ପ୍ରଥା ଓ ପରମ୍ପରାର ରଶିରେ ବନ୍ଧା ଓଡିଶା ଏକ କୃଷିପ୍ରଧାନ ରାଜ୍ୟ। କୃଷିକୁ ନେଇ ପାଳନ ହୁଏ ସବୁ ପର୍ବ ପର୍ବାଣୀ। ଏଥି ମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏହାକୁ କେଉଁଠି ଅକ୍ଷିମୁଳି ଅନୁକୂଳ କୁହାଯାଏ ତ ପୁଣି କେଉଁଠି ମୁଠିପକା, ମୁଠିଛୁଆଁ ଆଦି କୁହାଯାଏ।
ସାରାଳା ମହାଭାରତର ବନପର୍ବରେ ଏହାକୁ ବସନ୍ତ ଉତ୍ସବ ଭାବେ ବର୍ଣ୍ଣନା କରାଯାଇଛି। ସାଧାରଣତଃ ବୈଶାଖ ଓ ଜ୍ୟେଷ୍ଠ ମାସକୁ ଗ୍ରୀଷ୍ମଋତୁ କୁହାଯାଏ। କିନ୍ତୁ ଏହାକୁ ବସନ୍ତ ଉତ୍ସବ କହିବାର କାରଣ ହେଉଛି, ଏହିଦିନ ସତ୍ୟଯୁଗ ଆରମ୍ଭ ହୋଇଥିଲା। ସାରଳା ଦାସ ଏହାକୁ ‘ଯୁଗାଦ୍ୟ ତିଥି’ ବୋଲି କହିଛନ୍ତି। ଏହି ଉତ୍ସବକୁ ସ୍ୱର୍ଗର ଇନ୍ଦ୍ରଭୁବନରେ ପାଳନ କରାଯାଇଥିଲା।
Also Read
‘ଭବିଷ୍ୟପୁରାଣ’ରେ ଶତାନିକ-ଯମ ସମ୍ବାଦରେ ‘ଅକ୍ଷୟ ତୃତୀୟା ବ୍ରତକଥା’ର ବର୍ଣ୍ଣନା କରାଯାଇଛି। ଏହାର ମୂଳ ଲେଖା ସଂସ୍କୃତରେ ହୋଇଥିବା ବେଳେ ଏହାକୁ ଓଡିଆରେ ଅନୁଦିତ କରାଯାଇଛି।
ବ୍ରତକଥା ଅନୁସାରେ, ଜଣେ ବ୍ରାହ୍ମଣ ଥିଲେ। ସେ ଦାନ ପୂଣ୍ୟ କରିବାକୁ ଭଲ ପାଉ ନଥିଲେ। ଭୋକରେ ଥିବା ଲୋକଙ୍କୁ ଖାଦ୍ୟ ଦେଉ ନଥିଲେ କି ଶୋଷରେ ଥିବା ବ୍ୟକ୍ତିଙ୍କୁ ପାଣି ଦେଉ ନଥିଲେ। କିନ୍ତୁ ତାଙ୍କ ପତ୍ନୀ ସୁଶୀଳା ଥିଲେ ଠିକ ତାଙ୍କ ବିପରୀତ। ସେ ଦାନ ପୁଣ୍ୟ କରିବାକୁ ଭଲ ପାଉଥିଲେ।
ବ୍ରାହ୍ମଣଙ୍କ ମୃତ୍ୟୁ ହେବା ପରେ ଯମଦୂତମାନେ ତାଙ୍କୁ ଯମପୁରକୁ ନେଇଗଲେ। ଯମରାଜ ବିଚାର କରି କହିଲେ- ଏ ବ୍ରାହ୍ମଣ କିଛି ଦାନ ପୁଣ୍ୟ କରି ନାହାନ୍ତି। କିନ୍ତୁ ତାଙ୍କ ପତ୍ନୀ ଦାନ ପୁଣ୍ୟ କରିଥିବାରୁ ସେ ପୁଣ୍ୟର ଅଂଶ ପାଇବେ । ଏନେଇ ଏ ନର୍କ ଭୋଗ କରିବେ ନାହିଁ।
ପରଜନ୍ମରେ ସେହି ବ୍ରାହ୍ମଣ ଜଣେ ବୈଷ୍ଣବ ଭାବେ ଜନ୍ମ ଗ୍ରହଣ କଲେ। ସୁଶୀଳା ମଧ୍ୟ ତାଙ୍କର ପତ୍ନୀ ହୋଇ ଜନ୍ମ ନେଲେ। ସ୍ୱାମୀ-ସ୍ତ୍ରୀ ଉଭୟ ଅକ୍ଷୟ ତୃତୀୟା ବ୍ରତ ପାଳନ କରି ପୁଣ୍ୟ ଅର୍ଜନ କଲେ ଏବଂ ଦୁହେଁ ସ୍ୱର୍ଗ ପ୍ରାପ୍ତ ହେଲେ ବୋଲି ପୁରାଣରେ ବର୍ଣ୍ଣନା ଅଛି।
ଏହା ବ୍ୟତୀୟ ମହାଭାରତରେ ମଧ୍ୟ ବର୍ଣ୍ଣନା ଅଛି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ବନ୍ଧୁ ସୁଦାମା ଦ୍ୱାରକାଧିଶଙ୍କୁ ଭେଟିଥିଲେ। ଶ୍ରୀକୃଷ୍ଣ ସୁଦାମାଙ୍କ ଆତିଥ୍ୟ ସ୍ୱୀକାର କରି ସେବା ମଧ୍ୟ କରିଥିଲେ। ଏହି ଦିନ ମା ଲକ୍ଷ୍ମୀଙ୍କ କୃପାରୁ ସୁଦାମା ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥିଲେ।