ପ୍ୟାରେଣ୍ଟିଂ ଜୀବନର ସବୁଠାରୁ ସୁନ୍ଦର କିନ୍ତୁ ଚ୍ୟାଲେଞ୍ଜିଂ କାମ ଭିତରୁ ଗୋଟିଏ । ମାଆବାପାଙ୍କ ପାଇଁ ପ୍ରତ୍ୟେକ ଦିନ ଏହା ନୂଆ ଖୁସି ସହିତ ନୂଆ ଦାୟିତ୍ୱ ନେଇ ଆସେ । କେବେ କିଛି ଗୋଟେ ପାଇବା ପାଇଁ ପିଲାଟିର ଜିଦ୍ ତ କେବେ କିଛି ହରାଇ ନିରାଶ ହୋଇଯାଇଥିବା ପିଲାକୁ ବୁଝାଇବା ସତରେ ଖୁବ୍ ସୁକ୍ଷ୍ମ ଓ ସନ୍ତୁଳନର କାର୍ଯ୍ୟ । ଯେତେବେଳେ ଆମେ ପିଲାମାନଙ୍କର ନିରାଶା, ଭୟ, କିମ୍ବା କ୍ରୋଧକୁ ଦେଖନ୍ତି, ସେତେବେଳେ ଆମର ପ୍ରଥମ କାମ ନୁହେଁ ତାଙ୍କ ପାଇଁ ସାଙ୍ଗେସାଙ୍ଗେ ନିଜ ତରଫରୁ ସମସ୍ୟାର ସମାଧାନ କରିଦେବା, ବରଂ ସେମାନଙ୍କ ସହ ମିଶି ସମସ୍ୟାର ସମାଧାନ ପାଇଁ ବାଟ ଖୋଜିବା । ଏହି ପ୍ରକ୍ରିୟାରେ ପିଲାମାନଙ୍କୁ ସେମାନଙ୍କ ସମସ୍ୟାକୁ ସେମାନେ କେମିତି ଠିକରେ ସାମ୍ନା କରିବେ ତାହା ଶିଖାଇବାର ସୁବର୍ଣ୍ଣ ସୁଯୋଗ ମିଳିବ।
ପ୍ୟାରେଣ୍ଟିଂର ଅନେକ କୌଶଳ ଅଛି। ଏହା ଠିକ୍ ଟୁଲବାକ୍ସ ପରି। ପ୍ରତ୍ୟେକ ଉପକରଣ ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରି ଭିନ୍ନ ଏକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରେ । ଆଉ ସେଇ ପରିବେଶରେ ପିଲାଟିଏ ନିରାପଦ ଅନୁଭବ କରେ । ତାକୁ ଅନ୍ୟ ଜଣେ ବୁଝୁଚି ବୋଲି ସେ ଅନୁଭବ କରେ । ଏହି କୌଶଳଗୁଡ଼ିକ ଆପଣଙ୍କ ପିଲାଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ବରଂ ସେମାନଙ୍କର ବିକାଶକୁ ଆହୁରି ବିକଶିତ କରିବା ପାଇଁ ଉଦ୍ଦିଷ୍ଟ । ଏଇଠି ମୁଁ ବାରଟି ବ୍ୟାବହାରିକ ଏବଂ ସରଳ ପ୍ୟାରେଣ୍ଟିଂ କୌଶଳ ବିଷୟରେ ଆଲୋଚନା କରିଛି । ଏସବୁ ଆପଣଙ୍କ ପିଲା ପାଇଁ ଆସୁଥିବା ସମସ୍ୟାକୁ ସାମ୍ନା କରିବାର ଆଭିମୁଖ୍ୟକୁ ବଦଳାଇବ ଏବଂ ନିମ୍ନ କେତୋଟି କଥାରେ ସାହାଯ୍ୟ କରିବ।
• ପିଲାଙ୍କ ଭାବନାକୁ ବୁଝିବାରେ ଏବଂ ସହାନୁଭୂତି ସହିତ ପ୍ରତିକ୍ରିୟା କରିବାରେ ସାହାଯ୍ୟ କରିବ।
• ସମସ୍ୟା ସମାଧାନର କୌଶଳ ଏବଂ ସହନଶୀଳତା ଶିଖାଇବାରେ ସାହାଯ୍ୟ କରିବ ।
• ଆପଣଙ୍କ ପିଲାଙ୍କ ସହିତ ଏକ ଗଭୀର ଏବଂ ଅର୍ଥପୂର୍ଣ୍ଣ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିବ ।
କଳ୍ପନା କରନ୍ତୁ: ଆପଣଙ୍କ ପାଞ୍ଚ ବର୍ଷର ପିଲା ସପିଂ ମଲରେ ଏମିତି ଏକ ଜିନିଷ ପାଇଁ କାନ୍ଦୁଛି ଯାହା ଆପଣ କିଣି ପାରିବେ ନାହିଁ । ସମସ୍ତେ ଆପଣଙ୍କ ଆଡକୁ ଚାହିଁ ରହିଛନ୍ତି ଏବଂ ଆପଣ ଚାହୁଁଛନ୍ତି ପିଲାର କାନ୍ଦକୁ କେମିତି ଶୀଘ୍ର ବନ୍ଦ କରିବେ। ଏପରି ପରିସ୍ଥିତିରେ ରାଗିବା, ମାରିବା, ଗାଳିଦେବା କିମ୍ବା ସେମାନଙ୍କ ଜିଦରେ ହାର ମାନିବା ପରିବର୍ତ୍ତେ ଆପଣ ସେମାନଙ୍କ ସ୍ତରକୁ ଓହ୍ଲାଇ, ସେମାନଙ୍କ ଭାବନାକୁ ଶୁଣି ସେମାନଙ୍କୁ ବୁଝାଇବା ଦରକାର । ଫଳରେ ଏହା ଧୀରେ ଧୀରେ ସେମାନଙ୍କୁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିବାକୁ ଶିଖାଇବ ।
ଏମିତି କୌଶଳଗୁଡିକ ଆପଣାଇବା ଦ୍ୱାରା ଏହିପରି ଚାପଗ୍ରସ୍ତ ମୂହୁର୍ତ୍ତଗୁଡ଼ିକୁ ଶିକ୍ଷଣୀୟ ମୁହୂର୍ତ୍ତରେ ପରିଣତ କରାଯାଇପାରେ । ଏହା ହେଉଛି ସେଇ ମୂଳଦୁଆ ଯାହାକୁ ଆଧାର କରି ଇମୋସନାଲ ଇଣ୍ଟେଲିଜେନ୍ସ ବା ଭାବପ୍ରବଣ ବୁଦ୍ଧି ତିଆରି। ଏବଂ ସବୁ ଘରେ ଏହା ବାପାମାଆଙ୍କ ପାଖରୁ ଆରମ୍ଭ ହୁଏ ।
1.ସମସ୍ୟାର ସମାଧାନ କରିବା ପୂର୍ବରୁ ଅନୁଭବକୁ ବୁଝନ୍ତୁ ।
ଯଦି ଖେଳରେ ହାରିଗଲେ ଆପଣଙ୍କ ପିଲା ଦୁଃଖିତ ହେଉଛି ତେବେ କ'ଣ କରିପାରିବେ?
“ଏହା କେବଳ ଏକ ଖେଳ, କାନ୍ଦିବା ବନ୍ଦ କର” କହିବା ପରିବର୍ତ୍ତେ ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କୁହନ୍ତୁ, “ମୁଁ ଜାଣେ ତୁମେ ଜିତିବାକୁ କଠିନ ପରିଶ୍ରମ କରିଛ, ଏବଂ ହାରିଯିବାରୁ ଦୁଃଖିତ ହୋଇଛ । ସେପରି ଅନୁଭବ କରିବା ଠିକ୍ ମଧ୍ୟ”। ପିଲା ଯେତେବେଳେ ଅନୁଭବ କରିବ ଆପଣ ତାକୁ ଶୁଣୁଛନ୍ତି ସେ ଶାନ୍ତ ହେବ। ଏବଂ ସେତେବେଳେ ଯାଇ ଆପଣ ତାକୁ ପରେ କ’ଣ ଭଲ କରାଯାଇପାରିବ, ଏଥର ଘଟଣାରୁ ସେ କଣ ଶିଖିଲା ଆଦି ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରିପାରିବେ। ଭାବନାକୁ ସ୍ୱୀକାର କରିବା ପିଲାମାନଙ୍କୁ ଶାନ୍ତ କରେ ଏବଂ ପରିସ୍ଥିତିକୁ ଯୁକ୍ତିଯୁକ୍ତ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରେ ।
2.ପିଲାମାନଙ୍କୁ ସେମାନଙ୍କର ଭାବନାକୁ ଚିହ୍ନିବାରେ ସାହାଯ୍ୟ କରନ୍ତୁ ।
ଯଦି ଆପଣଙ୍କ ପିଲା ସାଙ୍ଗ ସହିତ ଝଗଡା ହେବା ପରେ କାନ୍ଦୁଛି, କିନ୍ତୁ ସେ କାହିଁକି ଦୁଃଖିତ ତାହା ଜଣାଇବାକୁ ଅସମର୍ଥ ତେବେ କ'ଣ କରିପାରିବେ?
