୧୩ ବର୍ଷ ପରେ ମିଳିଲେ ସ୍ତ୍ରୀ; ଯାତ୍ରାରେ ହଜିଥିଲେ, ଯାତ୍ରା ପୂର୍ବରୁ ପାଇଲେ..

୧୩ ବର୍ଷ ତଳେ ମେଳାରେ ସ୍ୱାମୀଠୁ ଅଲଗା ହୋଇଯାଇଥିଲେ ସ୍ତ୍ରୀ-ପିଲା । ଖୋଜି ଖୋଜି ପାଉନଥିଲେ ସ୍ୱାମୀ । ଶେଷରେ ଗଙ୍ଗାମାତା ଶୁଣିଏ ଡାକ । ଆଉ ତା’ପରେ..

Reunion Stories

୧୩ ବର୍ଷ ତଳେ କୋଲକାତାର ଗଙ୍ଗାସାଗର ମେଳାରେ ହଜିଯାଇଥିଲେ ସ୍ତ୍ରୀ । ଏବେ ଖୋଜି ପାଇଲେ ସ୍ୱାମୀ । କେବଳ ସ୍ତ୍ରୀ ନୁହେଁ ବରଂ ନିଜ ପୁଅକୁ ବି ଫେରି ପାଇଛି ବାପା । ଛତିଶଗଡ଼ ଅଞ୍ଚଳର ଲଳିତ ବରେଥ୍‌ ୧୩ ବର୍ଷ ପରେ ନିଜ ସ୍ତ୍ରୀ ପିଲାଙ୍କୁ ଖୋଜି ପାଇଛନ୍ତି । ଆଜିଯାଏ ସେ ନିଜ ସ୍ତ୍ରୀ ପିଲାଙ୍କୁ ଖୋଜିବା ପାଇଁ ଦିନ ରାତି ଏକ କରିଥିଲେ । ଶେଷରେ ଭଗବାନ ତାଙ୍କ କଥା ଶୁଣିଲେ ।

ଆଜିକୁ ଠିକ ୧୩ ବର୍ଷ ତଳେ ଅର୍ଥାତ ଅକ୍ଟୋବର ୨୦, ୨୦୧୦ ରେ ଲଳିତ ନିଜ ସ୍ତ୍ରୀ ଓ ୧୧ ଦିନର ପୁଅକୁ ଧରି କଲିକତା ଯାଇଥିଲେ । ମାନସିକ ସନ୍ତୁଳନ ହରାଇ ବସିଥିବା ସ୍ତ୍ରୀର ଚିକିତ୍ସା ପାଇଁ କଲିକତା ଯାଇଥିଲେ । କିନ୍ତୁ ଗଙ୍ଗାସାଗର ମେଳାରେ ଦୁହେଁ ଅଲଗା ହୋଇଯାଇଥିଲେ । ସ୍ତ୍ରୀ ଗୁବାରୀଙ୍କ ଠିକଣା ପାଇନଥିଲେ ଲଳିତ । ବହୁ ଖୋଜାଖୋଜି ପରେ ବି ଗୁବାରୀଙ୍କୁ ନପାଇବା ପରେ ସେ ଥାନାରେ ଅଭିଯୋଗ ବି କରିଥିଲେ ।

ଲଳିତ କିନ୍ତୁ ଆଶା ଛାଡ଼ିନଥିଲେ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ହେଉଥିବା ଗଙ୍ଗାସାଗର ମେଳାରେ ସ୍ତ୍ରୀକୁ ଖୋଜିବାକୁ ଆସନ୍ତି । କୁହନ୍ତି ନା ଭଗବାନ ଦିନେ ନା ଦିନେ ସମସ୍ତଙ୍କ ଡାକ ଶୁଣନ୍ତି । ଏଥର ମକର ସଂକ୍ରାନ୍ତିକୁ ଠିକ୍‌ ସପ୍ତାହେ ପୂର୍ବେ ସେ ତାଙ୍କ ସ୍ତ୍ରୀ ପିଲାର ଠିକଣା ପାଇପାରିଥିଲେ । କଲିକତାର ଫୁଲବାଗନ ପୋଲିସ ଓ ଛତିଶଗଡ଼ର ଶକ୍ତି ପୋଲିସର ମିଳିତ ଉଦ୍ୟମରେ ଗୁବାରୀଙ୍କୁ ପାଇଲେ ଲଳିତ ।

୧୩ ବର୍ଷ ତଳେ ଗୁବାରୀ ତାଙ୍କ ସ୍ୱାମୀଠୁ ଅଲଗା ହେବା ପରେ ପୋଲିସ ଦୁହିଁଙ୍କୁ ଏୟାରପୋର୍ଟ ନିକଟରୁ ଉଦ୍ଧାର କରିଥିଲା । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପୋଲିସ ପ୍ରଥମେ ଛୁଆକୁ ବି.ସି.ରୟ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଗୁବାରୀଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ତାଙ୍କୁ ପାଭଲୋଭ୍‌ ହସ୍ପିଟାଲ ଓ ପୁଅକୁ ଶିଶୁଗୃହକୁ ନେଇଯାଇଥିଲେ ।

ପୋଲିସର ସୂଚନାନୁଯାୟୀ ଦୁଇ ମାସ ତଳେ ପାଭଲୋଭ ହସ୍ପିଟାଲ ପକ୍ଷରୁ ଫୁଲବାଗନ ଥାନାକୁ ମହିଳାଙ୍କ ସମ୍ପର୍କରେ ଖବର ଦିଆଯାଇଥିଲା । କୁହାଯାଇଥିଲା ଯେ ମହିଳା ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇନ୍ତି ଓ ଏ ଘରକୁ ଯିବାକୁ ଚାହୁଁଛନ୍ତି । ମହିଳାଙ୍କ ସହ କଥାବାର୍ତ୍ତା କରି ତାଙ୍କ ଫଟୋକୁ ଛତିଶଗଡ଼ ପୋଲିସକୁ ପଠାଗଲା । ଗୁବାରୀଙ୍କ ଘର ଲୋକ ଓ ସ୍ୱାମୀ ଫଟୋ ଚିହ୍ନିଟ କରିଥିଲେ । ଲଳିତଙ୍କୁ ଡକାଯାଇ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିଥିଲା ପୋଲିସ ।