ଦେଶରେ ପ୍ରଥମ : ନାଲି ଲେହଙ୍ଗା ପିନ୍ଧି ମଥାରେ ସିନ୍ଦୂର ନାଇ ନିଜକୁ ନିଜେ ବିବାହ କଲେ କ୍ଷମା

କ୍ଷମାଙ୍କ ଜିଦ୍‌ ରହିଲା । ନିଜକୁ ନିଜେ ବିବାହ କଲେ ବଡ଼ୋଦରାର କ୍ଷମା ।

ନିଜେ ବର ସାଜିଲେ, ନିଜେ କନିଆ ହୋଇ ବାହାହେଲେ
ନିଜ ଜିଦରେ ଅଟଳ ରହିଲେ, ନିଜକୁ ନିଜେ ବିବାହ କଲେ । ମଣ୍ଡପ ସଜାହେଲା, ହୋମନିଆଁ ଜଳିଲା, ୭ ଫେରା ନେଲେ । ନିଜେ ବର ସାଜିଲେ, ନିଜେ କନ୍ୟା ସାଜିଲେ । ବିବାହ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ବେଳେ ଗୁଜୁରାଟର ବଡ଼ୋଦରା ଠାରେ ଏପରି ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଅନ୍ୟ ବିବାହ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ଗୁଜୁରାଟର ୨୪ ବର୍ଷିୟ କ୍ଷମା ବିନ୍ଦୁ ଆଜି ନିଜକୁ ବିବାହ କରିଛନ୍ତି । ସେ ପୂର୍ବରୁ ଜୁନ୍ ୧୧ରେ ନିଜକୁ ବିବାହ କରିବାକୁ ଘୋଷଣା କରିଥିଲେ, କିନ୍ତୁ ବିବାଦ ଉପୁଜିବାରୁ ଧାର୍ଯ୍ୟ ତାରିଖର ୩ଦିନ ପୂର୍ବରୁ ନିଜକୁ ନିଜେ ବିବାହ କରିଛନ୍ତି ।
 
କ୍ଷମାଙ୍କ ହଳଦୀ ରଶମ୍‌

 

ବିବାହ ସମୟରେ ହଳଦୀ, ମେହେନ୍ଦୀ ରୀତିନୀତି ରସମ୍‌ ଅନୁଷ୍ଠିତ ହୋଇଛି । ବଦୋଦରାର ଗୋତ୍ରି ସ୍ଥିତ ନିଜ ଘରେ କ୍ଷମା ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ଏହି ବିବାହରେ ବର କିମ୍ବା ପଣ୍ଡିତ ନଥିଲେ। ତେବେ ନିଜ ବାପାମା’ଙ୍କ ସହମତିରେ ସେ ଏହି ବିବାହ କହିଛନ୍ତି । ବିବାହରେ କ୍ଷମାଙ୍କର କିଛି ବିଶେଷ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ ।

କ୍ଷମାଙ୍କ ମେହେନ୍ଦୀ ରସମ୍‌

ବିବାଦ ପାଇଁ ବଦଳିଲା ତାରିଖ

ଜୁନ୍ ୧୧ ରେ ନିଜକୁ ନିଜେ ବିବାହ କରିବେ ବୋଲି କ୍ଷମା ଘୋଷଣା କରିଥିଲେ । ଆଉ ସେବେଠାରୁ ତାଙ୍କ ଘରକୁ ଲଗାତାର ବିଭିନ୍ନ ପ୍ରକାର ଲୋକ ଆସୁଥିଲେ। ତାଙ୍କ ପଡ଼ୋଶୀମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ । ବିବାଦ ଉପୁଜିବାରୁ ଧାର୍ଯ୍ୟ ତାରିଖର ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି । ତେବେ ଏନେଇ କ୍ଷମା କହିଛନ୍ତି, ସେ ଧାର୍ଯ୍ୟ ତାରିଖ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଲେ, କାରଣ ସେ ଭୟ କରୁଥିଲେ ଜୁନ୍ ୧୧ରେ କେହି ତାଙ୍କ ଘରକୁ ଆସି ବିବାଦ ସୃଷ୍ଟି କରିପାରେ । ତେବେ କ୍ଷମା ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି ।

ସୂଚନା ଅନୁସାରେ କ୍ଷମା ବିବାହ କରିବାକୁ ଚାହୁଁନଥିଲେ ସୁଦ୍ଧା କନ୍ୟା ରୂପରେ ସଜେଇ ହେବାକୁ ଚାହୁଁଥିଲେ । ହେଲେ ବିବାହ ନକରି କନ୍ୟା ହେବା ସମ୍ଭବ ନଥିଲା । ତେଣୁ ସେ ନିଜେ ବିବାହ କରିବାକୁ ସ୍ଥିର କରିଥିଲେ । ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର କୌଣସି ମହିଳା ନିଜକୁ ବିବାହ କରିଛନ୍ତି କି ନାହିଁ, ସେ ସଂପର୍କରେ ଅନଲାଇନରେ ଅନୁସନ୍ଧାନ କରିଥିଲେ କ୍ଷମା । ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଫଳାଫଳ ମିଳିନଥିଲା । କ୍ଷମାଙ୍କ ଅନୁସାରେ, ଲୋକମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ବିବାହ କରନ୍ତି । ମୁଁ ନିଜକୁ ଭଲ ପାଏ ଏବଂ ସେଥିପାଇଁ ମୁଁ ନିଜକୁ ବିବାହ କରୁଛି ।