ଧୀରସ୍ଥିର ହୋଇ ପିଲା ପାଖରେ ବସନ୍ତୁ ଓ ନରମ ସ୍ୱରରେ ପଚାରନ୍ତୁ; “ତୁମ ସାଙ୍ଗ ତୁମ କଥା ନ ଶୁଣିବାରୁ ତୁମେ ଆଘାତ ପାଇଛ କି?” ସେମାନଙ୍କର ଭାବନାକୁ ନାଁ ଗୋଟେ ଦେବାରେ ସାହାଯ୍ୟ କରନ୍ତୁ । ଏଇ ଯେମିତି, ଦୁଃଖ, କ୍ରୋଧ, ଅଭିମାନ, ନିରାଶା । ଯେତେବେଳେ ପିଲାମାନେ ସେମାନଙ୍କର ଭାବନାକୁ ଚିହ୍ନି ପାରିବେ, ସେତେବେଳେ ଯାଇ ତାକୁ ଭଲ ଭାବରେ ପରିଚାଳନା କରିପାରିବେ ।
3. ଅସୁବିଧା ସମୟରେ ଶାନ୍ତ ଭାବରେ ବ୍ୟବହାର କରନ୍ତୁ ।
ଯଦି ଆପଣଙ୍କ ପିଲା ତା' କୋଠରୀ ସଫା କରିବାକୁ ମନା କରୁଛି ଏବଂ ପାଟି କରୁଛି ତେବେ କ'ଣ କରିପାରିବେ?
ବଡ଼ ପାଟିରେ କଥା ହେବା ପରିବର୍ତ୍ତେ ଶାନ୍ତ ରୁହନ୍ତୁ ଏବଂ କୁହନ୍ତୁ, “ମୁଁ ଜାଣେ ତୁମେ ଏବେ ସଫା କରିବାକୁ ଇଚ୍ଛା କରୁନାହଁ, କିନ୍ତୁ ଆମକୁ ତ ଏଇ ଜାଗାଟିକୁ ଠିକ୍ କରିବାକୁ ପଡିବ । ଚାଲ ଦଶ ମିନିଟ୍ ପାଇଁ ଏକାଠି ମିଶି କାମ କରିଦେବା । " ଏକ ଶାନ୍ତ ମନୋଭାବ ପରିସ୍ଥିତିକୁ ବେଶୀ ବିଗିଡିବାରୁ ଅଟକାଏ ଏବଂ ପିଲା ସାମ୍ନାରେ ଆପଣଙ୍କ ଆତ୍ମ ନିୟନ୍ତ୍ରଣ ଏକ ଉଦାହରଣ ହୁଏ ।
4. ଦୁଃଖଦ ଅନୁଭୂତିକୁ କାହାଣୀ ମାଧ୍ୟମରେ କହିବାକୁ ଉତ୍ସାହିତ କରନ୍ତୁ ।
ଯଦି ଆପଣଙ୍କ ପିଲା ଖେଳ ପଡିଆରେ ପଡ଼ିଯିବା ପରେ ଅବା ସେମିତି କିଛି ଘଟଣାରେ ଡରିଯାଇଥାଏ, ତେବେ କ'ଣ କରିପାରିବେ?
