ଶ୍ରୀଜଗନ୍ନାଥ ଓଡିଶାର ଧର୍ମ, ସଭ୍ୟତା ଓ ସଂସ୍କୃତିର ଶ୍ରେଷ୍ଠ ପ୍ରତୀକ। ଓଡ଼ିଆ ଜାତିର ପ୍ରତିଟି ଉତ୍ଥାନ ପତନ ସହିତ ତାଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଆର୍ଥନୀତିକ ଜୀବନରେ ଶ୍ରୀଜଗନ୍ନାଥଙ୍କ ପ୍ରଭାବ ଓ ପ୍ରତିଷ୍ଠା ସୁସ୍ପଷ୍ଟ। ସେଥିପାଇଁ ଭକ୍ତ ମୁଖରେ ସେ କେତେବେଳେ କାଳିଆ, ଚକାଡୋଳା, ବଳିଆର ଭୁଜ ତ ପୁଣି କେତେବେଳେ ଷାଠିଏ ପଉଟି ଖିଆ ଠାକୁର ନାମରେ ପରିଚିତ।
ଶ୍ରୀକ୍ଷେତ୍ରକୁ ଆସି ଶଙ୍କର, ରାମାନୁଜ, ନାନକ ପ୍ରଭୃତି ମହାପୁରୁଷ ଗଣ ଯେପରି ବିଶ୍ୱମୈତ୍ରୀ ଓ ମାନବିକତାର ବାଣୀ ପ୍ରଚାର କରିଛନ୍ତି, ସେହିପରି ରକ୍ତବାହୁ, କଳାପାହାଡ଼, ଶୋଭନ ଖାଁ ଓ ତକି ଖାଁ ପ୍ରଭୃତି ଦୁର୍ବୃତ୍ତମାନେ ଆସି ଶ୍ରୀକ୍ଷେତ୍ରର ଶ୍ରୀ ଲୁଣ୍ଠନ କରିଛନ୍ତି। ଶରଣ-ରକ୍ଷକ ଆର୍ତ୍ତତ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥ ବି ହୋଇଛନ୍ତି ଶରଣାର୍ଥୀ। ଯେଉଁଠି ଯେଉଁଠି ପ୍ରଭୁ ଶରଣାର୍ଥୀ ହୋଇଛନ୍ତି ସେ ଭୂମି ଶ୍ରୀକ୍ଷେତ୍ର ପରି ପବିତ୍ର ହେଇଯାଇଛି।
ସେଇ ଶ୍ରୀଜଗନ୍ନାଥଙ୍କ ଲୀଳାଭୂମିକୁ ନେଇ ଓଡ଼ିଶାରେ ଅନେକ ଶ୍ରୀକ୍ଷେତ୍ର ଦେଖାଯାଏ। ଯଥା- ଶରଣ ଶ୍ରୀକ୍ଷେତ୍ର, ଶୈଳ ଶ୍ରୀକ୍ଷେତ୍ର, ବାଲ୍ୟ ଶ୍ରୀକ୍ଷେତ୍ର, ପାତାଳି ଶ୍ରୀକ୍ଷେତ୍ର, ଶାବର ଶ୍ରୀକ୍ଷେତ୍ର, ଆଦିମ ଶ୍ରୀକ୍ଷେତ୍ର ଇତ୍ୟାଦି। ତେବେ ଏମାନଙ୍କ ମଧ୍ୟରୁ ଶରଣ ଶ୍ରୀକ୍ଷେତ୍ରର ମହତ୍ତ୍ଵ ଅନନ୍ୟ।
ଶରଣ ଶ୍ରୀକ୍ଷେତ୍ର
ଗଞ୍ଜାମ ଜିଲ୍ଲାର ପୋଲସରା ନିକଟସ୍ଥ ମାରଦା ଶରଣ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧି ରହିଛି। ସେତେବେଳେ ଏହି ଅଂଚଳ ଆଠଗଡ଼ ପାଟଣା ଭାବରେ ଜଣାଶୁଣା ଥିଲା। ଶ୍ରୀଜୀଉ ଏଠାରେ ପଥର ସିଂହାସନ ଉପରେ ବସି ୨ ବର୍ଷ ୪ ମାସ କାଳ ପୂଜା ପାଇଥିଲେ ବୋଲି କୁହାଯାଏ। ପୁରୀ ଗଜପତିଙ୍କ ସହିତ ମାରଦାର ଅନ୍ତରଙ୍ଗ ସମ୍ପର୍କ ରହିଛି। କିମ୍ବଦନ୍ତୀ ଅନୁସାରେ ଆକ୍ରମଣ ଭୟରେ ପୁରୀର ଗଜପତି ମହାରାଜା ମହାପ୍ରଭୁଙ୍କୁ ମାରଦାରେ ଲୁଚାଇ ରଖିଥିଲେ। ଠାକୁରଙ୍କ ସୁରକ୍ଷା ପାଇଁ ଏଠାରେ ମେରଦାଆଟୁ ନିର୍ମାଣ କରାଯାଇଥିଲା। କାଳେ କିଏ ଦେଖିଦେବ ବୋଲି ଆଟୁ ଉପରେ ଘାସଗଛ ଲଗାଇ ଦିଆଯାଇଥିଲା। ଏହାକୁ ମାରଦାବଣ ବୋଲି ଲୋକେ କହନ୍ତି।
ମାରଦାରେ ଶ୍ରୀଜୀଉଙ୍କ ସୁରକ୍ଷା ନେଇ ପ୍ରାମାଣିକ ତଥ୍ୟ ମଧ୍ୟ ରହିଛି। କୃତଜ୍ଞତା ସ୍ୱରୂପ ଗଜପତି ରାଜା ପୁରୀ ସହରର ଏକ ବସ୍ତିକୁ ଆଠଗଡ଼ ସାହି ନାମରେ ନାମିତ କରାଇଥିଲେ। ଆଠଗଡ଼ ରାଜାଙ୍କ ସମ୍ମାନ ପାଇଁ ପ୍ରତି ସନ୍ଧ୍ୟାରେ ଶ୍ରୀମନ୍ଦିରରେ ମହାଦୀପ ଉଠାଇଲା ବେଳେ ‘ଶରଣ ପଞ୍ଜରମାନ ଉଦ୍ଧାରଣ ଜଗଦେବ ଭାଇ ହରିଚନ୍ଦନଙ୍କୁ ଶଙ୍ଖରେ ପୂରାଇ ଚକ୍ର ଆଢୁଆଳରେ ରଖିବା ଆଜ୍ଞା ହେଉ ହେ ମଣିମା, ଶୁଣିମା’ ବୋଲି ଯେଉଁ ଡାକ ଦେବାକୁ ଗଜପତି ନିର୍ଦ୍ଦେଶ ଦେଇଥିଲେ, ତାହା ଆଜି ମଧ୍ୟ ଶୁଣିବାକୁ ମିଳୁଛି। ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ଆଠଗଡ଼ ପଣ୍ଡିତଙ୍କ ମଧ୍ୟରୁ ଜଣକୁ ପ୍ରତିନିଧିତ୍ଵ କରିବାର ସୁଯୋଗ ମିଳୁଛି। ପ୍ରତ୍ୟେକ ସନ୍ଧ୍ୟାରେ ମୁକ୍ତିମଣ୍ଡପ ପଣ୍ଡିତସଭା ନିମନ୍ତେ ଆଠଗଡ଼ ରାଣୀ ହରପ୍ରିୟା ମହାଦେଈଙ୍କ ଥାଳି ଦକ୍ଷିଣପାର୍ଶ୍ଵ ଶ୍ରୀରାମ ମଠ ଜରିଆରେ ପ୍ରଦାନ କରାଯାଉଛି।
ଶରଣ ଶ୍ରୀକ୍ଷେତ୍ରର ଇତିହାସ
