Advertisment

Emotional Stress Causes and Solutions: ଆବେଗଗତ ଚାପ କ'ଣ ? ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ କ’ଣ ?

ଆପଣଙ୍କୁ ଏକାସାଙ୍ଗରେ ଦୁଃଖ, ହତାଶା, ଭୟ, ଅପରାଧବୋଧ, ଅସହାୟତା ପରି ଅନେକଗୁଡିଏ ଭାବନା ଘେରିଯାଉଛି କି? ଆପଣ ନିଜ ଭାବନା ପ୍ରକାଶ କରିବାରେ ଅକ୍ଷମ ହେଉଛନ୍ତି କି? ଏହା ଆବେଗଗତ ଚାପର ଲକ୍ଷଣ, ଯାହା ବିଷୟରେ ଖୁବ୍ କମ ଆଲୋଚ଼ନା ହେଉଛି । ଏହା କ'ଣ, ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

ଅଦ୍ୟତନ ହୋଇଛି
ସାଇଲେଣ୍ଟ ଡିପ୍ରେସନ

ସାଇଲେଣ୍ଟ ଡିପ୍ରେସନ

Advertisment

ମେଘନାକୁ ୩୪ ବର୍ଷ ବୟସ ହେବ । ସେ ଦୁଇ ପିଲାଙ୍କର ମାଆ ଓ ଗୋଟିଏ ବେସରକାରୀ ସ୍କୁଲ୍ ର ଶିକ୍ଷକ । ମୋ ସହ କଥା ହେବା ଭିତରେ ଥରେ ସେ ଖୁବ୍ ଭାଙ୍ଗି ପଡିଲା । କହିଲା; "ଘର କାମ ଠୁ ଆରମ୍ଭ କରି ପିଲା, ପରିବାର, ବନ୍ଧୁବାନ୍ଧବଙ୍କ କଥା, ଚାକିରି କେଉଁଥିରେ ମୁଁ ଅବହେଳା କରେନି । ସବୁବେଳେ କିଛି ନା କିଛି କରୁଥାଏ । ତେଣୁ ମୁଣ୍ଡରେ ଦୁଶ୍ଚିନ୍ତା ପଶିବାର ଅବକାଶ ନାହିଁ । ବ୍ୟସ୍ତ ରହିବା ଛଡା ମୋର ଅନ୍ୟ କିଛି ସେମିତି ବଡ ସମସ୍ୟା ବି ନାହିଁ, କିନ୍ତୁ କ'ଣ ତ ଗୋଟେ ହେଉଛି ଯାହା ମୁଁ ବୁଝିପାରୁନି ।"

Advertisment

ତାକୁ ପ୍ରାୟତଃ ଥକ୍କା ଲାଗୁଥାଏ, ଚିଡିଚିଡା ଲାଗୁଥାଏ ଓ ତା' ମନ ଭିତରେ ଉଦବେଗ ଲାଗି ରହୁଥାଏ । ସେ ସବୁବେଳେ ଭାବପ୍ରବଣତାରେ ବୁଡି ରହୁଥାଏ; ଯଦିଓ ତାହା ଖୁସି, କି ରାଗ ଅବା ଦୁଃଖ ସେ ଜାଣିପାରୁନଥାଏ । ଏହାକୁ କୁହାଯାଏ ଆବେଗଗତ ଚାପ ବା ଇମୋସନାଲ୍ ଓଭରହୁଇମ । ଆମ ଭିତରୁ ଅନେକ ନଜାଣି ବି ଭାବପ୍ରବଣତାରେ ଭାରାକ୍ରାନ୍ତ ହୋଇ ରୁହନ୍ତି ।

ଆବେଗ ଆପଣଙ୍କୁ ସେତେବେଳେ ଭାରାକ୍ରାନ୍ତ କରେ, ଯେତେବେଳେ ଏକାସାଙ୍ଗରେ ଅନେକଗୁଡିଏ ଭାବନା ଆପଣଙ୍କୁ ଘେରିଯାଏ । ଯଥା ଦୁଃଖ, ହତାଶା, ଭୟ, ଅପରାଧବୋଧ, ଅସହାୟତା । ଏମିତି ନୁହେଁ କି ଆପଣ ଏସବୁର ସାମ୍ନା କରିପାରିବେ ନାହିଁ, ବରଂ ଏହା ବୁଝାଏ ଯେ ଆବେଗ ସହ ଯୁଝି ଯୁଝି ଆପଣଙ୍କର ଏହାକୁ ସାମନା କରିବାର କ୍ଷମତା ସମ୍ପୂର୍ଣ୍ଣ ଭାବରେ ସରିଯାଇଛି ।

Advertisment

କଳ୍ପନା କରନ୍ତୁ ଯେ, ଆପଣ ଏକାଥରକେ ଦଶ ବାଲତି ପାଣି ଉଠେଇବାକୁ ଚେଷ୍ଟା କରୁଛନ୍ତି । ଏହାଦ୍ୱାରା କ'ଣ ହେବ? ହୁଏତ ଶେଷରେ ଆପଣ ସବୁକିଛି ଢାଳିଦେବେ ନହେଲେ ବାଲତିସବୁକୁ ଉଠେଇବାର ଚେଷ୍ଟା କରି ନିଜେ ତଳେ ପଡିଯିବେ ।

ଆଜିର ମୁହୂର୍ତ୍ତକରେ ଯୋଗାଯୋଗ ହୋଇପାରୁଥିବା (ହାଇପର କନେକ୍ଟେଡ) ଓ ଚାପଗ୍ରସ୍ଥ ଦୁନିଆରେ ଆବେଗରେ ଭାରାକ୍ରାନ୍ତ ହେବା ଆଉ ବିରଳ ନୁହେଁ । କିନ୍ତୁ ଏଥି ସମ୍ପର୍କରେ ବହୁତ କମ୍ ଆଲୋଚନା ହୁଏ ।

Advertisment

ଆବେଗଗତ ଚାପର ୪ଟି ରୂପ

୧.ଇମୋସନାଲ୍ ଡ୍ରାଉନିଂ ବା ଆବେଗରେ ବୁଡିଯିବା

ଆପଣଙ୍କୁ ଲାଗେ କି ଆପଣ ଠିକ୍ ନାହାଁନ୍ତି କିନ୍ତୁ ଏହାର କାରଣ ଆପଣ ଚେଷ୍ଟା କରି ବି ବୁଝାଇବାକୁ ଅକ୍ଷମ ହୁଅନ୍ତି । ଛୋଟ ଛୋଟ ଘଟଣାଗୁଡିକ ମଧ୍ୟ ଖୁବ୍ ଓଜନିଆ ଲାଗେ । ଆପଣ ସହଜରେ କାନ୍ଦି ପକାନ୍ତି ନହେଲେ ଶୂନ୍ୟ ହୋଇଯିବା ପରି ଅନୁଭବ କରନ୍ତି । ଏହା ସେତେବେଳେ ହୁଏ ଯେତେବେଳେ ଆପଣଙ୍କର ଆବେଗକୁ ପରିଚାଳନା କରିବାର ବ୍ୟବସ୍ଥାଟି ଓଭରଲୋଡ୍ ହୋଇଯାଇଥାଏ, କିନ୍ତୁ ଆପଣ ହସହସ ମୁହଁରେ ରୁହନ୍ତୁ ବୋଲି ଆଶା କରାଯାଏ ।

