• Astrospeak
  • Live TV
  • Read In English

Netra Utsav 2024: ତୁଳସୀ କାଠିରେ ଅଙ୍କାଯାଏ ନେତ୍ର ପିତୁଳା; ଜାଣନ୍ତୁ କୋଉଠୁ ଆସେ ଏହି କାଠି

ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ ହୁଏ?

Netra Utsav 2024 What are the rituals of Netrotsava
କ'ଣ ରହିଛି ନେତ୍ରୋତ୍ସବ ବିଧି ବିଧାନ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ଆଲୌକିକ ଯାତ୍ରା। ବର୍ଷକୁ ଥରେ ସ୍ୱୟଂ ଠାକୁର ଶ୍ରୀମନ୍ଦିରରୁ ବାହାରି ଆସି ସମଗ୍ର ସଂସାରକୁ ଦିବ୍ୟ ଦର୍ଶନ ଦିଅନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ଅପୂର୍ବ ଓ ଅଦ୍ୱିତୀୟ। କୁହାଯାଏ ଯେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ଆସନ୍ତି ତେତିଶ କୋଟି ଦେବଦେବୀ। ଆଉ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ରଥ, ପଥ ଓ ବଡ଼ଦାଣ୍ଡ ହୋଇଯାଏ ପବିତ୍ର।

କାଳିଆ ସାଆନ୍ତଙ୍କ ଅଣସର ନୀତି ପରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି- “ନେତ୍ରୋତ୍ସବ” ଓ “ନବଯୌବନ ଦର୍ଶନ”। ରୁକ୍ମିଣୀ ବିବାହର ଚାରି ଦିନ ପରେ ଜ୍ୟେଷ୍ଠ ଶୁକ୍ଳପୂର୍ଣ୍ଣିମା। ଏହାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ । ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁର ଗାଧୋଇ ଜ୍ୱରରେ ପଡ଼ିବା ପରେ ଅଣସର ଘରେ ରହନ୍ତି। ଏହି ଅଣସର ପରେ ହୁଏ ନେତ୍ରୋତ୍ସବ।

ପନ୍ଦର ଦିନ ଅଣସର ସେବା ଚାଲିବା ପରେ ଷୋଡ଼ଶ ଦିନ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ସେହିଦିନ ଭକ୍ତଙ୍କୁ ନବଯୌବନ ଦର୍ଶନର ସୁଯୋଗ ମିଳେ।

ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। ସେଥିରେ ନେତ୍ର ପିତୁଳା ବି ଅଙ୍କନ ହୋଇଥାଏ। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଏହି ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ପ୍ରସ୍ତୁତ କଳାକୁ ପୂଜାପଣ୍ଡା ସେବକ ତିନି ଖଣ୍ଡ ତୁଳସୀ କାଠିରେ ସେହି ନେତ୍ର ପିତୁଳା ଅଙ୍କନକୁ ସମ୍ପୂର୍ଣ୍ଣ କରିଥାଆନ୍ତି, ଯାହାକୁ “ନେତ୍ରୋତ୍ସବ ନୀତି” କୁହାଯାଇଥାଏ। ଏହି ତୁଳସୀ କାଠି ରାଘବ ଦାସ ମଠରୁ ଆସିଥାଏ।

ବିଧି:

ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଦିନ ତିନିଜଣ ଦତ୍ତମହାପାତ୍ର ଆସି ରତ୍ନସିଂହାସନ ନିକଟରେ ତିନିଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି। ତିନିଜଣ ପୂଜାପଣ୍ଡା ତିନୋଟି କାଠିରେ ନେତ୍ରଲାଗି କରନ୍ତି। ନାନାବିଧି ଓ ପୂଜାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରନ୍ତି।

ସକାଳ ଧୂପ ବଢ଼ି ଧୋପଖାଳ ହେଲାପରେ ତିନି ଜଣ ପୂଜାପଣ୍ଡା ଗରାବଡୁଠାରୁ ହାତୁଆଣି ନେଇ ତିନି ବାଡ଼ର ଶ୍ରୀଅଙ୍ଗରୁ ଅନୁମତି ନେଇ ଘଣ୍ଟ , ଛତା ଓ କାହାଳୀ ସହ ଜୟବିଜୟ ଦ୍ୱାର ଦେଇ ସାତପାହାଚ ବାଟେ ସିଂହଦ୍ୱାର ଦେଇ ଶ୍ରୀନଅର ପାଖରେ ଅର୍ଥାତ ରଥ ଯେଉଁ ପାଖରେ ଥାଏ ସେଠାକୁ ଯାଇ ଜଗନ୍ନାଥଙ୍କ ଆଜ୍ଞାମାଳ ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ, ବଳଦେବଙ୍କ ଆଜ୍ଞାମାଳ ୧୪ ଚକ ବିଶିଷ୍ଟ ତାଳଧ୍ୱଜ ରଥରେ ଓ ସୁଭଦ୍ରାଙ୍କ ଆଜ୍ଞାମାଳ ୧୨ ଚକ ବିଶିଷ୍ଟ ଦେବଦଳନ ରଥରେ ବାନ୍ଧି ଦିଅନ୍ତି। ଏହି ଆଜ୍ଞାମାଳ ପାଇବା ପରେ ରଥଗୁଡିକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଏ। ପ୍ରତିପଦ ଦିନ ରଥ ଆସେ। ସେହି ଦିନ ଦିଅଁ ପହୁଡ଼ ହୁଏ ନାହିଁ।

ପ୍ରତିପଦ ଦିନ ଦଧିନଉତି ଉପରେ ଲାଗିବା କଳସ ଆସି ଜୟବିଜୟ ଦ୍ୱାରଠାରେ ରହିଥାଏ। ସନ୍ଧ୍ୟା ଧୂପ ସରିଲା ପରେ ଜଣେ ପୂଜାପଣ୍ଡା ତିନିବାଡ଼ରୁ ଆଜ୍ଞାମାଳ ନେଇ ତିନି କଳସକୁ ଦିଅନ୍ତି। ଚାଙ୍ଗଡା ମେକାପ ଦେଇଥିବା ତିନିଖଣ୍ଡି ପତିନି ଶାଢ଼ୀ ନେଇ ପଣ୍ଡା ତିନି କଳସରେ ବାନ୍ଧନ୍ତି। ଏହାପରେ କୋଠ ସୁଆସିଆମାନେ ଉକ୍ତ କଳସ ନେଇ ତିନି କଳସରେ ବାନ୍ଧନ୍ତି। 

ତେବେ ବିଶ୍ୱାସ ରହିଛି ଯେ ପବିତ୍ର ନେତ୍ରୋତ୍ସବ ନୀତିକୁ ଯେଉଁମାନେ ଦର୍ଶନ କରନ୍ତି, ସେମାନଙ୍କୁ ବୈକୁଣ୍ଠପ୍ରାପ୍ତ ହୋଇଥାଏ। ସମସ୍ତ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନିଆଯାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇଥିବା ତିନି ଗୋଟି ରଥକୁ ରଥ ଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥାଏ। ଏହାପରେ ପ୍ରାତଃକାଳୀନ ପୂଜା ଓ ବନ୍ଦାପନା ସମାପନା ପରେ ଭାଇଭଉଣୀଙ୍କ ସହ ମହାପ୍ରଭୁ ଗୁଣ୍ଡିଚା ଯାତ୍ରା କରନ୍ତି।