Advertisment

Dola Jatra 2024: ଦୋଳମଣ୍ଡପରେ କାହିଁକି ପୂଜା ପାଆନ୍ତି ଦୋଳଗୋବିନ୍ଦ ଓ ଭୂଦେବୀ-ଶ୍ରୀଦେବୀ

ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ।

ଅଦ୍ୟତନ ହୋଇଛି
Special dola jatra in Puri temple

Special dola jatra in Puri temple

Advertisment

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା କୁହାଯାଏ। ସାଧାରଣତଃ ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଲେ ରାଧା ଓ କୃଷ୍ଣ। ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମିଉଠେ। ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁର।

Advertisment

ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାକୁ ବାଦଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ସ୍ୱତନ୍ତ୍ର ପର୍ବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁସବୁ କଥା ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ମଧ୍ୟ ରହିଛି। ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ୱାସ ରହିଛି।

ଜଗନ୍ନାଥଙ୍କୁ ବିଭିନ୍ନ ମାସରେ ବିଭିନ୍ନ ନାମରେ ପୂଜା କରାଯାଇଥାଏ। ସେଥିମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ହେଉଛି ଗୋବିନ୍ଦ। ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ଜଣାଶୁଣା। ଗରୁଡ ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ। ଫଗୁଦଶମୀ ତିଥିରୁ ଫଗୁଖେଳ ଓ ଦୋଳରେ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହେଇଥାଏ। ଦୋଳବେଦୀରେ ମଦନମୋହନ ଓ ଲକ୍ଷ୍ମୀ ବିଜେ କରିଥାନ୍ତି। ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ଏହାର ଗୁରୁତ୍ୱ ବିଶେଷ ଭାବରେ ରହିଛି।

Advertisment

ଶ୍ରୀକ୍ଷେତ୍ର ପୁରୀରେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରାଯାଏ। ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ। ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି। ଏହି ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ। ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ। ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି।

ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତିପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ। ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି। ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି। ପୂଜାର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିଆସନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ। ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ।

Advertisment

ଅନେକଙ୍କ ମତରେ ଶ୍ରୀଚୈତନ୍ୟଙ୍କ ଦୀର୍ଘ ରହଣୀ ଏବଂ ଶ୍ରୀଜଗନ୍ନାଥଙ୍କୁ ବୃନ୍ଦାବନ ବିହାରୀ ରୂପେ ଏକ କରିଦେବା ହିଁ ଶ୍ରୀଜଗନ୍ନାଥ ମନ୍ଦିରରେ ବୈଷ୍ଣବ ବିଚାର ପ୍ରବେଶର ମୁଖ୍ୟ ସମୟ। ମାତ୍ର ଯାହା ଜଣାଯାଉଛି, ବହୁ ଆଗରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକକରି ଦେଖିବାର ପ୍ରୟାସ ସାଧୁସନ୍ଥମାନେ କରିଆସିଥିଲେ।

୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା ଏବଂ ଚତୁର୍ଦ୍ଧା ବିଗ୍ରହଙ୍କୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା। କିନ୍ତୁ ଠାକୁରମାନେ ଦୋଳି ଖେଳିବାବେଳେ ହଠାତ ଦୋଳିର ଗୋଟିଏ ପଟ ଛିଣ୍ଡି ପଡ଼ିବା ଫଳରେ ବଳଭଦ୍ରଙ୍କ ବିଗ୍ରହର ଗୋଟିଏ ପଟ ହାତରେ କିଛି ଅଂଶ ସାମାନ୍ୟ ଭଗ୍ନ ହୋଇଥିଲା।

ଏହାବ୍ୟତୀତ ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଜଗନ୍ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ତିଆରି ଦୋଳଗୋବିନ୍ଦ, ରାଧାରାଣୀଙ୍କ ପ୍ରତିନିଧି ଭାବେ ମା’ ଭୂଦେବୀ ଓ ଶ୍ରୀଦେବୀଙ୍କ ବିଗ୍ରହକୁ ଦୋଳବେଦୀକୁ ନେବା ବିଧି ପ୍ରଚଳନ କରାଯାଇଛି। ସେହି ପରଠାରୁ କପିଳେନ୍ଦ୍ର ଦେବ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରି ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରିଥିଲେ।

Dola Purnima Dola Dola Melana Puri Shrimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