ଯଦି ଆପଣ ଖାଦ୍ୟପେୟକୁ ନେଇ ସଚେତନ ରହୁଛନ୍ତି ତଥା ସେହି ସମ୍ପର୍କିତ ଭିଡ଼ିଓମାନ ଦେଖିବା ଜାରି ରଖିଛନ୍ତି, ତେବେ ଗୋଟିଏ ପଦ ଆପଣଙ୍କ ଆଖିରେ ନିଶ୍ଚୟ ପଡ଼ିଥିବ, ତାହା ହେଲା- ମାଇଣ୍ଡ୍ଫୁଲ୍ ଇଟିଂ ବା ମନପ୍ରାଣ ଦେଇ ଖାଦ୍ୟଗ୍ରହଣ କରିବା। ମନଦେଇ କାମ କରିବା, ପଢ଼ିବା, ଶୁଣିବା ପରି କଥା ଆମେ ଶୁଣିଛେ, ହେଲେ ମନ ଦେଇ ଖାଇବା ପୁଣି କଣ। ଏପରି ବି କିଛି ପ୍ରକ୍ରିୟା ରହିଛି କି। ଆଜ୍ଞା ହଁ, ମନଦେଇ ଖାଇବା ଉପରେ ଆମ ଶରୀରର ଖଆଦ୍ୟ ପ୍ରତି ଗ୍ରହଣୀୟତା ନିର୍ଭର କରେ। ଏହାର ଅର୍ଥ ହେଲା, ଆପଣ ଯାହା କିଛି ବି ଖାଉଛନ୍ତି ତାହା ଆପଣଙ୍କ ପେଟକୁ ତ ଯାଉଛି ହେଲେ ଆପଣଙ୍କ ଶରୀର ପାଇଁ ତାହା କେତେ ଉପଯୋଗୀ ତଥା କେତେ ସହଜ ଭାବେ ଆପଣଙ୍କ ଶରୀର ତାହାର ପାଚନ ବା ହଜମ କ୍ରିୟା କରିପାରୁଛି ତାହା ଆମେ କେବେ ବି ଜାଣିବାକୁ ଚାହୁଁନା। ଆସନ୍ତୁ ଆଜି ଏହି ବିଷୟରେ କଥା ହେବା।
ଆମେ ଖାଉଥିବା ଖାଦ୍ୟ ଖାଦ୍ୟନଳୀ ବା ଗଟ୍ ଦେଇ ପାକସ୍ଥଳୀକୁ ଯାଏ। ଏହି ନଳୀର କାନ୍ଥର ଅନ୍ତର୍ଭାଗରେ କେତେକ ପାଚନ ଉପଯୋଗୀ ବ୍ୟାକ୍ଟେରିଆ ବଢ଼ନ୍ତି ଯାହା ଆମ ଖାଦ୍ୟକୁ ଭଲରେ ହଜମ କରିବାକୁ ବ୍ୟବହାର ହୁଏ। ଆମେ ଖାଉଥିବା ଖାଦ୍ୟରେ ପ୍ରୋବ୍ୟାକ୍ଟେରିଆ ଥିଲେ ଏହା ଉପକାରୀ ବ୍ୟାକ୍ଟେରିଆର ସଂଖ୍ୟା ବୃଦ୍ଧି କରେ, କିନ୍ତୁ ଯେବେ ଆମେ କୌଣସି ଅସ୍ୱାସ୍ଥ୍ୟକର ତଥା ଆମ ପାଚନ ତନ୍ତ୍ରକୁ ନ ସୁହାଇବା ପରି ଖାଦ୍ୟ ଖାଉ, ସେତେବେଳେ ଏହି ଖାଦ୍ୟନଳୀର ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇ ଉକ୍ତ ଖାଦ୍ୟରେ ଥିବା ଅପକାରୀ ବ୍ୟାକ୍ଟେରିଆ ବଢ଼ିଯାଆନ୍ତି। ଏହା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୁଏ ଏବଂ ଏସିଡିଟି ଓ ବଦହଜମି ପରି ସମସ୍ୟା ଦେଖାଦିଏ।
ଅଧିକ ପଢ଼ନ୍ତୁ: Tips and Tricks: ଏହି ୭ଟି ଖାଦ୍ୟକୁ ଫ୍ରିଜ୍ରେ ରଖୁଛନ୍ତି କି… ସାବଧାନ ! ହୋଇପାରେ ସାଂଘାତିକ ପରିସ୍ଥିତି
