Queen Of Millets: ଚମକିଲେ ମିଲେଟ୍ ରାଣୀ; ରାଷ୍ଟ୍ରପତି ପ୍ରଦାନ କଲେ ଡକ୍ଟରେଟ୍ ଉପାଧି

ଦିନ ଥିଲା ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ବି କଷ୍ଟକର ହୋଇପଡୁଥିଲା। ହେଲେ ଆଜି ସେ ମିଲେଟ୍ ରାଣୀ। ସାଇତିଛନ୍ତି ୩୦୦ରୁ ଅଧିକ ମାଣ୍ଡିଆ କିସମ। ଆଉ ଆଜି ତାଙ୍କୁ ମିଳିଛି ସମ୍ମାନ ସୂଚକ ଡକ୍ଟରେଟ ଉପାଧି। ଆସନ୍ତୁ ଜାଣିବା ମିଲେଟ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆଙ୍କ ଜୀବନ କାହାଣୀ....

Queen Of Millets

ମିଲେଟ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। OUATର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ହେବ ସେ ମାଣ୍ଡିଆକୁ ସଂରକ୍ଷଣ କରି ରଖିବା ସହ ଏହି ଚାଷକୁ ଗୁରୁତ୍ବ ଦେଉଛନ୍ତି। ବିଶ୍ବ ଦରବାରରେ ଓଡ଼ିଶାର ମାଣ୍ଡିଆକୁ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି।

ରାଇମତୀ ଘିଉରିଆ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ନୂଆଗୁଡା ଗାଁର ଜଣେ ଭୁମିଆ ସମ୍ପ୍ରଦାୟର ମହିଳା। ରାଇମତୀ ଖୁବ କମ ବୟସରୁ ହିଁ କୃଷି, ସାମାଜିକ ବ୍ୟବସ୍ଥା, ଜୀବନ ଜୀବିକାର ଉନ୍ନତି, ଜୈବ ବିବିଧତାର ସଂରକ୍ଷଣ, ମହିଳା ସଶକ୍ତିକରଣ ଆଦି ଅନେକ ପ୍ରଗତିମୂଳକ କାର୍ଯ୍ୟରେ ସାମିଲ ହୋଇ ଆସିଛନ୍ତି। ଏପର୍ଯ୍ୟନ୍ତ ସେ ୭୦ରୁ ଅଧିକ ପ୍ରକାରର ଧାନ ଏବଂ ୩୦୦ରୁ ଅଧିକ କିସମର ମାଣ୍ଡିଆ ଏବଂ ଅନ୍ୟ ଶସ୍ୟ ସଂରକ୍ଷଣ କରିବା ଦିଗରେ କାମ କରିସାରିଛନ୍ତି।

ମିଲେଟ୍ ରାଣୀ କହିଲେ ରାଇମତୀ ଘିଉରିଆଙ୍କୁ ହିଁ ବୁଝାଏ । କୃଷି କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ରହିଛି। କୋରାପୁଟର ଏକ ଛୋଟିଆ ଗାଁରୁ ଆସିଥିବା ରାଇମତୀ କେବଳ ମାଣ୍ଡିଆକୁ ସଂରକ୍ଷଣ ନୁହେଁ ବରଂ ଅନେକ ମହିଳାଙ୍କୁ ଏହି ଚାଷ କରିବାର କଳା ମଧ୍ୟ ଶିଖାଇଛନ୍ତି। ସେ ସଂରକ୍ଷଣ କରିଥିବା ମାଣ୍ଡିଆ କିସମରେ ରହିଛି କୁନ୍ଦ୍ରା ବତି ମାଣ୍ଡିଆ, ଜସ୍ରା, ଜୁଆନା ଏବଂ ଜାମକୋଲି ଇତ୍ୟାଦି।

କୋରାପୁଟ ଜିଲ୍ଲାର ଏକ ଛୋଟ ଆଦିବାସୀ ଗାଁର ଏକ କୃଷି ପରିବାରରୁ ଆସିଥିବା ରାଇମତୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ କମଳା ପୂଜାରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। କମଳା ପୂଜାରୀ ତାଙ୍କୁ ପାରମ୍ପରିକ ଚାଷ ପ୍ରଣାଳୀ ଶିଖାଇଥିଲେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ । ଖୁବ କମ୍ ବୟସରେ ସେ ବିବାହ କରିଥିଲେ। ବିବାହ ବେଳକୁ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ମାତ୍ର ସେ ନିଜର ସ୍ୱପ୍ନ ପୂରଣ କରିବା ଦିଗରେ ସର୍ବଦା ଚେଷ୍ଟିତ ଥିଲେ। ଘର କାମରେ ସହ ବିଭିନ୍ନ କିସମର ମିଲେଟ ସଂଗ୍ରହ ଏବଂ ସଂରକ୍ଷଣ କରିବାର ସ୍ୱପ୍ନ ବି ଛାଡି ନଥିଲେ ।

ଗତ କିଛି ବର୍ଷ ମଧ୍ୟରେ ସେ ମାଣ୍ଡିଆ ଚାଷର ଅମଳ ଏବଂ ଗୁଣରେ ଉନ୍ନତି ଆଣିବା ପାଇଁ ଉନ୍ନତ ଜ୍ଞାନକ କୌଶଳ ଏବଂ ବୈଜ୍ଞାନିକ ଚାଷ ପ୍ରଣାଳୀ ଆପଣାଇଥିଲେ। ପରେ କମଳା ପୂଜାରୀଙ୍କ ସାହାଯ୍ୟରେ ସେ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ (MSSRF) ରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଆଧୁନିକ ସଂରକ୍ଷଣ କୌଶଳ ଶିକ୍ଷା କରି ଗ୍ରାମାଞ୍ଚଳରେ ଅଧିକ ମହିଳାଙ୍କୁ ଚାକିରି ଦେବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୨୫୦୦ ଚାଷୀଙ୍କୁ ମିଲେଟ ଚାଷ ପାଇଁ ତାଲିମ ଦେଇଛନ୍ତି। ତେବେ ଆଗକୁ ଆହୁରି ଅଧିକ କିସମ ବିହନ ସଂରକ୍ଷଣ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।