Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

ନାଗାସାଧୁ ହେବାର ପଥରେ ଯାତ୍ରା କରିବା କେବଳ ନିଷ୍ପତ୍ତି ନୁହେଁ; ଏହା ଏକ କଠୋର ଯାତ୍ରା । ଏଥିପାଇଁ ଦିବ୍ୟ ସମର୍ପଣ ଭାବ ଓ କଠିନ ଅନୁଶାସନ ଆବଶ୍ୟକ । ପ୍ରାଚୀନ ହିନ୍ଦୁ ପରମ୍ପରାରେ ନିହିତ ଏହି ପ୍ରକ୍ରିୟା ପାଇଁ ଇଚ୍ଛୁକ ଲୋକଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । ବ୍ରହ୍ମଚର୍ଯ୍ୟ ପରି କଠିନ ବ୍ରତ ସହିତ ଆରମ୍ଭ ହୁଏ ଏହି ଆଧ୍ୟାତ୍ମିକ ପ୍ରକ୍ରିୟା ।

ନାଗାସାଧୁଙ୍କ ଇତିହାସ

ଭାରତରେ ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଭବ୍ୟ ଆଧ୍ୟାତ୍ମିକ ମହାକୁମ୍ଭ ମେଳାରେ ଯୋଗ ଦିଅନ୍ତି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କୁମ୍ଭମେଳା ଜାନୁୟାରୀ ୧୩ରୁ ଆରମ୍ଭ ହେଉଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । କୁମ୍ଭମେଳାର ଭିଡ଼ରେ ରହସମୟୀ ନାଗା ସାଧୁମାନେ ମଧ୍ୟ ସାମିଲ ହୋଇଥାଆନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିନ୍ନ ରୂପ ଓ ରୀତିନୀତି ପାଇଁ ସେମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଆନ୍ତି । ଜଟାଭର୍ତ୍ତି କେଶ ଓ ପାଉଁଶବୋଳା ଶରୀର ସେମାନଙ୍କୁ ଅନ୍ୟ ଠାରୁ ଭିନ୍ନ କରିଥାଏ । ନାଗା ସାଧୁ କେବଳ ଦେଖିବାରେ ଅସାଧାରଣ ନୁହଁନ୍ତି, ବେଦ, ତନ୍ତ୍ର ଏବଂ ଧ୍ୟାନର ପ୍ରାଚୀନ ବିଧିରେ ସେମାନେ ବିଶାରଦ ।

ନାଗା ସାଧୁ ବିଭିନ୍ନ ଆଖଡ଼ା ଓ ମଠବାସୀ ସମ୍ପ୍ରଦାୟର ସଦସ୍ୟ ଅଟନ୍ତି । ସମସ୍ତ ଭୌତିକ ସୁଖ-ସୁବିଧାକୁ ତ୍ୟାଗ କରି ଆଧ୍ୟାତ୍ମିକ ଜ୍ଞାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି । ନାଗା ସାଧୁ ହେବା ସାଧାରଣ କଥା ନୁହେଁ । ସେମାନଙ୍କ ଦୀକ୍ଷାଗ୍ରହଣ ପ୍ରକ୍ରିୟା ଖୁବ କଠୋର ଓ ରହସ୍ୟମୟ । ତ୍ୟାଗ ଓ ତପସ୍ୟାର ଉଦାହରଣ ହେଉଛନ୍ତି ନାଗା ସାଧୁ । ନାଗା ସାଧୁଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରମ୍ପରା ଓ ତପସ୍ୟା ଆଧାରିତ। ସେମାନେ କପଡ଼ା ବଦଳରେ ଶରୀରରେ ଭସ୍ମ ଲେପନ କରିଥାନ୍ତି । ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧ୍ୱକୁ ଯାଇ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି।