୨. ସାଇଲେଣ୍ଟ ଡିପ୍ରେସନ୍ ବା ନୀରବ ଅବସାଦ

ବାହାରୁ ସବୁକିଛି ଠିକ୍ ଲାଗେ । କାମ ଚାଲିଥାଏ, ସୋସିଆଲ୍ ମିଡିଆ ଉପସ୍ଥିତି ବି ଜାରି ରହିଥାଏ, ଦାୟିତ୍ୱ ସବୁ ବି ନିଆଯାଉଥାଏ । କିନ୍ତୁ ଭିତରେ ଗୋଟିଏ ଉଦାସ ଭାବ, କ୍ଳାନ୍ତି ଓ ଖାଲି ଖାଲି ଲାଗିବାର ଭାବ ଭରିଯାଇଥାଏ । ଅନେକ ଉଚ୍ଚ କାର୍ଯ୍ୟକ୍ଷମତା ସମ୍ପନ୍ନ ବ୍ୟକ୍ତି ନୀରବରେ କଷ୍ଟ ଭୋଗ କରନ୍ତି । ସେମାନେ ଭାବନ୍ତି ଏଇଟା ସେତେ ବେଶୀ ଖରାପ ସ୍ଥିତିକୁ ଆସିନାହିଁ ଯେ କାହାର ସାହାଯ୍ୟ ନେବାକୁ ହେବ ।

୩. ଲାଙ୍ଗୁଇସ୍ ବା ନିସ୍ତେଜ ଲାଗିବା 

ଏହା ମହାମାରୀ ସମୟରେ ଲୋକପ୍ରିୟ ହୋଇଥିବା ଗୋଟେ ଶବ୍ଦ । ଏହା ଅବସାଦ ଓ ସୁସ୍ଥତାର ମଝାମଝି ଗୋଟେ ଅବସ୍ଥା । ଆପଣ ବହୁତ ଦୁଃଖି ନାହାଁନ୍ତି, କିନ୍ତୁ ଖୁସି ବି ନାହାଁନ୍ତି । ଆପଣ କେତେବେଳେ ଫସି ରହିବା ପରି ଅନୁଭବ କରୁଛନ୍ତି ତ କେତେବେଳେ କିଛି ବି ପ୍ରେରଣା ନଥାଇ ଠେଲି ହେଇ ବଞ୍ଚିବା ପରି କିମ୍ବା ଆବେଗଶୂନ୍ୟ ହୋଇଯିବା ପରି ଅନୁଭବ କରୁଛନ୍ତି ।

୪.ଇମୋସନାଲ୍ ହ୍ୟାଙ୍ଗଓଭର

କୌଣସି ପାଟିତୁଣ୍ଡ କି ଝଗଡା ପରେ କିଛି ଗୋଟେ ଚିନ୍ତାଯୁକ୍ତ କର୍ମ, ରିସର୍ଚ୍ଚ ପେପର ଉପସ୍ଥାପନା, ଏମିତି କି ଉତ୍ସବରେ ଯୋଗଦେବା ବି ଆପଣଙ୍କୁ କ୍ଳାନ୍ତିକର, ବିରକ୍ତିକର, ଚିଡିଚିଡା ବା ଏକୁଟିଆ ଅନୁଭବ କରାଏ । ପ୍ରକୃତରେ ଆପଣଙ୍କ ମସ୍ତିଷ୍କ ବହୁତ ସମୟ ଧରି କାମ କରିଥିବାରୁ ତାକୁ ରିକଭରି ହେବା ପାଇଁ ସମୟ ଦରକାର ହୁଏ । ଶାରିରୀକ ବ୍ୟାୟାମ କରିବା ପରେ ଶରୀରକୁ ବିଶ୍ରାମ ଦରକାର ହୁଏ ନା ନାହିଁ? ସେମିତି ମନର ବି ବିଶ୍ରାମ ଦରକାର ।

ନୀରବ ଅବସାଦନୀରବ ଅବସାଦ

ଆବେଗଗତ ଚାପ କାହିଁକି ସୃଷ୍ଟି ହୁଏ?

