ରୁକ୍ମିଣୀ ହରଣ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ଲକ୍ଷ୍ମୀଙ୍କର ବିବାହ ପରେ, ଶ୍ରୀ ଜଗନ୍ନାଥ ତାଙ୍କ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ସ୍ନାନବେଦିକୁ ଆସନ୍ତି ସ୍ନାନ ଉତ୍ସବ ପାଇଁ। ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଜ୍ଵର ରୋଗରେ ପୀଡ଼ିତ ହୋଇ ଅଣସର ଘରେ ରୁହନ୍ତି। ଅଣସର ଘରୁ ବାହାରିବା ପରେ ବଡ଼ ଭାଇ ବଳଭଦ୍ର ଓ ସାନଭଉଣୀ ସୁଭଦ୍ରାଙ୍କୁ ଧରି ରଥଯାତ୍ରାରେ ଜନ୍ମବେଦିକୁ ବୁଲିବାକୁ ଚାଲି ଯାଆନ୍ତି। ସେତେବେଳକୁ ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଁଠାଳ ଫିଟିନଥାଏ। ମହାପ୍ରଭୁଙ୍କ ଦର୍ଶନ ଲାଭ ପାଇଁ ମହାଲକ୍ଷ୍ମୀଙ୍କ ମନ ବ୍ୟାକୁଳ, ବିବ୍ରତ, ବ୍ୟତିବ୍ୟସ୍ତ ହୋଇଉଠେ। ବିରହ ବିଧୁରା ମାଆ ମହାଲକ୍ଷ୍ମୀ, ମାଆ ବିମଳାଙ୍କ ପରାମର୍ଶରେ ହେରାପଞ୍ଚମୀ ଦିନ ରାତିରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରନ୍ତି। ମାଆ ମୁଖଶୃଙ୍ଗାର କରି ପାଟଶାଢ଼ି ଅଳଙ୍କାରରେ ଭୂଷିତା ହୋଇଥାଆନ୍ତି ।
ମାଆ ଲକ୍ଷ୍ମୀଙ୍କର ଅଭିମାନ
ଶ୍ରୀଗୁଣ୍ଡିଚା ମନ୍ଦିରରେ ଉପନୀତ ହେବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମାଆ ଲକ୍ଷ୍ମୀ ଠାକୁରାଣୀ, ଅପମାନ ଓ ରାଗରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ନିରାଡ଼ମ୍ବର ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି। ପରମ୍ପରା ଅନୁଯାୟୀ ମାଆ ମହାଲକ୍ଷ୍ମୀ ହେରାପଞ୍ଚମୀ ରାତିରେ ବିମାନରେ ସିଂହଦ୍ଵାର ଦେଇ ଯାତ୍ରା କରନ୍ତି। ଶ୍ରୀମନ୍ଦିରରୁ ବାହାରିବା ପରେ ଘଣ୍ଟଘଣ୍ଟା କାହାଳୀର ଅନନ୍ୟ ନାଦରେ ଶୋଭାଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି। ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ଜୟବିଜୟ ଦ୍ଵାର ନିକଟରେ ପହଞ୍ଚି ଦେଖନ୍ତି ଯେ, ମହାପ୍ରଭୁଙ୍କର ସନ୍ଧ୍ୟାଦୀପ ଚାଲିଛି। ଜୟବିଜୟ ଦ୍ଵାର ପାଖରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ତାପରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଲକ୍ଷ୍ମୀଙ୍କ ପାଖରେ ପହଞ୍ଚାଯାଏ। ଧୂପ ଚାଲିଥିବାରୁ ଦୁଇଟିଯାକ ଦ୍ଵାର ତତ୍କ୍ଷଣାତ୍ ବନ୍ଦ କରିଦିଆଯାଏ। ମାଆ ଲକ୍ଷ୍ମୀ ଠାକୁରାଣୀ ଅପମାନ ବାଣରେ ଜର୍ଜରିତା ହୋଇ, ନାକଚଣା ଦ୍ୱାର ଦେଇ ବାହାରକୁ ଆସନ୍ତି। ରାଗରେ ଜରଜର ହୋଇ ରଥକାଠ ଖଣ୍ଡେ ଭାଙ୍ଗିଦିଅନ୍ତି। ଗଲାବେଳେ ଯେଉଁ ଘଣ୍ଟଘଣ୍ଟା କାହାଳୀରେ ଶୋଭାଯାତ୍ରା ଋଦ୍ଧିମନ୍ତ ହେଉଥିଲା, ଫେରିବା ବେଳେ ତାହା ନଥାଏ। କ୍ରୋଧ ଜର୍ଜରିତ ହୋଇ ବଡ଼ଦାଣ୍ଡ ଦେଇ ନଆସି ହେରାଗୋହିରି ସାହି ଦେଇ ବିଳମ୍ବିତ ରାତିରେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ଫେରନ୍ତି।
Also Read
ହେରାପଞ୍ଚମୀ ନୀତି
ଏହି ହେରାପଞ୍ଚମୀ ନୀତି ରଥଯାତ୍ରାର ପଞ୍ଚମ ଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୁଏ। ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ମାଆ ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି। ତା’ ପରେ ବନକଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତିଭୋଗ ପୂଜାପଣ୍ଡା କରନ୍ତି। ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି। ବିମାନବଡୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ଵାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି। ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି। ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି।
ଇତିମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି। ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟବିଜୟ ଦ୍ଵାରଠାକୁ ଆସିଥାନ୍ତି। ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି। ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ଵାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି। ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ। ସେବକଙ୍କ ଭିତରୁ ଜଣେ ରଥର କାଠ ଖଣ୍ଡିଏ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି।
ବିଧି ମୁତାବକ ହେରାପଞ୍ଚମୀ ପର ଦିନ ପ୍ରଭୁଙ୍କ ଆଜ୍ଞାମାଳ ମିଳିଲା ପରେ ଶରଧାବାଲିରେ ରଥମାନଙ୍କର ଦକ୍ଷିଣ ମୋଡ଼ କରାଯାଏ।
ନାକଚଣା ଦ୍ଵାର କ’ଣ
ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରିର ସମ୍ମୁଖ ଭାଗରେ ରହିଛି ଦୁଇଟି ଦ୍ୱାର। ଗୋଟିଏ ‘ସିଂହଦ୍ୱାର’ ଓ ଅନ୍ୟଟି ‘ନାକଚଣା ଦ୍ୱାର’। ରଥଯାତ୍ରା ଦିନ ତିନିରଥ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରେ ଲାଗେ। ସେଇ ବାଟରେ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ଆଡ଼ପ ମଣ୍ଡପରେ ବିଜେ ହୁଅନ୍ତି। ଏଣୁ ଏହା ଗୁଣ୍ଡିଚା ମନ୍ଦିରର ମୁଖ୍ୟ ପ୍ରବେଶଦ୍ୱାର।
କିନ୍ତୁ ଏହି ଦ୍ୱାରର ପୂର୍ବ ପଟକୁ, ଆଉ ଏକ ଦ୍ୱାର ରହିଛି। ଏହା ହେଉଛି, ଗୁଣ୍ଡିଚା ମନ୍ଦିରର ଦ୍ୱିତୀୟ ଦ୍ୱାର। ତିନିରଥ ଦକ୍ଷିଣ ମୋଡ଼ ହୋଇ ଏହି ଦ୍ୱାର ସାମ୍ନାକୁ ଆସିଥାଆନ୍ତି ଏବଂ ଏହି ଦ୍ୱାର ଦେଇ ଧାଡ଼ିପହଣ୍ଡିରେ ଆସି ଠାକୁରମାନେ ବାହୁଡ଼ା ଯାତ୍ରା ପାଇଁ ରଥରେ ବିଜେ ହୁଅନ୍ତି। ଏଣୁ ଏହା ଠାକୁରମାନଙ୍କର ପ୍ରସ୍ଥାନ ଦ୍ୱାର। ଏହାର ଲୋକପ୍ରିୟ ନାମ ‘ନାକଚଣା ଦ୍ୱାର’। ଏହି ଦ୍ୱାରର ନାମ ‘ନାକଚଣା ଦ୍ୱାର’ କିପରି ହେଲା, ସେ ସଂପର୍କରେ କାହାଣୀ, କିମ୍ବଦନ୍ତୀ ଶୁଣିବାକୁ ମିଳେ।
ଏହା ମଧ୍ୟରୁ ଗୋଟିଏ କିମ୍ବଦନ୍ତୀ ହେଉଚି, ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ବେଳେ, ସଂଧ୍ୟାଧୂପର ‘ଟେରା’ ପଡ଼ିଯିବାରୁ ସେ କ୍ରୋଧାନ୍ୱିତ ହୋଇଥିଲେ। ସେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିଥିଲେ ହେଁ, ରାଗରେ ଦକ୍ଷିଣ ଦ୍ୱାର ଦେଇ ବାହାରି ଯାଇଥିଲେ। ସେହି ବାଟେ ତରତର ହୋଇ ବାହାରି ଯିବାବେଳେ ତାଙ୍କ ନାକରୁ ନାକ ଅଳଙ୍କାରଟି ଖସି ପଡ଼ିଥିଲା। ସେହି ଅଳଙ୍କାର ‘ଚଣା’ ଆକୃତିର ହୋଇଥିବାରୁ, ତାହାର ସ୍ମୃତିରେ ଦ୍ୱାରର ନାମ ‘ନାକଚଣା’ ହେଲା। ଅନ୍ୟ ପ୍ରସିଦ୍ଧ କିମ୍ବଦନ୍ତୀଟି ହେଉଛି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀ ଗୁଣ୍ଡିଚା ନାକରେ ପିନ୍ଧୁଥିବା ସୁନାର ‘ନାକଚଣା’ରେ ହୀରା ଖଚିତ ହୋଇଥିଲା। ତେଣୁ ତାହା ବହୁମୂଲ୍ୟ ଥିଲା। ତାହାକୁ ବିକ୍ରୟ କରି ସେହି ଅର୍ଥରେ ଗୁଣ୍ଡିଚା ରାଣୀ ମନ୍ଦିରର ଏହି ଦ୍ୱିତୀୟ ଦ୍ୱାର ନିର୍ମାଣ କରାଇଥିଲେ। ତେଣୁ ତାହା ‘ନାକଚଣା ଦ୍ୱାର’ ନାମରେ ପ୍ରସିଦ୍ଧ ହେଲା।