Success Story of Balangir Divyang Girl Payal Nag
କଥାରେ ଅଛି, ଇଛାଶକ୍ତି ଥିଲେ ଆଗକୁ ଯିବାରେ କୌଣସି ସମସ୍ୟା ପ୍ରତିବନ୍ଧକ ସୃଷ୍ଟି କରିପାରେନା। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଦିବ୍ୟାଙ୍ଗ କୁନିଝିଅ ପାୟଲ। ବଲାଙ୍ଗିର ଜିଲ୍ଳା ସହ ଜଡିତ ଦାଦନର ଦୁଃଖ। କିନ୍ତୁ ସେଇ ଦାଦନ ଜିଲ୍ଲାର ସଫଳ କାହାଣୀ ପାଲିଟିଛି ନାୟିକା ପାୟଲ। ଦିନେ ପାୟଲକୁ ନେଇ, ଚିନ୍ତାରେ ଥିଲେ ପରିବାର ଲୋକ। କାରଣ ବାପା ମାଆ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ, ହଠାତ୍ ବିଦ୍ୟୁତ ଆଘାତରେ ଆସି ତା ଦୁଇ ହାତ ଦୁଇ ଗୋଡ଼ ପୋଡ଼ି ଯାଇଥିଲା, ଯାହାକୁ ପରେ କାଟିବାକୁ ପଡିଥିଲା।
ଦେବଦୂତ ସାଜିଥିଲେ ଜିଲ୍ଲାପାଳ
ଏଭଳି ଏକ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକମାନେ। କିନ୍ତୁ ଦେବଦୂତ ସାଜିଥିଲେ ତତକାଳୀନ ଜିଲ୍ଳାପାଳ। ଆଉ ଏବେ, କେବଳ ବଲାଙ୍ଗିର କି ଓଡିଶାର ନୁହେଁ, ଦେଶର ଗୋଲ୍ଡେନ୍ ଗାର୍ଲ ପାଲଟି ଯାଇଛି ପାୟଲ। ଗୋଡ଼ରେ ତୀର ଚଳାଇ ଚାମ୍ପିୟନ ହୋଇଛି ପାୟଲ। ଜାତୀୟ ପାରା-ତୀରନ୍ଦାଜ ଟାଇଟଲ ହାସଲ କରି, ଏବେ ସାରା ଦେଶରେ ପାୟଲର ଚର୍ଚ୍ଚା।
ନିଆଁକୁ ପରାସ୍ତ କରିଥିବା ପାୟଲ
ଅଘଟଣ ଘଟିଥିବା ବେଳେ ଓଟିଭିକୁ ପାୟଲ କହିଥିଲା, କେମିତି ବିଦ୍ୟୁତ ଆଘାତରେ ଆସି ଯାଇଥିଲା ସିଏ। କେମିତି କଟି ଯାଇଥିଲା ତା ଦୁଇହାତ ଓ ଦୁଇଗୋଡ଼। ନୀରିହ ମୁହଁରେ ହସି ହସି କହିଥିଲା, ଏବେ ଆଉ ଭଲ ଲାଗୁନାହିଁ। କାରଣ ଖେଳିବାକୁ ଇଛା ହେଉଛି, କିନ୍ତୁ ଖେଳି ପାରୁନି। ବାସ୍, ୨୦୧୫ ମସିହାରେ କଇଁ କଇଁ କଥା କହୁଥିବା ପାୟଲ, ଏବେ କରିସ୍ମା ଦେଖାଇଛି। ନିଜର ଅଧ୍ୟବସାୟ ଫଳରେ ସେ ଆଜି ପାଲଟି ଯାଇଛି ଗୋଲ୍ଡେନ୍ ଗାର୍ଲ। ଜାତୀୟ ସ୍ତରରେ ପାଇଛି ଗୋଲ୍ଡ ମେଡାଲ।
ଯାହାକୁ ଆଦର୍ଶ କରିଥିଲେ, ତାଙ୍କୁ ହିଁ ହରାଇଲେ
ତାହା ପୁଣି ତୀରନ୍ଦାଜ ଭଳି କଠିନ ଆଥଲେଟିକ୍ସରେ। ରାଜସ୍ଥାନ ଜୟପୁରରେ ଚାଲିଥିବା ୬ଷ୍ଠ ଜାତୀୟ ପାରା ତୀରନ୍ଦାଜୀ କମ୍ପାଉଣ୍ଡ ଓପନ ଓ୍ୱିମେନ୍ସ ରାଉଣ୍ଡ-୧ କ୍ୟାଟାଗୋରୀରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛି କୁନିଝିଅ ପାୟଲ ନାଗ। ସବୁଠାରୁ ବଡକଥା ହେଉଛି, ଅର୍ଜୁନ ପୁରସ୍କାରପ୍ରାପ୍ତ ଅଲିମ୍ପିଆନ ଶୀତଳ ଦେବୀଙ୍କୁ ପରାସ୍ତ କରି, ସ୍ୱର୍ଣ୍ଣପଦକ ହାସଲ କରି ଚାମ୍ପିୟନ ହୋଇଛି ପାୟଲ। ଦିନେ ଶୀତଲଙ୍କ ଭିଡିଓ ଦେଖି, ତୀରନ୍ଦାଜ ହେବା ପାଇଁ ଇଛା ପ୍ରକାଶ କରିଥିବା ପାୟଲ, ଆଜି ନିଜର ସେଇ ଆଦର୍ଶ ଖେଳାଳିଙ୍କୁ ମାତ୍ ଦେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଯାଇଛନ୍ତି।
୧୦ ବର୍ଷ ତଳର ସେଇ ଦୟନୀୟ ଘଟଣା
