Plasma Donor: ତାଙ୍କ ରକ୍ତରେ ଥିଲା ଅଦ୍ଭୁତ ଶକ୍ତି, ବଞ୍ଚାଇ ପାରିଥିଲେ ୨୪ ଲକ୍ଷ ଶିଶୁଙ୍କ ଜୀବନ

ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ହାରିସନ ଏବଂ ଅନ୍ୟ ପ୍ଲାଜମାଦାତା ମାନଙ୍କ ରକ୍ତ ବ୍ୟବହାର କରି ଲ୍ୟାବରେ ଆଣ୍ଟି-ଡି ଆଣ୍ଟିବଡି ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି। ରେଡକ୍ରସ୍ ଏହି ପ୍ରକ୍ରିୟାକୁ " ଜେମ୍ସ ଇନ୍ ଏ ଜାର୍" ନାମ ଦେଇଛି । ଏହି ପ୍ରୟାସ ସଫଳ ହେଲେ ବିଶ୍ୱର ଅଗଣିତ ପରିବାରକୁ ସାହାଯ୍ୟ ମିଳିବ ବୋଲି ଆଶା ରହିଛି । ରକ୍ତଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା ଜେମ୍ସ ହାରିସନ ଆଜି ଦୁନିଆରେ ନାହାନ୍ତି ସତ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ ।

ସେ ଆଜି ମରି ବି ଅମର

ରକ୍ତଦାନ ମହାପୂଣ୍ୟ । ଦେହରୁ କେଇ ବୁନ୍ଦା ରକ୍ତ ଝରାଇ ଯଦି ଜଣଙ୍କ ଜୀବନ ବଞ୍ଚିପାରୁଛି ତା’ଠାରୁ ଆଉ ବଡ଼କଥା କ’ଣ ଅଛି । ହେଲେ କେତେ ଜଣ ଏପରି ମହତ କାମ କରିବା ପାଇଁ ଆଗେଇ ଆସୁଛନ୍ତି । ତଥାପି ଆଜିର ସ୍ୱାର୍ଥପର ଦୁନିଆରେ ଏପରି ପରୋପକାରୀ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଉଛନ୍ତି । ଏପରି ଲୋକ ଦୁନିଆରୁ ବିଦାୟ ନେବାପରେ ମଧ୍ୟ ଅମର ହୋଇଯାଆନ୍ତି । କାରଣ ସେମାନେ ତାଙ୍କ କାମ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଜୀବିତ ଥାଆନ୍ତି । ଏ କାହାଣୀ ଏପରି ଜଣେ ବ୍ୟକ୍ତିଙ୍କର, ଯାହାଙ୍କ ରକ୍ତରେ ଏପରି ଶକ୍ତି ଥିଲା ଯେ ସେ ମୃତ୍ୟୁ ମୁହଁରୁ ଅନେକ ଶିଶୁକୁ ଫେରାଇ ଆଣିପାରିଛନ୍ତି । ତାଙ୍କ ଉପରେ ଇଶ୍ୱରୀୟ କୃପା ଥିଲା କହିଲେ ଚଳେ ।

ଅଷ୍ଟ୍ରେଲିଆର ଜେମ୍ସ ହାରିସନ୍ କେବଳ ତାଙ୍କ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଜ୍ୱଳନ୍ତ ଉଦାହରଣ । ଜେମ୍ସ ହାରିସନ୍ ‘ମ୍ୟାନ୍ ୱିଥ୍ ଗୋଲ୍ଡେନ୍ ଆର୍ମ’ ଭାବରେ ଜଣାଶୁଣା । ୧୭ ଫେବୃଆରୀ ୨୦୨୫ରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ଅଷ୍ଟ୍ରେଲୀୟ ରେଡ କ୍ରସ୍ ସଂଗଠନ ଲାଇଫ୍ ବ୍ଲଡ ଅନୁଯାୟୀ, ଜେମ୍ସ ହାରିସନ ୮୮ ବର୍ଷ ବୟସରେ ଶୋଇଥିବା ବେଳେ ତାଙ୍କର ନିଧନ ହୋଇଛି । ସେ ଆଜି ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ପ୍ଲାଜମା ଲକ୍ଷ ଲକ୍ଷ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରିଛି । ସେ ତାଙ୍କ ଜୀବନ କାଳ ଭିତରେ ୧୧୭୩ ଥର ରକ୍ତ ଦାନ କରିଛନ୍ତି । ମାତ୍ର ୧୮ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ବେଳେ ୮୧ ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିଥିଲେ । ବିବିସି ଅନୁଯାୟୀ, ହାରିସନଙ୍କ ପ୍ଲାଜମାରେ ଏକ ବିରଳ ଆଣ୍ଟିବଡି ରହିଥିଲା। ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ଏକ ବିଶେଷ ଔଷଧରେ ତିଆରିରେ ଏହା ବ୍ୟବହୃତ ହେଉଥିଲା ।

