Murty Couple’s Journey: ସୁଧା ମୂର୍ତ୍ତିଙ୍କୁ କେମିତି ପ୍ରେମ ନିବେଦନ କରିଥିଲେ ନାରାୟଣ, କେମିତି ଥିଲା ସେଦିନର ଯାତ୍ରା...

ମୂର୍ତ୍ତି ଯଦି ଭଲ ଚାକିରି କରିବେ ତେବେ ବାପା ବିବାହ ପାଇଁ ରାଜି ହେବେ ବୋଲି କହିଲେ। କିନ୍ତୁ ମୂର୍ତ୍ତି ସିଧା ସିଧା କହିଲେ- କାହା ପାଇଁ ସେ ନିଜ ଆଦର୍ଶ ବଳି ଦେଇପାରିବେ ନାହିଁ। ଆଉ ମୁଁ ମୋ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇବାକୁ ପ୍ରସ୍ତୁତ ନଥିଲି। ତିନିବର୍ଷ ଧରି ମୂର୍ତ୍ତି ଆଉ ମୁଁ ପୁଣେର ବିଭିନ୍ନ ରେସ୍ତୋରାଁ ଏବଂ ଫିଲ୍ମ ହଲରେ ପରସ୍ପରକୁ ସାକ୍ଷାତ କରୁଥିଲୁ। ସେ ସମୟରେ ରେସ୍ତୋରାଁ ବିଲ୍‌‌ ଦେବା ପାଇଁ ତାଙ୍କ ପାଖରେ ପଇସା ନଥିଲା।

ନାରାୟଣ-ସୁଦ୍ଧାଙ୍କ ପ୍ରେମ କାହାଣୀ

ଏନ୍‌.ଆର ନାରାୟଣ ମୂର୍ତ୍ତି ଏବଂ ସୁଧା ମୂର୍ତ୍ତି ଦୁଇ ଚର୍ଚ୍ଚିତ ନାମ। ସୁଧା ମୂର୍ତ୍ତି ଏବେ ରାଜ୍ୟସଭାର ସାଂସଦ ରହିଛନ୍ତି। ରୋହନ ଆଉ ଅକ୍ଷତାଙ୍କୁ ନେଇ ତାଙ୍କର ପରିପୂର୍ଣ୍ଣ ସଂସାର। ଉଭୟ ରୋହନ ଏବଂ ଅକ୍ଷତା ବିବାହ କରିସାରିଛନ୍ତି। ନିଜ ନିଜ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ। ଯୁବପିଢ଼ିଙ୍କ ଆଦର୍ଶ ଏବେ ପାଲଟିଛନ୍ତି ସୁଧା। ସେ ଜଣେ ଲେଖିକା ଏବଂ ସମାଜସେବୀ ମଧ୍ୟ। ୨୦୨୪ ମସିହାରେ ସାମାଜିକ କାର୍ଯ୍ୟ ଏବଂ ଶିକ୍ଷା ପ୍ରତି ତାଙ୍କର ଅବଦାନ ପାଇଁ ୮ ମାର୍ଚ୍ଚ ୨୦୨୪ରେ ତାଙ୍କୁ ରାଜ୍ୟସଭାରେ ସାଂସଦ ଭାବେ ମନୋନୀତ କରାଯାଇଥିଲା। ୨୦୦୬ରେ ପଦ୍ମଶ୍ରୀ ଏବଂ ୨୦୨୩ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ସୁଧା। କିନ୍ତୁ ଏତେ ସାରା ସଫଳତା ପାଇବାକୁ ସେ ଅନେକ ସଂଘର୍ଷ କରିଛନ୍ତି। ପୁଣି କାହା ଜୀବନର ଗତିପଥକୁ ମଧ୍ୟ ବଦଳାଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର ସଫଳତା ବିଷୟରେ....।