ପିଲାକୁ ପୁରା ଘଟଣାଟିକୁ କହିବାକୁ କୁହନ୍ତୁ। “ପଡ଼ିବା ପୂର୍ବରୁ ତୁମେ କ’ଣ କରୁଥିଲ ? ତା ପରେ କ'ଣ ହେଲା ? କେମିତି ହେଲା ? ସେତେବେଳେ ତୁମେ କିପରି ଠିକ୍ ହେଲ ?” ଇତ୍ୟାଦି ପ୍ରଶ୍ନ ପଚାରନ୍ତୁ। ସକାରାତ୍ମକ ଭାବରେ କଥାଟିକୁ ଶେଷ କରିବାକୁ ଉତ୍ସାହିତ କରନ୍ତୁ। ଘଟଣାଗୁଡ଼ିକ ବିଷୟରେ କଥାବାର୍ତ୍ତା କରିବା ପିଲାଙ୍କୁ ସେମାନଙ୍କର ଭାବନାକୁ ବୁଝିବାରେ ସାହାଯ୍ୟ କରେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅଧିକ ସାହାଯ୍ୟ କରେ।
5. ଭାବନାକୁ ରିଲିଜ୍ କରିବା ପାଇଁ କିଛି ଶାରୀରିକ ଶ୍ରମ କରିବାକୁ ଉତ୍ସାହିତ କରନ୍ତୁ ।
ଯଦି ବହୁତ ସମୟ ଧରି ହୋମୱାର୍କ କରିବା ପରେ ଆପଣଙ୍କ ପିଲା ନିରାଶାରେ ପେନ୍ସିଲ କି ଅନ୍ଯାନ୍ଯ ଜିନିଷ ଫୋପଡ଼ା ଫୋପାଡି କରୁଛି ତେବେ କ'ଣ କରିପାରିବେ?
ଗାଳି ଦେବା ପରିବର୍ତ୍ତେ, ଏକ ଛୋଟ ବିରତି ନିଅନ୍ତୁ। “ଚାଲ ଟିକେ ଚାଲି ଆସିବା କିମ୍ବା ଟିକେ ନାଚିବା କି” ବୋଲି କୁହନ୍ତୁ। ଆଗ୍ରହ ଥିବା ଶାରୀରିକ ଶ୍ରମ କରିବାକୁ ଉତ୍ସାହିତ କରନ୍ତୁ । ଶାରୀରିକ କାର୍ଯ୍ୟକଳାପ ଦବି ରହିଥିବା ଶକ୍ତିକୁ ମୁକ୍ତ କରେ ଏବଂ ଶିଶୁର ମନୋବଳକୁ ଉନ୍ନତ କରିଥାଏ ।
6. ଇମୋସନ୍ ବା ଭାବନା ଆସେ ଏବଂ ଯାଏ ବୋଲି ବୁଝାନ୍ତୁ ।
ଯଦି ଆପଣଙ୍କ ପିଲା ତା'ର ପ୍ରିୟ ଖେଳନା ଭାଙ୍ଗିଯିବାରୁ ଦୁଃଖିତ ହୋଇଥାଏ, ତେବେ କ'ଣ କରିପାରିବେ?
ପିଲାକୁ ବୁଝାନ୍ତୁ ଯେ, “ବର୍ତ୍ତମାନ ଦୁଃଖିତ ହେବା ଠିକ, କିନ୍ତୁ ଏହି ଅନୁଭବ ସବୁଦିନ ପାଇଁ ରହିବ ନାହିଁ । ଆମେ ଏବେ ଏହି ଜିନିଷଟିକୁ କିପରି ଠିକ୍ କରିପାରିବା ବା ପରିବର୍ତ୍ତନ କରିପାରିବା ସେ ବିଷୟରେ ଚିନ୍ତା କରିବା।" ଏହା ପିଲାମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯେ, ଭାବନା ସବୁ ଅସ୍ଥାୟୀ ଅଟେ ଏବଂ ଏହାକୁ ପରିଚାଳନା କରିବା ସମ୍ଭବ।
7. ଭିତରର କ୍ରିୟା ପ୍ରତିକ୍ରିୟା ବିଷୟରେ ସଚେତନତା ବଢ଼ାନ୍ତୁ ।
ଯଦି ଆପଣଙ୍କ ପିଲା ଚିନ୍ତିତ ମନେହେଉଥାଏ କିନ୍ତୁ କାହିଁକି ବୁଝିପାରୁନଥାଏ, ତେବେ କ'ଣ କରିପାରିବେ?
