ଚର୍ଚ୍ଚାରେ ଘର ମାଲିକ; ଦେଉଥିଲେ ମାଗଣା ଡିନର୍, ବଢ଼ାଉନଥିଲେ ଘର ଭଡ଼ା

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।

Bengaluru Landlord

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ । ବଡ଼ ସହରରେ ରହିବାପାଇଁ ସାହା ପାଲଟିଥାଏ ଭଡ଼ାଘର । କର୍ମଜୀବୀଙ୍କୁ ପୁଣି ନିଜ ମନପସନ୍ଦର ସ୍ଥାନ ଓ ଧାର୍ଯ୍ୟ ବଜେଟ ମଧ୍ୟରେ ଘର ମିଳିବା କାଠିକର ପାଠ । ମହଙ୍ଗା ବଜାରରେ ଯଦି ଉପଯୁକ୍ତ ଘରଟିଏ ମିଳେ, ତେବେ ନିଜର ମାସିକ ବଜେଟ୍ ଗଡ଼ବଡ଼ ହେବାର ଡର ଥାଏ । ସେଥିପାଇଁ ଭଡ଼ାରେ ରହୁଥିବା ବ୍ୟକ୍ତି ସବୁବେଳେ ଘର ମାଲିକଙ୍କ ବିରୋଧରେ ଆଣିଥାନ୍ତି ବିଭିନ୍ନ ଅଭିଯୋଗ । ନିୟମ କାନୁନରେ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ଘର ଭଡ଼ା ମୂଲ୍ୟ ବୃଦ୍ଧି, ଖାଦ୍ୟପେୟ ଓ ବିଭିନ୍ନ ସାମଗ୍ରୀର ବ୍ୟବହାର ଉପରେ କଟକଣା ଆଦି ସାଧାରଣ ଅଭିଯୋଗ ସାମ୍ନାକୁ ଆସିଥାଏ ।

ତେବେ ବେଙ୍ଗାଲୁରୁର ଜଣେ ବୟସ୍କ ଘର ମାଲିକଙ୍କ ବ୍ୟବହାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଘର ମାଲିକଙ୍କୁ ନେଇ ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯ।ହାକୁ ଅନେକ ୟୁଜର୍ସ ପ୍ରଶଂସା କରୁଥିବାବେଳେ, ଏମିତି ଘର ମାଲିକ ବିରଳ ବୋଲି କିଛି ୟୁଜର୍ସ ମତ ଦେଇଛନ୍ତି । ଭଡ଼ାରେ ରହୁଥିବା ବ୍ୟକ୍ତି ସେହି ବୟସ୍କ ଘର ମାଲିକଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି ।

ପୋଷ୍ଟ କରିଥିବା ବ୍ୟକ୍ତି ଲେଖିଛନ୍ତି, ଗତ ୫ ବର୍ଷ ଧରି ସେ ଘର ମାଲିକଙ୍କ ବିଲ୍ଡିଂରେ ରହୁଛନ୍ତି । ଏହି ସମୟ ମଧ୍ୟରେ ଘର ମାଲିକ ଏପରି କିଛି କରିଛନ୍ତି ଯାହା ଖୁସିରେ ଝୁମିବାକୁ ବାଧ୍ୟ କରିଛି । ସେ ଲେଖିଛନ୍ତି, "ମୋର ଘର ମାଲିକ ମୋ ପାଇଁ ଡିନର କିଣିଲେ । ହଠାତ୍ ଅପ୍ରତ୍ୟାଶିତ ଉପହାର ଧରି ୬୫ ବର୍ଷୀୟ ଘର ମାଲିକ ପହଞ୍ଚିଥିଲେ । ଏହା ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା, ମାତ୍ର ଖୁସି ଅନୁଭବ ହୋଇଥିଲା ।  ଏହା ମୋ ପାଇଁ ଏକ ଆନନ୍ଦମୟ ଅବସର ଥିଲା । ମୋର ଘର ମାଲିକ ଜଣେ ବହୁତ ଭଲ ମଣିଷ ।" 

ଏପରିକି ନିଜର ରହଣୀ ମଧ୍ୟରେ ଥରେ ମଧ୍ୟ ଭଡ଼ା ବୃଦ୍ଧି କରିନାହାନ୍ତି । ଘର ମାଲିକଙ୍କ ଏପରି ସକରାତ୍ମକ ବ୍ୟବହାର ପ୍ରଭାବିତ କରିଥିବା ନେଇ ନିଜ ପୋଷ୍ଟରେ ଲେଖିଛନ୍ତି ବ୍ୟକ୍ତିଜଣଙ୍କ । ସବୁ ସମୟରେ ଭଲମନ୍ଦ କଥା ହେଉଥିଲେ । ନିଜ ଜୀବନ ଓ ଝିଅ ବିଷୟରେ ଗର୍ବର ସହ ଅନେକ କାହାଣୀ କହୁଥିଲେ ।    

ବ୍ୟକ୍ତିଜଣଙ୍କ ଲେଖିଛନ୍ତି, "ତାଙ୍କର ବୟସ ୬୫ ବର୍ଷ, ଗତ ୫ ବର୍ଷ ଧରି ତାଙ୍କ ଭବନରେ ରହିଆସୁଛି । ଆଜି ଏକ ପାର୍ସଲ ଧରି ସେ ପହଞ୍ଚିଲେ ଓ କହିଲେ ଡିନର୍ କିଣିଛନ୍ତି । ତାଙ୍କ ବୟସର କୌଣସି ବ୍ୟକ୍ତି ମୋ ସହିତ ଏତେ ଦୟାଳୁ ନଥିଲେ । ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ ।"

ଏହି ପୋଷ୍ଟ ସୋସିଆଲ ମିଡିଆରେ ସେୟାର ହେବାପରେ ଅନେକ ୟୁଜର୍ସ ପ୍ରଶଂସା କରୁଛନ୍ତି । ବେଙ୍ଗାଲୁରୁ ସହରରେ ଏମିତି ଜଣେ ଘର ମାଲିକ ମିଳିବା ବିରଳ ବୋଲି ଅନେକ ୟୁଜର୍ସ କହିଛନ୍ତି । କିଛି ୟୁଜର୍ସ ମଧ୍ୟ ନିଜର ଘର ମାଲିକଙ୍କ ବିଷୟରେ ସକରାତ୍ମକ ଟିପ୍ପଣୀ କରିଛନ୍ତି ।