Astrospeak
  • Live TV
  • Read In English

ପୌରାଣିକ କାହାଣୀରେ ବନ୍ଧୁତାର ଉଦାହରଣ

ଭାରତୀୟ ପୁରାଣରେ ଅନେକ ବନ୍ଧୁତାର କାହାଣୀ ଅଛି ଯାହାକୁ ଅନେକ ସମୟରେ ଉଦାହରଣ ଭାବେ ନିଆଯାଏ। ଏହିସବୁ ଉଦାହରଣ ବନ୍ଧୁତାରେ ଦେଖାଦେଇଥିବା ଫାଟକୁ ମଧ୍ୟ ଭରଣ କରିଦିଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।

Indian mythological characters example of friendship
ପୌରାଣିକ କାହାଣୀରେ ବନ୍ଧୁତାର ଉଦାହରଣ

ବହୁ ପ୍ରାଚୀନ କାଳକୁ ପୁରାଣ ଭାରତୀୟ ସମାଜ ଉପରେ ପ୍ରଭାବ ପକାଇଆସିଛି। ରାମାୟଣ ଓ ମହାଭାରତରେ ଏମିତି ହଜାର ହଜାର କାହାଣୀ ଅଛି ଯେଉଁଗୁଡିକୁ ବିଭିନ୍ନ ସମୟରେ ସ୍ମରଣ କରାଯାଇଥାଏ। ଅନେକ କାହାଣୀରେ ଶିକ୍ଷଣୀୟ କଥା ମିଳେ ଏବଂ ଅନେକ କିଛି ସମ୍ପର୍କର ଉଦାହରଣ ମଧ୍ୟ। ଆମ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ମଧ୍ୟ ରହିଛି। ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଏ।

କୃଷ୍ଣ – ସୁଦାମା:

ଯେତେବେଳେ ବି ହିନ୍ଦୁ ପୁରାଣରୁ ବନ୍ଧୁତାର ଉଦାହରଣ ନିଆଯାଏ ପ୍ରଥମେ କୃଷ୍ଣ ସୁଦାମାଙ୍କୁ ନିଆଯାଏ। ସୁଦାମା କୃଷ୍ଣଙ୍କର ପିଲାଦିନର ବନ୍ଧୁ ଥିଲେ ବି ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଥିଲା। ସୁଦାମା ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ କୃଷ୍ଣଙ୍କ ସହାୟତା ନେବାକୁ ଦ୍ୱାରକା ଗଲେ।

ବହୁ କଷ୍ଟରେ ସେ କୃଷ୍ଣଙ୍କୁ ଭେଟିଲେ, କିନ୍ତୁ ଉଭୟ ବନ୍ଧୁଙ୍କ ଦୀର୍ଘଦିନ ପରେ ମିଳନର ଉତ୍ସାହରେ ସେ ତାଙ୍କର ଆର୍ଥିକ ଅବସ୍ଥା କହିପାରି ନଥିଲେ। ଫେରିବା ସମୟରେ ସେ ଘରେ ତାଙ୍କ ପତ୍ନୀଙ୍କୁ କ’ଣ କହିବେ ସେକଥା ଭାବି ଭାବି ଆସୁଥିଲେ। ଦ୍ୱାରକାଧିଶ କିନ୍ତୁ ମନ କଥା ଜାଣି ସବୁ ପହଞ୍ଚେଇ ଦେଇଥିଲେ। ସୁଦାମା ଘରେ ପହଞ୍ଚିବା ପରେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତାଙ୍କ ଘର ଏକ ସମୃଦ୍ଧ ପ୍ରାସାଦରେ ପରିଣତ ହୋଇଯାଇଥିଲା। ଏହା ଥିଲା ଜଣେ ବନ୍ଧୁର ଆଉ ଜଣେ ବନ୍ଧୁ ପ୍ରତି କର୍ତ୍ତବ୍ୟ।

ରାମ – ସୁଗ୍ରୀବ:

ରାମାୟଣର ରାମ ଏବଂ ସୁଗ୍ରୀବଙ୍କ ବନ୍ଧୁତାକୁ ମଧ୍ୟ ଏକ ଉତ୍ତମ ଉଦାହରଣ ଭାବରେ ନିଆଯାଏ। ସୀତାଙ୍କ ଅପହରଣ ପରେ ଯେତେବେଳେ ରାମ ତାଙ୍କ ଭାଇ ଲକ୍ଷ୍ମଣଙ୍କ ସହ ଋଷ୍ୟମୁଖ ପାହାଡରେ ବୁଲୁଥିଲେ ସେଠାରେ ସୁଗ୍ରୀବଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହା ପରେ ଦୁହେଁ ଏପରି ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ହୋଇଗଲେ ଯେ ସେମାନେ ଜୀବନସାରା ପରସ୍ପରକୁ ନିଃସ୍ୱାର୍ଥପର ଭାବରେ ସମର୍ଥନ କରି ଚାଲିଥିଲେ। ବନ୍ଧୁ ହେବା ପରେ ମଧ୍ୟ ସୁଗ୍ରୀବ ରାମଙ୍କୁ ଭଗବାନଙ୍କ ପରି ସମ୍ମାନ ଦେଉଥିଲେ ଆଉ ରାମ ମଧ୍ୟ ସୁଗ୍ରୀବଙ୍କୁ ଜଣେ ଭକ୍ତ ତଥା ବନ୍ଧୁ ଭାବେ ମାନ୍ୟତା ଦେଉଥିଲେ।

