କାହା ବାପା ପାଲା ଗାୟକ ତ ଆଉ କାହା ବାପା ତେଜରାତୀ ଦୋକାନୀ...ପୁଅ ଏବେ OAS

ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲାଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ।

OAS exam

ପୁଅକୁ ମିଠା ଖୁଆଇ ଦେଉଛନ୍ତି, ପୁଣି ଗେଲ କରିପକାଉଛନ୍ତି । ମାଆ ପଣତକାନିରେ ପୁଅର ମୁହଁକୁ ପୋଛି ଦେଉଛି । ଏମିତି ସବୁ ଦେଖିବା ପରେ ହଠାତ୍‌ କିଛି ବୁଝାପଡିବନି । ଭାବୁଥିବେ ସିଏ ଏମିତି କଣ କଲେ ଯେ ତାଙ୍କୁ ମିଠା ଖୁଆଇ ଦିଆଯାଉଛି । ଏତେ ଲୋକ ବସି ଫଟୋ ଉଠାଉଛନ୍ତି? ସିଏ ବାପା-ମାଆଙ୍କ ନାଁ ରଖିଛନ୍ତି, ଗାଁ ପାଇଁ ଗୌରବ ସାଉଁଟିଛନ୍ତି ।

ବାପା ଗାଁ ଗାଁ ବୁଲି ପାଲା ଗାଉଛନ୍ତି । ସେଥିରୁ ଯେତିକି ରୋଜଗାର ହେଲା ସେତିକିରେ ପରିବାର ଚଳୁଥିଲା । ଅଭାବୀ ପରିସ୍ଥିତିରେ କିନ୍ତୁ ନିଜ ଲକ୍ଷ୍ୟ ପୂରଣ କରିବାର ଜୁ କେବେ ଛାଡିନଥିଲେ ପୁଅ ପ୍ରକାଶ । ରାତିଦିନ ଏକ କରି ପାଠ ପଢୁଥିଲେ, ଆଉ ଏବେ ସଫଳତା ପାଇଲେ । ପୁରୀ ଜିଲ୍ଲା ନିମାପଡା ଧନୁଆ ଗ୍ରାମ ପଞ୍ଚାୟତର ବଉଳପଦା ଗାଁର ପାଲା ଗାୟକ ଗଜେନ୍ଦ୍ର ପରିଡା ଓ ଊର୍ମିଳା ପରିଡାଙ୍କ ପୁଅ ପ୍ରକାଶ ପରିଡା । ଯିଏକି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୪୦ ନମ୍ବର ରାଙ୍କ ରଖି ସମସ୍ତଙ୍କ ମୁହଁରେ ଭରି ଦେଇଛନ୍ତି ଖୁସି ।

ବାପାଙ୍କ ସୀମିତ ରୋଜଗାରରେ ବି ସେ ନିଜର ସ୍ୱପ୍ନ ପୂରଣ କରିବା ଲାଗି କଠିନରୁ କଠିନ ପରିଶ୍ରମ କରିଥିଲେ ପ୍ରକାଶ । ଗାଁ ସ୍କୁଲରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ୨ ଥର ପରୀକ୍ଷା ଦେଇଥିଲେ ବି ସଫଳତା ପାଇନଥିଲେ । ହେଲେ ତୃତୀୟ ଥର ପରୀକ୍ଷା ଦେବା ପରେ ସେ ସଫଳତାର ସ୍ୱାଦ ଚାଖିଛନ୍ତି ।

ସେମିତି ନୟାଗଡ଼ ରଣପୁର ଗୋପାଳପୁର ଗାଁର ବସନ୍ତ କୁମାର ପାତ୍ର ଓ ପୁଷ୍ପଲତା ପାତ୍ରଙ୍କ ସାନପୁଅ ସାଇ ସିକନ ପାତ୍ର । ବୟସ ୨୬ ହେବ... ହେଲେ ସିଭିଲ ସର୍ଭିସ ପରୀକ୍ଷାରେ ୭୩ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ପରୀକ୍ଷା ରେଜଲ୍ଟ ବାହାରିବା ପରେ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ ।

ଜାଣିଆଶ୍ଚର୍ଯ୍ୟ ହେବେ କି, ସାଇ ସିକନଙ୍କ ବାପା ଗାଁରେ ଏକ ତେଜରାତୀ ଦୋକାନଟିଏ କରିଛନ୍ତି । ସେତିକିରୁ ଯେତିକି ଯାହା ରୋଜଗାର ହୁଏ ସେତିକିରେ ପରିବାର ଚଳିବା ସହିତ ପୁଅ ପାଠ ବି ପଢେ । ସିକନ ଗାଁ ସ୍କୁଲରୁ ଦଶମ ପାସ ପରେ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨, ପରେ ଭୁବନେଶ୍ୱର ଓୟୁଏଟି ଏବଂ Msc ରେ ଗୋଲ୍ଡ ମେଡାଲ ବି ପାଇଛନ୍ତି ।

ତେବେ ଓଏଏସ୍‌ ପାଇବା ପରେ ଏବେ ପରିବାରଠୁ ଆରମ୍ଭ କରି ଗାଁ ଲୋକେ ବି ବେଶ୍‌ ଖୁସି । ସିକନ କହିଛନ୍ତି, ମୁଁ ଚାକିରି କରିବା ପରେ ଲୋକମାନେ କେମିତି ସରକାରୀ ବ୍ୟବସ୍ଥା ପାଇପାରିବେ ସେନେଇ ବିଶେଷ ଦୃଷ୍ଟି ଦେବି । ଦର୍ଶକବନ୍ଧୁ କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଏନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସିକନ ଆଉ ପ୍ରକାଶ ।

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)