ରାସ୍ତା ଏତେ ସହଜ ନ ଥିଲା

ସଫଳତା ପାଇବା ଏତେ ସହଜ ନୁହେଁ। ଏଥିପାଇଁ ରୁକ୍ଷ, ବନ୍ଧୁର ପଥରେ ଚାଲିବାକୁ ହୁଏ। କଠିନ ପରିଶ୍ରମ ଦ୍ୱାରା ହାତର ରେଖା ବଦଳାଇ ଦେଇହୁଏ। ବିଫଳତାର ଶ୍ରେୟ କେହି ନିଅନ୍ତି ନାହିଁ, ହେଲେ ସଫଳତାର ଶ୍ରେୟ ନେବାପାଇଁ ଥାଆନ୍ତି ଅନେକ। କେବଳ ଗୋଟିଏ ଶକ୍ତି ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସାଥ୍‌‌ ଦେଇଆସିଛି। ତାହା ହେଉଛି ସୁଧାଙ୍କ ନିରୋଳା, ନିଃସର୍ତ୍ତ ପ୍ରେମ ବୋଲି ହସିହସି କହନ୍ତି ନାରାୟଣ ମୂର୍ତ୍ତି। ପତ୍ନୀ ସୁଧାଙ୍କଠାରୁ ୧୦ହଜାର ଟଙ୍କା କରଜ କରି ସେ ଆରମ୍ଭ କରିଥିଲେ ବ୍ୟବସାୟ ଯାହା ଏବେ କୋଟିକୋଟି ଟଙ୍କାକୁ ଛୁଇଁଛି। ତେବେ ମୂର୍ତ୍ତିଙ୍କୁ ବିବାହ କରିବା ଏତେ ସହଜ ନଥିଲା ସୁଧାଙ୍କ ପାଇଁ। ସଂଘର୍ଷ ଆଉ ତ୍ୟାଗ ସେମାନଙ୍କୁ ଦେଇଛି ଏକ ସୁନ୍ଦର ପୃଥିବୀ। ନିଃସର୍ତ୍ତ ପ୍ରେମକୁ ନେଇ ଜୀବନର ବାଟ ଚାଲୁଛନ୍ତି ଦୁହେଁ।

ଭାରତୀୟ ଉଦ୍ୟୋଗ ତଥା ଆଇଟି କ୍ଷେତ୍ରରେ ଜଣେ ଚର୍ଚ୍ଚିତ ନାମ ନାଗାଭରା ରାମାରାଓ ନାରାୟଣ ମୂର୍ତ୍ତି। ଏନ୍‌‌.ଆର୍‌‌ ନାରାୟଣ ମୂର୍ତ୍ତି ଭାବରେ ତାଙ୍କୁ ସମସ୍ତେ ଜାଣନ୍ତି। ସେ ଇନ୍‌‌ଫୋସିସ୍‌‌ର ସହପ୍ରତିଷ୍ଠାତା। ‘ପଦ୍ମ ବିଭୂଷଣ’ ଓ ‘ପଦ୍ମଶ୍ରୀ’ ପୁରସ୍କାରରେ ଭୂଷିତ ହୋଇଥିବା ମୂର୍ତ୍ତିଙ୍କୁ ଟାଇମ୍‌‌ ପତ୍ରିକା ଆଇଟି କ୍ଷେତ୍ରର ଜନକ ବୋଲି ଆଖ୍ୟା ଦେଇଥିଲା। ଯାହାଙ୍କ ତ୍ୟାଗ, ନିଷ୍ଠା ଆଉ ପ୍ରେମ ବଳରେ ମୂର୍ତ୍ତି ଏତେ ଉଚ୍ଚକୁ ଉଠିଛନ୍ତି, ସେ ହେଉଛନ୍ତି ତାଙ୍କ ପତ୍ନୀ ସୁଧା ମୂର୍ତ୍ତି। ସୁଧା ଜଣେ ଭଲ ପତ୍ନୀ ହେବା ସହ ଉଚ୍ଚକୋଟୀର ଲେଖିକା ଓ ସମାଜସେବିକା ମଧ୍ୟ। ଉଭୟ କନ୍ନଡ଼ ଓ ଇଂରାଜୀ ଭାଷାରେ ତାଙ୍କର ଦକ୍ଷତା ରହିଛି। ସୁଧା ଓ ନାରାୟଣ ମୂର୍ତ୍ତିଙ୍କ ପ୍ରେମ କାହାଣୀ ଆଜିର ଯୁବପିଢ଼ି ପାଇଁ ଆଦର୍ଶ। ନିଜେ ସୁଧା ତାଙ୍କ ପ୍ରେମ କାହାଣୀ ସାଧାରଣରେ ପ୍ରକାଶ କରିଛନ୍ତି।

କେମିତି ହୋଇଥିଲା ପ୍ରେମ...

ସୁଧା କହନ୍ତି, ପୁଣେରେ ମୋର ଘନିଷ୍ଠ ବନ୍ଧୁ ପ୍ରସନ୍ନଙ୍କ ଜରିଆରେ ନାରାୟଣ ମୂର୍ତ୍ତିଙ୍କୁ ଭେଟିଥିଲି। ପ୍ରସନ୍ନ ମତେ ଯେତେ ବହି ପଢ଼ିବାକୁ ଦେଇଛନ୍ତି ସବୁଥିରେ ପ୍ରାୟ ନାରାୟଣ ମୂର୍ତ୍ତିଙ୍କ ନାମ ଲେଖାଯାଇଥାଏ। ବହିଗୁଡ଼ିକୁ ପଢ଼଼ିବା ପରେ ମୋର ମନେହେଲା ସେ ଜଣେ ଅନ୍ତର୍ମୁଖୀ ବ୍ୟକ୍ତି ହୋଇଥିବେ। ଦିନେ ନାରାୟଣ ମୂର୍ତ୍ତି ଆମକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କଲେ। କିନ୍ତୁ ସେହି ପାର୍ଟିରେ ମୁଁ ଏକମାତ୍ର ଝିଅ ଥିବାରୁ ଯିବା ପାଇଁ ମନା କରିଦେଇଥିଲି। କିନ୍ତୁ ତା’ ପରଦିନ ପୁଣି ପୁଣେର ମେନରୋଡରେ ଅବସ୍ଥିତ ଗ୍ରୀନ୍‌‌ଫିଲ୍ଡ ହୋଟେଲ୍‌‌ଠାରେ ମୂର୍ତ୍ତି ଆୟୋଜନ କଲେ ପାର୍ଟି। ରାତ୍ରି ଭୋଜନର କାର୍ଯ୍ୟକ୍ରମ ସାଢେ ୭ଟାରେ ଥିଲା।

ସୁଧାଙ୍କୁ ବହି ଉପହାର ଦେଉଥିଲେ ମୂର୍ତ୍ତୀ

ଏହାର ପରଦିନ ସନ୍ଧ୍ୟାବେଳେ ସେହି ହୋଟେଲ ନିକଟରେ ଥିବା ଏକ ଟେଲର ଦୋକାନରେ ମୋର କାମ ଥିବାରୁ ମୁଁ ୭ଟା ବେଳେ ସେଠାରେ ପହଞ୍ଚିଲି। ଯାହା ଦେଖିଲି ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ମୂର୍ତ୍ତି ମୋତେ ଅପେକ୍ଷା କରି ହୋଟେଲ ସମ୍ମୁଖରେ ଛିଡା ହୋଇଥିଲେ। ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ମୁଁ ମୋର ଜଣେ ଭଲ ବନ୍ଧୁ ବୋଲି ଭାବୁଥିଲି। ମୂର୍ତ୍ତି ମୋତେ ବିଦେଶ ଭ୍ରମଣ କାହାଣୀ ତଥା ବିଭିନ୍ନ ବହି ଉପହାର ଦେଉଥିଲେ। ସେଥିପାଇଁ ତାଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋତେ ଏତେ ବେଶୀ ସଙ୍କୋଚ ଲାଗୁ ନ ଥିଲା। କିନ୍ତୁ ମୋ ସାଙ୍ଗମାନେ ମୂର୍ତ୍ତି ମୋତେ ଭଲ ପାଆନ୍ତି ଏବଂ ପ୍ରଭାବିତ କରିବା ପାଇଁ ଏସବୁ କରୁଛନ୍ତି ବୋଲି ଚିଡ଼ାନ୍ତି। ମୁଁ କିନ୍ତୁ ଏସବୁ ଏଡ଼ାଇ ଚାଲିଥିଲି।

