Advertisment

Bhagabata Janma: ଅତିବଡ଼ି ଜଗନ୍ନାଥ ଦାସଙ୍କ ଅଲୌକିକ ଜୀବନ କାହାଣୀ, ସମୁଦ୍ରକୁ କହିଲେ ପଛେଇ ଯାଆ, ସାତ ଲହଡ଼ି ଫେରିଗଲା ସମୁଦ୍ର

ପୁରୀ ବଡ଼ଦେଉଳର ପୁରାଣପଣ୍ଡା ଥିଲେ ଭଗବାନ ଦାସ। ସେ ତାଙ୍କ ପୁଅ ନିକଟରେ ମହାପୁରୁଷର ଲକ୍ଷଣ ସବୁ ଦେଖି ପୁଅର ନାମ ରଖିଛନ୍ତି ଜଗନ୍ନାଥ। ଚାରି ବର୍ଷଠାରୁ ଆଠ ବର୍ଷ ମଧ୍ୟରେ ଜଗନ୍ନାଥଙ୍କ କର୍ଣ୍ଣବେଧ, ବ୍ରତୋପନୟନ ଆଦି କାର୍ଯ୍ୟ ଶେଷହୋଇଛି। ବାରବର୍ଷ ବୟସରେ ପିତାମାତା ଜଗନ୍ନାଥଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ସ୍ଥିର କରିଛନ୍ତି; ମାତ୍ର ସେ ରାଜି ହୋଇନଥିଲେ।

Spiritual Significance of Bhagavat Janma

Spiritual Significance of Bhagavat Janma

Advertisment

ଓଡ଼ିଶାରେ ଭାଦ୍ରବ ପୂର୍ଣ୍ଣିମାକୁ ଭାଗବତ ଜନ୍ମ ଭାବରେ ପାଳନ କରାଯାଏ। ଏହି ଦିନଟି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ‘ଓଡିଆ ଭାଗବତ’ କୁ ଉତ୍ସର୍ଗୀକୃତ l ପୌରାଣିକ କଥା ଅନୁସାରେ, କୁରୁବଂଶର ଏକମାତ୍ର ସୁଯୋଗ୍ୟ ଦାୟାଦ ପରୀକ୍ଷିତଙ୍କୁ ମାତୃଗର୍ଭରେ ଥିବା ସମୟରେ ଅଶ୍ୱତ୍ଥାମାର ବ୍ରହ୍ମାସ୍ତ୍ର କବଳରୁ ଚକ୍ରଉହାଡ଼ କରି କୃଷ୍ଣ ରକ୍ଷା କରିଥିଲେ। ଭାଗ୍ୟର ବିଡମ୍ବନା ଯୋଗୁଁ, ସେହି ପରୀକ୍ଷିତ ଦିନେ ବ୍ରାହ୍ମଣଠାରୁ ଏକ କଠୋର ଅଭିଶାପ ପାଇଲେ ଯେ, ମହାରାଜା ପରୀକ୍ଷିତଙ୍କର ମାତ୍ର ସାତଦିନ ମଧ୍ୟରେ ସର୍ପ ଦଂଶନରେ ମୃତ୍ୟୁ ହେବ।

Advertisment

ଏହି ସାତଦିନ ସମୟର ଉପଯୋଗ କିପରି କରିବା ଉଚିତ ହେବ, ସେ ଜିଜ୍ଞାସା ନେଇ ପରୀକ୍ଷିତ ନୈମିଷାରଣ୍ୟଠାରେ ଶୁକମୁନିଙ୍କ ପାଦରେ ଶରଣ ଗଲେ l ସେଦିନ ତିଥି ଥିଲା ଭାଦ୍ରବମାସ ଶୁକ୍ଲପକ୍ଷ ନବମୀ l ଶୁକଦେବ କହିଲେ ମୁହୂର୍ତ୍ତେ ମାତ୍ର ସମୟ ଥିଲେ ମଧ୍ୟ ହରି କଥା ଶ୍ରବଣ କରିବା ଉଚିତ, ଯାହା ଫଳରେ ମଣିଷ ଏ ଭବସାଗର ପାର ହୋଇପାରିବ l ଏହା ଶୁଣି ପରୀକ୍ଷିତ ମହାରାଜା କହିଲେ, ଆପଣଙ୍କଠାରୁ ଉତ୍ତମ ବକ୍ତା ମୁଁ କେଉଁଠୁ ପାଇବି ମୁନିବର?