ସେମାନଙ୍କୁ ସେମାନଙ୍କର ଅବସ୍ଥା ବିଷୟରେ ପଚାରନ୍ତୁ। ଏଇ ଯେମିତି “ତୁମର ପେଟରେ କିଛି ଗୋଟେ ଉଡ଼ିଲା ଭଳି ଲାଗୁଛି କି? ତୁମେ ଭୟାନକ କିମ୍ବା ରୋମାଞ୍ଚକର କିଛି ବିଷୟରେ ଚିନ୍ତା କରୁଛନ୍ତି କି?” ସମ୍ବେଦନଶୀଳତା, ଚିନ୍ତାଧାରା ଏବଂ ଭାବନାକୁ ଚିହ୍ନିବା ପିଲାମାନଙ୍କୁ ନିଜ ଏଙ୍ଗଜାଇଟି ବୁଝିବାରେ ସାହାଯ୍ୟ କରେ ।
8. ସହାନୁଭୂତିଶୀଳ କରିବା ପାଇଁ ଅନ୍ୟମାନଙ୍କର ଦୃଷ୍ଟିକୋଣ ବୁଝାଇ କୁହନ୍ତୁ।
ଯଦି ଆପଣଙ୍କ ପିଲା ତା'ର କେଉଁ ଭାଇ ଭଉଣୀ ଅବା ଅନ୍ୟ କାହା ଠାରୁ ଏକ ଖେଳନା ଛଡ଼ାଇ ନିଏ ଓ ଏଥିପାଇଁ ସେମାନଙ୍କ ଭିତରେ କନ୍ଦାକଟା, ମାଡଗୋଳ ହୁଏ, ତେବେ କ'ଣ କରିପାରିବେ?
ଗାଳି ଦେବା ପରିବର୍ତ୍ତେ, ପିଲାକୁ ତା' ଭାଇର ଦୃଷ୍ଟିକୋଣରୁ ପରିସ୍ଥିତିଟିକୁ ବୁଝାନ୍ତୁ। କୁହନ୍ତୁ, “ଯେତେବେଳେ ତୁମେ ଖେଳନାକୁ ନେଇଆସିଲ, ତୁମ ଭାଇକୁ କିପରି ଲାଗିଥିବ? ଏହାକୁ ଠିକ୍ କରିବା ପାଇଁ ଆମେ ବର୍ତ୍ତମାନ କ'ଣ କରିପାରିବା? ” ସହାନୁଭୂତି ଜଣେଇବାର ଅଭ୍ୟାସ ସମ୍ପର୍କକୁ ମଜବୁତ କରେ ଏବଂ ଭବିଷ୍ୟତର ଝଗଡାକୁ ହ୍ରାସ କରେ ।
9. ଭାବପ୍ରବଣତା ଥିବା କଷ୍ଟକୁ ଠିକ୍ କରିବା ପାଇଁ ସେଥିସହ ଜଡ଼ିତ ସ୍ମୃତି ବିଷୟରେ କଥାବାର୍ତ୍ତା କରନ୍ତୁ ।
ଯଦି ଆପଣଙ୍କ ପିଲା ବିଦ୍ୟାଳୟରେ ଘଟିଥିବା ଏକ ଖରାପ ଅନୁଭୂତି ପରେ କଥାବାର୍ତ୍ତା କରିବାରୁ ଦୂରେଇ ରହୁଛି, ତେବେ କ'ଣ କରିପାରିବେ?
