Astrospeak
  • Live TV
  • Read In English

Snana Purnima 2024: ପରମ୍ପରାରେ ନିଆରା ପଟିଦିଅଁ; ଜାଣନ୍ତୁ କିପରି ଓ କିଏ ତିଆରି କରନ୍ତି ଠାକୁରଙ୍କ ଅଣସର ପଟି

ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଜଣାଶୁଣା। ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଏହି ଅଣସର ପଟି।

Snana Purnima 2024 Patti puja in Srimandir know how to make Ansar Patti
ପରମ୍ପରାରେ ନିଆରା ପଟିଦିଅଁ; ଜାଣନ୍ତୁ କିପରି ଓ କିଏ ତିଆରି କରନ୍ତି ଠାକୁରଙ୍କ ଅଣସର ପଟି

ସ୍ନାନ ବିଧି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେକରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।

ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ୧୫ ଦିନ ଧରି ଉପଚାର ହୁଅନ୍ତି। ଏନେଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି କାଳକୁ ଅଣସର ବା ଅନବସର କୁହାଯାଏ।

ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜିଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ଜ୍ୱର ହୁଏ। ଜ୍ୱର ହେବାପରେ ଶ୍ରୀଜିଉମାନଙ୍କୁ ଉପଚାର କରିବା ପାଇଁ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି।

ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ। ଅଣସର ଘରେ କେବଳ ଦଇତା ସେବକମାନେ ସେବାକାର୍ଯ୍ୟ କରନ୍ତି। ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚଉଦଦିନ ଧରି କରାଯାଇଥାଏ।

ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣଙ୍କୁ ପୂଜା କରାଯାଏ।

କିପରି ହୁଏ ପଟିଦିଅଁ:

ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିର ନୁହେଁ। କାଠ ନିର୍ମିତ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚାରି ହାତ ଓ ଦୁଇ ପାଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି।

ବଳଭଦ୍ରଙ୍କୁ ଧଳା ରଙ୍ଗରେ ଚିତ୍ରିତ କରାଯାଇଥାଏ। ସେ ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ହଳ ଧରିଥାଆନ୍ତି। ହଳଦିଆ ରଙ୍ଗରେ ଚିତ୍ରିତ ସୁଭଦ୍ରା ଉପର ଦୁଇ ହାତରେ ପଦ୍ମ ଧରିଥିବା ବେଳେ ତଳ ଦୁଇ ହାତ ବରଦା ମୁଦ୍ରାରେ ଥାଏ। ଜଗନ୍ନାଥଙ୍କୁ କଳା ରଙ୍ଗ କରାଯାଇଥିବା ବେଳେ ସେ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି। ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ ନାଲି ରଙ୍ଗ ହୋଇଥାଏ।

କେଉଁମାନେ କରନ୍ତି ପଟିଦିଅଁ:

ଅଣସର ପଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାର ସହ ପ୍ରସ୍ତୁତ କରିଥାଆନ୍ତି। ଚିତ୍ର କରିବା ସମୟତକ ସେମାନେ ନିରାମିଷ ଭକ୍ଷଣ କରନ୍ତି। କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନ ଥାଏ। ଚିତ୍ର ପାଇଁ ଧଳାରଙ୍ଗ ଶଂଖରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ପାଇଁ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ।

ମନ୍ଦିରକୁ କିପରି ଆସେ ପଟିଦିଅଁ:

ସ୍ନାନ ପୂର୍ଣ୍ଣିମା ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ। ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ।

ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି। ବଳଭଦ୍ରଙ୍କ ଆସ୍ଥାନ ନିକଟରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ନିକଟରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି।