Advertisment

ବିଛଣାରେ ରୋଜଗାରିଆ ପୁଅ, ପର ଘରେ କାମ କରୁଛି ବୁଢ଼ୀମାଆ...

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି।

ଅଦ୍ୟତନ ହୋଇଛି
Anandpur Women Need Help

Anandpur Women Need Help

Advertisment

ଦିନେ ସିଏ ପରିବାର ଚଳାଉଥିଲେ, ପିଲାଛୁଆଙ୍କୁ ଖୁଆଇ ପିଆଇ ମଣିଷ କରି ଗଢିତୋଳିବାର ସ୍ୱପ୍ନ ଦେଖୁଥିଲେ । ହେଲେ ହ୍ୱିଲ ଚେୟାର ଏବେ ତାଙ୍କର ସବୁ ସ୍ୱପ୍ନକୁ ମାଟିରେ ମିଶାଇ ଦେଲା । ଦିନେ ଯିଏ ଅନ୍ୟର ସାହାରା ଥିଲେ, ଆଜି ବିନା ସାହାରାରେ ସେ ପାଦେ ଚାଲିବି ପାରୁନାହାନ୍ତି । ଦୁର୍ଘଟଣା ତାଙ୍କର ସବୁ ଇଚ୍ଛା ଓ ଆଶାକୁ ଯେମିତି ଧୂଳି ଝଡ ପରି ଉଡେଇ ନେଇଛି କୁଆଡେ ।

Advertisment

ହ୍ୱିଲ୍‌ ଚେୟାରରେ ଏବେ ବସିଛି ଘରର ଏକମାତ୍ର ରୋଜଗାରିଆ ପୁଅ । ପିଲାଛୁଆ, ସ୍ତ୍ରୀ ଓ ମାଆଙ୍କ ପେଟ ପୋଷିବା ପାଇଁ ବାହାର ରାଜ୍ୟରେ କାମ କରୁଥିଲେ । ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ବେଶ୍‌ ହସଖୁସିରେ ଚାଲୁଥିଲା ସଂସାର ରଥ । ହେଲେ ଗୋଟିଏ ଦୁର୍ଘଟଣା ତାଙ୍କ ପରିବାରରେ ଭରି ଦେଲା ଅନ୍ଧାର । ଏବେ ରୋଜଗାରିଆ ପୁଅ ବିଛଣାରେ ପଡିଥିବାରୁ ବଡ କଷ୍ଟରେ ଚଳୁଛି ପରିବାର ।

ଆନନ୍ଦପୁର ମୋଚିନ୍ଦା ଗାଁର ରମେଶ କୁମାର ସେଠୀ । ଘର ଚଳିବାକୁ ତାମିଲନାଡୁରର ସୂତାକଳରେ କାମ କରୁଥିଲେ । ମଝିରେ ମଝିରେ ଗାଁକୁ ଆସନ୍ତି ରମେଶ । ହେଲେ ଗାଁକୁ ଆସିବା ହିଁ ତାଙ୍କ ପାଇଁ କାଳ ହେଲା । ସାତକୋଶିଆ ପାଖରେ ଏମିତି ଦୁର୍ଘଟଣାର ଶିକାର ହେଲେ ଯେ ସେବେଠୁ ବିଛଣାରେ ପଡିଛନ୍ତି ଯେ ଆଜିଯାଏଁ ଉଠିବା ତାଙ୍କ ପକ୍ଷରେ ସମ୍ଭବ ହେଉନି ।

Advertisment

ରୋଜଗାର କରୁଥିଲା ବେଳେ ସିନା ପରିବାର ଚଳୁଥିଲା ହେଲେ ଏବେ ସବୁ ଗଲା । ଦୁର୍ଘଟଣା ପରେ ରମେଶଙ୍କ ପରିବାରର ଦୁଃଖ ଯେମିତି ୧୦ ଗୁଣା ହୋଇଛି । ସ୍ଥିତି ଏମିତି ହେଲାଣି ଯେ ରମେଶଙ୍କ ପରିବାର ଖାଇବାକୁ ବି ପାଉନି । ଆଉ ସରକାରୀ ଯୋଜନା କହିଲେ ତାଙ୍କ ଲାଗି ସାତସପନ । ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୨୦ କିଲୋ ଚାଉଳ । ପୁଅର ଏମିତି ଅବସ୍ଥା ଦେଖି ବୁଢୀ ମାଆ ନଇଁ ନଇଁ ପର ଘରେ ପାଇଟି କରୁଛି । ଆଉ ସେଥିରୁ ଯେତିକି ରୋଜଗାର ହେଉଛି ସେତକରେ ଚଳୁଛି ପୂରା ପରିବାର । ରମେଶଙ୍କର ଏମିତି ଅବସ୍ଥା ଦେଖି ଗାଁ ଲୋକ କେତେବେଳେ କେମିକି ସାହାଯ୍ୟ କରୁଛନ୍ତି ହେଲେ ତାହା ସମୁଦ୍ରକୁ ଶଙ୍ଖେ ।

ଗରିବ ତଥା ଅସହାୟ ପରିବାର ଲାଗି ସରକାର କେତେ କଣ ଯୋଜନା କରୁଛନ୍ତି, ହେଲେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚିପାରୁନି ଯୋଜନା । ଯଦି ରମେଶଙ୍କ ପରିବାରକୁ ସରକାରୀ ସହାୟତା ମିଳନ୍ତା ତେବେ ସେ ସୁସ୍ଥ ହେବା ସହିତ ତାଙ୍କ ପରିବାର ଭଲରେ ଚଳନ୍ତା ।

Advertisment

(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)

Accident Bedridden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