ଦିନେ ହଠାତ ମୂର୍ତ୍ତି ମୋତେ କିଛି କହିବାକୁ ଚାହାନ୍ତି ବୋଲି କହିଲେ। ଆଉ କହିଲେ- ‘ମୁଁ ୫ଫୁଟ ୪ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକ ନିମ୍ନ ମଧ୍ୟବିତ୍ତ ଘରର ପିଲା। ଜୀବନରେ କେବେ ଧନୀ ହୋଇପାରିବି ନାହିଁ କିମ୍ବା ତମକୁ ସୁଖରେ ରଖିପାରିବି ନାହିଁ। ତମେ ଦେଖିବାକୁ ସୁନ୍ଦରୀ, ଶିକ୍ଷିତା। ତେଣୁ ତମେ ଯାହାକୁ ଚାହିଁବ ସେ ତମକୁ ଆପଣେଇବାକୁ ଆଗଭର ହେବେ। ତମ ବାପା କଦାପି ତମକୁ ମୋ ହାତରେ ଟେକିଦେବେ ନାହିଁ। ମୁଁ କିନ୍ତୁ ତମକୁ ଭଲପାଏ, ତମେ ମୋତେ ବିବାହ କରିବ କି?’ ମୁଁ ଏହାର ଉତ୍ତର ଦେବା ପାଇଁ କିଛି ସମୟ ମାଗିଥିଲି। ଜାଣିଥିଲି, ମୋ ବାପା କେବେ ବି କମ୍ୟୁନିଷ୍ଟ ପାର୍ଟିରେ ରାଜନୀତି କରୁଥିବା ତଥା ଭଲ ଚାକିରି ନଥିବା ଏକ ଯୁବକକୁ ମୁଁ ବିବାହ କରେ ବୋଲି ଚାହିଁବେ ନାହିଁ। ତଥାପି ଘରେ ମୂର୍ତ୍ତିଙ୍କ ପ୍ରସ୍ତାବ କଥା କହିଲି। ମା’ ଖୁସି ହେଲେ ବି ବାପା ସମସ୍ତ ତଥ୍ୟ ଜାଣିବା ପାଇଁ ଚାହିଁଲେ- ମୂର୍ତ୍ତି କି ଚାକିରି କରନ୍ତି, କେତେ ଦରମା ପାଆନ୍ତି, ଶିକ୍ଷାଗତ ଯୋଗ୍ୟତା କ’ଣ? ମୂର୍ତ୍ତି ସେତେବେଳେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଦରମା ମୋ’ ଠାରୁ କମ୍‌‌ ଥିଲା।

ମୂର୍ତ୍ତୀଙ୍କ ଛଡ଼ା ଆଉ କାହାକୁ ବାହାହେବିନି ବୋଲି ବାପାଙ୍କୁ କହିଥିଲି

ମୋ ବାପା, ମା’ ପୁଣେ ଠାରେ ମୂର୍ତ୍ତିଙ୍କୁ ଦେଖା କରିବା ପାଇଁ ରାଜିହେଲେ। ଠିକ୍‌‌ ୧୦ଟାରେ ଦେଖାହେବ ବୋଲି ସ୍ଥିର ହେଲା। ହେଲେ ମୂର୍ତ୍ତି ଠିକ୍‌‌ ସମୟରେ ପହଞ୍ଚିପାରିଲେ ନାହିଁ। ବାପା କହିଲେ- ଯାହାର ସମୟ ଜ୍ଞାନ ନାହିଁ, ସେ ମୋ ଝିଅକୁ ଖୁସିରେ ରଖିପାରିବ ବୋଲି କେମିତି ମୁଁ ବିଶ୍ୱାସ କରିବି ? ଠିକ୍‌‌ ୧୨ଟା ବେଳେ ମୂର୍ତ୍ତି ଏକ ଲାଲ୍‌‌ ରଙ୍ଗର ସାର୍ଟ ପିନ୍ଧି ଆସି ପହଞ୍ଚିଲେ। କୌଣସି କାମରେ ବମ୍ବେ ଯାଇଥିବାରୁ ଫେରିବା ବିଳମ୍ବ ହେଲା, ଆଉ ଟ୍ରାଫିକ୍‌‌ ଜାମରେ ଫସିଯାଇଥିଲେ ସେ। ତେଣୁ ତାଙ୍କର ଭାବି ଶ୍ୱଶୁରଙ୍କୁ ଦେଖାକରିବାକୁ ଏକ ଟ୍ୟାକ୍ସି ଭଡ଼ା କରି ସେ ଆସିଥିଲେ ଯାହା ତାଙ୍କ ପାଇଁ ସେତେବେଳେ ବ୍ୟୟସାପେକ୍ଷ ଥିଲା। ମୋ ବାପା ମୂର୍ତ୍ତିଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇନଥିଲେ।