ମୋ ଉପରେ ଦୟା କରି, ଏହି ସାତଦିନ ଆପଣ ମୋତେ ହରି କଥା ଶୁଣାନ୍ତୁ, ଯାହା ଫଳରେ ମୁଁ ଶାନ୍ତି ଲାଭ କରିପାରିବି l ପରୀକ୍ଷିତଙ୍କ ଆଗ୍ରହ ଓ ସମର୍ପଣ ଭାବ ଯୋଗୁଁ ଶୁକଦେବ ଏହି ଦିନଠାରୁ ନୈମିଷାରଣ୍ୟରେ ତାଙ୍କ ପାଇଁ ଭାଗବତ କଥା ପାରାୟଣ ଆରମ୍ଭ କଲେ l ଭାଦ୍ରବ ପୂର୍ଣ୍ଣିମା ଦିନ ଏହି ପାରାୟଣ ଶେଷ ହୋଇଥିଲା l ଏଣୁ, ଏହି ଦିନଟିକୁ ‘ଭାଗବତ ଜନ୍ମ’ ଭାବେ ପାଳନ କରାଯାଏ l ଓଡିଆ ଜାତି ପାଇଁ ଏହି ଦିବସଟିର ବିଶେଷ ମହତ୍ତ୍ୱ ରହିଛି l

Advertisment

ମା’ଙ୍କ ଇଚ୍ଛା ପାଇଁ ରଚିତ ମହା ପୁରାଣ

ପୁରୀ ବଡ଼ଦେଉଳର ପୁରାଣପଣ୍ଡା ଥିଲେ ଭଗବାନ ଦାସ। ସେ ତାଙ୍କ ପୁଅ ନିକଟରେ ମହାପୁରୁଷର ଲକ୍ଷଣ ସବୁ ଦେଖି ପୁଅର ନାମ ରଖିଛନ୍ତି ଜଗନ୍ନାଥ। ଚାରି ବର୍ଷଠାରୁ ଆଠ ବର୍ଷ ମଧ୍ୟରେ ଜଗନ୍ନାଥଙ୍କ କର୍ଣ୍ଣବେଧ, ବ୍ରତୋପନୟନ ଆଦି କାର୍ଯ୍ୟ ଶେଷହୋଇଛି। ବାରବର୍ଷ ବୟସରେ ପିତାମାତା ଜଗନ୍ନାଥଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ସ୍ଥିର କରିଛନ୍ତି; ମାତ୍ର ସେ ରାଜି ହୋଇନଥିଲେ।

ତା ପରେ ସେ ଉଚ୍ଚଶିକ୍ଷାରେ ମନ ବଳାଇ, ବେଦ ବେଦାନ୍ତାଦି ଶାସ୍ତ୍ର କଣ୍ଠସ୍ଥ କରିଛନ୍ତି। ଖୁବ କମ୍ ବୟସରେ ଅତି ଆଶ୍ଚର୍ଯ୍ୟଜନକ ଭାବରେ ସେ ବହୁ ଶାସ୍ତ୍ର ଆୟତ୍ତ କରିପାରିଛନ୍ତି। ଜଗନ୍ନାଥ ଦାସଙ୍କୁ ଚଉଦ ପନ୍ଦର ବର୍ଷ ବୟସ ବେଳେ, ତାଙ୍କର ପିତୃବିୟୋଗ ଘଟିଥିଲା। ଜଗନ୍ନାଥ ଦାସ ଶ୍ରୀମନ୍ଦିରରେ ପିତାଙ୍କର ପୁରାଣପାଠ ବୃତ୍ତିକୁ ଗ୍ରହଣ କରିନେଇଥିଲେ। ତାଙ୍କ ମାଆଙ୍କର ସଂସ୍କୃତ ଜ୍ଞାନ ନଥିବାରୁ ଜଗନ୍ନାଥ ଦାସ ସଂସ୍କୃତ ଭାଗବତ ପୁରାଣକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରିଥିଲେ।

