Vyanjana Dwadashi 2024
ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ କୁହାଯାଏ। ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ୱାସ ରହିଛି। ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନଟି ଭଗବାନ କୃଷ୍ଣଙ୍କ ପାଇଁ ସମର୍ପିତ।
କିମ୍ବଦନ୍ତୀ:
ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ିଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ିଯାଇଥିବା ଦେଖାଗଲେ। ପୁଅକୁ ଏମିତି ଦେଖି ମା’ ଉଚ୍ଛନ୍ନ ହୋଇଗଲେ। ଭାବିଲେ ନ ଖାଇ ନ ପିଇ ସେ ଏମିତି ହୋଇଗଲାଣି।
ଏହା ପରେ ମା’ ଯଶୋଦା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ କୋଳରେ ବସାଇ କୃଷ୍ଣଙ୍କୁ ଖୁଆଇଲେ। ଶ୍ରୀକୃଷ୍ଣଙ୍କ ଏହି ବ୍ୟଞ୍ଜନ ଲୀଳା ଏତେ ମଧୁର ଥିଲା ଯେ ଦେବତାମାନେ ମଧ୍ୟ ପ୍ରଭୁଙ୍କ ଅଧରାମୃତରୁ କଣିକାଏ ପାଇବା ପାଇଁ ଗୋପପୁରେ ଆସି ଏକତ୍ର ହୋଇଗଲେ।
ଅନ୍ୟଏକ କାହାଣୀ ଅନୁସାରେ ଭଗବାନ କୃଷ୍ଣ ଗୋଚାରଣ କରିବା ସମୟରେ ଭୋକ ଅନୁଭବ କଲେ। ଏହି ସମୟରେ ପାଖରେ ଥିବା ରାଧା ନିଜ ଦିବ୍ୟଶକ୍ତି ଦ୍ୱାରା ନାନାଦି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି କରି କୃଷ୍ଣଙ୍କୁ ଖୁଆଇଥିଲେ। ସେ ବ୍ୟଞ୍ଜନର ସ୍ୱାଦ ଏପରି ଥିଲା ଯେ ପ୍ରଭୁଙ୍କ ବାତ୍ସଲ୍ୟ ଭାବ ଅନୁଭବ ହୋଇଥିଲା।
ଶ୍ରୀରାଧାଙ୍କ ହାତପରଷା ଖାଦ୍ୟଆଉ ଏକ କଥା ଅନୁସାରେ ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ଅନେକ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି। ଏହି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି।
ମାତାମଠ କଥା:
ବର୍ତ୍ତମାନ ମଧ୍ୟ ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ। ବିଶେଷକରି କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେପକାଇବାକୁ ପୁରୀର ମାତାମଠ ବା ଗୌରବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫, କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ ହୁଏ।
ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ। କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ। ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି। ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି। ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି।
ପ୍ରତି ବର୍ଷ ଭୋଗ ସଂଖ୍ୟା ବଦଳିଥାଏଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ। ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ। ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ।
ଶ୍ରୀକ୍ଷେତ୍ର:
ମାତା ମଠ ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଏ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ।
ବୈଜ୍ଞାନିକ ମତ:
ବୈଜ୍ଞାନିକ ଦୃଷ୍ଟିକୋଣରୁ ଋତୁଚକ୍ର ଅନୁସାରେ ଶୀତଋତୁରେ ପାଚନ କ୍ରିୟା ଅଧିକ ସକ୍ରିୟ ରହିଥାଏ। ତେଣୁ ଏହି ସମୟରେ ସମସ୍ତ ଗରିଷ୍ଠ ଓ ଲଘିଷ୍ଠ ଖାଦ୍ୟ ଶରୀର ପାଇଁ ଗ୍ରହଣୀୟ ହୋଇଥିବାରୁ ଶାସ୍ତ୍ରରେ ଏପରି ଖାଦ୍ୟ ବା ଭୋଜନର ତିଥି ନିର୍ଦ୍ଧାରିତ ହୋଇଥିବା ଜଣାଯାଏ। ଏହି ପ୍ରକ୍ରିୟା ଏକ ଧର୍ମୀୟ ଚେତନା ସହିତ ଜଡିତ ହୋଇଥିବାରୁ ଏହା ସର୍ବଦା ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାର ପ୍ରାସଙ୍ଗିକତା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733920872.jpg)