• କାମ, ପରିବାର, ରୋଜଗାର କିମ୍ବା ଲମ୍ବା ସମୟ ଧରି ଯତ୍ନ ନେବାରୁ ତିଆରି ହୋଇଥିବା କ୍ରୋନିକ୍ ଷ୍ଟ୍ରେସ୍ ଜମାଟ ବାନ୍ଧି ଚାପ ତିଆରି କରେ ।

• ଆବେଗ ପ୍ରକାଶ କରିବାରେ ଅଭାବ ବା ଅକ୍ଷମତା ଥିଲେ ବି ଚାପ ତିଆରି ହୁଏ । ଯେମିତିକି, ଅନୁଭବ କରିବା, ବ୍ୟକ୍ତ କରିବା କିମ୍ବା ତାକୁ ହଜମ କରିବା କରିବା ପାଇଁ ସମୟ ଓ ସ୍ଥାନର ଅଭାବ ।

• ସବୁବେଳେ ମଜଭୁତ, ପ୍ରଡକ୍ଟିଭ, ସକରାତ୍ମକ ରହିବାର ଅବାସ୍ତବ ପ୍ରତ୍ୟାଶା ଚାପ ତିଆରି କରେ ।

• ଅତୀତର ଯନ୍ତ୍ରଣା ବା ନିରନ୍ତର ଉଦବେଗ ଦୈନନ୍ଦିନ ଚାପକୁ ବଢାଏ ।

• ସୋସିଆଲ୍ ମିଡିଆର ଚାପ, ଯାହା ମନରେ ନିରନ୍ତର ତୁଳନା ଓ ଅତିରିକ୍ତ ଉତ୍ତେଜନା ତିଆରି କରେ ।

ଏହାର ଲକ୍ଷଣ ସବୁ କ'ଣ ?

ଆବେଗଗତ ଚାପ ସୁକ୍ଷ୍ମ କିନ୍ତୁ ସ୍ପଷ୍ଟ ରୂପରେ ଦେଖାଯାଏ ।

ଶାରିରୀକ ଲକ୍ଷଣ:-

ଶରୀରର ଲକ୍ଷଣ ସବୁକୁ ସହଜରେ ଜାଣି ହୁଏ । ଆପଣଙ୍କର ବହୁତ ବେଶୀ ଚିନ୍ତା କଲେ ବା ଗଭୀର ଭାବରେ କିଛି ଗୋଟିଏ ବିଷୟରେ ଭାବିଲେ ମୁଣ୍ଡବିନ୍ଧା ହେଉଛି କି? କେବେ କେବେ ଛାତି ରୁନ୍ଧିଯିବା ପରି ଲାଗୁଛି କି? ବିନା କାରଣରେ କ୍ଳାନ୍ତ ଲାଗୁଛି କି? ରାତିରେ ନିଦ ନହେବା, ଡେରିରେ ହେବା ଆଦି ନିଦ୍ରା ଜନିତ ସମସ୍ୟା ଲାଗି ରହୁଛି କି? କିଛିଦିନ ଧରି ଏସବୁ ଲକ୍ଷଣ ଉପରେ ନଜର ଦିଅନ୍ତୁ ।

ମାନସିକ ଓ ଆବେଗିକ ଲକ୍ଷଣ:-

ଆପଣଙ୍କ ମନରେ ଏକା ସାଙ୍ଗରେ ଅନେକଗୁଡିଏ ଚିନ୍ତା ଯିବାଆସିବା କରୁଛନ୍ତି କି? ନହେଲେ କିଛି ବି ଚିନ୍ତା ସ୍ପଷ୍ଟ ନଆସି କୁହୁଡିଆ କୁହୁଡିଆ ଲାଗୁଛି କି । ରହି ରହି ଚିଡିଚିଡା ଲାଗୁଛି କି? ମଝିରେ ମଝିରେ ଆବେଗକୁ ଆୟତ୍ତ କରିନପାରି ତାହା ହଠାତ୍ ବିସ୍ଫୋରଣ ହେଲା ପରି ବାହାରୁଛି କି? କେବେ କେବେ ଅପରାଧବୋଧ, ଅସଫଳତାର ଭାବନା ଆସୁଛି କି? ନିଜେ ବେକାର ଓ ମୂଲ୍ୟହୀନ ବୋଲି ମନେହେଉଛି କି? ହଠାତ୍ କାନ୍ଦି ପକେଇବା ନହେଲେ ପୁରା ଶୂନ୍ୟ ହୋଇଯିବା ପରି ପରିସ୍ଥିତି ଆସୁଛି କି?

