫାଷ୍ଟ ହିସାବରେ ମଧ୍ୟ ନିଆଯାଇପାରିବ। ଅତ୍ୟନ୍ତ ଉପାଦେୟ ଏହି ପାରମ୍ପରିକ ଖାଦ୍ୟ ପଦାର୍ଥକୁ ଥରେ ପ୍ରସ୍ତୁତ କରନ୍ତୁ ଓ ଶୀତର ମଜା ନିଆନ୍ତୁ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