ଯେତେବେଳେ ସେ ଶାନ୍ତ ଥିବ, ସେତେବେଳେ ନରମ ସ୍ୱରରେ କଥାବାର୍ତ୍ତା ଆରମ୍ଭ କରନ୍ତୁ: “ତୁମେ ସ୍କୁଲ ପରେ ଦୁଃଖିତ ମନେ ହେଉଥିଲ । ସେ ବିଷୟରେ କିଛି କହିବାକୁ ଚାହଁ କି? ତାକୁ ନିଜ ଢଙ୍ଗରେ ଏବଂ ନିଜ ସମୟରେ କଥା ହେବାକୁ ଦିଅନ୍ତୁ ।ପୁରୁଣା ଘଟଣା ବିଷୟରେ କଥାବାର୍ତ୍ତା କରିବା ଦ୍ୱାରା ପିଲାମାନେ ନିଜକୁ ବୁଝିବା ସହିତ ଆଗକୁ ବଢ଼ିବାରେ ସକ୍ଷମ ହୁଅନ୍ତି।
10. ସମସ୍ୟାର ସମାଧାନ ପାଇଁ ଛୋଟ ଛୋଟ ପଦକ୍ଷେପ ନେବା ଶିଖାନ୍ତୁ ।
ଯଦି ଆପଣଙ୍କ ପିଲା ଗଣିତର ଗୋଟେ କଷ୍ଟକର ସମସ୍ୟାକୁ ବହୁତ ସମୟ କରିବା ପରେ ମଧ୍ୟ ସମାଧାନ କରିନପାରି ହତାଶ ହୋଇ ହାର ମାନିବାକୁ ଯାଉଛି, ତେବେ କ'ଣ କରିପାରିବେ?
କାମକୁ ଛୋଟ ଛୋଟ ଭାଗରେ ବିଭକ୍ତ କରନ୍ତୁ। କୁହନ୍ତୁ “ଚାଲ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ସମାଧାନ କରିବା । ପ୍ରତ୍ୟେକ ପ୍ରଶ୍ନ ପରେ ଆମେ ଟିକେ ବିରତି ନେବା।” ଚେଷ୍ଟା କରିବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ। କୁହନ୍ତୁ, “ତୁମେ ଯେଉଁ କଠିନ ପରିଶ୍ରମ କରୁଛ ବା ଲାଗି ରହିଛ, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଚ୍ୟାଲେଞ୍ଜଗୁଡ଼ିକୁ ଛୋଟ ଛୋଟ ଭାଗରେ ଭାଙ୍ଗିବା ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଥାଏ ଏବଂ ଧୈର୍ଯ୍ୟ ଶିଖାଏ ।
11. ତର୍କ ଓ ଭାବନା ଭିତରେ ସନ୍ତୁଳନ ଆଣନ୍ତୁ ।
ଯଦି ଆପଣଙ୍କ ପିଲା ପାର୍କରେ ଅଧିକ ସମୟ ବିତାଇବାକୁ ଜିଦ୍ କରି ରାଗୁଛି, ତେବେ କ'ଣ କରିପାରିବେ?
କୁହନ୍ତୁ ଯେ, “ମୁଁ ଜାଣେ ତୁମେ ଅଧିକ ଖେଳିବାକୁ ଚାହୁଁଛ। ଚ଼ାଲ, ଆମେ ସାଙ୍ଗରେ ମିଶି ଠିକ୍ କରିବା ତୁମେ ଘରକୁ ଯିବା ପୂର୍ବରୁ ଆଉ କେତେ ମିନିଟ୍ ଏଠି ରହିବାକୁ ଚାହୁଁଛ?” ଯୁକ୍ତିଯୁକ୍ତ ଚିନ୍ତାଧାରା ସହିତ ଭାବପ୍ରବଣ ପ୍ରତିକ୍ରିୟାଗୁଡ଼ିକୁ ସନ୍ତୁଳିତ କରିବା ପିଲାକୁ ଆତ୍ମ ନିୟନ୍ତ୍ରଣକୁ ଶିଖାଏ ।
12. ଦଳଗତ କାର୍ଯ୍ୟ ଏବଂ ସହଯୋଗକୁ ପ୍ରୋତ୍ସାହିତ କରନ୍ତୁ ।
ଯଦି ଆପଣଙ୍କ ପିଲା ଘର କାମରେ ସାହାଯ୍ୟ କରିବାକୁ ମନା କରୁଛି, ତେବେ କ'ଣ କରିପାରିବେ?