ନାଗା ସାଧୁଙ୍କ ଇତିହାସ

ଭାରତର ଇତିହାସ ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ ପରମ୍ପରା ସହିତ ସମୃଦ୍ଧ । ବିଶେଷ ରୂପରେ ଶୈବ ଧର୍ମରୁ ଉତ୍ପର୍ଣ୍ଣ ସମ୍ପ୍ରଦାୟ, ହିନ୍ଦୁ ଧର୍ମରେ ସବୁଠାରୁ ପୁରୁଣା ରୂପ ମଧ୍ୟରୁ ଗୋଟିଏ । ଯେଉଁମାନେ ଭଗବାନ ଶିବଙ୍କୁ ସବୁଠାରୁ ଉର୍ଦ୍ଧ୍ୱରେ ରଖି ପୂଜାର୍ଚ୍ଚନା କରନ୍ତି । ଖ୍ରୀଷ୍ଟପୂର୍ବ ୩୨୬ ମସିହାରେ ଯେତେବେଳେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ଭାରତ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ତାଙ୍କୁ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ସମ୍ମୁଖୀନ ହେବାକୁ ପଡ଼ିତିଲା । ଐତିହାସିକ ପ୍ରମାଣ ଏବଂ କେତେକ ଐତିହାସିକଙ୍କ ମତ ଅନୁସାରେ, ନାଗା ସାଧୁମାନେ ସେମାନଙ୍କ କଠୋର ତପସ୍ୱୀ ପ୍ରଥା ପାଇଁ ଜଣାଶୁଣା, ଏହି ଗୋଷ୍ଠୀ ସେତେବେଳେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଥିଲେ । ଭାରତରେ ତାଙ୍କର ଉପସ୍ଥିତି ଐତିହାସିକ, ଯାହାକି ଭଗବାନ ଶିବଙ୍କ ଇଶ୍ୱରୀୟ ବ୍ୟକ୍ତିତ୍ୱ ସହିତ ଜଡିତ । ନାଗା ଏକ ଶବ୍ଦ ନୁହେଁ ଏକ ଆଖ୍ୟା କହିଲେ ଚଳେ । ନାଗା ଶବ୍ଦ ସଂସ୍କୃତ ଶବ୍ଦ 'ପାହାଡ଼' ରୁ ଆସିଛି, ଯାହାର ଅର୍ଥ ହେଉଛି 'ପାହାଡ଼ି' ବା ପାହାଡ଼ ଅଞ୍ଚଳରେ ବାସ କରୁଥିବା ଲୋକ ।

ନାଗା ସାଧୁ : ଏକ ଆଧ୍ୟାତ୍ମିକ ଯାତ୍ରା

ନାଗା ସାଧୁ ହେବା ପଥରେ ଯାତ୍ରା କରିବା କେବଳ ନିଷ୍ପତ୍ତି ନୁହେଁ; ଏହା ଏକ କଠୋର ଯାତ୍ରା । ଏଥିପାଇଁ ଦିବ୍ୟ ସମର୍ପଣ ଭାବ ଓ କଠିନ ଅନୁଶାସନ ଆବଶ୍ୟକ । ପ୍ରାଚୀନ ହିନ୍ଦୁ ପରମ୍ପରାରେ ନିହିତ ଏହି ପ୍ରକ୍ରିୟା ପାଇଁ ଇଚ୍ଛୁକ ଲୋକଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । ବ୍ରହ୍ମଚର୍ଯ୍ୟ ପରି କଠିନ ବ୍ରତ ସହିତ ଆରମ୍ଭ ହୁଏ ଏହି କଠିନ ପ୍ରକ୍ରିୟା । ନାଗା ସାଧୁଙ୍କ ଅସ୍ତିତ୍ୱ ସବୁଠୁ ପୁରୁଣା । ନାଗା ସାଧୁ ହେବା ପାଇଁ ମହାକୁମ୍ଭ ସମୟରୁ ହିଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିପାଇଁ ପ୍ରଥମେ ବ୍ରହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପଡିଥାଏ । ଏଥିରେ ୬ ମାସରୁ ଆରମ୍ଭ କରି ୧୨ ବର୍ଷ ଯାଏଁ ସମୟ ଲାଗି ଯାଇଥାଏ । ବ୍ରହ୍ମଚର୍ଯ୍ୟ ପରୀକ୍ଷାରେ ସଫଳ ହେବା ପରେ ତାଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ହୋଇଥାଏ । ଏହାପରେ ସେହି ସାଧୁଙ୍କ ପାଇଁ ୫ ଗୁରୁ ଭଗବାନ ଶିବ, ବିଷ୍ଣୁ, ଶକ୍ତି, ସୂର୍ଯ୍ୟ ଓ ପ୍ରଭୁ ଗଣେଶଙ୍କୁ ସ୍ଥିର କରାଯାଇଥାଏ ।

