“ ରାତି ୨ଟା-୩ଟା ବେଳକୁ ଝାଳ ବୋହି, ଅଣନିଶ୍ବାସୀ ଲାଗି ନିଦ ଭାଙ୍ଗି ଯାଉଛି” ଏଇ ସମସ୍ୟା ଆମ ଭିତରୁ ଅନେକ ହୁଏତ ଥରେ ଦୁଇଥର ଭୋଗିଥିବା କମ୍ବା ଚିହ୍ନା-ପରିଚିତଙ୍କ ଠାରୁ ଶୁଣି ଥିବା। କିଏ ଦୁଶ୍ଚିନ୍ତା କହିଥିବେ ତ କିଏ ଡରସ୍ବପ୍ନ! ସାଧାରଣତଃ ଆପଣଙ୍କୁ ଉତ୍ତର ମିଳିଥିବ ଯେ blood sugar level ବା ରକ୍ତରେ ସର୍କରା ପରିମାଣ କମିଯିବା ଯାହାକୁ କି ହାଇପୋଗ୍ଲାଇସେମିଆ (hypoglycemia) କୁହାଯାଏ, ସେହି କାରଣରୁ ଏପରି ହୋଇଥିବ। ହାଇପୋଗ୍ଲାଇସେମିଆ ଏପରି ରାତି ଅଧରେ ଛାନିଆ ଓ ଝାଳ ହୋଇ ନିଦ ଭାଙ୍ଗିବାର କାରଣ ହେଲେ ମଧ୍ୟ ସମସ୍ତଙ୍କ କ୍ଷେତ୍ରରେ ଏହି ଗୋଟିଏ କାରଣ ହୋଇ ନଥାଏ। ଅଧ ରାତିରେ ଝାଳବୋହି, ଅଣନିଶ୍ବାସୀ ଲାଗି, ଛାନିଆ ହୋଇ ନିଦ ଭାଙ୍ଗିବା ସହ ଛାତି ଧଡପଡ ହେବା, ବ୍ୟତିବ୍ୟସ୍ତ ଲାଗିବା, ଭୟ ଲାଗିବାର ଅନ୍ୟ ଅନେକ କାରଣ ମଧ୍ୟ ରହିଛି।
ରାତିରେ ଛାନିଆ ଓ ଝାଳ ହୋଇ ନିଦ ଭାଙ୍ଗିଯିବାର କେତୋଟି ସାଧାରଣ କାରଣ ହେଲା:
Sleep Apnoea (ସ୍ଲିପ୍ ଆପନିଆ)/ ନିଦ୍ରାରେ ଶ୍ବାସପ୍ରକ୍ରିୟା ବନ୍ଦ ହେବା): ଏହା ସାଧାରଣତଃ ଓବେସ୍ ବା ପୃଥଳକାୟ ଏବଂ ବୟସ୍କ ମାନଙ୍କ ଠାରେ ଦେଖାଯାଏ। ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ ଠାରେ ଏହା ଅଧିକ ମାତ୍ରାରେ ମିଳିଥାଏ। ଏଥିରେ ଶୋଇବା ସମୟରେ ଗଳା ବା ଶ୍ବାସନଳୀର ମା°ସପେଷୀ ରିଲାକ୍ସ ହେବା କାରଣରୁ ନିଦ୍ରା ଭିତରେ ବାରମ୍ବାର ନିଶ୍ୱାସ ବନ୍ଦ ହୁଏ। ନିଶ୍ବାସପ୍ରଶ୍ବାସ ବନ୍ଦ ହେବା କାରଣରୁ ରୁନ୍ଧି ହୋଇ, ଝାଳ ଓ ଛାନିଆ ଲାଗି ନିଦ ଭାଙ୍ଗି ଯାଏ। ଏହା ଭୋଗୁଥିବା ରୋଗୀ ସାଧାରଣତଃ ନିଦରେ ଯୋରରେ ଘୁଙ୍ଗୁଡ଼ି ମାରିବା ସହ, ସକାଳୁ ଉଠିଲା ପରେ ମଧ୍ୟ ହାଲିଆ ଏବଂ ଥକ୍କା ଅନୁଭବ କରନ୍ତି। ମେଦବହୁଳତା ଭୋଗୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ।
Also Read
Hyperthyroidism: ହାଇପରଥାଇରୋଇଡିଜମ୍ ବା ଥାଇରୋଏଡ୍ ଗ୍ଲାଣ୍ଡ୍ ଆବଶ୍ୟକତା ଠାରୁ ଅଧିକ ଆକ୍ଟିଭ ବା କାର୍ଯ୍ୟକ୍ଷମ ହେବା। ଏହା ଶରୀରରେ ମେଟାବୋଲିଜମ୍ କୁ ବଢାଇ ଦେଇଥାଏ। ଏଥିରେ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା କ୍ଷମତା ବାଧାପ୍ରାପ୍ତ ହେବା କାରଣରୁ ରାତିରେ ଶୋଇଥିବା ସମୟରେ ଝାଳ ବୋହି, ଛାତି ଧଡପଡ ହୋଇ, ଛାନିଆ ଲାଗି ନିଦ ଭାଙ୍ଗି ଯାଏ। ଅନେକ ସମୟରେ ରୋଗୀ ସେଜରେ ନିଦ୍ରାରେ ପରିସ୍ରା ମଧ୍ୟ କରି ଦିଅନ୍ତି।