୧୭୩୩ ମସିହାର କଥା। ମୁର୍ଷିଦକୁଲି ଖାଁଙ୍କ ମୃତ୍ୟୁ ପରେ ନିଜାମ ସୁଜାଉଦ୍ଦିନଙ୍କ ପୁଅ ମହମ୍ମଦ ତକି ଖାଁଙ୍କୁ ନାଏବ, ନିଜାମ ଭାବେ ଓଡ଼ିଶାକୁ ପଠାଇ ଦେଲେ। ହିନ୍ଦୁ ବିଦ୍ୱେଷୀ ତକି ଖାଁର ଆଖି ଶ୍ରୀମନ୍ଦିର ଉପରେ ପଡ଼ିଲା। ତତ୍କାଳୀନ ପୁରୀ ଗଜପତି ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କ ସହ ବିଶ୍ଵାସଘାତକତା କରି ପୁରୀ ମନ୍ଦିରକୁ ଧ୍ୱଂସ କରିବା ପାଇଁ ସେ ଚକ୍ରାନ୍ତ କରିଥିଲେ। ଏ କଥା ରାମଚନ୍ଦ୍ର ଦେବ ଜାଣିପାରି, ତିନିଠାକୁରଙ୍କୁ ନେଇ ଗଞ୍ଜାମ ଆଠଗଡ଼ର ରାଜା ଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବଙ୍କ ଶରଣ ପଶିଥିଲେ। ଜଗଦ୍ଦେବ ତିନିଠାକୁରଙ୍କୁ ନେଇ ହାତୀବାଡ଼ି ପାହାଡ଼ ଉହାଡ଼ରେ ପ୍ରାୟ ୧୦ରୁ ୧୨ ବର୍ଗ ମାଇଲ୍ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଲେ। ତା’ପରେ ସେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଲେ।
ଘାସ କାଟି ସେଠାରେ ବିଗ୍ରହମାନଙ୍କ ପାଇଁ ମଣ୍ଡପ ନିର୍ମାଣ କରାଯାଇଥିଲା। କିଛିଦିନ ପରେ ନିକଟସ୍ଥ ମଥୁରା ଗାଁର କେତେକ କୁଶଳୀ କାରିଗର ମାତ୍ର ଦୁଇମାସ ମଧ୍ୟରେ ଠାକୁରଙ୍କ ପାଇଁ ମନ୍ଦିର ତୋଳିଥିଲେ। ପରେ ପ୍ରଭୁଙ୍କ ନୀତି ପାଇଁ ୯ଶହ ଭରଣ ଧାନଜମି ଖଞ୍ଜି ଦେଇଥିଲେ। ଯବନମାନଙ୍କ ଭୟରେ ଗୁପ୍ତ ଭାବରେ ଠାକୁରଙ୍କ ପୂଜାର୍ଚ୍ଚନା ପୁରୀ ମନ୍ଦିର ଭଳି କରାଯାଉଥିଲା। ଜଗନ୍ନାଥଙ୍କ ସୁରକ୍ଷା ପାଇଁ ରାଜା ଜଗଦ୍ଦେବ, ପୂତ୍ର ମଧୁସୂଦନ ଓ ଗୋବିନ୍ଦ ଚନ୍ଦ୍ର ହରିଚନ୍ଦନଙ୍କୁ ଦାୟିତ୍ଵ ଦେଇଥିଲେ।
