ରଜ ପୋଡ଼ପିଠା
ଆମ ଓଡ଼ିଆମାନଙ୍କ ବିଭିନ୍ନ ପର୍ବପର୍ବାଣୀ ପାଳନ ପଛରେ ବିଭିନ୍ନ କାରଣ ନିହିତ ରହିଥିବା ବେଳେ ପ୍ରାୟ ପ୍ରତ୍ୟେକ ପର୍ବରେ ଖାଦ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଆମ ଖାଦ୍ୟ ଆମ ସଂସ୍କୃତି ଓ ଐତିହ୍ୟର ଏକ ଅଂଶ ହୋଇଥିବା ବେଳେ ପୋଷଣ ବିଜ୍ଞାନରେ ଏହା ସୁସ୍ଥ ଶରୀର ଗଠନ ପାଇଁ ମୁଖ୍ୟ ଉପାଦାନ ଭାବେ ପରିଗଣିତ ହୋଇଛି। ବର୍ଷର ବିଭିନ୍ନ ସମୟର ଜଳବାୟୁ ତଥା ଶରୀରର ଆବଶ୍ୟକତା ଅନୁଯାୟୀ ଆମର ପୂର୍ବପୁରୁଷମାନେ ଖଞ୍ଜି ଦେଇଯାଇଛନ୍ତି ବିଭିନ୍ନ ପର୍ବରେ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟମାନ। ପିଠା ଏହିପରି ଏକ ଓଡ଼ିଆ ଖାଦ୍ୟ ଯାହା ପ୍ରାୟ ସମସ୍ତ ପର୍ବରେ ପ୍ରସ୍ତୁତ ହୁଏ। ତେବେ ବିଭିନ୍ନ ପର୍ବରେ ସମୟାନୁସାରେ ବିଭିନ୍ନ ପ୍ରକାର ପିଠା ତିଆରି ହୁଏ। ଆପଣମାନେ ଜାଣିପାରୁଛନ୍ତି କି ଏଠାରେ ଆଜି ଆମେ କେଉଁ ପିଠା ବିଷୟରେ କଥା ହେବା। ରଜ କଥା ଉଠିଛି ଅର୍ଥାତ୍ ପୋଡ଼ପିଠା ତ ମୁଖ୍ୟ ଆଲୋଚ୍ୟ ବିଷୟ।
ପୋଡ଼ପିଠାର ଆଦର
ପୋଡ଼ପିଠା, ଯେପରି ନାଁରୁ ଲାଗୁଛି ପ୍ରକୃତରେ ପୋଡ଼ା ହୁଏ ନାହିଁ, ଏହା ସିଝା ହୋଇ ପ୍ରସ୍ତୁତ ହୁଏ। ଓଡ଼ିଶାର ପ୍ରାୟ ପର୍ବ ପରି ରଜ ଏକ ପ୍ରକୃତି ଭିତ୍ତିକ ଲୋକପର୍ବ ଯେଉଁଥିରେ ମୁଖ୍ୟତଃ ପୋଡ଼ପିଠା ତିଆରି ହୁଏ। ଏହି ସମୟରେ ପ୍ରଥମ ବର୍ଷାର ଆଗମନ ହୁଏ ପୃଥିବୀରେ। ନିୟମିତ ଚାଷକାର୍ଯ୍ୟ କରିବା ଆଗରୁ କିଛି ସମୟ ପାଇଁ ପୃଥିବୀକୁ ବିଶ୍ରାମ ଦିଆଯାଏ ଯାହା ଦ୍ୱାରା ଏହା ପରେ ଚାଷ କାର୍ଯ୍ୟ ଭଲ ଭାବେ ଆରମ୍ଭ ହେବ। ଏହି ତିନିଦିନ ଅବଧିରେ ପୃଥିବୀ ମାତା ରଜସ୍ୱାଳା ବୋଲି ବିଚାର କରାଯାଏ। ଆମ ସଂସ୍କୃତିରେ ଆମେ ପୃଥିବୀକୁ ମାତା ମାନୁଥିବା ହେତୁ ମାତାଙ୍କୁ ଏହି