overall information about puri rath yatra
ତାଙ୍କର ଡୋରି ନ ଲାଗିଲେ କୁଆଡେ ତାଙ୍କ ଶ୍ରୀମନ୍ଦିରକୁ ବି ଯାଇହୁଏନି। ତାଙ୍କର ସେଇ ଚକା ଚକା କଳା ଆଖିକୁ ଦେଖିବାକୁ ଧାଇଁଯାଏ ଭକ୍ତ। ହେଲେ ସେ ତ ନିଜେ ଭକତ ଭାବରେ ବନ୍ଧା। ଭକ୍ତକୁ ଦେଖିବାକୁ ସେ ବାହାରି ଆସନ୍ତି ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ। ସେ ଉତ୍କଳ ପ୍ରଦେଶର ବଡ଼ଠାକୁର କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ। ସେ ଏ ମାଟିର ମଉଡମଣି। ସାଧାରଣ ପ୍ରଜାଠାରୁ ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ସେବକ। ଓଡ଼ିଶା ତାଙ୍କର ଘର। କିନ୍ତୁ ସେ ଜଗତର ପ୍ରଭୁ। ସେ ମହାବାହୁ। ତାଙ୍କର ଦେଉଳ, ଭୋଗ, ରଥ, ଦାଣ୍ଡ, ସଡ଼କ, ସବୁ ବଡ଼। ତାଙ୍କ ଦେଉଳରେ ବାର ମାସରେ ତେର ଯାତ୍ରା ହୁଏ। ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣୀ, ଯାତ୍ରା ଉତ୍ସବ ମଧ୍ୟରେ ରଥଯାତ୍ରା ପୃଥିବୀ ବିଖ୍ୟାତ।
ନବଦିନ ଯାତ୍ରା
ରଥଯାତ୍ରା ଓଡ଼ିଶାର ଏକ ସାର୍ବଜନୀନ ଯାତ୍ରା। ଏହି ଯାତ୍ରାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଭାଗ ନଅନ୍ତି। ଏହି ଅବସରରେ ଓଡ଼ଶାର ସବୁ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହୁଏ। ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ଅନୁକରଣରେ କେତେକ ଅଞ୍ଚଳରେ ତନୋଟି ରଥ ହୁଏ ଓ ଆଉ କେତେକ ସ୍ଥାନରେ ଗୋଟିଏ ରଥ ହୁଏ। ଏହା ନଅ ଦିନ ଧରି ପାଳନ ହୁଏ। ଏହାକୁ ନବଦିନ ଯାତ୍ରା କହନ୍ତି।
କେବେ ପାଳନ ହୁଏ ରଥଯାତ୍ରା
ଆଷାଢ଼ ମାସ ଶୁକ୍ଲ ଦିତ୍ୱୀୟା ତିଥିରେ ରଥଯାତ୍ରା ହୁଏ I ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଯାତ୍ରା। ଏହାକୁ ଉଭାଯାତ୍ରା, ଗୁଣ୍ଡିଚା ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କୁହାଯାଏ। ଠାକୁରମାନେ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ସେଠାରେ ସାତଦିନ ରହି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା କରନ୍ତି। ଦିତ୍ୱୀୟାଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଦର୍ଶନକୁ ‘ଆଡ଼ପ ଦର୍ଶନ’ କୁହାଯାଇଥାଏ। ପଞ୍ଚମୀ ତଥିରେ ହେରାପଞ୍ଚମୀ ପାଳନ ହୁଏ।
ତିନି ରଥରେ ତିନି ଠାକୁର
ତିନି ଠାକୁରଙ୍କ ପାଇଁ ତିନୋଟି ରଥ ତିଆରି ହୁଏ। ଶ୍ରୀଜଗନ୍ନାଥଙ୍କ ରଥର ନାମ 'ନନ୍ଦିଘୋଷ'। ଏହାର ଶିଖର ଦେଶରେ ଚକ୍ର ଓ ଗରୁଡ଼ ଥିବାରୁ ନନ୍ଦିଘୋଷ ରଥକୁ ଚକ୍ରଧ୍ୱଜ ଓ ଗରୁଡଧ୍ୱଜ କୁହାଯାଏ। ଏହାର ଉଚ୍ଚତା ତେଇଶ ହାତ। ଏଥିରେ ଷୋଳଟି ଚକ ଥାଏ। ରଥର ଉପର ଭାଗରେ ହଳଦିଆ କନା ଘୋଡ଼ା ହୋଇଥାଏ। କାରଣ ଶ୍ରୀଜଗନ୍ନାଥଙ୍କ ନାମ ପୀତାମ୍ବର।
ଶ୍ରୀ ବଳଭଦ୍ରଙ୍କ ରଥର ନାମ 'ତାଳଧ୍ୱଜ'। ଏହାର ଉଚ୍ଚତା ବାଇଶ ହାତ। ଏଥିରେ ଚଉଦଟି ଚକ ଥାଏ। ରଥର ଉପର ଭାଗ ନୀଳ ବସ୍ତ୍ରରେ ଆବୃତ ଥାଏ। କାରଣ ବଳଦେବଙ୍କ ଅନ୍ୟ ନାମ ହେଉଛି ନୀଳାମ୍ବର।