Advertisment

ଏକ ଜନଶ୍ରୁତି ଅନୁସାରେ, ନିଜର ଦାରିଦ୍ର୍ୟ ହେତୁ ଶ୍ରୀମନ୍ଦିରରେ ଜଣେ ପୁରାଣପଣ୍ଡାକୁ ଜଗନ୍ନାଥ ଦାସଙ୍କ ମାଆ ଦକ୍ଷିଣା ଦେଇପାରି ନଥିଲେ। ସେଥିପାଇଁ ପୁରାଣପଣ୍ଡାଙ୍କଠାରୁ ତାଙ୍କୁ ଶୁଣିବାକୁ ପଡ଼ିଥିଲା ଅନେକ ଭର୍ତ୍ସନା। ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଇଛା ପୂରଣ କରିବାକୁ ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ। ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା। ସେତେବେଳେ ସେହି ନିରକ୍ଷରା ମାଆ ହୁଏତ କେବେ କଳ୍ପନା କରିନଥିବେ ଯେ, ତାଙ୍କର ଇଚ୍ଛାରୁ ଏପରି ଏକ ଧର୍ମଗ୍ରନ୍ଥର ଉଦ୍‌ଭବ ହେବ, ଯାହା ପୁରୁଷ-ପୁରୁଷଧରି ଓଡ଼ିଶା ଓ ଓଡ଼ିଶା ବାହାରେ କୋଟି କୋଟି ଲୋକଙ୍କ ଆତ୍ମାକୁ ଭାବରେ ମୁଗ୍‌ଧମନ୍ଥିତ କରିବା ସହ ଶତାବ୍ଦୀ ଶତାବ୍ଦୀ ଧରି ସେ ଗ୍ରନ୍ଥ ଏକ ଖଣ୍ଡ-ବିଖଣ୍ଡିତ ଜାତିକୁ ଦେଇପାରିବ ଏକ ଅପୂର୍ବ ଐକ୍ୟବୋଧ !

ଜଗନ୍ନାଥ ଦାସଙ୍କୁ ଅତିବଡୀ କାହିଁକି କୁହାଯାଏ !

କୁହାଯାଏ ଯେ, ଶ୍ରୀଚୈତନ୍ୟ ଯେତେବେଳେ ଗୌଡ଼ ଦେଶରୁ ପୁରୀ ଆସିଥିଲେ ସେତେବେଳେ ସେ ଜଗନ୍ନାଥ ଦାସଙ୍କୁ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିରବେଢ଼ା ଭିତରେ ଥିବା କଳ୍ପବଟ ତଳେ ବଟ ଗଣେଶଙ୍କ ନିକଟରେ ବସି ଦୂରଦୂରାନ୍ତରୁ ଆସୁଥିବା ନିରକ୍ଷର ଗାଁ ଭକ୍ତଙ୍କୁ ନିଜର ସଦ୍ୟ ରଚିତ ଭାଗବତ ଶୁଣାଉଥିବା ଅବସ୍ଥାରେ ଭେଟିଥିଲେ। ସେଠାରେ ଭକ୍ତଗଣ ଏହି ଓଡ଼ିଆ ଭାଗବତ ଶୁଣି ତନ୍ମୟ ହୋଇ ଯାଉଥିଲେ। ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କ ଅଗାଧ ପାଣ୍ଡିତ୍ୟ ଓ ଭକ୍ତିମତ୍ତାରେ ମୁଗ୍‌ଧ ହୋଇ ତାଙ୍କୁ ‘ଅତିବଡ଼ୀ’ ଉପାଧିରେ ଭୂଷିତ କରିଥିଲେ। ଜଗନ୍ନାଥଙ୍କ ଶିଷ୍ୟଗଣ ପରବର୍ତ୍ତୀ ସମୟରେ ‘ଅତିବଡ଼ୀ ସଂପ୍ରଦାୟର ବୈଷ୍ଣବ ଭାବେ ପରିଚିତ ହୋଇଥିଲେ।

