Advertisment

ତୋ କୋଳରେ ମୁଁ ଜହ୍ନ ଦେଖୁଥିଲି, ମୋ କାନ୍ଧରେ ତୁ ଫୁଲ ଦେଖିବୁ...

ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।

ଅଦ୍ୟତନ ହୋଇଛି
Two Son  Carry 87-Year-Old Mother On Shoulder

Two Son Carry 87-Year-Old Mother On Shoulder

Advertisment

ମାଆ..ଶବ୍ଦରେ ଥାଏ ମୁଠାଏ ସାନ୍ତ୍ୱନା । ତା’ର ଉଚ୍ଚାରଣରେ ଥାଏ ଶୀତଳ ଆଶ୍ୱାସନା। ମା’ର ପଣତ ତଳର ଆଶ୍ୱସ୍ତି ସ୍ୱର୍ଗର ଅମରାବତିରେ ବି ନ ଥାଏ। ଜୀବନ ଦେଇଥାଏ, ଜୀଇଁବାର କଳା ବି ଶିଖାଇଥାଏ ମା’। ତା ପାଇଁ ଯେତେ କହିଲେ ବି ଶବ୍ଦ ଅଣ୍ଟେନି। ତା ପାଇଁ ଯେତେ କଲେ ବି ଋଣ ସୁଝେନି। ତଥାପି ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ମା’ ନାମକ ଏ ମଣିଷଟି କେତେ ଅବହେଳିତ ତାହା ସମସ୍ତେ ଜାଣନ୍ତି। ପୁଅଝିଅଙ୍କ ସଂସାରରେ କେମିତି ଏକ ବୋଝ ହୋଇପଡ଼ିଛି ମା’ ତାର ଦୃଷ୍ଟାନ୍ତର ଅଭାବ ନାହିଁ।

Advertisment

ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି।

ଗୋଟିଏ ମା’ର ଏ ଦୁଇ ଶ୍ରବଣ କୁମାରଙ୍କୁ ଆପଣ ଭେଟି ପାରିବେ କେରଳରେ । ଏଇ ଦୁଇ ପୁଅ ନିଜର ବୃଦ୍ଧା ମା’ଙ୍କୁ କାନ୍ଧରେ ବସାଇ ତାଙ୍କର ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ମା’ଙ୍କୁ ଏକ ବିରଳ ଫୁଲ ଦେଖାଇବା ପାଇଁ ତୀଖ ପାହାଡ ଚଢି ଆଗେଇ ଚାଲିଛନ୍ତି। ୱେଷ୍ଟର୍ଣ୍ଣ ଘାଟରେ ଏକ ବିରଳ ଫୁଲ ଫୁଟିଛି । ନାଁଟି ତାହାର ନୀଳକୁରୁଞ୍ଜି। ୧୨ ବର୍ଷରେ ଥରେ ଏହି ଫୁଲ ଫୁଟିଥାଏ।

Advertisment

କୋଟ୍ଟାୟାମ ଜିଲ୍ଲା ମୁଟ୍ଟୁଚିରାର ବାସିନ୍ଦା ୮୭ ବର୍ଷୀୟା ଏଲ୍ଲିକୁଟ୍ଟି ପଲ୍‌। ସେ ବୟସାଧିକ୍ୟ ଯୋଗୁ ବିଭିନ୍ନ ରୋଗରେ ପୀଡିତ। ସେ ଦିନେ ତାଙ୍କ ୨ ପୁଅଙ୍କୁ କହିଥିଲେ, ପଡୋଶୀ ଜିଲ୍ଲାର ଇଦୁକ୍କିରେ ଫୁଟିଥିବା ବିରଳ ଫୁଲକୁ ସେ ଟିକିଏ ଦେଖି ପାରନ୍ତେ ! ମା’ଙ୍କ ପାଟିରୁ ଏମିତି କଥା ବାହାରିବା କ୍ଷଣି ଦୁଇ ପୁଅ ରୋଜନ, ସତ୍ୟନ ଆରମ୍ଭ କରିଦେଲେ ପ୍ରସ୍ତୁତି। ସାଙ୍ଗେ ସାଙ୍ଗେ ଜିପ ବାହାର କଲେ ଏବଂ ମା’ଙ୍କୁ ଧରି ବାହାରି ପଡ଼ିଲେ। ୧୦୦ କିଲୋମିଟର ଗସ୍ତ କଲାପରେ ପହଞ୍ଚିଥିଲେ ମୁନ୍ନାର ନିକଟସ୍ଥ କାଲିପରା ହିଲ୍‌ ପାଖରେ।