ତେବେ ଆପଣ ଜାଣନ୍ତି କି, ଖାଦ୍ୟନଳୀରେ ଆମର ଏଣ୍ଟେରିକ୍ ନର୍ଭସ୍ ସିଷ୍ଟମ୍ ତଥା ଅନ୍ତଃ- ସ୍ନାୟୁତନ୍ତ୍ର ସକ୍ରିୟ ଭାବେ କାର୍ଯ୍ୟକରେ। ଉପକାରୀ ବ୍ୟାକ୍ଟେରିଆଗୁଡ଼ିକ ଏକ ପ୍ରକାର ସ୍ନାୟୁ ପ୍ରବାହକ ବା ନ୍ୟୁରୋଟ୍ରାନ୍ସମିଟର ନିର୍ଗତ କରନ୍ତି ଯାହା ଖାଦ୍ୟ ନଳୀର ସନ୍ଦେଶ ମସ୍ତିଷ୍କରେ ପହଁଚାଏ। ଏଣୁ ଏହି ଉପକାରୀ ବ୍ୟାକ୍ଟେରିଆଗୁଡ଼ିକର ଉପସ୍ଥିତି ଆମ ଖାଦ୍ୟନଳୀର ଭଲ ସ୍ୱାସ୍ଥ୍ୟ କଥା ମସ୍ତିଷ୍କକୁ ଜଣାଏ। ଠିକ୍ ଏହିପରି ଏହି ଜନିତ ସ୍ନାୟୁତନ୍ତ୍ର ସକ୍ରିୟ ଥିଲେ ବ୍ୟାକ୍ଟେରିଆର କାର୍ଯ୍ୟକାରିତା ବଢ଼ିଥାଏ। ହେଲେ ଯଦି ଆମେ ଖାଦ୍ୟ ଗ୍ରହଣ ବେଳେ ଖାଦ୍ୟ ପାଚନ ବିଷୟରେ ଧ୍ୟାନ ନ ଦେଇ ଅନ୍ୟ ସମ୍ପର୍କିତ କଥା ଭାବୁ ବା ଅନ୍ୟ କାର୍ଯ୍ୟରେ ଲିପ୍ତ ରହୁ ତେବେ ଆମ ପାଚନରେ ବାଧା ଆସିପାରେ।
ଆମକୁ ପିଲାଦିନେ ଖାଇବା ସମୟରେ କରାଯାଉଥିବା କିଛି ନୀତି ଶିକ୍ଷା ଦିଅଯାଉଥିଲା, ଯେପରିକି ଖାଦ୍ୟକୁ ସମ୍ମାନ ଦେବା, ଖାଦ୍ୟରେ କଣ ସବୁ ରହିଛି ତାହା ଭଲରେ ଦେଖିବା ଏବଂ ଖାଦ୍ୟକୁ ପ୍ରଣାମ ପୂର୍ବକ ଖାଇବା। ଏହା ପ୍ରକୃତରେ ଆମର ଖାଦ୍ୟମନସ୍କ କରିବା ପାଇଁ କରାଯାଏ। ଖାଦ୍ୟ ଖାଇବା ସମୟରେ ଆମେ କେଉଁ ଖାଦ୍ୟସାର ତଥା ଉପାଦେୟ ଦ୍ରବ୍ୟ ଖାଉଛେ, ତାହା ଜାଣିଲେ ଏହା ଖାଦ୍ୟନଳୀରେ ସହଜରେ ହଜମ ହୋଇଥାଏ। ଆମ ଖାଦ୍ୟନଳୀକୁ ଦ୍ୱିତୀୟ ମସ୍ତିଷ୍କ କୁହାଯାଏ, କାରଣ ଆମ ବ୍ୟବହାର ଆମ ପାଚନ ତନ୍ତ୍ର ସହ ପରିପୂରକ।
ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ, ଛୁଆ ଓ ବଡ଼ମାନେ ସମସ୍ତେ ଖାଇବା ସମୟରେ ପ୍ରାୟ ଟିଭି ଦେଖି କିମ୍ୱା ମୋବାଇଲ୍ ବା ଲାପଟପ୍ ବ୍ୟବହାର କରିବା ସମୟରେ ହିଁ ଖାଦ୍ୟଗ୍ରହଣ କରୁଛନ୍ତି। ଏହାଦ୍ୱାରା ଖାଦ୍ୟର ପ୍ରକାର ତଥା ବୈଶିଷ୍ଟ୍ୟକୁ ଜାଣିପାରୁନାହାନ୍ତି। ଧରନ୍ତୁ, ଆପଣ ଗୋଟେ କିସମର ଫଳ ଖାଉଛନ୍ତି, ଆପଣ ଫଳଟି ଆଣିବା ସମୟରେ ଟିଭି ଦେଖି କିମ୍ୱା ମୋବାଇଲ୍ରେ କଥା ହେବାରେ ବ୍ୟସ୍ତ ଅଛନ୍ତି। ତେବେ ଫଳଟିକୁ ନ ଧୋଇ ଆପଣ ସିଧା ଖାଇବାକୁ ନେଇ ଆସିଲେ ଏବଂ ପ୍ରଥମଥର ପାଟିକୁ ନେବା ପରେ ଜାଣିଲେ, ଏହା ଏକ ଟମାଟୋ ଥିଲା, କୌଣସି ଫଳ ନୁହେଁ। କାରଣ ଆପଣଙ୍କ ମସ୍ତିଷ୍କ ଅନ୍ୟ କାମରେ ବ୍ୟସ୍ତ ଥିଲା। ସେହିପରି ଆଜିର ଛୁଆମାନେ ସୋସିଆଲ୍ ମିଡ଼ିଆ ତଥା ୟୁ ଟ୍ୟୁବ୍ରେ ଏତେ ଭିଡ଼ିଓ ଦେଖଇବାରେ ଅଭ୍ୟସ୍ତ ହୋଇଗଲେଣି ଯେ ଖାଇବା ବେଳେ ନିର୍ଦ୍ଦିଷ୍ଟ କିଛି ଭିଡ଼ିଓ ନ ଦେଖିଲେ ସେମାନେ ଜିଦ୍ କରୁଛନ୍ତି।