ଏସବୁ ବିଧି ପରେ କେଶ ମୁଣ୍ଡନ କରି କୁମ୍ଭ ମେଳାରେ ଗଙ୍ଗା ନଦୀରେ ୧୦୮ ଥର ବୁଡ ପକାଇବାକୁ ପଡିଥାଏ। ନାଗା ସାଧୁ ହେବା ପାଇଁ ଚାହୁଁଥିବା ଆକାଂକ୍ଷୀଙ୍କୁ ପ୍ରଥମେ ଶାସକ ଆଖଡ଼ାର ମୂଲ୍ୟାଙ୍କନର ସାମ୍ନା କରିବାକୁ ପଡ଼େ, ଯାହା ନୂଆ ସଦସ୍ୟଙ୍କ ଦୀକ୍ଷା ଓ ଦକ୍ଷତାକୁ ପରଖୁଥିବା ଏକ ଧାର୍ମିକ ସଂସ୍ଥା ଅଟେ । ଏଠାରେ ପ୍ରତିବଦ୍ଧତା ଏବଂ ବଳିଦାନର ଜୀବନ ଜିଇଁବାର କ୍ଷମତା ପରୀକ୍ଷା କରାଯାଏ । ବ୍ରହ୍ମଚର୍ଯ୍ୟ ପାଇଁ ଏକ କଠୋର ପରୀକ୍ଷା କରାଯାଏ, ଏହି ସମୟରେ ସାଧୁଙ୍କୁ ସୁଖରୁ ଦୂରେଇ ରହିବାକୁ ପଡ଼େ । ଏହି ଗୁରୁମାନେ ଆଧ୍ୟାତ୍ମିକ ଶିକ୍ଷା ଏବଂ ମାର୍ଗଦର୍ଶନ ପ୍ରଦାନ କରନ୍ତି । ପ୍ରାଥମିକ ପର୍ଯ୍ୟାୟର ସଫଳ ସମାପ୍ତି ପରେ ସାଧୁଙ୍କୁ ପଞ୍ଚ ଗୁରୁ ଏବଂ ପିଣ୍ଡ ଦାନ ରୀତିନୀତି କରିବାକୁ ପଡ଼େ ।

ନାଗା ସାଧୁ ହେବାପାଇଁ କରିବାକୁ ପଡ଼େ ନିଜର ପିଣ୍ଡଦାନ

ଦୀକ୍ଷା ଓ ଆଧ୍ୟାତ୍ମିକ ଦୀକ୍ଷା ପ୍ରାପ୍ତ କରିବା ପାଇଁ ପ୍ରଥମେ ନିଜର ପିଣ୍ଡଦାନ କରିବାକୁ ପଡ଼େ, ଯାହା ଏକ ପ୍ରତୀକାତ୍ମକ ଅନୁଷ୍ଠାନ ଅଟେ । ଏହା ସେମାନଙ୍କ ପୂର୍ବ ପରିଚୟ ଏବଂ ସାମାଜିକ ସମ୍ପର୍କ ତ୍ୟାଗ କରିବାର ପ୍ରତୀକ ଅଟେ । ଏହି ସମୟରେ ସାଧୁ ହେବାକୁ ଇଚ୍ଛା କରିଥିବା ଲୋକଙ୍କୁ ବିନା କପଡାରେ ଆଖଡାର ଧ୍ୱଜ ତଳେ ୨୪ ଘଣ୍ଟା ଛିଡା ହେବାକୁ ପଡିଥାଏ । ଏହି ପରୀକ୍ଷାରେ ସଫଳ ହେବା ପରେ ନାଗା ସାଧୁର ମାନ୍ୟତା ଦିଆଯାଇଥାଏ । ନାଗା ସାଧୁ ହେବା ପରେ ପ୍ରତ୍ୟେକ ସାଧୁ ମରଶରୀରର ପାଉଁଶକୁ ଶୁଦ୍ଧୀକରଣ କରି ନିଜ ଶରୀରରେ ଲଗାଇଥାନ୍ତି । ଏହାଛଡା ଗଳା ଓ ହାତରେ କେବଳ ଫୁଲ ଓ ରୁଦ୍ରାକ୍ଷ ଧାରଣ କରିଥାନ୍ତି ନାଗା ବାବା ।

