HMPV: ହ୍ୟୁମାନ ମେଟା ନିମୋ ଭାଇରସ...ଏହା କେମିତି ବ୍ୟାପେ, କ’ଣ ଏହାର ପ୍ରତିଷେଧକ

ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ ଜରିଆରେ ମଧ୍ୟ ଏହି ରୋଗ ବ୍ୟାପେ । ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ ।

କେମିତି ବ୍ୟାପେ HMPV ଭାଇରସ୍

ବର୍ତ୍ତମାନ ସାରା ବିଶ୍ୱରେ ସବୁଆଡେ ଚର୍ଚ୍ଚାର ବିଷୟ HMPV ଅର୍ଥାତ ହ୍ୟୁମାନ ମେଟା ନିମୋ ଭାଇରସ । ଏହି ଭୂତାଣୁ ବା ଭାଇରସ ଆମ ପାଇଁ ନୁଆ ନୁହେଁ । ୧୯୫୮ ମସିହାରେ ଏହି ଭୂତାଣୁ ଆବିଷ୍କାର ହୋଇଥିଲା । କିନ୍ତୁ ୨୦୦୧ ମସିହାରେ ହଲାଣ୍ଡରେ ଏହାର ନାମକରଣ କରାଗଲା । ଏହି ରୋଗର ନାଁ ଶୁଣି ସମସ୍ତେ ଭୟଭୀତ ହୋଇ ପଡୁଛନ୍ତି । କିନ୍ତୁ ଏହା କରୋନା ପରି ମାରାତ୍ମକ ନୁହେଁ ।

ସାଧାରଣତଃ ୫ ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୫ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ରୋଗରେ ବେଶୀ ଆକ୍ରାନ୍ତ ହୁଅନ୍ତି । କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ । ଏହି ଭୂତାଣୁ ଶରୀରରେ ପ୍ରବେଶ କରିବାର ୩ ରୁ ୬ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଏ । ଏହି ଭାଇରସରେ ଆକ୍ରାନ୍ତ ରୋଗୀର ଲକ୍ଷଣ ସାଧାରଣ ଶର୍ଦ୍ଦି କାଶ ପରି । ପ୍ର୍ରଥମେ ଜ୍ୱର, ନାକରୁ ପାଣି ବାହାରିବା, ଗଳା ଖସ୍ ଖସ୍ ହେବା, ନାକ ଚୁଣ୍ଟି ହେବା, ଶେଷରେ କାଶ ହୁଏ, ନିଶ୍ୱାସ କଷ୍ଟ ହୁଏ । ଯଦି ଆକ୍ରାନ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥାଏ ତେବେ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଯେଉଁ ରୋଗୀମାନେ ଆଗରୁ ଅନ୍ୟ ରୋଗରେ ପୀଡିତ HMNV ଭୂତାଣୁ ସେମାନଙ୍କ ଶରୀରରେ ବେଶୀ କ୍ଷତି କରିପାରେ ।

ସେଇ ରୋଗୀମାନେ ହେଲେ:

- ବୃକକ୍ ଜନିତ ରୋଗରେ ପୀଡିତ ହୋଇ ଯେଉଁମାନେ ନିୟମିତ ଡାଇଲିସିସ୍ କରାଉଛନ୍ତି ।

- ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣ ବାହାରେ ।

- ଯେଉଁମାନେ ହୃଦ୍ ରୋଗରେ ଅତିମାତ୍ରାରେ ଆକ୍ରାନ୍ତ ।

- ଶିଶୁମାନଙ୍କ ମଧ୍ୟରେ ଯେଉଁମାନେ ଥାଲାସିମିଆ, ରକ୍ତ ଶିକୁଳି, ବୃକକ୍ ରୋଗରେ ପ୍ରଭାବିତ ।

- ଯେଉଁମାନେ ସ୍ଟିରଏଡ୍ ଖାଉଛନ୍ତି ।

କିପରି ବ୍ୟାପେ:

ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ ଜରିଆରେ ମଧ୍ୟ ଏହି ରୋଗ ବ୍ୟାପେ । ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ ।

ଚିକିତ୍ସା:

ଏହି ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ । କେବଳ ଆନୁସାଙ୍ଗିକ ଚିକିତ୍ସା । ଯେମିତିକି ଜ୍ୱର ହେଲେ ପାରାସିଟାମଲ, ସର୍ଦ୍ଦି ହେଲେ ସେଟ୍ରିଜିନ୍ ଇତ୍ୟାଦି ।

ପ୍ରତିଷେଧକ:

ଏହି ଭୂତାଣୁ ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିପାଇଁ କୌଣସି ମାର୍ଗଦର୍ଶିକା ଜାରି କରିନାହିଁ । ତେଣୁ ଆମେ ସମସ୍ତେ ସାବଧାନତା ଅବଲମ୍ବନ କରିବା ଯେମିତି କୋଭିଡ୍ ସମୟରେ କରୁଥିଲେ । ଗହଳି ଜାଗାକୁ ଯିବା ନାହିଁ । ଯଦି ବା ଯିବା ମାସ୍କ ଲଗାଇ ଯିବା । ବାହାରୁ ଘରକୁ ଆସିଲେ ସଙ୍ଗେ ସଙ୍ଗେ ହାତ ଧୋଇବା । ଅଯଥାରେ ହାତରେ ମୁହଁ, ନାକ, ଆଖିକୁ ଛୁଇଁବା ନାହିଁ । ଶେଷରେ ଏତିକି କୁହାଯାଇପାରେ, ଏହି ଭୂତାଣୁ ପାଇଁ ମୋଟେ ଭୟଭୀତ ହେବାର କୌଣସି କାରଣ ନାହିଁ।

(ଡା: ନୀଳମାଧବ ଜେନା, ପ୍ରାକ୍ତନ ସଭାପତି, ଭାରତୀୟ ଶିଶୁ ଚିକିତ୍ସକ ସଂଘ)