ମୂର୍ତ୍ତି କ’ଣ କରିବାକୁ ଚାହାନ୍ତି ବୋଲି ସେ ପଚାରିବାରୁ କମ୍ୟୁନିଷ୍ଟ ପାର୍ଟିରେ ରାଜନୀତି କରିବା ସହ ଭବିଷ୍ୟତରେ ଏକ ଅନାଥାଶ୍ରମ ଖୋଲିବାକୁ ଚାହେଁ ବୋଲି ମୂର୍ତ୍ତି କହିଥିଲେ। ଏହାପରେ ସିଧାସଳଖ ମୂର୍ତ୍ତିଙ୍କ ସହ ମୋର ବିବାହ ପାଇଁ ମନା କରି ବାପା ତାଙ୍କୁ କହିଥିଲେ- ‘ତମେ ନିଜ ଗୋଡରେ ଏପର୍ଯ୍ୟନ୍ତ ଛିଡା ହୋଇନାହଁ। ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇପାରୁନ, ଅନାଥାଶ୍ରମ କିପରି ଖୋଲିବ?’ ଏଇକଥା ସବୁ ମୋର ଏକାନ୍ତରେ ମନେପଡ଼ିଲେ ଆଖିକୁ ଲୁହ ଆପେଆପେ ଆସିଯାଏ। ଏବେ କେତେଗୁଡିଏ ଅନାଥାଶ୍ରମ ମୁଁ ଖୋଲିଛି ଏବଂ ଏହା ସମ୍ଭବ ହୋଇପାରିଛି ମୂର୍ତ୍ତିଙ୍କର ନିରୋଳା, ନିଃସର୍ତ୍ତ ପ୍ରେମ ପାଇଁ। ମୁଁ ମୂର୍ତ୍ତିଙ୍କୁ ବାହାହେବାକୁ ଚାହୁଁଥିଲି। କାରଣ, ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ। ତେଣୁ ବାପାଙ୍କୁ ମୁଁ ସିଧାସଳଖ କହିଥିଲି ଯେ ତାଙ୍କ ବିନା ଆଶୀର୍ବାଦରେ ମୁଁ ମୂର୍ତ୍ତିଙ୍କୁ ବିବାହ କରିବି ନାହିଁ ସତ, କିନ୍ତୁ ମୂର୍ତ୍ତିଙ୍କ ଛଡା ଅନ୍ୟ କାହାକୁ ମଧ୍ୟ ବିବାହ କରିବିନାହିଁ।

ମୂର୍ତ୍ତି ଯଦି ଭଲ ଚାକିରି କରିବେ ତେବେ ବାପା ବିବାହ ପାଇଁ ରାଜି ହେବେ ବୋଲି କହିଲେ। କିନ୍ତୁ ମୂର୍ତ୍ତି ସିଧା ସିଧା କହିଲେ- କାହା ପାଇଁ ସେ ନିଜ ଆଦର୍ଶ ବଳି ଦେଇପାରିବେ ନାହିଁ। ଆଉ ମୁଁ ମୋ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇବାକୁ ପ୍ରସ୍ତୁତ ନଥିଲି। ତିନିବର୍ଷ ଧରି ମୂର୍ତ୍ତି ଆଉ ମୁଁ ପୁଣେର ବିଭିନ୍ନ ରେସ୍ତୋରାଁ ଏବଂ ଫିଲ୍ମ ହଲରେ ପରସ୍ପରକୁ ସାକ୍ଷାତ କରୁଥିଲୁ। ସେ ସମୟରେ ରେସ୍ତୋରାଁ ବିଲ୍‌‌ ଦେବା ପାଇଁ ତାଙ୍କ ପାଖରେ ପଇସା ନଥିଲା। ସବୁବେଳେ ସେ କହୁଥିଲେ- ତମେ ମୋ ଶେୟାର ଦେଇଦିଅ ମୁଁ ପରେ ଫେରାଇଦେବି। ମୂର୍ତ୍ତି କେବେ ଫେରାଇ ନଥିଲେ। ବାହାଘର ପରେ ବି ୪ ହଜାରରୁ କିଛି ଅଧିକ ଟଙ୍କା ମୂର୍ତ୍ତି ମୋତେ ଶୁଝିବାର ଥିଲା।

୧୯୭୭ରେ ମୂର୍ତ୍ତି ରିସର୍ଚ୍ଚ ଆସିଷ୍ଟାଣ୍ଟ ଚାକିରି ଛାଡି ନିଜର ସଫ୍ଟୱେର ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ସେତେବେଳେ ଭାରତରେ କମ୍ପ୍ୟୁଟର ବ୍ୟବସାୟ କରିବା ଏତେ ସହଜ ନଥିଲା। ତେଣୁ ବମ୍ବେରେ ପାଟନି କମ୍ପ୍ୟୁଟରରେ ମୂର୍ତ୍ତି ଚାକିରି କଲେ। ଚାକିରିରେ ଯୋଗଦାନ ପୂର୍ବରୁ ସେ ବିବାହ କରିବାକୁ ଚାହିଁଲେ। କାରଣ, କମ୍ପାନୀ ତାଙ୍କୁ ଆମେରିକା ପଠାଇବାକୁ କହିଥିଲା। ଏହା ଜାଣିବା ପରେ ବାପା ବିବାହ ପାଇଁ ରାଜି ହୋଇଥିଲେ। ୧୯୭୮ ଫେବୃଆରୀ୧୦ରେ ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୂର୍ତ୍ତିଙ୍କ ଘରେ ବିବାହ ଅନୁଷ୍ଠିତ ହେଲା। ବିବାହରେ ୮୦୦ଟଙ୍କା ଖର୍ଚ୍ଚ ହୋଇଥିଲା। ମୁଁ ଏବଂ ମୂର୍ତ୍ତି ଉଭୟ ୪୦୦ଟଙ୍କା ଲେଖାଏଁ ଦେଇଥିଲୁ।