ସେମାନଙ୍କ ତତ୍ତ୍ୱାବଧାନରେ ହାତୀବାଡ଼ି ପାହାଡ଼ର ଉତ୍ତର ସୀମା ପନ୍ତିଆମ୍ମାଠାରେ ଭୂମି ତଳେ ଦୁର୍ଗ ନିର୍ମାଣ ହୋଇଥିଲା। ଘଞ୍ଚ ରୁମାଗଡ଼ ଜଙ୍ଗଲ ମଧ୍ୟରେ ପାହାଡ଼ ଉପତ୍ୟକା ଭରା ଗୁପ୍ତଗଡ଼ ଜଙ୍ଗଲରେ ତିନିଶହ ଲଢୁଆ ପାଇକ ଜାଗ୍ରତ ପ୍ରହରୀ ରୂପେ ଅହର୍ନିଶ ନିୟୋଜିତ ରହିଥିବା କଥା ଜଣାଯାଏ। ମାରଦାଠାରେ ୨ ବର୍ଷ ୪ ମାସ କାଳ ଶ୍ରୀଜୀଉମାନେ ରହିବା ପରେ ତକି ଖାଁଙ୍କର ମୃତ୍ୟୁ ହେବାରୁ ଠାକୁର ପୁଣି ପୁରୀକୁ ବାହୁଡ଼ି ଆସିଥିଲେ। ବିପତ୍ତି ବେଳେ ଆଠଗଡ଼ ଶ୍ରୀଜଗନ୍ନାଥଙ୍କୁ ଶରଣ ଦେଇଥିବାରୁ ତାହା ‘ଶରଣ ଶ୍ରୀକ୍ଷେତ୍ର’ ନାମରେ ଅଭିହିତ ହେଲା।
ମାରଦା ଜଗନ୍ନାଥ ମନ୍ଦିର
ଆଠଗଡ଼ ରାଜ୍ୟ ଅନ୍ତର୍ଗତ ମଥୁରା ଗାଁର ବିନ୍ଧାଣୀମାନେ ଦୁଇମାସ କାଳ ଦିନରାତି ପରିଶ୍ରମ କରି ମାରଦା ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରଟି କୁଣ୍ଡା ପଥରରେ ତିଆରି ହୋଇଛି। ମନ୍ଦିରଟି ବିମାନ ଓ ଜଗମୋହନକୁ ନେଇ ଗଠିତ। ବିମାନ ଓ ଜଗମୋହନର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୩୫ ଫୁଟ, ୪୫ ଫୁଟ ଏବଂ ୨୨ ଫୁଟ ଓ ୨୪ ଫୁଟ। ଏକ ବଡ ପଥର ଚଉତରା ଉପରେ ନିର୍ମିତ ସମଗ୍ର ମନ୍ଦିରଟିର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ ୫୭ ଫୁଟ ଓ ୪୫ ଫୁଟ। ପୁରୀ ଜଗନ୍ନାଥ ମନ୍ଦିରର କବାଟ ପରି ଏଠାରେ ମଧ୍ୟ ଏକ ବଡ଼ କାଠ କବାଟ ରହିଛି। ବିମାନର ବାହାର ଚାରିପାଖ କାନ୍ଥରେ ବାମନ, ନୃସିଂହ, ବରାହଙ୍କ ପଥର ମୂର୍ତ୍ତି ପାର୍ଶ୍ୱଦେବତା ରୂପେ ଶୋଭା ପାଆନ୍ତି।
ଦେଉଳର ଉପର ଭାଗ (ମସ୍ତକ ବା ଚୂଡ଼ା) ଗରୁଡ଼ଙ୍କ ମୂର୍ତ୍ତି, ଆମଳକ, ଖପୁରି, କଳସ ଏବଂ ନୀଳଚକ୍ର ଦ୍ୱାରା ବିମଣ୍ଡିତ। ବିମାନ ବା ଦେଉଳ ମଧ୍ୟରେ ଥିବା ରତ୍ନସିଂହାସନଟି ପଥରରେ ତିଆରି। ରତ୍ନସିଂହାସନ ଉପରେ ସ୍ଥାପିତ ତିନୋଟି ପଥର ଚକ (ପିଣ୍ଡି) ଉପରେ ଶ୍ରୀବିଗ୍ରହମାନେ ଉପବିଷ୍ଟ ହୋଇ ପୂଜା ପାଉଥିଲେ। ୧୭୩୩ ଖ୍ରୀ.