ମାଆ ସୁଭଦ୍ରାଙ୍କ ରଥର ନାମ 'ଦର୍ପଦଳନ'। ଏହାର ଅନ୍ୟ ନାମ ହେଉଛି ଦେବଦଳନ, ପଦ୍ମଧ୍ୱଜ ଓ ଦେବୀରଥ। ଏହି ରଥର ଉଚ୍ଚତା ଏକୋଇଶ ହାତ। ଏଥିରେ ବାରଟି ଚକ ଥାଏ। ରଥର ଉପର ଭାଗ ଗାଢ଼ ରକ୍ତବର୍ଣ୍ଣ କନାରେ ଘୋଡ଼ା ହୋଇଥାଏ। କାରଣ ଦେବୀ ସୁଭଦ୍ରା ହେଲେ ରକ୍ତାମ୍ବରୀ।
ପହଣ୍ଡିବିଜେ
ସ୍ନାନ ପୂର୍ଣ୍ଣିମା ପରଠାରୁ ଠାକୁରମାନେ ପନ୍ଦର ଦିନ ଅଣବସର ଘରେ ରହିବା ପରେ ରଥପୂର୍ବଦିନ ସର୍ବସାଧାରଣଙ୍କୁ ଦର୍ଶନ ଦିଅନ୍ତି। ସେଦିନର ଉତ୍ସବକୁ 'ନେତ୍ରୋତ୍ସବ' ଓ ଦର୍ଶନକୁ 'ନବଯୌବନ ଦର୍ଶନ' କୁହାଯାଏ। ରଥଯାତ୍ରା ଦିନ ସକାଳ ନୀତି ଓ ଭୋଗ ପରେ ଠାକୁରମାନଙ୍କୁ ଟାହିଆ ପିନ୍ଧାଇ ପହଣ୍ଡିରେ ଆଣି ରଥ ଉପରକୁ ବିଜେ କରାଯାଏ। ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ପରେ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଉପରକୁ ଆସନ୍ତି।
ରଥଟଣା
ପୁରୀର ଠାକୁରରଜା ସୁନା ଛାଞ୍ଚୁଣିରେ ରଥ ଉପରେ ଛେରା ପହଁରା କରିବା ପରେ, ଶହ ଶହ ଘଣ୍ଟା ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଉଠେ। ଶଙ୍ଖ ହରିବୋଲ ଓ ହୁଳହୁଳି ଧ୍ୱନୀ ମଧ୍ୟରେ ରଥଟଣା ଆରମ୍ଭ ହୁଏ। ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ଯାଏ। ତା ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ଶେଷରେ ଜଗତମୋହନ ଜଗନ୍ନାଥଙ୍କ ରଥ ଯାଏ । ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଠାକୁରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଭିନ୍ନ ପ୍ରକାର ପାଚିଲା ଫଳ ଭୋଗ ଦିଆଯାଏ। ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ସାତଦିନ ରହିବା ପରେ ବାହୁଡ଼ା ଯାତ୍ରା କରନ୍ତି।
ଶ୍ରୀଜଗନ୍ନାଥ, ଜାତି, ଧର୍ମ, ବର୍ଣ୍ଣର ବିଚାର ନକରି ସର୍ବସାଧାରଣଙ୍କୁ ଦର୍ଶନ ଦେଉଥିବାରୁ ରଥଯାତ୍ରାର ନାମ 'ଉଭାଯାତ୍ରା' ହୋଇଥିବା ଅନୁମାନ କରାଯାଏ। ଆଉ କେତେକ କୁହନ୍ତି ଯେ, ଶ୍ରୀମନ୍ଦିର ନିର୍ମାଣ ଓ ପୁରାଣ ପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଗୁଣ୍ଡିଚା ଦେବୀ ରଥଯାତ୍ରା ଆରମ୍ଭ କରିଥିବାରୁ ଏହାର ନାମ ଗୁଣ୍ଡିଚା ଯାତ୍ରା ବା ଶ୍ରୀଗୁଣ୍ଡିଚା ହୋଇଛି। କାହାରି କାହାରି ମତରେ, ଗୁଣ୍ଡିଚା ମନ୍ଦିରର ଯେଉଁ ଅଂଶରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିନୋଟି ତିଆରି କରାଯାଥିଲା, ତାହା 'ମହାଦେବି' ନାମରେ ଅଭିହିତ। ସେଠାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଓ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରିଥିଲେ। ତେଣୁ ବର୍ଷରେ ଥରେ ଶ୍ରୀଜଗନ୍ନାଥ ସେହି ପବିତ୍ର ମହାବେଦିରେ ବିରାଜମାନ କରିବା ପାଇଁ ରଥଯାତ୍ରା ଆରମ୍ଭ ହୋଇଥିଲା। ତେଣୁ ଏହି ରଥଯାତ୍ରାକୁ 'ମହାଦେବି ଯାତ୍ରା' 'ପତିତ ପାବନ ଯାତ୍ରା' ଆଦି ନାମରେ ନାମିତ କରାଯାଇଛି।