ନୂଆଦିଲ୍ଲୀ: ସେ ନିଜେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ, ଆଉ କହୁଥିଲେ ଗୁରୁମାନେ ହିଁ ନିଜର ମେଧାଶକ୍ତି ବଳରେ ଏ ଦେଶକୁ ଦିଶା ଓ ଦିଗ ଦେଖାଇ ପାରିବେ। ଏମିତି ଜଣେ ମଣିଷ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି।
୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡ଼ୁର ତିରୁତାନିରେ ଏକ ତେଲୁଗୁ ଭାଷାଭାଷୀ ବ୍ରାହ୍ଣଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏସ୍ ରାଧାକ୍ରିଷ୍ଣନ। ସେତେବେଳେ ଏହି ସ୍ଥାନଟି ଥିଲା ମାଡ୍ରାସ ପ୍ରେସିଡେନ୍ସୀ ଅଧୀନରେ, ଯାହାକି ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶ ଏବଂ ଏବେ ପୁଣି ତାମିଲନାଡୁ ରାଜ୍ୟରେ ରହିଛି। ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରସ୍ୱାମୀ ଆଉ ମାଆ ଥିଲେ ସର୍ବପଲ୍ଲୀ ସୀତା ମା’। ରାଧାକ୍ରିଷ୍ଣନଙ୍କ ପିଲାଦିନ କଟିଥିଲା ଦେବସ୍ଥାନ ତିରୁପତି ସହରରେ। ବାପା ଭୀରସ୍ୱାମୀ ଜଣେ ଜମିଦାରଙ୍କ ପାଖରେ ରାଜସ୍ୱ ଅଧିକାରୀ ଭାବେ ଚାକିରି କରୁଥିଲେ। ଛୋଟ ବେଳୁ ହିଁ ରାଧାକ୍ରିଷ୍ଣନ ଖୁବ୍ ମେଧାବୀ ଥିଲେ। ତେଣୁ ସ୍କୁଲରେ ଶିକ୍ଷକଙ୍କଠାରୁ ଆରମ୍ଭ କରି ସାଙ୍ଗସାଥୀଙ୍କ ପାଖରେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ।
୧୯୦୯ ମସିହାରେ ସେ ଦର୍ଶନଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମେ ସହକାରୀ ପ୍ରଫେସର ଭାବେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ୧୯୧୮ ମସିହାରୁ ୨୧ ମସିହା ପର୍ଯ୍ୟନ୍ତ ରାଧାକ୍ରିଷ୍ଣନ ମହୀଶୂର ବିଶ୍ୱବିଦ୍ୟାଳୟରେ ଏବଂ ପରେ ୧୯୨୧ରୁ ୧୯୩୨ ମସିହା ପର୍ଯ୍ୟନ୍ତ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ ପିଲାଙ୍କୁ ପାଠ ପଢ଼ାଇଥିଲେ। ପରେ ପ୍ରଥମ ଭାରତୀୟ ଭାବରେ ରାଧାକ୍ରିଷ୍ଣନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏଥିସହ ଚିକାଗୋ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଶିକ୍ଷକତା କରିଥିଲେ।
Also Read
ରାଧାକ୍ରିଷ୍ଣନ ଥିଲେ ମିଷ୍ଟଭାଷୀ ଓ ନମ୍ର ପ୍ରକୃତିର ମଣିଷ। ନିଜର ମଧୁର ବ୍ୟବହାର ଓ ନିଷ୍ଠାପର କାର୍ଯ୍ୟଶୈଳୀ ପାଇଁ ସେ ସମସ୍ତଙ୍କ ଭିତରେ ଖୁବ୍ ପରିଚିତ ଥିଲେ। କୌଣସି ବି ସ୍ଥାନରେ ଓ ପେସାରେ ଥାଇ, ସେ ରାଷ୍ଟ୍ର ପ୍ରତି ତାଙ୍କର କର୍ତ୍ତବ୍ୟବୋଧକୁ ଭୁଲିନଥିଲେ।
ରାଧାକ୍ରିଷ୍ଣନ ୧୯୨୮ ମସିହାରେ ଯେତେବେଳେ ତାଙ୍କୁ ପାଖାପାଖି ୪୦ ବର୍ଷ ବୟସ, ରାଧାକ୍ରିଷ୍ଣନଙ୍କ ଜୀବନରେ ଆସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ସେ ପ୍ରବେଶ କରନ୍ତି ସକ୍ରିୟା ରାଜନୀତିରେ। ୧୯୩୧ ମସିହାରେ ସେ League of Nations Committee for Intellectual Cooperation କୁ ମନୋନୀତ ହୁଅନ୍ତି। ୧୯୪୬ ମସିହାରୁ ୧୯୫୨ ପର୍ଯ୍ୟନ୍ତ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ଭାବେ କାମ କରିଥିଲେ। ପରେ ସୋଭିଏତ୍ ଋଷରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ ୧୯୫୨ରେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ ୧୯୬୨ରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଥିଲେ।
ରାଧାକ୍ରିଷ୍ଣନ ନିଜେ ଜଣେ ଉତ୍ତମ ଗୁରୁ ଥିଲେ। ଜୀବନ ସାରା ସେ ତିଆରି କରିଥିଲେ ହଜାର ହଜାର ଛାତ୍ରଛାତ୍ରୀ। ସେ ଯେତେବେଳେ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କଲେ, ତାଙ୍କର କିଛି ବନ୍ଧୁ ଓ ଛାତ୍ର, ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ। ଡକ୍ଟର ରାଧାକ୍ରିଷ୍ଣନ ସେତେବେଳେ ଉତ୍ତର ଫେରାଇଥିଲେ- ମୋ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ, ଆପଣମାନେ ବରଂ ସେପ୍ଟେମ୍ବର ୫କୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରିଦିଅନ୍ତୁ। ଏହିଦିନ ଟିଚର୍ସ ଡେ ବା ଗୁରୁ ଦିବସ ଭାବେ ପାଳନ କର। ସେହିବର୍ଷଠାରୁ ଅର୍ଥାତ ୧୯୬୨ ମସିହାରୁ ଏବେଯାଏ ସବୁବର୍ଷ ସେପ୍ଟେମ୍ବର ୫ ତାରିଖ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି।
ନିଜର ଜନ୍ମଦିନକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରିଦେଇଥିବା ଆମ ଦେଶର ଏହି ମହାନ ଗୁରୁଙ୍କୁ ଆଜି ଶତ ଶତ ପ୍ରଣାମ।