୧୯୮୧ରେ ମୂର୍ତ୍ତି ଇନ୍‌‌ଫୋସିସ୍‌‌ ଆରମ୍ଭ କରିବାକୁ ଚାହିଁଲେ। ତାଙ୍କ ପାଖରେ ଦୂରଦୃଷ୍ଟି ଥିଲେ ବି ପୁଞ୍ଜିର ଅଭାବ ରହିଥିଲା। ତେବେ ସେ ବ୍ୟବସାୟ କରନ୍ତୁ ବୋଲି ମୁଁ ଚାହୁଁନଥିଲି। କାରଣ, ବମ୍ବେରେ ଭଲ ଚାକିରି ଥିଲା। ମାସକୁ ମାସ ଦରମା ମିଳୁଥିଲା। ଯଦି ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଯାଏ ବିଭିନ୍ନ ଅସୁବିଧାକୁ ସାମନା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ମୁଁ ମୂର୍ତ୍ତିଙ୍କ ମନରେ କଷ୍ଟ ଦେବାକୁ ଚାହୁଁ ନଥିଲି। ତେଣୁ ତାଙ୍କୁ ସହଯୋଗ କରିବାକୁ ମନସ୍ଥ କରି ଭବିଷ୍ୟତ ପାଇଁ ସଞ୍ଚୟ କରିଥିବା ଦଶହଜାର ଟଙ୍କା ପୁଞ୍ଜି ଭାବରେ ଖଟାଇବାକୁ ଦେଲି ଏବଂ ତିନିବର୍ଷ ସମୟ ଦେଲି। ଏହି ସମୟ ମଧ୍ୟରେ ଘର କଥା ମୁଁ ସମ୍ପୂର୍ଣ୍ଣ ବୁଝିବି ଓ ସେ ବ୍ୟବସାୟରେ ମନୋନିବେଶ କରିବେ ବୋଲି ଆମ ମଧ୍ୟରେ ସ୍ଥିର ହେଲା। ମୂର୍ତ୍ତି ଏବଂ ତାଙ୍କର ୬ଜଣ ସାଙ୍ଗ ୧୯୮୧ରେ ଇନ୍‌‌ଫୋସିସ୍‌‌ ଆରମ୍ଭ କଲେ। ୧୯୮୨ରେ ମୁଁ ଟେଲକୋ ଚାକିରି ଛାଡି ମୂର୍ତ୍ତିଙ୍କ ପାଖକୁ ପୁଣେ ଗଲି। ସେଠାରେ ଆମେ ଗୋଟିଏ ଛୋଟ ଘର ଲୋନ୍‌‌ ନେଇ କିଣିଲୁ ଯାହା ଇନ୍‌‌ଫୋସିସ୍‌‌ର ଅଫିସ୍‌‌ ଭାବରେ ବ୍ୟବହାର ହେଉଥିଲା। ମୁଁ ଘର ତଥା ପିଲାମାନଙ୍କ କଥା ବୁଝିଲା ବେଳେ ମୂର୍ତ୍ତି ତାଙ୍କ ସ୍ୱପ୍ନର ଇନ୍‌‌ଫୋସିସ୍‌‌ ଗଠନରେ ବ୍ୟସ୍ତ ରହିଲେ। ସେଥିପାଇଁ ମୂର୍ତ୍ତି କମ୍ପାନିର ସମସ୍ତ ସଫଳତା ମୋତେ ଦିଅନ୍ତି। ସବୁବେଳେ କହନ୍ତି- ‘ଆଜି ଯାହା ସବୁ ପାଇଛି, ତାହା କେବଳ ସମ୍ଭବ ହୋଇଛି ଆମ ପ୍ରେମର ଶକ୍ତି ପାଇଁ।’

-Email id : serveforthenation@gmail.com