Teacher’s Day 2023: ଭାରତର ୧୦ ମହାନ ଗୁରୁ, ଯେଉଁମାନଙ୍କ ପାଇଁ ଦେଶ ଗର୍ବ କରେ

ଗୁରୁ ବିନା ସଫଳତା ନାହିଁ। ଅନ୍ଧାରରେ ଆଲୋକ ଗୁରୁ ହିଁ ଦେଖେଇଥାନ୍ତି। ସେ ବତେଇ ଦେଇଥାନ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।

ଗୁରୁ ଦିବସରେ ଆସନ୍ତୁ ଜାଣିବା ୧୦ ମହାନ ଗୁରୁଙ୍କ ମହାନତା

ପ୍ରତିବର୍ଷ ସେପ୍ଟେମ୍ବର ୫ରେ ସାରା ଦେଶ ଗୁରୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଗୁରୁ ଦିବସ ପାଳନ କରେ। ସମସ୍ତ ଶୈକ୍ଷିକ ଅନୁଷ୍ଠାନରେ ଗୁରୁ ପୂଜନ ହୋଇଥାଏ। ପ୍ରତ୍ୟେକ ଦିନ ଗୁରୁଙ୍କୁ ସମ୍ମାନ ଦିଆଯାଉଥିଲେ ବି ଏହି ଦିନ ଗୁରୁଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଇଥାଏ।

ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରକାଶ କରି ତାଙ୍କୁ ବିକାଶର ମାର୍ଗରେ ନେବାରେ ଯାହାଙ୍କର ପ୍ରଧାନ ଭୂମିକା ଥାଏ ସିଏ ହେଲେ ଗୁରୁ। ବିନା ଗୁରୁରେ କେହି ସଫଳତା ପାଇପାରେନା। ନିଜ ଜୀବନରେ ଗୁରୁଙ୍କର ବିଶେଷ ଭୂମିକା ଥିବାରୁ ଗୁରୁଙ୍କୁ ଦିଆଯାଇଥାଏ ସର୍ବଶ୍ରେଷ୍ଠ ସ୍ଥାନ। ତେବେ ଆସନ୍ତୁ ପୁରାଣରେ ବର୍ଣ୍ଣିତ ଏମିତି କିଛି ଗୁରୁମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କର ଅବଦାନରେ ସେମାନଙ୍କ ଶିଷ୍ୟମାନେ ଆଜି ବି ଅବିସ୍ମରଣୀୟ।

ମହର୍ଷି ବାଲ୍ମୀକି:

ମହର୍ଷି ବାଲ୍ମୀକି ରାମାୟଣର ରଚୟିତା। ମହର୍ଷି ବାଲ୍ମୀକି ଅନେକ ଅସ୍ତ୍ରଶସ୍ତ୍ର ତିଆରି କରିଥିଲେ। ସେ ପ୍ରଭୁ ରାମ ଏବଂ ମାତା ସୀତାଙ୍କର ପୁତ୍ର ଲବ ଏବଂ କୁଶଙ୍କର ଗୁରୁ ଥିଲେ। ସେ ସେମାନଙ୍କୁ ଅସ୍ତ୍ରଶସ୍ତ୍ରର ଜ୍ଞାନ ଦେଇଥିଲେ।

ପର୍ଶୁରାମ:

ପର୍ଶୁରାମ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ ତାଙ୍କ ସ୍ୱଭାବ କାରଣରୁ କ୍ଷତ୍ରିୟ ହୋଇଥିଲେ। ପିତାମାତାଙ୍କ ଅପମାନର ପ୍ରତିଶୋଧ ନେବାକୁ ସେ ପୃଥିବୀରେ ଥିବା କ୍ଷତ୍ରିୟ ବଂଶର ସମସ୍ତ ରାଜାଙ୍କୁ ବିନାଶ କରିଥିଲେ। ପର୍ଶୁରାମଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, କର୍ଣ୍ଣ ପରି ମହାନ ମହାଭାରତ ଯୋଦ୍ଧାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ।

ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ:

ଶୁକ୍ରାଚାର୍ଯ୍ୟ ଦୈତ୍ୟମାନଙ୍କର ଗୁରୁ ଥିଲେ। ଶୁକ୍ରାଚାର୍ଯ୍ୟଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଶୁକ୍ର ଉଶନସ। ଭଗବାନ ଶିବ ଶୁକ୍ରାଚାର୍ଯ୍ୟଙ୍କୁ ସଞ୍ଜୀବନୀ ପ୍ରଦାନ କରିବାର ବରଦାନ ଦେଇଥିଲେ। ଏହାର ପ୍ରୟୋଗରେ ଜଣେ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରିବାର ଶକ୍ତି ତାଙ୍କର ଥିଲା। ଗୁରୁ ଶୁକ୍ରାଚାର୍ଯ୍ୟ ଦୈତ୍ୟମାନଙ୍କ ସହିତ ଦେବତାମାନଙ୍କୁ ମଧ୍ୟ ଶିକ୍ଷା ଦେଇଛନ୍ତି। ଦେବ ଗୁରୁ ବୃହସ୍ପତିଙ୍କ ପୁତ୍ର କଚ ତାଙ୍କର ଶିଷ୍ୟ ଥିଲେ।

ଗୁରୁ କୃପାଚାର୍ଯ୍ୟ:

ଗୁରୁ କୃପାଚାର୍ଯ୍ୟ ପାଣ୍ଡବଙ୍କର ଗୁରୁ ଥିଲେ। ପାଣ୍ଡବ ଏବଂ କୌରବଙ୍କୁ ଶିକ୍ଷା ଦେବା ପାଇଁ ଭୀଷ୍ମ ତାଙ୍କୁ ନିଯୁକ୍ତ କରିଥିଲେ। ପିତା ଗୌତମ ଶରଦ୍ୱାନଙ୍କ ପରି କୃପାଚାର୍ଯ୍ୟ ମଧ୍ୟ ତୀରନ୍ଦାଜରେ ପାରଙ୍ଗମ ଥିଲେ। ଏହା ସହିତ ସେ ଅମର ହେବାର ବରଦାନ ମଧ୍ୟ ପାଇଥିଲେ। ସେ ରାଜା ପରିକ୍ଷିତଙ୍କୁ ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ ଦେଇଥିଲେ।

ଆଦିଗୁରୁ ଶଙ୍କରାଚାର୍ଯ୍ୟ:

ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁମାନଙ୍କର ଧାର୍ମିକ ଶିକ୍ଷକ ଭାବରେ ବିବେଚନା କରାଯାଏ। ସେ କେରଳ ପ୍ରଦେଶର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୭ ବର୍ଷ ବୟସରେ ବେଦ ଶିକ୍ଷାରେ ପାରଙ୍ଗମ ହୋଇଯାଇଥିଲେ। ଶଙ୍କରାଚାର୍ଯ୍ୟ ଭାରତରେ ଅନେକ ମଠ ଏବଂ ଚାରୋଟି ପବିତ୍ର ଧାମର ପ୍ରତିଷ୍ଠା କରିଛନ୍ତି ଏବଂ ସନାତନ ଧର୍ମରେ ବିଶ୍ୱାସ କରାଯାଏ ଯେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ପ୍ରଭୁ ଭୋଳାନାଥଙ୍କ ଅବତାର ଥିଲେ।

ଗୁରୁ ବଶିଷ୍ଠ:

ମହର୍ଷି ବଶିଷ୍ଠ ସପ୍ତଋଷିମାନଙ୍କ ମଧ୍ୟରୁ ଅନ୍ୟତମ। ଗୁରୁ ବଶିଷ୍ଠ ଅଯୋଧ୍ୟାର କୁଳଗୁରୁ ଥିଲେ। ସେ ଏଠାରେ ରାଜପୁରୋହିତ ପଦରେ କାମ କରୁଥିଲେ। ତାଙ୍କ ଆଦେଶରେ ରାଜା ଦଶରଥ ପୁତ୍ରେଷ୍ଠି ଯଜ୍ଞ କରିବା ପରେ ଭଗବାନ ରାମ, ଲକ୍ଷ୍ମଣ, ଭାରତ ଓ ଶତ୍ରୁଘ୍ନଙ୍କ ଜନ୍ମ ହୋଇଥିଲା। ଅନେକ ସମୟରେ ଗୁରୁ ବଶିଷ୍ଠ ଓ ତାଙ୍କ ଶିଷ୍ୟ ରାମଙ୍କ ଉଦାହରଣ ଦିଆଯାଏ।

ଗୁରୁ ଦ୍ରୋଣାଚାର୍ଯ୍ୟ:

ଗୁରୁ ଦ୍ରୋଣାଚାର୍ଯ୍ୟ କୌରବ ଓ ପାଣ୍ଡବଙ୍କର ଗୁରୁ ଥିଲେ। ଯୁଦ୍ଧର ପ୍ରତ୍ୟେକ କୌଶଳ ଶିକ୍ଷା ଦେବାରେ ଗୁରୁ ଦ୍ରୋଣ ଭଲଭାବେ ପାରଙ୍ଗମ ଥିଲେ। ସେ ଦୁନିଆର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ଅର୍ଜୁନ ତାଙ୍କର ପ୍ରିୟ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ଏଥି ସହିତ, ଏକଲବ୍ୟ ମଧ୍ୟ ତାଙ୍କୁ ତାଙ୍କର ଗୁରୁ ଭାବରେ ବିବେଚନା କରିଥିଲେ।

ମହର୍ଷି ବେଦବ୍ୟାସ:

ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଉଥିବା ମହର୍ଷି ବେଦବ୍ୟାସଙ୍କୁ ପ୍ରଥମ ଗୁରୁ ଭାବରେ ଗଣାଯାଏ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ମହର୍ଷି କୃଷ୍ଣଦୈପାୟନ ବେଦବ୍ୟାସ। ତାଙ୍କୁ ବେଦ ବିଭାଜନ କରିବାର ଶ୍ରେୟ ଦିଆଯାଏ। ଗୁରୁ ପୂର୍ଣ୍ଣିମା ଦିନ ହିଁ ବ୍ୟାସ ପୂଜା କରାଯାଏ। ବେଦବ୍ୟାସ ହିଁ ଋଷି ଜୈମିନ, ବୈଶମ୍ପାୟନ, ମୁନି ସୁମନ୍ତୁ, ରୋମହର୍ଷଣଙ୍କୁ ଶିକ୍ଷା ଦେଇଥିଲେ।

ଗୁରୁ ବିଶ୍ୱାମିତ୍ର:

ରାମାୟଣ କାଳରେ ଗୁରୁ ବିଶ୍ୱାମିତ୍ର ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ଅନେକ ଅସ୍ତ୍ର ଶିକ୍ଷା ଦେଇଥିଲେ। ସେ ଋଷି ଭୃଗୁଙ୍କ ବଂଶଧର ଥିଲେ।

ଗୁରୁ ବୃହସ୍ପତି:

ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ଭାବରେ ବିବେଚନା କରାଯାଏ। ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ଶିବ ବୃହସ୍ପତିଙ୍କୁ ଦେବ ଗୁରୁ ଆଖ୍ୟା ଦେଇଥିଲେ। ସେ ତାଙ୍କ ଜ୍ଞାନର ଶକ୍ତି ଦ୍ୱାରା ଦେବତାମାନଙ୍କୁ ମାର୍ଗଦର୍ଶନ କରୁଥିଲେ, ସେମାନଙ୍କୁ ଧର୍ମ ଏବଂ ନୈତିକତାର ଶିକ୍ଷା ଦେଉଥିଲେ।