ଅ. ମେ ମାସରେ ଶ୍ରୀବିଗ୍ରହମାନଙ୍କୁ ପୁରୀକୁ ନେଇଯିବା ପରଠାରୁ ଅଦ୍ୟାବଧି ଏହି ତିନୋଟି ଚକା ପଥର ପୂଜିତ ହେଉଛନ୍ତି। ପଥରା ଗ୍ରାମର ଜଣେ ପୂଜକ ଏହି ଦାୟିତ୍ଵରେ ଅଛନ୍ତି। ଜଗମୋହନର ମଧ୍ୟ ଭାଗରେ ଗରୁଡ ସ୍ତମ୍ଭ ରହିଛି ଯାହାର ଉଚ୍ଚତା ୮ ଫୁଟ। ଶ୍ରୀମୂର୍ତ୍ତିମାନଙ୍କ ପୂଜାବିଧି ତଥା ଭକ୍ତମାନଙ୍କ ବ୍ୟବହାର ପାଇଁ ଉତ୍ତର କୋଣକୁ ଏକ ଗଭୀର କୂଅ ଖୋଳା ଯାଇଥିଲା। ତାହା ଏବେ ଅକ୍ଷତ ଅବସ୍ଥାରେ ରହିଛି। କୂଅ ପାଖ ଏକ ଛୋଟ ମନ୍ଦିରରେ ରାମଭକ୍ତ ହନୁମାନ ପୂଜିତ ହେଉଛନ୍ତି।
ଦକ୍ଷିଣ ଦ୍ଵାର ସମ୍ମୁଖରେ ଏକ ଶିବଲିଙ୍ଗ ଏବଂ ଚକ୍ର ପୂଜା ପାଉଛନ୍ତି। ସମ୍ଭବତଃ ମୁସଲମାନ ମାନଙ୍କ ଆକ୍ରମଣରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ମନ୍ଦିରକୁ ବେଷ୍ଟନ କରି ଏକ ପରିଖା ଖୋଳା ହୋଇଥିଲା। ପରିଖାର ଗଭୀରତା ଥିଲା ପ୍ରାୟ ୧୦ ଫୁଟ। ବର୍ତମାନ ପରିଖାଟିର ବହୁ ଅଂଶ ମାଟିରେ ପୋତି ହୋଇଗଲେ ମଧ୍ୟ କେତେକାଂଶରେ ପ୍ରାୟ ପାଞ୍ଚଫୁଟ ପର୍ଯ୍ୟନ୍ତ ପାଣି ରହିବା ଦେଖାଯାଏ। ଠିକ୍ ଶ୍ରୀକ୍ଷେତ୍ର ଭଳି ମାରଦା ମନ୍ଦିର ସ୍ଥାନରେ ଶ୍ରୀଲୋକନାଥ ଓ ବିମଳାଙ୍କ ମୂର୍ତ୍ତି ମଧ୍ୟ ଅଛି। ଖୋଲା ଜାଗାରେ ଲୋକନାଥଙ୍କ ବିଗ୍ରହ ଥିବାରୁ ଏହାକୁ ‘ଖରାଖିଆ ଲୋକନାଥ’ ବୋଲି ସ୍ଥାନୀୟ ଭାବେ କୁହାଯାଉଛି। ମାତ୍ର ଦୁଇମାସ ମଧ୍ୟରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ମଥୁରାର ପଥର ଶିଳ୍ପୀମାନେ ମନ୍ଦିର ଦେହରେ ବିଶେଷ କାରୁକାର୍ଯ୍ୟପୂର୍ଣ୍ଣ ଖୋଦାଇ କାମ କରିପାରି ନଥିଲେ। ମନ୍ଦିର କାନ୍ଥରେ କେତେକ ଭାସ୍କର୍ଯ୍ୟ ଅସମ୍ପୂର୍ଣ ଅବସ୍ଥାରେ ଥିବା ଦେଖାଯାଏ।