ପରେ ଶ୍ରୀଚୈତନ୍ୟ ଓ ଜଗନ୍ନାଥ ଦାସଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଲା। ଏହା ଦେଖି ଶ୍ରୀଚୈତନ୍ୟଙ୍କ ବଙ୍ଗୀୟ ଭକ୍ତଗଣ ମନରେ ଜଗନ୍ନାଥ ଦାସଙ୍କ ପ୍ରତି ଈର୍ଷା ଜାତ ହେଲା। ଏପରିକି, ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଚୈତନ୍ୟଙ୍କୁ ତ୍ୟାଗ କଲେ। ଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସ, ପଞ୍ଚସଖା ଯୁଗର ବରିଷ୍ଠ କବି ତଥା ‘ଦାଣ୍ଡି ରାମାୟଣ’ର ରଚୟିତା ବଳରାମ ଦାସଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ଚୈତନ୍ୟଙ୍କ ସହିତ ସେ ଏକାଠି ବାସ କଲେ ଓ ତାଙ୍କର ସବୁପ୍ରକାର ସେବା କଲେ। ଚୈତନ୍ୟ ଶରୀର ତ୍ୟାଗ କରିବା ପରେ ସେ ତାଙ୍କୁ ଝୁରି ଝୁରି ଷାଠିଏ ବର୍ଷ ବୟସରେ ଶ୍ରୀକ୍ଷେତ୍ରରେ ନିଜ ପ୍ରତିଷ୍ଠିତ ସାତଲହଡ଼ି ମଠରେ ଶରୀର ତ୍ୟାଗ କଲେ।

କିମ୍ବଦନ୍ତୀରେ ଜଗନ୍ନାଥ ଦାସଙ୍କ ଅଷ୍ଟଭୁଜ ରୂପ

ଭକ୍ତ କବି ଜଗନ୍ନାଥ ଦାସଙ୍କ ଜୀବନ ଅନେକ ଅଲୌଳିକ ଘଟଣାରେ ପରିପୂର୍ଣ୍ଣ। ସେଥିରୁ ଗୋଟିଏ ହେଉଛି ତାଙ୍କର ଅଷ୍ଟଭୁଜ ରୂପ। କୁହାଯାଏ, ଦିନେ ଗଜପତି ପ୍ରତାପରୁଦ୍ର ଦେବ କଳ୍ପବଟ ନିକଟକୁ ଯାଇ ଜଗନ୍ନାଥ ଦାସଙ୍କ ଭାଗବତ ପାଠ ଓ ବ୍ୟାଖ୍ୟା ଶୁଣୁଥିଲେ। ଭକ୍ତମାନେ ଜଗନ୍ନାଥଙ୍କ ଭାଗବତ ପାଠ ଶୁଣି ଆତ୍ମହରା ହୋଇ ପଡ଼ିଥାନ୍ତି। ଏହି ସମୟରେ ଗଜପତି ମହାରାଜା, ଜଗନ୍ନାଥ ଦାସଙ୍କର ଆଠଗୋଟି ହାତ ଶୋଭା ପାଉଥିବାର ଦେଖିବାକୁ ପାଇଲେ। ଚାରିଗୋଟି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଥିଲା। ଦୁଇ ହାତରେ ଶ୍ରୀରାମଙ୍କର ସଙ୍କେତ ଧନୁ ଓ ତୀର ଏବଂ ଅନ୍ୟ ଦୁଇ ହାତରେ ଶ୍ରୀକୃଷ୍ଣଙ୍କର ସଙ୍କେତ ବଂଶୀ ଥିଲା। ତାଙ୍କୁ ଲାଗିଲା ସତେ ଯେପରି ସ୍ୱୟଂ ନାରାୟଣ ଜଗନ୍ନାଥ ଦାସଙ୍କ ଶରୀରରେ ଆବିର୍ଭାବ ହୋଇଛନ୍ତି।