Hypoglycemia (ହାଇପୋଗ୍ଲାଇସେମିଆ)/ ରକ୍ତରେ ଶର୍କରା ମାତ୍ରା ଆବଶ୍ୟକତାଠାରୁ କମ୍ ହୋଇଯିବା: ଏହି ସମସ୍ୟା ସାଧାରଣତଃ ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗୀଙ୍କ ଠାରେ ଦେଖାଯାଏ। ମଧୁମେହ ଭୋଗୁ ନଥିବା ମଣିଷ ଶରୀରରେ ଶର୍କରା ମାତ୍ରା 50 mg/dl ରୁ କମ୍ ରହିଲେ ମଧ୍ୟ ଏପରି ସମସ୍ୟା ଦେଖାଯାଇ ପାରେ। ଝାଳବୋହି, ଦେହ ଅବଶ ଲାଗି, ଛାତି ରୁନ୍ଧି ହେଲା ପରି ହୋଇ ନିଦ ଭାଙ୍ଗିବା ସହ ଅନେକ ସମୟରେ ରୋଗୀ ନିଦ ଭାଙ୍ଗିଲା ବେଳକୁ ହାଉଳି ଖାଆନ୍ତି ଏବଂ confused ବା କିଛି ଜାଣି ପାରନ୍ତି ନାହିଁ।
Perimenopausal Syndrome (ପେରିମେନୋପଜାଲ୍ ସିଣ୍ଡ୍ରୋମ୍): ୪୫-୫୦ ବର୍ଷ ବୟସ୍କ ମହିଳାଙ୍କ ଭିତରୁ ହାରାହାରି ୭୫%ଙ୍କ ଠାରେ ଋତୁସ୍ରାବ ଅନିୟମିତତା ଏବଂ ସମ୍ପୂର୍ଣ୍ଣ ବନ୍ଦ ହେବା ପୂର୍ବର କିଛି ବର୍ଷ ଠାରୁ ଏହି ସମସ୍ୟା ଦେଖା ଯିବା ଆରମ୍ଭ ହୁଏ। ମଥା, ହାତ-ପାଦରୁ ନିଆଁ ହୁଳା ଉଠିବା ପରି ଲାଗିବା ସହ ପ୍ରବଳ ଝାଳ, ଅଣନିଶ୍ବାସୀ ଓ ଛାନିଆ ଲାଗି ନିଦ ଭାଙ୍ଗି ଯାଏ। ମନ ବିଚଳିତ ଲାଗି, ଛାତି ଧଡପଡ ହୁଏ।
Anxiety Disorder (ଆଙ୍ଗଜାଇଟି ଡିଜଅର୍ଡର)/ ଅହେତୁକ ଚିନ୍ତା: କାର୍ଯ୍ୟକ୍ଷେତ୍ର, ପରିବାର ଏବଂ ସାମାଜିକ ଚାପ କାରଣରୁ ଯଦି ମଣିଷ ସବୁବେଳେ ଚିନ୍ତିତ ରୁହେ, ନିଜକୁ ରିଲାକ୍ସ କରି ପାରେନି ତାହେଲେ ମଧ୍ୟ ରାତିରେ ଝାଳ ବୋହି, ଅଣନିଶ୍ବାସୀ ଓ ଛାନିଆ ଲାଗି ନିଦ ଭାଙ୍ଗେ।ଏଥିରେ ମୁଣ୍ଡବିନ୍ଧା, ଚିଡଚିଡା ଲାଗିବା ଏବଂ ଏକାଗ୍ରତାରେ ଅଭାବ ଦେଖାଯାଏ।
Panic Attack (ପ୍ୟାନିକ୍ ଆଟକ୍): ହଠାତ୍ ଅତ୍ୟଧିକ ଭୟ କିମ୍ବା ଆତଙ୍କ ଲାଗିବା ବା panic attack ରେ ମଧ୍ୟ ଝାଳବୋହି, ଛାନିଆ ଲାଗି ନିଦ ଭାଙ୍ଗିଯାଏ।
Carcinoid Syndrome (କାର୍ସିନୋଏଡ୍ ସିଣ୍ଡ୍ରୋମ୍): ସେରୋଟୋନିନ୍ ଏବଂ ହିଷ୍ଟାମାଇନ୍ କ୍ଷରଣ କରୁଥିବା ମେଟାଷ୍ଟାଟିକ୍ ଟ୍ୟୁମର ଗୁଡିକ କ୍ଷେତ୍ରରେ ସାଧାରଣତଃ ଏହା ଦେଖାଯାଏ। ଏଥିରେ ଅହେତୁକ ଚିନ୍ତା, ମାନସିକ ଅବସାଦ, ନିଦ୍ରାହିନତା, ଦ୍ବନ୍ଦ, ନିଶ୍ବାସପ୍ରସ୍ବାସ ନେବାରେ ବାଧା, ମଥା ଓ ଛାତି ତଥା ଚମଡାରୁ ନିଆଁ ହୁଳା ଉଠିବା ପରି ଲାଗେ। ଏହିସବୁ କାରଣରୁ ଅଧରାତିରେ ଛାନିଆ ଓ ଝାଳ ହୋଇ ନିଦ ଭାଙ୍ଗି ଯାଏ। ସେହିପରି ରୁମାଟୋଏଡ୍ ଆର୍ଥରାଇଟିସ୍, ହୃଦରୋଗ ପିଡୀତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଇ ପାରେ।
