Advertisment

ଜାତୀୟସ୍ତରର ଅମ୍ପାୟାର୍ ଏବଂ କୋଚ୍ ରୀତାଙ୍କ ସଂଘର୍ଷର କାହାଣୀ

ନାରୀ ଆଜି ପଛରେ ନୁହେଁ। ନିଜ ଉଦ୍ୟମରେ କିଏ ପ୍ରଶାସିକା ବନିଥାଏ ତ ଆଉ କିଏ ଉଦ୍ୟୋଗ ଆରମ୍ଭ କରି ନିଜକୁ ସ୍ୱାବଲମ୍ବୀ କରିବା ସହିତ ଅନ୍ୟକୁ ବି ସ୍ୱାବଲମ୍ବୀ କରାଇଥାଏ। ପୁଣି କିଏ ନିଜର ପ୍ରତିଭାର ବିକାଶ କରିବା ସହିତ ଅଭିଜ୍ଞତାକୁ କାମରେ ଲଗାଇଥାଏ। ସେଭଳି ଜଣେ ନାରୀ ହେଲେ ରୀତା ଦାଶ। ଆସନ୍ତୁ ଜାଣିନେବା ତାଙ୍କ ସଂଘର୍ଷର କାହାଣୀ।

ଅଦ୍ୟତନ ହୋଇଛି
The Inspiring story of Badminton referee and coach Rita Das

The Inspiring story of Badminton referee and coach Rita Das

Advertisment

ମହିଳାଟିଏ କ’ଣ ବା କରି ନପାରେ। ତା’ ପାଇଁ ଅପହଞ୍ଚ ବୋଲି କିଛି ନାହିଁ। ନିଜର ପ୍ରତିଭା ଏବଂ ଗୁଣର ପରିପ୍ରକାଶ କରିବାରେ କେବେବି ସୁଯୋଗର ହାତଛଡା କରି ନଥାଏ ନାରୀ। ସେଥିପାଇଁ ସବୁ ପରିସ୍ଥିତିରେ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଥାଏ ସେ। ନିଜ ଉଦ୍ୟମରେ କିଏ ପ୍ରଶାସିକା ବନିଥାଏ ତ ଆଉ କିଏ ଉଦ୍ୟୋଗ ଆରମ୍ଭ କରି ନିଜକୁ ସ୍ୱାବଲମ୍ବୀ କରିବା ସହିତ ଅନ୍ୟକୁ ବି ସ୍ୱାବଲମ୍ବୀ କରାଇଥାଏ। ପୁଣି କିଏ ନିଜର ପ୍ରତିଭାର ବିକାଶ କରିବା ସହିତ ଅଭିଜ୍ଞତାକୁ କାମରେ ଲଗାଇଥାଏ। ସେଭଳି ଜଣେ ନାରୀ ହେଲେ ରୀତା ଦାଶ। ଆସନ୍ତୁ ଜାଣିନେବା ତାଙ୍କ ସଂଘର୍ଷର କାହାଣୀ।

Advertisment

ବ୍ୟାଡ୍‌ମିଣ୍ଟନ କ୍ରୀଡାକୁ ନେଇ ସେ ଦିନେ ସ୍ୱପ୍ନ ଦେଖିଥିଲେ। ଆଜି ତାଙ୍କ ସ୍ୱପ୍ନ ସାର୍ଥକ ହୋଇଛି। ଏବେ ନିଶା ତାଙ୍କର ବ୍ୟାଡ଼ମିଣ୍ଟନ ଆଉ ପେସା ବି ତାଙ୍କର ବ୍ୟାଡମିଣ୍ଟନ୍। ପୂର୍ବତନ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଗ୍ରେଡ୍ ଓ୍ୱନ୍ ଅମ୍ପାୟାର ରୀତା ଦାଶ ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଯିଏକି ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ ଅଫ୍ ଇଣ୍ଡିଆର ସ୍ୱୀକୃତିପ୍ରାପ୍ତ ଅମ୍ପାୟାର୍। ବ୍ୟାଡ୍‌ମିଣ୍ଟନ ଖେଳ ପ୍ରତି ରୀତାଙ୍କର ଆଗ୍ରହ ଏବଂ ନିରନ୍ତର ସାଧନା ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଇଛା ଥିଲା ସେ କିଛି ଭିନ୍ନ କରି ଦେଖାଇବେ। ବାପାଙ୍କର ନାଁ ରଖିବେ। ଶେଷରେ ତାହାହିଁ ହେଲା। ଖେଳପ୍ରତି ଅହେତୁକ ଦୁର୍ବଳତା ରୀତାଙ୍କୁ ଟାଣି ଆଣିଲା ବ୍ୟାଡ୍‌ମିଣ୍ଟନ୍‌ ଦୁନିଆକୁ। ଜୀବନର ସାଥୀ ହୋଇଗଲା ଏହି ରାକେଟ୍‌, କର୍କ ଆଉ ନେଟ୍। ପ୍ରଥମେ କଲେଜ, ପରେ ୟୁନିଭର୍ସିଟି ଆଉ ତା’ପରେ ରାଜ୍ୟସ୍ତରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢିଚାଲିଲେ ରୀତା।