ମହାପ୍ରଭୂଙ୍କ ପାଇଁ ବାସ ଚନ୍ଦନ

ଅନ୍ୟ ଏକ ଅଲୌକିକ କାହାଣୀ ଅନୁସାରେ ଏକଦା କାଶୀରାମ ଦାସ ନାମକ ଜଣେ ସାମୁଦ୍ରିକ ବ୍ୟବସାୟୀ ଜଗନ୍ନାଥ ମହାପ୍ରଭୁଙ୍କ ଅଙ୍ଗଲାଗି ପାଇଁ ଚନ୍ଦନ, କର୍ପୂର, କସ୍ତୁରୀ ଇତ୍ୟାଦିରେ ପ୍ରସ୍ତୁତ ସୁବାସିତ ଚନ୍ଦନ ଟେଳାଟିଏ ରାଜାଙ୍କୁ ଦେଇଥିଲେ। ରାଜା ଏହା ଜଗନ୍ନାଥ ଦାସକୁ ଦେଇଥିଲେ ଶ୍ରୀଜୀଉଙ୍କ କାର୍ଯ୍ୟରେ ଲଗାଇବା ପାଇଁ। ମାତ୍ର ଜଗନ୍ନାଥ ଏହାକୁ ବାଟି ନିଜ ମଠର କାନ୍ଥରେ ବୋଳିଦେଲେ। ଏକଥା କେତେକ ଅସହିଷ୍ଣୁ ବ୍ୟକ୍ତି ରାଜାଙ୍କ କାନକୁ ନେଲେ। ରାଜା ଦାସଙ୍କୁ ପଚାରିବାରୁ ଦାସେ କହିଲେ ଯେ, ସେ ତାହା ଜଗନ୍ନାଥଙ୍କ ଅଙ୍ଗରେ ଲେପନ କରିଛନ୍ତି। ପରୀକ୍ଷା କରାଯାଇ ଦେଖାଗଲା ଯେ, ପ୍ରକୃତରେ ବାସଚନ୍ଦନ ଜଗନ୍ନାଥଙ୍କ ଅଙ୍ଗଲାଗି ହୋଇଛି ଓ ତାର ବାସ୍ନା ଚରିଦିଗକୁ ଚହଟି ଯାଉଛି।

ପଛକୁ ଫେରିଯାଇଥିଲା ସମୁଦ୍ର

ଜଗନ୍ନାଥ ଦାସଙ୍କୁ ନେଇ ଅନ୍ୟ ଅଲୌକିକ ଘଟଣା ହେଉଛି, ସମୁଦ୍ରର ସାତଟି ଲହଡ଼ି ପଛକୁ ଘୁଞ୍ଚିଯିବା ବିଷୟ। ଜଗନ୍ନାଥ ଦାସ ସମୁଦ୍ର କୂଳରେ ମଠଟିଏ ନିର୍ମାଣ କରି ରହିଥିଲେ। ସମୁଦ୍ର ଗର୍ଜନରେ ଜଗନ୍ନାଥ ଦାସଙ୍କ ଜପତପରେ ବାଧା ସୃଷ୍ଟି ହେଲା। ଏଣୁ ସେ ଜଗନ୍ନାଥ ମହାପ୍ରଭୁଙ୍କୁ ନିଜର ଦୁଃଖ ଜଣାଇଲେ। ମହାପ୍ରଭୁଙ୍କ ଆଦେଶରେ ସମୁଦ୍ରର ସାତଗୋଟି ଲହଡ଼ି ସ୍ଥାନ ପଛକୁ ଘୁଞ୍ଚୁଗଲା। ସେହିଦିନଠାରୁ ସେହି ମଠର ନାମ ରଖାଗଲା ‘ସାତଲହଡ଼ି ମଠ’ ।

ଓଡ଼ିଆ ଭାଗବତର ବିଶେଷତ୍ଵ

ଓଡ଼ିଆ ଭାଗବତ ମୁଖ୍ୟତଃ ମୂଳ ସଂସ୍କୃତ ଭାଗବତର ଓଡ଼ିଆ ମର୍ମାନୁବାଦ। ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ। ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ବ୍ୟାସଦେବ ମୂଳସଂସ୍କୃତ ଭାଗବତକୁ ଅଠର ହଜାର ଶ୍ଳୋକରେ ରଚନା କରିଥିଲେ l ଅତିବଡ଼ି ଜଗନ୍ନାଥ ଦାସ ଏହି ଟିକାକୁ ସରଳ ନବାକ୍ଷରୀ ଛନ୍ଦରେ ଓଡ଼ିଆ ଅନୁବାଦ କରିଛନ୍ତି l