ଆଚାରଗତ ଲକ୍ଷଣ:-

ଲୋକ ଓ ଗହଳି ଠାରୁ ଦୂରେଇ ରହିବାକୁ ଇଚ୍ଛା ହେଉଛି କି? ନିଷ୍ପତ୍ତି ନେବା ସମୟ ଆସିଲେ କିମ୍ବା ଦାୟିତ୍ୱ ନେବାକୁ ହେଲେ ଏଡେଇ ଯାଉଛନ୍ତି କି? ଅଧିକ ଖାଇବା, ଅଧିକା ଶୋଇବା କିମ୍ବା ସ୍କ୍ରିନ୍ ରେ ଅଧିକ ସମୟ ବିତେଇବାକୁ ଭଲ ଲାଗୁଛି କି? ମଝିରେ ମଝିରେ କିଛି କଥା ଭୁଲିଯାଉଛନ୍ତି କି? ଏକାଗ୍ରତା କମିଯାଉଛି କି?

ଆପଣଙ୍କୁ ହୁଏତ ଲାଗିପାରେ ଆପଣ କେବଳ ଥକି ଯାଇଛନ୍ତି, କିନ୍ତୁ ଆରାମ କରିବା ପରେ ବି ଯଦି କ୍ଳାନ୍ତି ଲାଗିରହୁଛି ତେବେ ଏହା ଥକ୍କା ଲାଗିବା ଠାରୁ ଅଧିକ କିଛି । ତେଣୁ ଏହାକୁ ଚିହ୍ନନ୍ତୁ ଓ ଏଥିରୁ ମୁକୁଳିବାର ଉପାୟ ଆପଣାନ୍ତୁ ।

ଆବେଗରେ ଭାସିନଯାଇ ସ୍ଥିର ହେବାର ସହଜ ଉପାୟ-

୧.ନିଜକୁ ଅନୁଭବ କରିବାକୁ ସୁଯୋଗ ଦିଅନ୍ତୁ ।

ଆପଣ ଆପଣଙ୍କର ଭାବନାକୁ ଠିକ୍ ଦର୍ଶାଇବା ଆବଶ୍ୟକ ନାହିଁ । ଅନୁଭୂତି ସବୁ ତଥ୍ୟ ନୁହେଁ, ସେମାନେ କେବଳ ବାର୍ତ୍ତାବାହକ । ବାସ୍, ସ୍ୱୀକାର କରିବା ଆରମ୍ଭ କରନ୍ତୁ ଯେ, ମୁଁ ଅଭିଭୂତ ଅନୁଭବ କରୁଛି ଏବଂ ଏହା ଠିକ୍ ।

୨.ଆବେଗକୁ ନିୟନ୍ତ୍ରଣ କରିବା ପାଇଁ ଗୋଟେ ନାଁ ଦିଅନ୍ତୁ ।

ମୁଁ ଚାପଗ୍ରସ୍ତ ଅଛି କହିବା ପରିବର୍ତ୍ତେ ଆପଣ ପ୍ରକୃତରେ କ'ଣ ଅନୁଭବ କରୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ଏହା କ'ଣ ଦୁଃଖ? ନା ଅପରାଧବୋଧ, ନା ଡର? ନା କ୍ରୋଧ? ନିଜର ଭାବନାକୁ ନାଁ ଦେବା ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରେ ।