Advertisment

ବ୍ୟାଡ୍‌ମିଣ୍ଟନ ଖେଳରୁ ଜୀବନସାଥୀ ଖୋଜିପାଇବା ପରେ ବଦଳି ଯାଇଥିଲା ରୀତାଙ୍କ କ୍ରୀଡା ଜୀବନର ମୋଡ। ପାରିବାରିକ ଦାୟିତ୍ୱ ସମ୍ଭାଳିବା ସହିତ ଅଭ୍ୟାସ ବି ଜାରି ରଖିଥିଲେ। ରୀତା ଜଣେ ପୋଖତ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିଙ୍କୁ ସ୍ୱାମୀ ଭାବରେ ପାଇବା ଏବଂ ତାଙ୍କର ସହଯୋଗ ରୀତାଙ୍କ କେରିୟରକୁ ଆଗକୁ ବଢିବାରେ ଅଧିକ ଉତ୍ସାହିତ କରିଥିଲା। ସ୍ୱାମୀ କମଲ ତାଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରି ଚାଲିଲେ।

ବ୍ୟାଡ୍‌ମିଣ୍ଟନ ରେଫରି ତଥା କୋଚ୍ ଭାବରେ ରୀତା ଦାଶ ବେଶ ଜଣାଶୁଣା। ଜଣେ କ୍ରୀଡାବିତ୍ ଭାବରେ ଅନେକ ଟୁର୍ଣ୍ଣାମେଣ୍ଟ୍‌ରେ ରୀତାଙ୍କ ପ୍ରଦର୍ଶନ ଥିଲା ବେଶ୍ ସନ୍ତୋଷଜନକ। ଏ କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଦୁଇ ପାଦ ଆଗକୁ ବଢିଛନ୍ତି ରୀତା। ଏବେ କଟକରେ ଥିବା ଦୁଇଟି ବ୍ୟାଡ୍‌ମିଣ୍ଟନ୍‌ କୋଚିଂ ଏକାଡେମୀର କୋଚ୍ ଦାୟିତ୍ୱ ତୁଲାଉଛନ୍ତି ସେ। ତା’ ସହିତ ବ୍ୟାଡ୍‌ମିଣ୍ଟନ କ୍ରୀଡାରେ ରୁଚି ରଖୁଥିବା ଯୁବ କ୍ରୀଡାବିତ୍‌ଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

Advertisment

ଦୃଢ ଇଛାଶକ୍ତି ଏବଂ ପ୍ରଚେଷ୍ଟା ବଳରେ ନାରୀ କିଛି ବି କରିପାରେ। ତା’ର ବଡ଼ ଉଦାହରଣ ସାଜିଛନ୍ତି ରୀତା ଦାଶ। ମହିଳା ବ୍ୟାଡ୍‌ମିଣ୍ଟନ ରେଫରୀ ଏବଂ କୋଚ୍ ଭାବରେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ସେ। ଆଜି ବି ବ୍ୟାଡ୍‌ମିଣ୍ଟନ ପାଇଁ ଅନେକ ସମୟ ଦିଅନ୍ତି ସେ। ବୟସ ରୋକିପାରିନି ବ୍ୟାଡ୍‌ମିଣ୍ଟନ ଖେଳ ପ୍ରତି ଥିବା ତାଙ୍କ ମୋହକୁ। ଆଜି ବି ରାକେଟ୍ ଧରି କୋର୍ଟକୁ ଓହ୍ଲାଇଲେ ସେହି ଜୋସ୍ ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଥାଏ ରୀତାଙ୍କ ଠାରେ।

ବ୍ୟାଡ୍‌ମିଣ୍ଟନ ଖେଳ ସହିତ ବ୍ୟକ୍ତିଗତ ଜୀବନରେ ବେଶ୍ ମେଳାପି ରୀତା ଦାଶ। ଫୁର୍‌ସତ୍ ମିଳିଲେ ବଗିଚାରେ କିଛି ସମୟ କାଟିଥାନ୍ତି ଆଉ ଭାରାକ୍ରାନ୍ତ ମନକୁ ହାଲୁକା କରିଥାନ୍ତି। ଉଦ୍ୟମୀ ନାରୀଟିଏ ଯଦି ପରିବାରର ସହଯୋଗ ପାଇଥାଏ, ତେବେ ତା’ କାମ କେତେ ସହଜ ହୋଇଥାଏ, ତା’ର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ରୀତା।

ଦୃଢ ଇଛାଶକ୍ତି ବଳରେ ବ୍ୟାଡ୍‌ମିଣ୍ଟନ ଖେଳାଳି ରୀତା ଦାଶ ଆଜି ବନିପାରିଛନ୍ତି ଜଣେ ଜାତୀୟସ୍ତରର ଅମ୍ପାୟାର୍ ଏବଂ କୋଚ୍। ସେ ଏବେ ଭବିଷ୍ୟତ ପିଢିର ଖେଳାଳିଙ୍କୁ ଶିଖାଉଛନ୍ତି ସଫଳତାର ମନ୍ତ୍ର। ଯଦି ପ୍ରତ୍ୟେକ ନାରୀ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ଏବଂ ସାହାସକୁ କାର୍ଯ୍ୟରେ ଲଗାଇପାରନ୍ତି, ସେମାନେ ବି ବନିପାରିବେ ଅନ୍ୟ ପାଇଁ ପ୍ରେରଣା।

Prerana Badminton Referee Rita Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