Advertisment

Teacher’s Day 2023: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Teachers Day 2023

The educational institution has been transformed from a two-room asbestos house into a mahadrum

Advertisment

ଉପାନ୍ତ ଅଞ୍ଚଳରେ ସେ ଆଣିଥିଲେ ଶିକ୍ଷା କ୍ଷେତ୍ରରେ ବିପ୍ଲବ। ଅଞ୍ଚଳବାସୀଙ୍କୁ ଏକତ୍ରିତ କରି ବନ୍ଧ ହାଟ ନିଲାମ ଟଙ୍କାରେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ଏହା କେବଳ ସମ୍ଭବ ହୋଇଛି ଜଣେ ଆଦର୍ଶ ଶିକ୍ଷକଙ୍କ ପାଇଁ। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।

Advertisment

୧୯୮୯ ମସିହାରେ ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଥିଲା ପରଜଙ୍ଗ ବ୍ଲକ୍‌ର ଏହି ସାଆନ୍ଦା ଅଞ୍ଚଳ। ଠିକ ସେହି ସମୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଅଣ୍ଟା ଭିଡିଥିଲେ ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ସ୍ଥାନୀୟ ବାସିନ୍ଦା ବୁଦ୍ଧିଜୀବୀମାନଙ୍କୁ ନେଇ ଗାଁ ଗାଁ ବୁଲି ଅର୍ଥ ଆଦାୟ କରି ସେ ଆରମ୍ଭ କରିଥିଲେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟ। ସେ ମାତ୍ର ଦୁଇ ବଖରା ଆଜବେଷ୍ଟସ ଘର ତିଆରି କରି ପିଲାଙ୍କୁ ଶିକ୍ଷାଦାନ ଦେବା ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

ଦୀର୍ଘ ବର୍ଷ ଧରି ପିଲାଙ୍କୁ ମାଗଣା ଶିକ୍ଷାଦାନ ଦେବା ପରେ ଶିଶିର ଦେହୁରୀ ସେଠାରେ ଅଧ୍ୟାପକ ଭାବରେ ଅବସ୍ଥାପିତ ହୋଇଥିଲେ। ଆଖପାଖ ଅଞ୍ଚଳର ପିଲା ହାତ ପାହନ୍ତାରେ କିଭଳି ଉନ୍ନତମାନର ପାଠ ପଢା ପାଇବେ ସେଥିପାଇଁ ୩୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ମଣିଷ ତିଆରି କାରଖାନାର ଉନ୍ନତି ପଛରେ ଲାଗିଛନ୍ତି ସେ।

Advertisment

ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ଶିଶିର ଦେହୁରୀ କଲେଜକୁ ଆସିବା ମାତ୍ରେ ପିଲାମାନେ କିଭଳି ପାଠ ପଢୁଛନ୍ତି ଅଧ୍ୟାପକ ଅଧ୍ୟାପିକାମାନେ ଠିକ ଭାବରେ ପାଠ ପଢାଉଛନ୍ତି କି ନାହିଁ ସେନେଇ ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଆଲୋଚନା ମଧ୍ୟ କରିଥାନ୍ତି। କଲେଜର ଇନ୍‌ଫ୍ରାଷ୍ଟ୍ରକ୍ଚର କିଭଳି ମଜବୁତ ହେବ ସେନେଇ ମଧ୍ୟ ସବୁବେଳେ ଚିନ୍ତିତ ଶିଶିର ଦେହୁରୀ।

ସବୁଠାରୁ ବଡ କଥା ହେଉଛି ଏହି କଲେଜରେ ଯେ କେବଳ ପୁସ୍ତକ ସମ୍ବଳିତ ପାଠପଢା ହୁଏ ତାହା ନୁହଁ ବରଂ ଏଠାକୁ ଆସୁଥିବା ପ୍ରତ୍ୟେକ ପିଲା କିଭଳି ଜୀବନରେ ଜଣେ ଭଲ ମଣିଷ ହେବେ ସେ ନେଇ ନିଜେ ଶିଶିର ଦେହୁରୀ ପିଲାଙ୍କୁ ପରିବାର ସଦସ୍ୟ ଭଳି ଶିଖାଇଥାନ୍ତି। ଯେଉଁଥିପାଇଁ କଲେଜ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଏଠାରେ ଏକ ନିଆରା ସମ୍ପର୍କ ଗଢି ଉଠିଛି।