୩.ବିଚାର ନକରି ଲେଖି ରଖନ୍ତୁ ।

୫ ମିନିଟ୍ ପାଇଁ ଟାଇମର୍ ଦେଇ ଆପଣଙ୍କ ମନରେ ଯାହା ବି ଆସୁଛି ତାହା ଲେଖିଦିଅନ୍ତୁ । ସମାଧାନ ନଖୋଜି କେବଳ ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଭାବନା ଆପଣଙ୍କ ମୁଣ୍ଡରୁ ବାହାରି ପୃଷ୍ଠା ଉପରେ ସ୍ଥାନ ପାଏ ସେତେବେଳେ ଆବେଗରେ ସ୍ପଷ୍ଟତା ଆସିବା ଆରମ୍ଭ ହୁଏ ।

୪. ଗ୍ରାଉଣ୍ଡିଙ୍ଗ ଉପାୟ ଅବଲମ୍ବନ କରନ୍ତୁ

୫-୪-୩-୨-୧ ଉପାୟ : ଆପଣ ଦେଖୁଥିବା ୫ଟି ଜିନିଷର ନାମ କୁହନ୍ତୁ, ୪ଟି ଜିନିଷକୁ ସ୍ପର୍ଶ କରନ୍ତୁ, ୩ଟି ଜିନିଷ ଶୁଣନ୍ତୁ, ୨ଟି ଜିନିଷ ଆଘ୍ରାଣ କରନ୍ତୁ ଏବଂ ଗୋଟିଏ ଜିନିଷର ସ୍ୱାଦ ନିଅନ୍ତୁ । ଏହା ଆପଣଙ୍କୁ ବର୍ତ୍ତମାନରେ ରହିବାକୁ ସାହାଯ୍ୟ କରିବ ।

୪ ପର୍ଯ୍ୟନ୍ତ ଗଣି ନିଶ୍ୱାସ ନିଅନ୍ତୁ, ପୁଣି ୪ ଗଣିବା ଯାଏଁ ନିଶ୍ୱାସକୁ ଧରି ରଖନ୍ତୁ ଓ ୬ ଗଣିସାରିବା ଭିତରେ ତାକୁ ଛାଡନ୍ତୁ । ଏମିତି ତିନି ଥର କରନ୍ତୁ ।

ଯେତେବେଳେ ଭାବନା ସବୁ ଅତୀତରୁ ବର୍ତ୍ତମାନ ଭିତରକୁ ଆସି ଓଲଟପାଲଟ ହୁଏ ସେତେବେଳେ ଆପଣଙ୍କ ସ୍ନାୟୁତନ୍ତ୍ର ପୁନଃସ୍ଥାପିତ ହୁଏ ।

୫.ଅପରାଧବୋଧ ବିନା ନାହିଁ କରିବା ଅଭ୍ୟାସ କରନ୍ତୁ ।

ଆଗେଗପ୍ରବଣ ହେବା ପ୍ରାୟତଃ ଅତ୍ୟଧିକ ପ୍ରତିବଦ୍ଧତାରୁ ଆସେ । ସମୟ ନଥିଲେ ବି ଆମେ ଅନେକ ସମୟରେ ମନା କରିନପାରି ଅସୁବିଧା ସତ୍ତ୍ୱେ କାମ କରିବାକୁ ହଁ ଭରିଦିଅନ୍ତି । ସୀମା ନିର୍ଦ୍ଧାରଣ କରିବା ସ୍ୱାର୍ଥପରତା ନୁହେଁ ଏହା ବଞ୍ଚିବା ପାଇଁ ଆବଶ୍ୟକ । ତେଣୁ ନାହିଁ କରିବା ଶିଖନ୍ତୁ ।