କୃଷ୍ଣ - ଅର୍ଜୁନ:

ଭଗବାନ ଏବଂ ଭକ୍ତଙ୍କ ଅପେକ୍ଷା କୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ବନ୍ଧୁତା ଅଧିକ ଥିଲା। ଅର୍ଜୁନ ସବୁବେଳେ କୃଷ୍ଣଙ୍କୁ ଭଗବାନ ଭାବରେ ସମ୍ମାନ କରୁଥିଲେ କିନ୍ତୁ କୃଷ୍ଣ ସର୍ବଦା ଅର୍ଜୁନଙ୍କ ପ୍ରତି ତାଙ୍କର ସ୍ନେହକୁ ବନ୍ଧୁ ଆକାରରେ ରଖିଥିଲେ। କୃଷ୍ଣ ସର୍ବଦା ପାଣ୍ଡବଙ୍କୁ ସମର୍ଥନ କରୁଥିଲେ ମଧ୍ୟ ଅର୍ଜୁନଙ୍କ ପ୍ରତି ତାଙ୍କର ଏକ ବିଶେଷ ପ୍ରେମ ଥିଲା। ସେ ଅର୍ଜୁନଙ୍କୁ କେବଳ ଗୀତା ଜ୍ଞାନ ଦେଇନାହାଁନ୍ତି, ସେ ଯୁଦ୍ଧରେ ତାଙ୍କର ରଥର ସାରଥୀ ହୋଇ ତାଙ୍କୁ ମାର୍ଗଦର୍ଶନ ମଧ୍ୟ ଦେଇଥିଲେ।

କର୍ଣ୍ଣ – ଦୁର୍ଯ୍ୟୋଧନ:

ମହାଭାରତ ହେଉଛି ଏକ ଏମିତି ଗ୍ରନ୍ଥ ଯେଉଁଥିରେ ଦୁର୍ଯ୍ୟୋଧନଙ୍କ ପରି ଏକ ଖରାପ ଚରିତ୍ର ସହିତ ମଧ୍ୟ କିଛି ଭଲ ଗୁଣ ଜଡିତ ଅଛି, ତାହା ହେଉଛି କର୍ଣ୍ଣଙ୍କ ସହିତ ବନ୍ଧୁତା। ଯେଉଁଭଳି ଭାବେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମାଜରେ ଏକ ସମ୍ମାନ ପ୍ରଦାନ କରିଥିଲେ କର୍ଣ୍ଣ ତାଙ୍କ ପ୍ରତି ଅନୁଗ୍ରହ ହେବା ସହ ପ୍ରତ୍ୟେକ ପରିସ୍ଥିତିରେ ଦୁର୍ଯ୍ୟୋଧନଙ୍କୁ ସମର୍ଥନ କରୁଥିଲେ, ଯଦିଓ ସେ ତାଙ୍କ ସହିତ ଅନେକ ସମୟରେ ଆଦର୍ଶଗତ ଭାବରେ ସହମତ ନଥିଲେ। ଉଭୟଙ୍କ ବନ୍ଧୁତା ଆଜି ମଧ୍ୟ ଏକ ଉତ୍ତମ ଉଦାହରଣ ଭାବରେ ସ୍ମରଣୀୟ।

ରାମ – ବିଭୀଷଣ:

ପୌରାଣିକ କଥାରେ ରାମ ଏବଂ ବିଭୀଷଣଙ୍କ ବନ୍ଧୁତା ମଧ୍ୟ ଏକ ଉତ୍ତମ ଉଦାହରଣ ଭାବରେ ନିଆଯାଏ। ଯେତେବେଳେ ବିଭୀଷଣଙ୍କୁ ତାଙ୍କ ଭାଇ ରାବଣ ପରିତ୍ୟାଗ କରିଥିଲା ଏବଂ ସେ ଜଣେ ଭକ୍ତ ଭାବରେ ରାମଙ୍କୁ ଭେଟିବାକୁ ଆସିଥିଲେ, ରାମ ତାଙ୍କୁ ଜଣେ ବନ୍ଧୁର ମାନ୍ୟତା ଦେଇଥିଲେ ଏବଂ ତାଙ୍କୁ ସର୍ବଦା ବନ୍ଧୁ ଭାବରେ ସମ୍ମାନ କରୁଥିଲେ। ଏହା ପରେ ସେ ସର୍ବଦା ରାମଙ୍କ ସହ ରହିଲେ।

ଏହା ବ୍ୟତୀତ କୃଷ୍ଣ - ଦ୍ରୌପଦୀ, ରାମ - ନିଶାଦରାଜ, ଗାନ୍ଧାରୀ - କୁନ୍ତୀ ଏବଂ ସୀତା – ତ୍ରିଜଟାଙ୍କ ଯୋଡି ମଧ୍ୟ ବନ୍ଧୁତାର ଉଦାହରଣ ଭାବରେ ଜଣାଶୁଣା। ଏହିପରି ଅନେକ ପୌରାଣିକ ଘଟଣା ଅଛି ଯାହାକୁ ଲୋକେ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କର ବନ୍ଧୁତ୍ୱର ଏକ ଉଦାହରଣ ଭାବେ କହିଥାନ୍ତି।