Advertisment

ସେଇଥିପାଇଁ ଗ୍ରାମାଞ୍ଚଳ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରି ଥିବାରୁ ଶିଶିର ଦେହୁରୀଙ୍କୁ ରାଜ୍ୟପାଳ ଶିକ୍ଷା ସୃଜନଶୀଳତା ସମ୍ମାନରେ ସମ୍ମାନିତ ବି କରିଛନ୍ତି।

ମାତ୍ର ଦୁଇ ବଖରା ଆଜବେଷ୍ଟସ ଘରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଏବେ ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହାର ପ୍ରଚ୍ଛଦପଟରେ ସ୍ଥାନୀୟ ବାସିନ୍ଦା ବୁଦ୍ଧିଜୀବୀଙ୍କ ଅବଦାନ ମଧ୍ୟ ରହିଛି। ଏହି ମଣିଷ ତିଆରି କାରଖାନାର ବର୍ତ୍ତମାନ ଅଧ୍ୟକ୍ଷ ତଥା ଆଦର୍ଶ ଶିକ୍ଷକ ଭାବେ ପରିଚିତ ଶିଶିର ଦେହୁରୀଙ୍କ ଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରଛାତ୍ରୀ ଏବେ ଡାକ୍ତର, ଇଂଜିନିୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ଯାହା କଲେଜର ନାମକୁ ଆହୁରି ଗୌରବାନ୍ୱତ କରିଛି।

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

୧୯୮୯ ମସିହାରେ ପ୍ରଥମେ +୨ କଳାକୁ ନେଇ ମାତ୍ର ୧୨୮ ସିଟ୍‌ ବିଶିଷ୍ଟ ଏହି କଲେଜ ଆରମ୍ଭ ହୋଇଥିଲା। ଏବେ ଏହି କଲେଜରେ ଶିକ୍ଷାଦାନ କରୁଛନ୍ତି ଦୁଇ ହଜାରରୁ ଅଧିକ ପିଲା। ସେମାନଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ କଲେଜରେ ୪୫ ଜଣ ଅଧ୍ୟାପକ ଅଧ୍ୟାପିକା, ୪୦ଜଣ ନନ୍ ଟିଚିଙ୍ଗ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି।

ଅପହଞ୍ଚ ଇଲାକା ତଥା ଗ୍ରାମାଞ୍ଚଳରେ ଥିବା ଏଭଳି ଉନ୍ନତ ମାନର କଲେଜ ପାଇଁ ଆଖପାଖ ପ୍ରାୟ ୧୫ଟି ପଞ୍ଚାୟତର ପିଲା ଦୂର ସ୍ଥାନକୁ ଯିବା ବଦଳରେ ଏଠାରୁ ଶିକ୍ଷାଲାଭ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି। କାରଣ କଲେଜରେ ରହିଛି ଉନ୍ନତ ମାନର କ୍ଲାସ୍‌ରୁମ୍‌, ଲାଇବ୍ରେରୀ ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା।

ଶିଶିର ଦେହୁରୀଙ୍କ ସେହି ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ପାଇଁ ଆଜି ସାଆନ୍ଦା ସମେତ କୁମୁଷି, ରେଣ୍ଠାପାଟ, ପାଟରପଦା, ତୁମୁସିଙ୍ଗା ଓ ପରଜଙ୍ଗ ରୋଡ୍‌ ପଞ୍ଚାୟତର ଅନେକ ଛାତ୍ରଛାତ୍ରୀ ଏବେ ଏହି କଲେଜରେ ଉନ୍ନତ ମାନର ଶିକ୍ଷାଦାନ ପାଇ ପାରୁଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି।

ଅପହଞ୍ଚ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଆଦର୍ଶ ଶିକ୍ଷକ ଶିଶିର ଦେହୁରୀଙ୍କ ନିଷ୍ଠା ଓ ପ୍ରଚେଷ୍ଟା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଏଥିରେ ଦ୍ୱିମତ ନାହିଁ।

Teacher's Day In India Special Story Teacher's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