ପାୟଲରଙ୍କ ଏହି ଜାତୀୟ ସଫଳତାକୁ ନେଇ ସେ ରହୁଥିବା ପାର୍ବତୀ ଗିରି ବାଳନିକେତନର ସମ୍ପାଦିକା ସଂସ୍କୃତି ପଟ୍ଟନାୟକ ଓ ବଲାଙ୍ଗିର ଜିଲ୍ଳା ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଖୁସି ପ୍ରକାଶ କରିଛନ୍ତି। ଚାମ୍ପିୟନ ଝିଅର ପ୍ରଚ୍ଛଦ ଜୀବନ କାହାଣୀ ସିନେମା କାହାଣୀଠୁ କମ୍ ନୁହେଁ। ଦାଦନ ଦୁଃଖର ଅପବାଦ ମୁଣ୍ଡାଇଥିବା ବଲାଙ୍ଗିର ଜିଲ୍ଳା ପାଇଁ, ପାୟଲ ଆଣିଛନ୍ତି ସମ୍ମାନର ସନ୍ତକ। ଆଜିଠୁ ଠିକ୍ ୧୦ ବର୍ଷ ତଳେ, ବାପା, ମାଆ ପଡୋଶୀ ରାୟପୁରରେ ଦାଦନ ଖଟୁଥିଲେ। ବକଟେ ଛୁଆ ପାୟଲ, ବିଦ୍ୟୁତ ସଂସ୍ପର୍ଶରେ ଆସି, ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ଡାକ୍ତରଙ୍କ ପରାମର୍ଶରେ ଚାରିହାତ ଗୋଡ କଟାଯାଇ, ପାୟଲର ଜୀବନ ବଂଚା ଯାଇଥିଲା।
୨୦୨୨ରେ ମୋଡ଼ ନେଲା ପାୟଲଙ୍କ ଜୀବନ
ବାସ୍, ତା ପରେ କୁନିଝିଅ ପାଲୟ ପାଇଁ ବଦଳି ଯାଇଥିଲା ଜୀବନ। ଜୀବନ କଣ ଜାଣିବା ଆଗରୁ ଈଶ୍ୱର ତାକୁ ଦେଇଦେଲେ ଏକ ଅଭିଶପ୍ତ ଶୈଶବ। ଭିନ୍ନକ୍ଷମ ଭତ୍ତା ପାଇ ସେ ଘରେ ପଡି ରହିଥିଲା। ହେଲେ ୨୦୨୨ ମସିହା ପାୟଲ ଜୀବନର ମୋଡ ବଦଳି ଯାଇଥିଲା। ବଲାଙ୍ଗିର ଜିଲ୍ଳାର ତତକାଳୀନ ଜିଲ୍ଳାପାଳ ଚଂଚଳ ରାଣା, ପାୟଲକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ପ୍ରଥମେ ପାୟଲର ବାପା ମାଆଙ୍କ ସହମତିରେ ପାୟଲକୁ ବଲାଙ୍ଗିର ସହରରେ ଥିବା ପାର୍ବତୀଗିରୀ ଆଶ୍ରମକୁ ଅଣା ଯାଇଥିଲା। ନିକଟସ୍ଥ ସ୍କୁଲରେ ନାଁ ଲେଖାଇ ପାଠ ପଢିଥିଲା ପାୟଲ। ସୁନ୍ଦର ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପାଇଥିଲା। ଆଉ ନିଜେ ନିଜେ ଗୀତ ଗାଇ ନବୀନ ଜୀବନର ଆହ୍ୱାନ ଦେଉଥିଲା ପାୟଲ।
ଚଞ୍ଚଳ ରାଣାଙ୍କୁ ଧନ୍ୟବାଦ
ପାୟଲର ଗୁଣଗାରିମା ଦେଖି, ତତକାଳୀନ ଜିଲ୍ଳାପାଳ ଚଞ୍ଚଳ ରାଣା, ପାୟଲକୁ ଶୀତଲ ଦେବୀଙ୍କ ଭିଡିଓ ଦେଖାଇଥିଲେ। ବାସ୍, ଭିଡିଓ ଦେଖି ତୀରନ୍ଦାଜ ହେବାକୁ ଠିକ୍ କରିଥିଲା ପାୟଲ। ସହଯୋଗ କରିଥିଲେ ଚଂଚଳ। ଆଉ ଏବେ ନିଜର ଆଦର୍ଶ ଶୀତଲ ଦେବୀଙ୍କୁ ହରାଇ, ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରି ଚାମ୍ପିୟନ ହୋଇଛନ୍ତି ପାୟଲ।
ଝିଅର ସଫଳତା ବୁଝିପାରୁ ନାହାଁନ୍ତି ବାପା ମାଆ
ପାୟଲର ସଫଳତା ପରେ ଆମ ପ୍ରତିନିଧି ବଲାଙ୍ଗିର ଜିଲ୍ଳା ଦାଦନପ୍ରବଣ ମୁରିବାହାଲ ବ୍କକ ଜମୁନାବାହାଲ ଗାଁରେ ରହୁଥିବା ପାୟଲଙ୍କ ବାପା ବିଜୟ ନାଗ ଓ ମାଆ ଜଳନ୍ତା ନାଗଙ୍କ ପାଖରେ ପହଞ୍ଚିଥିଲେ। ଦିନ ମଜୁରିଆ କାମ କରି ପେଟ ପୋଷୁଥିବା ବାପା ମାଆ, ପାୟଲର ସଫଳତାକୁ ଭଲ ଭାବରେ ବୁଝି ପାରୁନଥିଲେ। ହେଲେ ସୁନାଝିଅ ପାଇଁ ସେମାନେ ବିଭୋର। ସତେ ଯେମିତି ହଜିଯାଇଥିବା ସ୍ପପ୍ନ ବାସ୍ତବତାର ରୂପ ନେଇଛି।