ଆଣ୍ଟି ଡି ଇଞ୍ଜେକ୍ସନ କ’ଣ ?

ଆଣ୍ଟି-ଡି ଇଞ୍ଜେକ୍ସନ୍ RhD ନେଗେଟିଭ ମା’ମାନଙ୍କୁ ଦିଆଯାଉଥିବା ଏକ ଜୀବନ ରକ୍ଷାକାରୀ ଔଷଧ । RhD- ନେଗେଟିଭ ମାମଲାରେ ମା’ର ରକ୍ତ ଗର୍ଭରେ ଥିବା ଶିଶୁ ପାଇଁ ଘାତକ ହୋଇପାରେ । ସେମାନଙ୍କୁ ଏହି ଇଞ୍ଜେକ୍ସନ ଦିଆନଗଲେ ଗର୍ଭସ୍ଥ ତଥା ନବଜାତ ଶିଶୁ ହେମୋଲାଇଟିକ୍ ରୋଗରେ ପୀଡିତ ହୋଇପାରନ୍ତି । ଏପରି ସ୍ଥିତି ସେତେବେଳେ ଉତ୍ପର୍ଣ୍ଣ ହୁଏ, ଯେତେବେଳେ ମା’ର ଲୋହିତ ରକ୍ତ କଣିକା ଗର୍ଭାବସ୍ଥାରେ ବଢ଼ୁଥିବା ଶିଶୁର କୋଷ ସହିତ ଅସଙ୍ଗତ ହୋଇଯାଏ । ଏଥିରେ ମାର ପ୍ରତିରକ୍ଷା ପ୍ରଣାଳୀ ଶିଶୁର ରକ୍ତ କଣିକାକୁ ବିପଦ ଭାବରେ ଦେଖେ ଏବଂ ଆକ୍ରମଣ କରିବା ପାଇଁ ଆଣ୍ଟିବଡି ଉତ୍ପାଦନ କରେ । ଏହା ଶିଶୁର ଗୁରୁତର କ୍ଷତି ଘଟାଇପାରେ । ଏହାଦ୍ୱାରା ବିପଜ୍ଜନକ ରକ୍ତହୀନତା, ହୃଦଘାତ ହେବା ସହ ଶିଶୁକୁ ମୃତ୍ୟୁର ମୁହଁକୁ ମଧ୍ୟ ଠେଲିଦେଇପାରେ । ୧୯୬୦ ଦଶକ ମଧ୍ୟ ଭାଗରେ ଆଣ୍ଟି-ଡି ବିକଶିତ ହେବା ପୂର୍ବରୁ, ଏପରି ଅସୁବିଧା ଯୋଗୁଁ ପ୍ରତ୍ୟେକ ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଉଥିଲା । ତେଣୁ ଗର୍ଭବତୀ ମହିଳାଙ୍କୁ ସଠିକ ସମୟରେ ଆଣ୍ଟି-ଡି ଇଞ୍ଜେକ୍ସନ ଦିଆଯାଇଥାଏ । ଜେମ୍ସଙ୍କ ପ୍ଲାଜମା ଦାନ ଯୋଗୁଁ ୨୪ ଲକ୍ଷ ନବଜାତ ଶିଶୁ ଜୀବନ ପାଇଛନ୍ତି ।

୧୮ରୁ ୮୧ ବର୍ଷ ପର୍ଯ୍ୟନ୍ତ କରିଛନ୍ତି ରକ୍ତଦାନ

୧୪ ବର୍ଷ ବୟସରେ ଜେମ୍ସ ହାରିସନଙ୍କର ଫୁସଫୁସ ସର୍ଜରୀ ହୋଇଥିଲା । ସେହି ସମୟରେ ତାଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥିଲା । ସେ ସୁସ୍ଥ ହେବାପରେ ସମାଜକୁ କିଛି ଫେରାଇବାକୁ ସ୍ଥିର କରିଥିଲେ ଏବଂ ୧୮ ବର୍ଷ ବୟସରେ ରକ୍ତ ଦାନ କରିବା ଆରମ୍ଭ କରିଥିଲେ । ୮୧ ବର୍ଷ ବୟସ ପର୍ଯ୍ୟନ୍ତ ସେ ରକ୍ତଦାନ ଜାରି ରଖିଥିଲେ। ହାରିସନଙ୍କ ଝିଅ ଟ୍ରେସି ମେଲୋସିପ୍ ଏକ ବିବୃତ୍ତିରେ ରେଡକ୍ରସକୁ କହିଛନ୍ତି: ବିନା ମୂଲ୍ୟରେ କିମ୍ବା ଯନ୍ତ୍ରଣା ବିନା ଏତେ ସଂଖ୍ୟକ ଜୀବନ ରକ୍ଷା କରିଥିବାରୁ ସେ ଅତ୍ୟନ୍ତ ଗର୍ବିତ । ତାଙ୍କ ଯୋଗୁ ଆଜି ଅନେକ ପରିବାର ଖୁସିରେ ଜୀବନ ବଞ୍ଚୁଥିବା ଜାଣି ସେ ଖୁସି ଅନୁଭବ କରୁଥିଲେ । ତାଙ୍କ ନିଜ ଝିଅକୁ ଗର୍ଭାବସ୍ଥାରେ ଆଣ୍ଟି-ଡି ଇଞ୍ଜେକ୍ସନର ଆବଶ୍ୟକତା ପଡ଼ିଥିଲା ।

ଅଜଣା ଲୋକଙ୍କୁ କରୁଥିଲେ ସାହାଯ୍ୟ

ଅଷ୍ଟ୍ରେଲୀୟ ରେଡ କ୍ରସ୍ ଲାଇଫବ୍ଲଡର ସିଇଓ ଷ୍ଟିଫେନ୍ କର୍ଣ୍ଣେଲିସନ କହିଛନ୍ତି, ଜେମ୍ସ ହାରିସନ୍ ଅନେକ ଅଜଣା ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି । ସେ କେବେ ବି କୌଣସି ସ୍ଥିତିରେ ରକ୍ତଦାନ ବନ୍ଦ କରିନଥିଲେ। ଯେତେ କଷ୍ଟ ହେଉନା କାହିଁକି ସେ ରକ୍ତଦାନ କରୁଥିଲେ । ବର୍ତ୍ତମାନ ସେ ବିଶ୍ୱର କଲ୍ୟାଣ ପାଇଁ ତାଙ୍କର ଏକ ମହାନ ଉତ୍ତରାଧିକାରୀ ଛାଡ଼ି ଯାଇଛନ୍ତି । ତାଙ୍କ ନାତିଙ୍କ ଠାରେ ମଧ୍ୟ ସେହି ବିରଳ ରକ୍ତ ପ୍ରବାହିତ ହେଉଛି, ଯାହା ତାଙ୍କ ଦେହରେ ବହୁଥିଲା । ରେଡକ୍ରସ ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ ଆଣ୍ଟି ଡି ଡୋନରଙ୍କ ସଂଖ୍ୟା ଖୁବ କମ । ଦେଶରେ ୨୦୦ରୁ କମ୍ ଆଣ୍ଟି-ଡି ଡୋନର ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ପ୍ରାୟ ୪୫,୦୦୦ ମା ଏବଂ ସେମାନଙ୍କର ଶିଶୁମାନଙ୍କୁ ସାହାଯ୍ୟ କରନ୍ତି । ହାରିସନଙ୍କ ଡୋନେସନରୁ ମିଳିଥିବା ୨୦ଲକ୍ଷ ଡୋଜ ବ୍ୟତୀତ, ଲ୍ୟାବରେ ଏବେ ବି ତାଙ୍କ ରକ୍ତ ଉପଲବ୍ଧ ରହିଛି ।

ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ହାରିସନ ଏବଂ ଅନ୍ୟ ପ୍ଲାଜମାଦାତା ମାନଙ୍କ ରକ୍ତ ବ୍ୟବହାର କରି ଲ୍ୟାବରେ ଆଣ୍ଟି-ଡି ଆଣ୍ଟିବଡି ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି। ରେଡକ୍ରସ୍ ଏହି ପ୍ରକ୍ରିୟାକୁ " ଜେମ୍ସ ଇନ୍ ଏ ଜାର୍" ନାମ ଦେଇଛି । ଏହି ପ୍ରୟାସ ସଫଳ ହେଲେ ବିଶ୍ୱର ଅଗଣିତ ପରିବାରକୁ ସାହାଯ୍ୟ ମିଳିବ ବୋଲି ଆଶା ରହିଛି । ରକ୍ତଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା ଜେମ୍ସ ହାରିସନ ଆଜି ଦୁନିଆରେ ନାହାନ୍ତି ସତ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ । ତେବେ ଏଇଠି ମନେ ରଖିବା ଉଚିତ ରକ୍ତଦାନ କରିବା ଦ୍ୱାରା କେବଳ ଜଣଙ୍କର ଜୀବନ ବଞ୍ଚିଯାଏନି, ଅନ୍ୟପକ୍ଷରେ ରକ୍ତଦାନ କରିଥିବା ଲୋକ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାରେ ଚମକ ଆଣିଥାଏ । ରକ୍ତଦାନ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାର ଆଶଙ୍କା କମ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।

ରକ୍ତଦାନ ପୂର୍ବରୁ କ’ଣ କରିବେ ?

ଖାଲି ପେଟରେ କେବେବି ରକ୍ତଦାନ କରିବା ଉଚିତ୍ ନୁହେଁ । ରକ୍ତଦାନ କରିବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ, କିନ୍ତୁ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ରକ୍ତଦାତାଙ୍କର ଖାଦ୍ୟରେ ଆଇରନ ଭରପୂର ମାତ୍ରାରେ ରହିବା ଆବଶ୍ୟକ । ଏହାସହ ଅଧିକ ପାଣି ମଧ୍ୟ ପିଇବା ଆବଶ୍ୟକ ।

ରକ୍ତଦାନ ପରେ କ’ଣ କରିବା ଉଚିତ ?

ରକ୍ତଦାନ କରିବା ପରେ ୫ରୁ ୨୦ ମିନିଟ ପର୍ଯ୍ୟନ୍ତ ବିଶ୍ରାମ କରିବା ନିହାତି ଜରୁରୀ । ରକ୍ତଦାନ କରିବା ପରେ ନିଜକୁ କେହି ଦୁର୍ବଳ ଅନୁଭବ କଲେ, ମିଠା କିମ୍ବା କିଛି ସ୍ନାକ୍ସ ଖାଇବା ଉଚିତ । ରକ୍ତଶର୍କରା ସ୍ତର କମ ରହିଥିଲେ ମିଠା ସ୍ୱାଭାବିକ ପରିସ୍ଥିତିକୁ ଫେରିବାରେ ସହାୟକ ହେବ । ଅନ୍ୟପଟେ ରକ୍ତଦାନ କରିବାର ୬ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଳାଇବା ପାଇଁ ବାରଣ କରାଯାଇଥାଏ । ଏହାସହ ୮ ଘଣ୍ଟା ପର୍ଯ୍ୟନ୍ତ ମଦ୍ୟପାନ କରିବା ଉଚିତ ନୁହେଁ ବେଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।