ନିର୍ଦ୍ଦେଶ ଦେବା ପରିବର୍ତ୍ତେ ତାକୁ କାମରେ ସାମିଲ୍ କରନ୍ତୁ। “ଆମେ ପରା ଗୋଟିଏ ଦଳ । ଦେଖ, ଏଠି ସମସ୍ତେ କେମିତି କିଛି ନା କିଛି କାମରେ ସାହାଯ୍ୟ କରୁଛନ୍ତି। ତୁମେ ଟେବୁଲ୍ ସେଟ୍ କରିବାକୁ ପସନ୍ଦ କରିବ ନା ଡିସ୍ ରଖିବାକୁ ? ତୁମର ଯାହା ଇଚ୍ଛା ସେଇଟା କର। ପସନ୍ଦ କରିବାକୁ ସୁଯୋଗ ଦେବା ବିଭିନ୍ନ କଥାରେ ସହଯୋଗ କରିବାକୁ ଉତ୍ସାହିତ କରେ ଏବଂ ଦାୟିତ୍ୱର ଭାବନା ସୃଷ୍ଟି କରେ ।
କେତୋଟି ବ୍ୟାବହାରିକ ଟିପ୍ସ :
• ଧୈର୍ଯ୍ୟବାନ ହୁଅନ୍ତୁ: ପିଲାମାନେ ଏହି କୌଶଳ ଶିଖିବା ପାଇଁ ସମୟ ନିଅନ୍ତି । ଛୋଟ ଛୋଟ ସଫଳତାଗୁଡ଼ିକ ସେଲିବ୍ରେଟ୍ କରନ୍ତୁ।
• ଏକ ଆଦର୍ଶ ହୁଅନ୍ତୁ: ଆପଣ ଭାବନାକୁ ପରିଚାଳନା କରିବା ବିଷୟରେ ଯାହା କହୁଛନ୍ତି, ତାହା ନିଜ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରି ପିଲାଙ୍କୁ ଦେଖାନ୍ତୁ ।
• ପ୍ରଚେଷ୍ଟାର ପ୍ରଶଂସା କରନ୍ତୁ ଫଳାଫଳର ନୁହେଁ: ଫଳାଫଳ ଅପେକ୍ଷା ଅଗ୍ରଗତି ଉପରେ ଧ୍ୟାନ ଦିଅନ୍ତୁ ।
ପ୍ୟାରେଣ୍ଟିଂ ସଠିକ୍ ହେବା ବିଷୟରେ ନୁହେଁ, ଅଗ୍ରଗତି କରିବା ବିଷୟରେ । ଏହି କୌଶଳଗୁଡିକ ପ୍ରୟୋଗ କରି, ଆପଣ କେବଳ ଆପଣଙ୍କ ପିଲାଙ୍କୁ ସେମାନଙ୍କର ଭାବନାକୁ ପରିଚାଳନା କରିବାରେ ସାହାଯ୍ୟ କରୁନାହାଁନ୍ତି, ବରଂ ସେମାନଙ୍କୁ ଜୀବନ ବଞ୍ଚିବାର କୌଶଳ ମଧ୍ୟ ଶିଖାଉଛନ୍ତି ଯାହା ସେମାନଙ୍କ ଭବିଷ୍ୟତକୁ ଗଢ଼ିବ ।
ପ୍ରତ୍ୟେକ ଅସୁବିଧାର ସମୟ ସହନଶୀଳତା, ସହାନୁଭୂତି ଏବଂ ଆତ୍ମ ନିୟନ୍ତ୍ରଣ ଶିକ୍ଷା କରିବାର ଏକ ସୁଯୋଗ । ପିଲାକୁ ଭଲପାଇବା ଏବଂ ବୁଝାମଣା ସହିତ ବାଟ ଦେଖାଇ, ଆପଣ ସେମାନଙ୍କର ଭାବପ୍ରବଣ ଏବଂ ମାନସିକ ବିକାଶ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିପାରିବେ।
ପ୍ୟାରେଣ୍ଟିଂ ହେଉଛି ଏକ ଲମ୍ବା ଯାତ୍ରା ଏବଂ ସଠିକ୍ ଉପାୟ ଅବଲମ୍ବନ କଲେ ଆପଣ ଆପଣଙ୍କ ପିଲାମାନଙ୍କୁ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଦୁନିଆରେ ଉନ୍ନତି କରିବାରେ ସାହାଯ୍ୟ କରିପାରିବେ।