ହେଲେ ସେଠାରେ ସେମାନେ ହୃଦୟଙ୍ଗମ କରିଥିଲେ ପାହାଡ ଉପରକୁ ଯିବା ସହଜସାଧ୍ୟ ନୁହେଁ। କାରଣ ଉପରକୁ ଗାଡ଼ିରେ ଯିବା ପାଇଁ ରାସ୍ତା ନାହିଁ। ହେଲେ ମା’ଙ୍କ ସ୍ୱପ୍ନକୁ ଏମିତି ଅଧାରୁ ମାରି ଦେବା ପାଇଁ ଚାହୁଁ ନ ଥିଲେ ରୋଜନ ଓ ସତ୍ୟନ। ସେମାନେ ନିଷ୍ପତି ନେଲେ ଯେମିତି ହେଲେ ବି ମା’ଙ୍କୁ ସେ ବିରଳ ଫୁଲ ଦେଖାଇବେ। କିଛି ଉପାୟ ନ ପାଇ ଶେଷରେ ଉଭୟେ ମା’ଙ୍କୁ କାନ୍ଧରେ ଧରି ଚାଲିବା ଆରମ୍ଭ କରିଦେଲେ। ମା’ଙ୍କୁ କାନ୍ଧରେ ବୋହି ୨ ପୁଅ ପାହାଡିଆ ତୀଖ ରାସ୍ତାରେ ଚାଲିଥିଲେ ଦୀର୍ଘ ଦେଢ କିଲୋମିଟର ରାସ୍ତା। ଶେଷରେ ପହଞ୍ଚିଥିଲେ ସେଇ ସ୍ଥାନରେ ଯେଉଁଠି ନୀଳକୁରୁଞ୍ଜି ଫୁଲର ବାଇଗଣି ଚାଦର ତଳେ ହସୁଥିଲା ପ୍ରକୃତି।

Advertisment

ମା’ ପୁଅଙ୍କର ଏଇ ଗସ୍ତର ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ତୀଖ ପାହାଡିଆ ଏଇ ରାସ୍ତାରେ ଏକା ଏକା ଚାଲିବା ବି କଷ୍ଟ। ପୁଣି ଜଣକୁ କାନ୍ଧରେ ବୋହି ନେବା ଆହୁରି କଷ୍ଟସାଧ୍ୟ ନିଶ୍ଚୟ। କିନ୍ତୁ ଏଇ ଦୁଇ ପୁଅଙ୍କ ମୁହଁକୁ ଦେଖନ୍ତୁ। ମା’ଙ୍କୁ କାନ୍ଧରେ ଧରି ଏ ଦୁର୍ଗମ ରାସ୍ତା ଚଢି ଉପରକୁ ଚାଲିଛନ୍ତି। ହେଲେ ତାଙ୍କ ମୁହଁରେ ନା କଷ୍ଟର ଚିହ୍ନ ଦେଖିପାରୁଛନ୍ତି ନା  ବିରକ୍ତି। ମା’ଙ୍କୁ ହସି ହସି ବୋହି ନେଉଛନ୍ତି ଦୁଇ ପୁଅ। ମା’ ପୁଅଙ୍କର ଏ ଭଲ ପାଇବା ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ।

Shravan Kumar Good News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