ଏହି ସାଧୁମାନଙ୍କୁ କେବଳ ଭୂମିରେ ଶୋଇବାକୁ ଅନୁମତି ମିଳିଥାଏ । ନାଗା ସାଧୁମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇଥାଏ, ହିମାଳୟରେ ମାଇନସ ତାପମାତ୍ରାରେ ମଧ୍ୟ ବିନା ବସ୍ତ୍ରରେ ତପସ୍ୟା କରିଥାନ୍ତି। ନାଗା ସାଧୁ ଦିନରେ ଥରେ ମାତ୍ର ଖାଇଥାନ୍ତି। ମାତ୍ର ୭ଟି ଘରୁ ଭିକ୍ଷା ମାଗିବା ପରେ ଯାହା ମିଳିଥାଏ ତାହାକୁ ହିଁ ଖାଇଥାନ୍ତି । ଯଦି ୭ଟି ଘରୁ କୌଣସି ଭିକ୍ଷା ନମିଳେ, ତେବେ ସେହିଦିନ ନାଗା ସାଧୁଙ୍କୁ ଉପାସ ଶୋଇବାକୁ ପଡିଥାଏ । ମନକୁ ସଂଯମ ଓ କାମବାସନା ଠାରୁ ଦୂରେଇ ରହିବାକୁ ସାଧୁମାନେ ନାଗା ଭାବରେ ଦୀକ୍ଷା ଗ୍ରହଣ କରିଥାନ୍ତି। ଦୀକ୍ଷା ଗ୍ରହଣ ସମୟରେ ସାଧୁମାନଙ୍କୁ ଆୟୁର୍ବେଦିକ ଔଷଧ ଦିଆଯାଇଥାଏ। ଏହି ଔଷଧ ଦ୍ଵାରା ସେମାନଙ୍କ ମନ ଓ ଶରୀରରେ ନିୟନ୍ତ୍ରଣ ଆସିଥାଏ। ପୂର୍ବରୁ ଏହି ଦୀକ୍ଷା ସମୟରେ ଶାରୀରିକ କଷ୍ଟ ମଧ୍ୟ ଦିଆଯାଉଥିଲା। ଏହି କାରଣରୁ କେତେକ ସାଧୁଙ୍କ ମୃତ୍ୟୁ ହେବାରୁ ଆୟୁର୍ବେଦିକ ପ୍ରକ୍ରିୟାରେ ଦୀକ୍ଷା ଦିଆଯାଉଛି ।

ନାଗା ସନ୍ୟାସୀ ରୂପରେ ଜୀବନ

ଆଧ୍ୟାତ୍ମିକ ଅନୁଶାସନ ପାଇଁ ନାଗାସାଧୁ କଠୋର ନିୟମ ପାଳନ କରନ୍ତି, ଯେଉଁଥିପାଇଁ ଅଦମ୍ୟ ପ୍ରତିବଦ୍ଧତା ଆବଶ୍ୟକ । ଏହି ତପସ୍ୱୀ ଜୀବନଶୈଳୀ ଗ୍ରହଣ କରିବା ପରେ ସେମାନଙ୍କୁ ସାଂସାରିକ ଜୀବନରୁ ବିଚ୍ଚିନ୍ନ ପଥ ଅନୁସରଣ କରିବାକୁ ପଡ଼େ । ନାଗା ସନ୍ୟାସୀ ହେବାର ମୂଳ ସିଦ୍ଧାନ୍ତ ହେଉଛି, ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା । ଏହି ନିୟମ ଭୌତିକ ଦୁନିଆ ଓ ଆସକ୍ତିରୁ ଦୂରେଇ ଗଭୀର ଆଧ୍ୟାତ୍ମିକ ଧ୍ୟାନରେ ଜୀବନ ବଞ୍ଚିବାକୁ ପ୍ରୋତ୍ସାହିତ କରେ । ନାଗା ସନ୍ୟାସୀଙ୍କ ଜୀବନଶୈଳୀ ମାନବୀୟ ଦୃଢ଼ତାର ଏକ ପ୍ରମାଣ, ଯାହା ସମ୍ପୂର୍ଣ୍ଣ ତ୍ୟାଗ ମାଧ୍ୟମରେ ଜ୍ଞାନର ଅନୁସନ୍ଧାନକୁ ଦର୍ଶାଏ ।