ତିନିଦିନ କୌଣସି ପ୍ରକାର କଷ୍ଟ ଦିଆଯାଏ ନାହିଁ। ସାଧାରଣତଃ ଆମ ଘରେ କେହି ରଜସ୍ୱାଳା ବା ଋତୁବତୀ ହେଲେ ଆମେ ତାଙ୍କୁ ସମସ୍ତ କାର୍ଯ୍ୟରୁ ବିରତ ରଖି ସ୍ୱାସ୍ଥ୍ୟକର ଚିଜ ଖାଇବାକୁ ଦେବା ଆମ ପରମ୍ପରା। ଠିକ୍ ସେହିପରି ଏହି ସମୟରେ ଘରର ମହିଳା ତଥା ଝିଅମାନଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ ଏବଂ ପୁଷ୍ଟିକର ତଥା ଆବଶ୍ୟକ କ୍ୟାଲୋରୀରେ ଭରପୂର ପିଠାମାନ ଖାଇବା ପାଇଁ ଦିଆଯାଏ।
ସ୍ୱାସ୍ଥ୍ୟକର ପିଠା
ଓଡ଼ିଆ ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ପିଠା ଯେପରିକି ଆରିସା, କାକରା, ନାନମାନ, ମଣ୍ଡା, ଚକୁଳି ଇତ୍ୟାଦି ପ୍ରସ୍ତୁତିରେ ତେଲର ଖୁବ୍ କମ୍ ବ୍ୟବହାର ହୋଇଥାଏ। ଅଧିକାଂଶ ପିଠା ସିଝା ହୋଇ ପ୍ରସ୍ତୁତ ହୋଇଥିବା ବେଳେ ଚାଉଳ, ସୁଜି ଆଦିରୁ ତିଆରି ହୁଏ। ପୋଡ଼ପିଠାକୁ ତିଆରି କରିବାକୁ ପାରମ୍ପରିକ ଭାବେ ମୁଖ୍ୟତଃ ଅରୁଆ ଚାଉଳ(ଧୋଇ କରି ଶୁଖାଇ ଗୁଣ୍ଡ ହୋଇଥାଏ), ଗୁଡ଼, ନଡ଼ିଆ, ତେଜପତ୍ର, ଗୁଜୁରାତି/ଅଳେଇଚ ଆଦି ଆବଶ୍ୟକ। ହେଲେ ଏହା ବ୍ୟତୀତ ବିରି, ସୁଜି, କ୍ଷୀରରେ ଜନ୍ତଣି କରି ଅନେକ ପ୍ରକାର ଡ୍ରାଏ ଫ୍ରୁଟ୍ ଦେଇ ଆଜିକାଲି ଆହୁରି ସୁସ୍ୱାଦୁ ପୋଡ଼ପିଠା ତିଆରି ହୋଇପାରୁଛି। ଆଞ୍ଚଳିକ ଅବସ୍ଥାନ ଅନୁସାରେ ପୋଡ଼ପିଠାର ପ୍ରସ୍ତୁତି ପଦ୍ଧତି ଅଲଗା ଅଲଗା ହେଉଛି।
ପାରମ୍ପାରିକ ପୋଡ଼ପିଠାରୁ ରଜ ପୂର୍ବଦିନ ରାତିରେ ଚାଉଳଚୁନାରେ ଗୁଡ଼ ଏବଂ ଅନ୍ୟ ଆବଶ୍ୟକ ଉପାଦାନ ମିଶାଇ କଦଳୀ ପତ୍ର ବିଛାଇ ଏକ ମାଟି ହାଣ୍ଡିରେ ବସାଯାଏ। ହାଣ୍ଡିର ତଳେ ପାଣି ଦିଆଯାଏ ଏହା ଉପରେ ଦୁଇଟି କାଠି ରଖି ପିଠାର ଘୋଳ ରଖାଯାଏ ଏବଂ ଏହାକୁ ଘୋ଼ାଇଦିଆଯାଏ। ପ୍ରାୟ 2 ଘଣ୍ଟା ସିଝିବା ପରେ ଏହାକୁ କାଢ଼ି କାଟି କରି ଖାଇବାକୁ ଦିଆଯାଏ। ମୋଟ ଉପରେ ଦେଖିଲେ ଏଥିରୁ ପୁଷ୍ଚିସାର(ବିରିରୁ), ଶ୍ୱେତସାର(ଚାଉଳ), ସ୍ନେହସାର(ଘିଅ), ଆଣ୍ଟିଆକ୍ସିଡାଣ୍ଚ (ଶୁଖିଲା ଖଣ୍ଡ ମସଲାରୁ) ତଥା କେତେକ ମିନେରାଲ (ଗୁଡ଼ରୁ) ମିଳେ।
