Advertisment

Ashokastami 2024: କାହିଁକି ହେଲା ଅଶୋକାଷ୍ଟମୀ; ମାତା ସୀତାଙ୍କ ସହ କ’ଣ ରହିଛି ସମ୍ୱନ୍ଧ

ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଏବଂ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ। ଏହି ରଥର ନାମ ରୁକୁଣା ରଥ। ରୁକୁଣା ରଥକୁ ଅଣଲେଉଟା ରଥ ବୋଲି କୁହାଯାଏ। ଏ ରଥକୁ ଏପରି କହିବାର ଅର୍ଥ କ’ଣ…

ଅଦ୍ୟତନ ହୋଇଛି
Why Ashokastami happened; What is the relationship with goddess Sita

Why Ashokastami happened; What is the relationship with goddess Sita

Advertisment

ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପଡ଼ିଥାଏ। ଏହିଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଏବଂ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ। ଏହି ରଥର ନାମ ରୁକୁଣା ରଥ। ରୁକୁଣା ରଥକୁ ଅଣଲେଉଟା ରଥ ବୋଲି କୁହାଯାଏ। ଏ ରଥକୁ ଏପରି କହିବାର ଅର୍ଥ ଏହା ଯେ ଏହାର ବାହୁଡ଼ା ଯାତ୍ରା ବେଳେ ରଥକୁ ବୁଲାଇ ମୋଡ଼ାଯାଏ ନାହିଁ। କେବଳ ରଥର ସମ୍ମୁଖ ଭାଗକୁ ବନ୍ଦ କରାଯାଇ ରଥ ଉପରେ ଥିବା ସିଂହାସନକୁ ପଛକୁ ଘୁରାଇ ଦିଆଯାଏ ଯାହାକି ସମ୍ମୁଖ ପାର୍ଶ୍ୱ ରୂପେ କାର୍ଯ୍ୟ କରେ।

Advertisment

ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ। ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ। ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି।

ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷ ସ୍ତ୍ରୀଲୋକଙ୍କ ପାଇଁ ଖୁବ ଉପକାରୀ। ବିଶେଷକରି ପୁନର୍ବସୁ ନକ୍ଷତ୍ରରେ ଏହା ସେବନ କଲେ ଅଧିକ ଫଳପ୍ରଦ ହୁଏ। କିଛିଲୋକଙ୍କ ମତରେ ରାବଣ ଜଣେ ବୈଜ୍ଞାନିକ ଥିଲେ ଏବଂ ସ୍ତ୍ରୀଲୋକଙ୍କ ପ୍ରଧାନ ଋତୁଜନିତ ରୋଗ ନିରାକରଣ ନିମିତ୍ତ ଅଶୋକବନ ସୃଷ୍ଟି କରିଥିଲେ। ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ହେବ ନାହିଁ ବୋଲି ରାବଣ ସୀତାଙ୍କୁ ସେଠାରେ ରଖାଇଥିଲେ।

Advertisment

ପୌରାଣିକ କାହାଣୀ:

ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା କାରଣରୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ।

Advertisment

ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ।

କିପରି ହୁଏ ରଥ କାମ:

ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ। ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହାଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ।

ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ। ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ।

ଅନ୍ୟାନ୍ୟ ପରମ୍ପରା:

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ୱର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ।

ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅନ୍ତର୍ଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଳିତ ହୁଏ।

Rukuna Rath Yatra Rukuna Rath Lingaraj Rukuna Rath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