ମହିଳାମାନେ ମଧ୍ୟ ହୁଅନ୍ତି ନାଗା ସାଧୁ

ମହିଳା ନାଗା ସାଧୁ ହେବାର ପ୍ରକ୍ରିୟା ମଧ୍ୟ ବହୁତ କଷ୍ଟକର । ମହିଳା ନାଗା ସାଧୁମାନେ ସିଲେଇ ହୋଇ ନଥିବା ଗେରୁଆ ରଙ୍ଗର ଗୋଟିଏ ପୋଷାକ ପିନ୍ଧି ଥାଆନ୍ତି। ସେମାନେ ନିଜକୁ ଇଶ୍ବରଙ୍କ ଚରଣରେ ସମର୍ପି ଦେଇଥାଆନ୍ତି । ମହିଳା ନାଗା ସାଧୁମାନଙ୍କୁ ଅନେକ ବର୍ଷ ଧରି କଠିନ ତପସ୍ୟା କରିବାକୁ ପଡ଼େ । ଏହା ପରେ ଗୁରୁ ତାଙ୍କର ଧ୍ୟାନ ଏବଂ ସାଧନା ଦେଖିବା ପରେ ତାଙ୍କୁ ନାଗା ସାଧୁ ମାନ୍ୟତା ପ୍ରଦାନ କରନ୍ତି। ମହିଳା ନାଗାସାଧୁମାନେ କେବଳ ମାଘ ମେଳା, କୁମ୍ଭ ଓ ମହାକୁମ୍ଭ ମେଳା ଇତ୍ୟାଦି ସମୟରେ ପବିତ୍ର ନଦୀରେ ସ୍ନାନ କରିବାକୁ ବାହାରକୁ ଆସନ୍ତି ଏବଂ ଶୀଘ୍ର ନିଜ ନିଜ ଦୁନିଆକୁ ଫେରି ଯାଇଥାନ୍ତି ।

କୁମ୍ଭ ମେଳା ପରେ କୁଆଡ଼େ ଯାଆନ୍ତି ନାଗା ସାଧୁ ?

ହିନ୍ଦୁ ଆଧ୍ୟାତ୍ମିକତାର ତପସ୍ୱୀ ନାଗାସାଧୁ କୁମ୍ଭମେଳା ସମୟରେ ବହୁ ସଂଖ୍ୟାରେ ଏକତ୍ରୀତ ହୋଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିଥାଆନ୍ତି । ତେବେ କୁମ୍ଭମେଳା ସମାପନ ହେବା ପରେ ସାଧାରଣ ଜୀବନରୁ ଅଦୃଶ୍ୟ ହୋଇଯାଆନ୍ତି, ସେମାନଙ୍କ ଅବସ୍ଥାନ ସମ୍ପର୍କରେ କାହାକୁ କିଛି ଜଣାନଥାଏ । ନିର୍ଜନ ତଥା କଠୋର ଜୀବନଯାପନ ପାଇଁ ନାଗା ସାଧୁମାନେ ଜଣାଶୁଣା । ସାଂସାରିକ ମୋହମାୟା ଠାରୁ ଖୁବ ଦୂରରେ ରୁହନ୍ତି ଏମାନେ । କୁମ୍ଭମେଳା ପରେ ଏକାନ୍ତ ଓ ଆଧ୍ୟାତ୍ମିକ ସମୃଦ୍ଧି ସନ୍ଧାନରେ ଗଭୀର ଜଙ୍ଗଲକୁ ଯାତ୍ରା କରନ୍ତି । ରାତିର ଘନ ଅନ୍ଧକାରରେ ତାଙ୍କର ଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଲୋକମାନେ ଯେପରି ତାଙ୍କ ଯାତ୍ରା ସମ୍ପର୍କରେ ଅଜ୍ଞ ରହିବେ, ସେଥିପାଇଁ ରାତ୍ରୀ କାଳରେ ତାଙ୍କର ଯାତ୍ରା ଆରମ୍ଭ ହୁଏ ।