ଶ୍ରୀମଦ ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ ଭାବରେ ଲୋକମୁଖରେ ସ୍ଵୀକୃତ। ଭାଗବତ ପାଠ କଲେ ସମସ୍ତ ପାପତାପ ଦୂର ହୋଇଥାଏ। ଭାଗବତରେ ଭଗବାନଙ୍କ ଲୀଳା, ରୂପ, ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି। ଭଗବାନ ଅନେକ ରୂପ ଧାରଣ କରି ନାନା ପ୍ରକାର ଲୀଳା କରନ୍ତି। ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଯାବତୀୟ ଦୁଃଖ ତଥା ବହୁବିଧ ବିଘ୍ନ ଦୂର ହୋଇଥାଏ।

ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ। ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା। ତେଣୁ ଓଡିଶାରେ ଭାଗବତ କେବଳ ଏକ ପୁରାଣ ଗ୍ରନ୍ଥ ନୁହେଁ ବରଂ ଏହା ଓଡ଼ିଆ ଲୋକଙ୍କ ଜୀବନବେଦ।

ଭାଗବତ ପାରାୟଣ

ଓଡ଼ିଶାରେ ଇନ୍ଦୁ ପୂର୍ଣ୍ଣମୀ ବା ଭାଦ୍ରବ ପୂର୍ଣ୍ଣମୀକୁ ଭାଗବତ ଜନ୍ମ ରୂପେ ପାଳନ କରାଯାଏ। ଏହି ଅବସରରେ ଭାଦ୍ରବ ଶୁକ୍ଳ ନବମୀଠାରୁ ଆରମ୍ଭ ହେଉଥିବା ଭାଗବତ ପାରାୟଣ ଏହିଦିନ ପୂର୍ଣ୍ଣ ହୁଏ। ଏହାକୁ ‘ଭାଗବତ ବଢ଼ା’ କୁହାଯାଏ। ସେଥିରେ ଭାଗବତ ପୋଥି ବା ଭାଗବତ ଗ୍ରନ୍ଥକୁ ଭଗବାନ ଶ୍ରୀକୃଷ୍ଣଙ୍କର ବିଗ୍ରହ ମନେ କରି ଭୋଗନୈବେଦ୍ୟ ଅର୍ପଣ କରାଯାଏ। ପରେ ସେହି ଭୋଗକୁ ବାଣ୍ଟି ଦିଆଯାଏ। ସାତଦିନ ବ୍ୟାପୀ ଭାଗବତ ପାରାୟଣର ଯେଉଁ ବିଧି, ତାହା ‘ଭାଗବତ ସପ୍ତା’ ଭାବରେ ପ୍ରସିଦ୍ଧ।

‘ଭାଗବତ ସପ୍ତା’ର ଅର୍ଥ ‘ଭାଗବତ ସପ୍ତାହ’ ବା ସପ୍ତାହବ୍ୟାପୀ ଭାଗବତ ପାଠ। କେବଳ ଭାଦ୍ରବ ଶୁକ୍ଳ ନବମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସାତଦିନ ଯେ ‘ଭାଗବତ ସପ୍ତା’ ପାଳିତ ହେବ, ସେପରି କୌଣସି ବିଧି ନାହିଁ। ବର୍ଷର ଯେ କୌଣସି ସମୟରେ ସାତଦିନ ବ୍ୟାପୀ ଭାଗବତ ପାଠ କରାଯିବା ପାଇଁ ଆମ ପୁରାଣ ପରମ୍ପରାରେ କୌଣସି ବାରଣ ନାହିଁ। ଏହି ଭାଗବତ ପାଠ ବା ଭାଗବତ ପାରାୟଣ ଦିନ ଅବା ରାତିରେ କରାଯିବ, ସେ ନେଇ ମଧ୍ୟ କୌଣସି ନିଷେଧ ନାହିଁ। ଏହା ସୂଚାଏ, ଯେ ଭାଗବତ ପାଠରେ ଭେଦର ବିଚାର ଗୌଣ ଏବଂ ଶ୍ରଦ୍ଧା ଓ ଭକ୍ତି ମୁଖ୍ୟ।

Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