ସୋସିଆଲ୍ ମିଡିଆ ତଥା ଅନ୍ୟ ମାଧ୍ୟମଗୁଡ଼ିକରେ ଦେଖୁଥିବା ବିଭିନ୍ନ ସ୍ନାୟୁ-ଉଦ୍ଦୀପକ ଦୃଶ୍ୟ ଆମର ବ୍ୟବହାରକୁ ପ୍ରତ୍ୟକ୍ଷ ପ୍ରଭାବିତ କରେ। ପାଚନ ଉପରେ ଖରାପ ପ୍ରଭାବ ସହ କେତେକ ଶାରୀରିକ ସମସ୍ୟା ଯେପରିକି ମଳତ୍ୟାଗରେ ସମସ୍ୟା, ବଦହଜମି, କ୍ରୋନିକ୍ ଗ୍ୟାସ୍ ସମସ୍ୟା, ମୋଟାପଣ ବଢ଼ିବା ଇତ୍ୟାଦି ଦେଖାଯାଏ। କେତେକ କ୍ଷେତ୍ରରେ ଛୁଆମାନେ ରାଗିକରି କିମ୍ୱା ମନ ଦୁଃଖରେ ଅଧିକ ଖାଇବାର ଆପଣ ଦେଖିଥିବେ। କେତେକ କ୍ଷେତ୍ରରେ ଏନୋରକ୍ସିଆ ନର୍ଭସା ଅର୍ଥାତ୍ ଭୋକ ନ ଲାଗିବା ପରି ଲକ୍ଷଣ ମଧ୍ୟ ବ୍ୟଥିତ କରେ। ଏଗୁଡ଼ିକ ଆମର ମସ୍ତିଷ୍କ ଏବଂ ଖାଦ୍ୟନଳୀରେ ଥିବା ସ୍ନାୟୁତନ୍ତ୍ରର ଅସହଯୋଗିତାରୁ ସୃଷ୍ଟି ହୁଏ। ପାକସ୍ଥଳୀର ଖାଦ୍ୟ ହଜମ ହେବା ପରେ ପୁଣି ପାଚନ ରସ ବା ଏସିଡ୍ କ୍ଷରମ ହେଲେ ଆମକୁ ଭୋକ ଲାଗିଲା ବୋଲି ମସ୍ତିଷ୍କ ସଂକେତ ଦିଏ, କିନ୍ତୁ ଖାଦ୍ୟ ଗ୍ରହଣ କ୍ରିୟା ସମୟରେ ଆମ ମସ୍ତିଷ୍କ ଅନ୍ୟ କାର୍ଯ୍ୟରେ ଲିପ୍ତ ରହିଲେ ଏସିଡ୍ର କାର୍ଯ୍ୟକାରିତା, ଖାଦ୍ୟର ଗତି ତଥଆ ଖାଦ୍ୟସାରର ଶୋଷଣ ଆଦି ବିଷୟରେ ଆମେ କିଛି ଜାଣିପାରୁନା।
ଏଣୁ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ କେବଳ ଯେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଗୁରୁତ୍ତ୍ୱପୂର୍ଣ୍ଣ, ତାହା ନୁହେଁ, ବରଂ ଖାଦ୍ୟ ଖାଇବା ସମୟରେ ଉପଯୁକ୍ତ ପ୍ରଣାଳୀର ଅବଲମ୍ବନ ତଥା ଖାଉଥିବା ଖାଦ୍ୟ ବିଷୟରେ ସଜାଗ ରହିବା ଏକ ଅତ୍ୟନ୍ତ ଦରକାରୀ କଥା। ଏହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଠିକ୍ ରହିବା ସହ ପାକସ୍ଥଳୀ ବା ପାଚନ କ୍ରିୟା ଜନିତ ସମସ୍ୟା ଖୁବ୍ କମ୍ ଦେଖାଯିବ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)