Hyperhidrosis (ଅତ୍ୟଧିକ ଝାଳ ବୋହିବା) ଯାହାକୁ ସାଧାରଣ ଭାଷାରେ Sweating Disorder କୁହାଯାଏ। ଏହା ହେବା ପଛରେ କୌଣସି ସଠିକ୍ କାରଣ ନଥାଏ। କିନ୍ତୁ ଢିଲା-ସୂତା ପୋଷାକ, ଖୋଲା ଏବଂ ସଫା ଜୋତା ଏବଂ ଆଣ୍ଟିପ୍ରସ୍ପିରାଣ୍ଟର ବ୍ୟବହାର ଦ୍ଵାରା ଏହାକୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ।
ବିଭିନ୍ନ ପ୍ରକାର ଔଷଧ ଯଥା Antidepressants (ଅବସାଦ ନିୟନ୍ତ୍ରଣ ଔଷଧ), Antiretrovirals (HIV/AIDS ପାଇଁ ବ୍ୟବହୃତ), Hormone therapy drugs (ହରମୋନ୍ ନିୟନ୍ତ୍ରଣକାରୀ ଔଷଧ) , Hypertension drugs (ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଔଷଧ), Hypoglycemic medications (ମଧୁମେହ ନିୟନ୍ତ୍ରଣକାରୀ ଔଷଧ) ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଏପରି ରାତିରେ ହଠାତ୍ ଛାନିଆ ଓ ଝାଳ ହୋଇ ନିଦ ଭାଙ୍ଗିବା ସମସ୍ୟା ଦେଖାଯାଇପାରେ।
ମଦ୍ୟପାନ: ନିଦ୍ରା ଯିବା ପୂର୍ବରୁ ମଦ୍ୟପାନ କରୁଥିଲେ ମଧ୍ୟ ହଠାତ୍ ଛାତି ଧଡପଡ ଓ ଝାଳ ବୋହି ନିଦ ଭାଙ୍ଗି ଯାଏ।
ଅତ୍ୟଧିକ ଚିପା ଏବଂ ସିନ୍ଥେଟିକ୍ କପଡା ପିନ୍ଧିବା କିମ୍ବା ସିନ୍ଥେଟିକ୍ ବେଡସିଟ୍ ବ୍ୟବହାର କରିବା, ମୋଟା ଗଦି କିମ୍ବା କମ୍ବଳ, ଶୋଇବା ଘର ମଧ୍ୟକୁ ପବନ ଆତଯାତ ନହେବା ଏସବୁ ମଧ୍ୟ ରାତିରେ ଝାଳ ବୋହିବାର କାରଣ ହୋଇପାରେ। ରାତିରେ ସୂତା କପଡାରେ ନିର୍ମିତ ଡ୍ରେସ୍ ଏବଂ ବେଡସିଟ୍ ବ୍ୟବହାର କରିବା ଉଚିତ। ଶୋଇବା ଘରେ ଉତ୍ତମ ଭେଣ୍ଟିଲେସନ୍ ବା ପବନ ଆତଯାତର ବ୍ୟବସ୍ଥା ରହିବା ଉଚିତ।
ଏହି ସମସ୍ୟା ଲାଗି ରହୁଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ପରୀକ୍ଷା ଏବଂ ଉପଚାର କରିବା ଉଚିତ। ଏହାଛଡା ରାତ୍ର ଭୋଜନରେ ହାଲୁକା, ଶୀଘ୍ର ହଜମ ହେବା ପରି ଖାଦ୍ୟ ଗ୍ରହଣ ହିଁ ଉପଯୁକ୍ତ। ଦିନରେ ଶାରୀରିକ ବ୍ୟାୟାମ ମଧ୍ୟ ରାତିର ସୁଖନିଦ୍ରା ପାଇଁ ଉପଯୋଗୀ।