୬.ଭାବଗତ ସମର୍ଥନ ନିଅନ୍ତୁ ।

ଜଣେ ବନ୍ଧୁ, ଚିକିତ୍ସକ ବା ଏମିତି ଜଣେ ମଣିଷ ଖୋଜନ୍ତୁ ଯିଏ ଆପଣଙ୍କ ଅନୁଭବକୁ ଛୋଟ କହିବିନି କି ବିଚାର କରିବନି । ଆପଣଙ୍କୁ ସମାଧାନ ଆବଶ୍ୟକ ନୁହେଁ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତି ଦରକାର ଯିଏ ଆପଣଙ୍କ କଥା ଶୁଣିବ ବା ସାହାରା ଦେବ ।

ଆଜି ଠାରୁ କ'ଣ କରିପାରିବେ-

• ଫୋନ୍ ନଧରି ଚୁପଚାପ୍ ୧୦ ମିନିଟ୍ ଚାଲନ୍ତୁ ।

• ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ କୁହନ୍ତୁ ଯେ, ମୋତେ କେହି ସମାଧାନ ବତେଇବା ଦରକାର ନାହିଁ, ମୋର ଖାଲି ଜଣେ ଶୁଣିବା ଲୋକ ଦରକାର ।

• ଆପଣ ଅନୁଭବ କରୁଥିବା ୩ଟି କଥା ଲେଖନ୍ତୁ । ଏବଂ ତା' ତଳେ ଲେଖନ୍ତୁ ଯେ, ଏମିତି ଅନୁଭବ କରିବାର ଅଧିକାର ମୋର ଅଛି ।

• ଅପରାଧବୋଧ ବିନା ଆପଣଙ୍କ 'ଟୁ ଡୁ ଲିଷ୍ଟ'ର ଗୋଟିଏ କାମକୁ ବାତିଲ୍ କରନ୍ତୁ ବା ପରେ କରିବା ପାଇଁ ରଖନ୍ତୁ ।

ଆପଣ ଭିତରୁ ବିଶ୍ରାମ ନେବାକୁ ଚାହୁଁଥିବା ବେଳେ ବି ଦୁନିଆ ଚାହେଁ ଆପଣ ସେମିତି କାମ କରିଚାଲୁ ଥାଆନ୍ତୁ । କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣଙ୍କ ଭାବନା ଗୁରୁତ୍ୱପୂର୍ଣ୍ଣ । ଆପଣ ନିଜେ ଗୁରୁତ୍ୱପୂର୍ଣ୍ଣ ।

ଯଦି ଆପଣ କେତେବେଳେ କୂଳ କିନାରା ନପାଇ ବୁଡିଯିବା ପରି ଅନୁଭବ କରୁଛନ୍ତି ତାହେଲେ ଟିକେ ବିରାମ ନିଅନ୍ତୁ, ନିଜକୁ ଭାସି ଯିବାକୁ ଦିଅନ୍ତୁ, ଦୀର୍ଘ ନିଶ୍ୱାସ ନିଅନ୍ତୁ । ଆପଣଙ୍କୁ କେବେବି ସବୁକିଛି ଏକୁଟିଆ ବୋହିବା ପାଇଁ ତିଆରି କରାଯାଇନଥିଲା ।

ଆପଣ ସବୁ ଠିକ୍ ଅଛି ଦେଖାଇବାର ଅଭିନୟ କରିବା ବନ୍ଦ କରି ଯାହା ସତ ତାକୁ ସମ୍ମାନ ଦେବା ଆରମ୍ଭ କଲେ ଆପଣ ସୁସ୍ଥ ହେବା ଆରମ୍ଭ କରିବେ । ହୁଏତ ଟିକେ ଗଡବଡ ହେବ କିନ୍ତୁ ଆପଣ ଧୀରେ ଧୀରେ ଆବେଗପ୍ରବଣତାର ବଳୟ ଭିତରୁ ବାହାରି ଆସିବେ ।

Depression Mental Health Stress And Anxiety Sleep Loss Affect Emotional Processing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