ନୂଆ ନୂଆ ପଦ୍ଧତି
ବର୍ତ୍ତମାନ ବିରି ଓ ସୁଜି ମିଶାଇ ମଧ୍ୟ ପୋଡ଼ପିଠା ପ୍ରସ୍ତୁତ ହେଉଛି। ତେବେ ଏହା ଏକ ହୋଲସମ୍ ଫୁଡ୍ ବା ପୂର୍ଣ୍ଣ ରୂପ ଖାଦ୍ୟ। ଆବଶ୍ୟକ ପରିମାଣର ଶ୍ୱେତସାର, ପ୍ରୋଟିନ୍ ଓ ସ୍ନେହସାର ଦେଉଥିବା ଏହି ପିଠା ଗୋଟିଏରୁ ପ୍ରାୟ 100କିଲୋ କ୍ୟାଲୋରୀ ମିଳେ। ଆଜିକାଲି ଡ୍ରାଏଫ୍ରୁଟ୍, ଚିନି ତଥା ଅନ୍ୟାନ୍ୟ ସାମଗ୍ରୀ ପଡ଼ି ପ୍ରସ୍ତୁତ ପୋଡ଼ପିଠାରେ କିନ୍ତୁ ଅଧିକ କ୍ୟାଲୋରୀ ରହୁଛି। ଏଣୁ ଆମ ସୁସ୍ଥ ଶରୀର ପାଇଁ ଖାଦ୍ୟ ସାମଗ୍ରୀକୁ ଖୁବ୍ କମ୍ ପ୍ରକ୍ରିୟାକରଣ କରିବା ଆବଶ୍ୟକ। ପଶ୍ଚିମ ଓଡ଼ିଶାରେ ଏହା ଚାଉଳ ଓ ବିରି ଆଣରେ ଶାଳପତ୍ରରେ ପ୍ରସ୍ତୁତ ହୁଏ। ଆଜିକାଲି ମିଠା ଖାଇବାର ଆଗ୍ରହ କମ୍ ହେଉଥିବା ବେଳେ ଚିନି କିମ୍ୱା ଗୁଡ଼ ବ୍ୟବହାର ନ କରି ଲୁଣି ପୋଡ଼ପିଠାରେ ସୋରିଷ, ଜିରା, ହେଙ୍ଗୁ, ଆଦି ଫୁଟଣ ଦେଇ ମଧ୍ୟ ପ୍ରସ୍ତୁତ କରାଯାଉଛି।
ପୁରୀରେ ପୋଡ଼ପିଠା ଭୋଗ
ଆପଣମାନେ ଜାଣନ୍ତି କି ଆମ ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପୋଡ଼ପିଠା ଖାଇବାକୁ ଭଲ ପାଆନ୍ତି। ରଥଯାତ୍ରା ସାରି ବଡ଼ଦେଉଳକୁ ଫେରିବା ସମୟରେ ବାଟରେ ମହାପ୍ରଭୁ ନିଜ ମାଉସୀଙ୍କ ହାତରୁ ପୋଡ଼ପିଠା ଖାଆନ୍ତି। ବଳଗଣ୍ଡିରେ ଥିବା ମାଉସୀ ମା ମନ୍ଦିରରେ ମା ଅର୍ଦ୍ଧଶୋଷିଣୀ ଦେବୀଙ୍କ ପିଠରେ ତାଙ୍କ ମୁଖ୍ୟ ସେବକ ପ୍ତସ୍ତୁତ କରନ୍ତି ପୋଡ଼ପିଠା। ଏହା କିନ୍ତୁ ଚାଉଳରେ ହୋଇନଥାଏ। ଏହା ଗହମ ଅଟା ଓ ଛେନାରୁ ପ୍ରସ୍ତୁତ ହୁଏ। ଅଳେଇଚ, ଲବଙ୍ଗ, ଜାଇଫଳ ଆଦି ପଡ଼ି ପ୍ରସ୍ତୁତ ଘୋଳକୁ ସିଝା ଯିବା ପରେ ପୁଣି ଘିଅରେ ଛଣାଯାଇଥାଏ। ମହ ମହ ବାସ୍ନାରେ ପୁରି ଉଠେ ଚଉଦିଗ। ଏଣୁ ପୋଡ଼ପିଠା ଆମ ଓଡ଼ିଆ ପରମ୍ପରାର ଏକ ବହୁ ପ୍ରାଚୀନ ଅଂଶ ବୋଲି କୁହାଯାଇପାରେ। ଏଥିସହିତ ନିତ୍ୟ ଶ୍ରୀମନ୍ଦିରରେ ଧୂପରେ ମଧ୍ୟ ପୋଡ଼ପିଠା ଭୋଗ ଲାଗେ। ନିୟମିତ ଭୋଜନ ପରେ ମହାପ୍ରଭୁ ପୋଡ଼ପିଠା ଖାଇବାକୁ ଭଲ ପାଆନ୍ତି। ଏହି ଘଟଣାକୁ ନେଇ 15ଶ ଶତାବ୍ଦୀରେ ବଳରାମ ଦାସ ତାଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରି ପୋଡ଼ପିଠାକୁ ସ୍ନେହ ସୌହାର୍ଦ୍ଦ୍ୟ ପ୍ରକାଶର ଏକ ମାଧ୍ୟମ ରୂପେ ଚିତ୍ରଣ କରିଛନ୍ତି।
ସ୍ୱାସ୍ଥ୍ୟ ହିତକାରୀ ପରମ୍ପରା
ରଜରେ ପୋଡ଼ପିଠା ବ୍ୟତୀତ ଆହୁରି କେତେ କଣ ପିଠା ପ୍ରସ୍ତୁତ ହୁଏ। କିନ୍ତୁ ଦିନସାରା ଦୋଳି ଖେଳି ବାହାରେ ବୁଲାବୁଲି କରିବାର ପରମ୍ପରା ହେତୁ ପୋଡ଼ପିଠା ପରିପୂର୍ଣ୍ଣ ବା ହୋଲସମ୍ ଖାଦ୍ୟ ଝିଅମାନଙ୍କୁ ଯଥେଷ୍ଟ କ୍ୟାଲୋରୀ ଯୋଗାଇଥାଏ। ପରମ୍ପରା ଅନୁଯାୟୀ ଏ ସମୟରେ ଗଛରୁ ପତ୍ର ଓ ଫଳ ନ ତୋଳିବାର ବିଧି ରହିଛି। ଏଣୁ ପରିବା ଆଦି ନ ପକାଇ ପୁଷ୍ଚିକର ଖାଦ୍ୟ ଭାବେ ପୋଡ଼ପିଠାକୁ ଖାଇବା ନିଶ୍ଚିତ ଫଳପ୍ରଦ। ଆମର ପ୍ରତିଟି ପ୍ରଥା ସମୟାନୁସାରେ ପ୍ରଚଳିତ। ନାରୀର ଋତୁସ୍ରାବ ଜନିତ ଭୁଲ୍ ଧାରଣାକୁ ଦୂରେଇ ଏହାକୁ ଉତ୍ସବ ଭାବେ ପାଳନ କରୁଥିବା ଆମେ ଓଡ଼ିଆମାନେ ଆମ ପୂର୍ବପୁରୁଷମାନଙ୍କ ଯୁଗୋପଯୋଗୀ ତଥ୍ୟଗୁଡ଼ିକ ଭୁଲିଯାଇ ଏବେ ଖାଲି ସଜବାଜ ଓ ଫଟୋ ଉଠେଇବାରେ ରଜକୁ ସିମୀତ କରିଦେଉଛେ ସିନା, ହେଲେ ଏହି ପର୍ବଗୁଡ଼ିକର ସ୍ୱାସ୍ଥ୍ୟଗତ ଓ ସାମାଜିକ ପ୍ରଭାବ ବିଷୟରେ ସଚେତନ ହେବା ଆମର ଜରୁରୀ ଅଟେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749881521.jpg)