Advertisment

Laxmi Puja 2023: ଢେଙ୍କାନାଳରେ କେବେଠାରୁ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ। ତେବେ ଆସନ୍ତୁ ଜାଣିବା ଏଠି କେବେଠାରୁ ପାଳନ ହେଉଛି ଏହି ପୂଜା।

ଅଦ୍ୟତନ ହୋଇଛି
When did Gajalakshmi Puja start in Dhenkanal

When did Gajalakshmi Puja start in Dhenkanal

Advertisment

ବାର ମାସରେ ତେର ପର୍ବରେ ବନ୍ଧା ଓଡ଼ିଶାର ସଂସ୍କୃତି। କୁମାର ପୂର୍ଣ୍ଣିମା ଏଥିରୁ ଅନ୍ୟତମ। ଏହି ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଏନେଇ ଏହାକୁ ଗଜଲକ୍ଷ୍ମୀ ପୂଜା ବୋଲି କୁହାଯାଏ। ସାଧାରଣତଃ ଏହି ପୂଜାକୁ ଗୋଟିଏ ଦିନ ପାଇଁ କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ। ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀମେଢ଼ମାନ ତିଆରି ହୋଇଥାଏ।

Advertisment

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା:

ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ। ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା।

ପ୍ରତିବର୍ଷ ଢେଙ୍କାନାଳର କଲେଜ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ। ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସ‌ହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ।

Advertisment

ଆଉ କେଉଁଠି ହୁଏ ପାଳନ:

ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ। ତେବେ ଏହି ସ୍ଥାନ‌ଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା। ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥାଆନ୍ତି ଏବଂ ଯେଉଁମାନେ ରାତିସାରା ଜାଗ୍ରତ ରହନ୍ତି କେବଳ ସେମାନ‌ଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହି ଦିନ ରାତିରେ ଲୋକମାନେ ଗୀତ ଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି।

ଆହୁରି ମଧ୍ୟ ଏହି ଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ପିଇଥାନ୍ତି। କ୍ଷୀରକୁ ବ‌ହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ। ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ। କେତେକ ଲୋକ ଏହି ଦିନ ରାତିରେ ଥଣ୍ଡା କ୍ଷୀର ଓ ଚୁଡ଼ା ମଧ୍ୟ ଖାଇଥାନ୍ତି। ମରାଠୀମାନ‌ଙ୍କ ପାଇଁ ଏହା ଏକ ବିଶେଷ ପର୍ବ। ଏହି ପର୍ବରେ ଘରର ଜ୍ୟେଷ୍ଠ ସନ୍ତାନ‌କୁ ବିଭିନ୍ନ ପ୍ରକାରର ଉପ‌ହାର ଦିଆଯାଇଥାଏ।

Advertisment

ଗୁଜରାଟ:

ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ‘ଶରଦ୍ ପୁନମ୍’ ଭାବେ ପାଳନ କରାଯାଏ। ଏହି ଦିନ ରାତି ସାରା ସେଠାକାର ଲୋକମାନେ ଗର୍‌ବା ଓ ଦାଣ୍ଡିଆ ଖେଳିଥାନ୍ତି।

ପଶ୍ଚିମବଙ୍ଗ:

ପଶ୍ଚିମ ଙ୍ଗରେ ଏହି ପର୍ବକୁ ‘ଲୋଖୀ ପୂଜୋ’ ବୋଲି କୁହାଯାଏ ଏବଂ ଏହି ଦିନ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅତି ଆଡ଼ମ୍ବରରେ କରାଯାଇଥାଏ। ପୂରା ପରିବେଶ ଭକ୍ତିମୟ ଉଠେ।

ମିଥିଳା:

ମିଥିଳାରେ ଏହି ପର୍ବ ‘କୋଜାଗରାହ’ ନାମରେ ଜଣାଶୁଣା। ଏହି ଦିନ ସକାଳୁ ଘରର ଅଗଣାକୁ ଭଲ ଭାବରେ ଧୋଇ ପରିଷ୍କାର କରାଯାଇ ସେଠାରେ ଚିତା ପକାଯାଇଥାଏ। ଘରେ ଥିବା ସମସ୍ତ ଦେବାଦେବୀଙ୍କ ମୂର୍ତ୍ତୀ ତ‌ଥା ଫଟୋକୁ ଭଲ ଭାବରେ ସଫା କରି ଅଗଣାରେ ସ୍ଥାପନ କରାଯାଇଥାଏ। ଠାକୁରଙ୍କୁ ପାନ, ଗୁଆ ଇତ୍ୟାଦି ଦ୍ୱାରା ପୂଜା କରାଯାଏ। ଠାକୁରଙ୍କୁ ଭୋଗ ରୂପେ ଖିରୀ ଓ ବତାଶା (ଏକ ପ୍ରକାର ମିଷ୍ଟାନ୍ନ) ଅର୍ପଣ କରାଯାଇଥାଏ।

ଦେବଦେବୀମାନ‌ଙ୍କୁ ପୂର୍ଣ୍ଣିମାର ଚନ୍ଦ୍ର କିରଣରେ ଗାଧୋଇଦେବା ପାଇଁ ରାତି ସାରା ଅଗଣାରେ ରଖାଯାଇଥାଏ। ଏହି ପୂର୍ଣ୍ଣିମାର ଚନ୍ଦ୍ର କିରଣ‌କୁ ଅମ୍ରିତ୍ ବର୍ଖା (ଅମୃତ ବର୍ଷା) କୁହାଯାଏ। ନବବିବାହିତ ଦମ୍ପତିମାନ‌ଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ଘରର ନବ‌ବିବାହିତ ବଧୂ ସମ୍ପୂର୍ଣ୍ଣ ଘରକୁ ଝୋଟି ଓ ଚିତା ଦ୍ୱାରା ସଜାଇଥାଆନ୍ତି। ନବବିବାହିତ ବର, ବଧୂ ଓ ଦିଅରମାନେ ଏହି ଦିନ ରାତି ସାରା ବିଭିନ୍ନ ପ୍ରକାରର ଖେଳ ଖେଳିଥାନ୍ତି।

ଏହି ଦିନ ସମସ୍ତେ ପାନ, ଗୁଆ ଓ ମିଠା ବଣ୍ଟିବଣ୍ଟି ହୋଇଥାଆନ୍ତି। ଏହି ଦିନ ବଧୂର ବାପଘରୁ ତା'ର ଶାଶୁଘରକୁ ଚାଉଳ, ଦୁବ ଘାସ, ଗୁଆ, ପାନ, ନଡ଼ିଆ, କଦଳୀ, କାଜୁ, ପେସ୍ତା ବାଦାମ, ପଇତା ସୂତା, ଲବଙ୍ଗ, ଗୁଜୁରାତି, ରୌପ୍ୟ ମୁଦ୍ରା କିମ୍ବା ରୂପାରେ ତିଆରି ମାଛ କିମ୍ବା ରୂପାରେ ତିଆରି କଇଁଛ, ଦ‌ହି, ବିଭିନ୍ନ ପ୍ରକାରର ମିଷ୍ଟାନ୍ନ, ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ଓ ମିଥିଳାର ପଟ୍ଟଚିତ୍ର ଇତ୍ୟାଦି ଭାର ହିସାବରେ ପଠାଯାଇଥାଏ।

କ’ଣ କୁହେ କିମ୍ବଦନ୍ତୀ:

ମିଥିଳାରେ ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁଇ ଭଉଣୀ। ଲକ୍ଷ୍ମୀ ମିଠା ଖାଇବାକୁ ଭଲ ପାଆନ୍ତି ଓ ସୌଭାଗ୍ୟ ଆଣନ୍ତି। ସେହିପରି ଅଲକ୍ଷ୍ମୀ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଓ ଦୁର୍ଭାଗ୍ୟ ଆଣନ୍ତି। ତେଣୁ ଏହି ଦିନ କିଛି ମସଲାଯୁକ୍ତ ଖାଦ୍ୟ ଘର ବାହାରେ ରଖିଦିଆଯାଇଥାଏ। ଯାହା ଫଳରେ ଅଲକ୍ଷ୍ମୀ ସେହି ସବୁ ଖାଦ୍ୟ ନେଇ ଘର ବାହାରକୁ ଚାଲିଯାଆନ୍ତି।

ସେହିପରି ଅଳ୍ପ କିଛି ମିଷ୍ଟାନ୍ନ ଘର ବାହାରେ ରଖାଯାଏ ଏବଂ ଅଧିକ ପରିମାଣରେ ମିଷ୍ଟାନ୍ନ ଘର ଭିତରେ ରଖାଯାଇଥାଏ। ଯାହା ଫଳରେ ଲକ୍ଷ୍ମୀ ମିଠା ଖାଇବା ପାଇଁ ଘର ଭିତରକୁ ଆସିବେ ଓ ଘର ଭିତରେ ହିଁ ରହିଯିବେ। ମିଥିଳାର କେତେକ ଅଞ୍ଚଳରେ ଏହି ଦିନଠାରୁ କାଳୀ ପୂଜା ଆରମ୍ଭ ହୋଇ ଦୀପାବଳୀ ପର୍ଯ୍ୟନ୍ତ ଚାଲେ ଓ ଦୀପାବଳୀରେ ନିଶା ପୂଜା ସ‌ହ ଏହାର ଉଦ୍‌ଯାପନ ହୋଇଥାଏ।

ଚୁଡ଼ା-କ୍ଷୀର ବୈଜ୍ଞାନିକ ମତ:

ଏହି ଦିନ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବା ପଛରେ ଏକ ଆୟୁର୍ବେଦିକ କାରଣ ରହିଛି। ଏହି ପର୍ବ ଶରତ ଋତୁରେ ପଡ଼ିଥାଏ। ଗ୍ରୀଷ୍ମ ଋତୁର ଶେଷ ସମୟ ଓ ଶୀତ ଋତୁର ଆରମ୍ଭ ସମୟକୁ ଶରତ ଋତୁ କୁହାଯାଏ। ଏହି ଋତୁ ଦୁଇ ମାସ ଧରି ରହିଥାଏ। ଏହି ଋତୁରେ ଦିନ ଉଷୁମ ରହୁଥିବା ବେଳେ ରାତିରେ ଶୀତ ଅନୁଭୂତ ହୋଇଥାଏ। ଋତୁ ପରିବର୍ତ୍ତନ ଯୋଗୁଁ ବାତ ଦୋଷ, ପିତ୍ତ ଦୋଷ ଓ କଫ ଦୋଷ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବା ଦ୍ୱାରା ଏହି ସବୁ ଦୋଷ ହେବାର ସମ୍ଭାବନା କମିଯାଇଥାଏ।

ବିଶ୍ୱାସ ଅଛି ଯେ, ଏହି ଦିନ ରାତିରେ ଲକ୍ଷ୍ମୀ ଆକାଶରେ "କୋ ଜାଗର୍ତି" କ‌ହି କ‌ହି ବୁଲନ୍ତି ଏବଂ ଯିଏ ରାତି ସାରା ଉଜାଗର ରହିଥାଏ ତା' ଉପରେ କୃପା କରିଥାନ୍ତି। ସଂସ୍କୃତ ବାକ୍ୟ "କୋ ଜାଗର୍ତି "ର ଅର୍ଥ "କିଏ ଜାଗ୍ରତ ଅଛି"। ତେଣୁ ଏହି ପର୍ବକୁ କୋଜାଗରି ପୁନମ୍ ମଧ୍ୟ କୁହାଯାଏ।

Kumar Purnima Gajalaxmi Puja GajaLaxmiPuja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